Monday, May 11, 2020

ଆମ ଭାଷାରେ ଦେଖିଵା ସମାର୍ଥକ କେତେକ ଓଡ଼ିଆ କ୍ରିୟା

ହିନ୍ଦୀଭାଷା କ୍ଷେତ୍ରର ଵିଭିନ୍ନ ଭାଷାରେ (ଵିଶେଷତଃ ଭୋଜପୁରୀରେ) ଦେଖିଵା ଅର୍ଥରେ ‘ताकना’,‘लुकना’ ଓ ‘हेरना’ ଆଦି ଶବ୍ଦ ଚଳେ ଯାହାର ସମଦ୍ଧୃତ ଓଡ଼ିଆଶବ୍ଦ ଗୁଡ଼ିକ ପୁରାତନକାଳରେ ଵ୍ଯଵହାର ହେଉଥିଲେ ହେଁ ଏଵେ ମାତ୍ର ସାହିତ୍ୟରେ ହିଁ ସୀମିତ ରହିଯାଇଛି !

ଭୋଜପୁରୀର ‘हेरना’ ଶବ୍ଦ ପରି ‘ହେରଣ’, ‘ହେରଣା’ ଓ ‘ହେରା’ ଆଦି ଶବ୍ଦ ଯେ ଓଡ଼ିଆ ଭାଷାର ପ୍ରାଚୀନ ପଦ୍ଯରେ ଵ୍ଯଵହାର ହେଉଥିଲା ତାହା ବହୁତ କମ୍ ଓଡ଼ିଆଙ୍କୁ ଜଣାଥିବ !

ଏଠାରେ ‘ହେରା’ ଶବ୍ଦକୁ ଉଦାହରଣ ଭାବରେ ନିଆଯାଇପାରେ ! ରଥଯାତ୍ରା ପରେ ‘ହେରାପଞ୍ଚମୀ’ ହୁଏ ! ଲକ୍ଷ୍ମୀଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ଶ୍ରୀଜଗନ୍ନାଥଙ୍କୁ ଲୁଚି ଦେଖିଵାକୁ ଯାଅନ୍ତି ବୋଲି ଏହି ଦିନକୁ ହେରାପଞ୍ଚମୀ କୁହାଯାଏ !

‘ताकना’ ଶବ୍ଦ ଭଳି ଓଡ଼ିଆଭାଷାରେ ବହୁ ପୁରାତନକାଳରୁ ‘ତକାଇବା’ ଶବ୍ଦ ଚଳିଆସୁଛି !
ସେହିଭଳି ଭୋଜପୁରୀର ‘लोकना’ ଶବ୍ଦର କିଛି ସମଧୃତ ଓଡ଼ିଆ ଶବ୍ଦ  ହେଲା :- ‘ଲୋକନ’ ,‘ଅଵଲୋକନ’,‘ଲୋକିଵା’,‘ଲୋକିତ’,‘ଲୋକାଲୋକ’ ଇତ୍ଯାଦି !

ଇଂରାଜୀର ‘look’ ଶବ୍ଦ ସହିତ ସଂସ୍କୃତର ‘ଲୋକ୍ ଧାତୁ’ ତଥା ‘ଲୋକିବା’ ଓ ‘लोकना’ ଆଦି ଶବ୍ଦର ସମଦ୍ଧୃତଗତ ସଂପର୍କ ଥାଇପାରେ !

ଏ ଶବ୍ଦ ସହିତ ସମଦ୍ଧୃତ ଆଉକିଛି ଶବ୍ଦ ହେଲା:-

ସମାଲୋକ(ଉତ୍ତମ ରୂପେ ଦେଖିଵା),ଵିଲୋକନ କରିଵା,ଅଵଲୋକନ କରିଵା,ଲୋକ କରିଵା ଓ ଆଲୋକନ ଇତ୍ଯାଦି । 

ତେବେ ଓଡ଼ିଆଭାଷାରେ ଦେଖିଵା ଅର୍ଥରେ କ୍ରିୟା ଶବ୍ଦର ଆଦୌ ଅଭାଵ ନାହିଁ ! ଆମେ କଥିତ ହେଉ କି ଲିଖିତ ଭାଷା ‘ଦେଖିଵା’ କ୍ରିୟା ଶବ୍ଦର ଵହୁଳ ଵ୍ଯଵହାର କରନ୍ତି ! ଏହି ‘ଦେଖିଵା’ ଶବ୍ଦଟି ‘ଦୃଶ୍ ଧାତୁ’ ସହ ସମଦ୍ଧୃତ ବୋଲି ମତ ଦିଆଯାଏ ।

ଏଣୁ ନିମ୍ନଲିଖିତ ଓଡ଼ିଆ କ୍ରିୟା ଶବ୍ଦ ଗୁଡ଼ିକୁ ଦେଖିଵା ଶବ୍ଦ ସମ୍ପର୍କିତ ମାନାଯାଇପାରେ;ଦରଶ(ର୍ଶ)ନ କରିଵା(ପାଇଵା),ଦୃଷ୍ଟି କରିଵା(ଦେଵା),ଦୃଷ୍ଟିପାତ କରିଵା,ଦେଖୁଣି,ସମ୍ଯକ ଦୃଷ୍ଟି ଇତ୍ଯାଦି !

‘ଦେଖିଵା’ ଶବ୍ଦ ପରେ (ଓଡ଼ିଆଭାଷାରେ) ସେଇ ଅର୍ଥରେ ‘ଚାହିଁଵା’ ଶବ୍ଦଟି ଚଳୁଛି ! ଏହା ଶାସ୍ତ୍ରୀୟ ’ଚାୟ୍ ଧାତୁ’ ସହ ସମଦ୍ଧୃତ ବୋଲି ଭାଷାକୋଷରୁ ଜଣାଯାଏ ! 

ଆଖିରେ ଦେଖାଯାଏ ବୋଲି ଦେଖିଵା ଅର୍ଥରେ ‘ଆଖେଇଵା’ ଓ ‘ଆଖି ପକେଇଵା’ର ଵ୍ଯଵହାର ଦେଖାଯାଏ ! ଓଡ଼ିଆ ଭାଷାରେ ‘ଅନା’,‘ଅନେଇଵା’ ଓ ‘ହନେଇବା’ ଆଦି ଶବ୍ଦ ଦେଖିଵା ଅର୍ଥରେ ଵହୁଳ ଵ୍ଯଵହାର ସମସ୍ତେ କରିଥିବେ !  ଦେଖିଵା ଅର୍ଥରେ ଆଉକିଛି ନିଆରା କ୍ରିୟା ଶବ୍ଦ ରହିଛି ଯେଉଁଗୁଡ଼ିକ ସାହିତ୍ଯ କ୍ଷେତ୍ରରେ ଵହୁଳ ବ୍ଯବହାର ହୋଇଥାଏ ! ଯଥା:-
✓ନିଫାଳନ
✓ବିଲକ୍ଷିଵା
✓ପ୍ରେକ୍ଷଣା
✓ନିରୀକ୍ଷଣ କରିଵା
✓ପ୍ରମାଣିଵା
✓ନେତ୍ର ଗୋଚର କରିଵା
✓ପ୍ରତାଳିଵା
✓ଡୋଳା ବୁଲାଇଵା
✓ଅବଲୋକିଵା
✓ସନ୍ଦର୍ଶନ

ଇତ୍ଯାଦି ! 

ଅତି ସୂକ୍ଷ୍ମ ଦୃଷ୍ଟିରେ କୌଣସି ପଦାର୍ଥ ଵା ଵ୍ଯକ୍ତିକୁ ଦେଖିବା ପାଇଁ ମଧ୍ଯ ଓଡ଼ିଆଭାଷାରେ ଅନେକ ଶବ୍ଦ ଚଳୁଅଛି ଯେମିତିକି:-

✓ନିଖାରିଵା
✓ନିରିଖିଵା
✓ପ୍ରତାଳ ବା ପ୍ରତାଳିଵା
✓ଲକ୍ଷିଵା
✓ଚିହ୍ନିଵା

ଇତ୍ଯାଦି !

ସେହିପରି ଲୁଚି କି ଦେଖିଵା ପାଇଁ ଓଡ଼ିଆକ୍ରିୟା ଶବ୍ଦଟେ ଚଳେ-
‘ଉଙ୍କିବା’ !

ସୂଚନା ଥାଉ କି ଉପରୋକ୍ତ ଶବ୍ଦ ଗୁଡ଼ିକ କେଵଳ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ନିଆଯାଇଛି କିନ୍ତୁ ଓଡ଼ିଆଭାଷାର ଵିଶାଳ ଶବ୍ଦ ଭଣ୍ଡାରରେ ଦେଖିଵା ଅର୍ଥ ସମ୍ବନ୍ଧିତ ଆହୁରି ଅନେକ  କ୍ରିୟା ଶବ୍ଦ ଥାଇପାରେ ! ଆପଣଙ୍କ ଅଞ୍ଚଳରେ ସେହିଭଳି କୌଣସି ଶବ୍ଦ ଚଳୁଥିଲେ ଏଠାରେ ନିଶ୍ଚୟ ଜଣାନ୍ତୁ ‌ ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...