ଵେଳେ ଵେଳେ ତତ୍ସମ ଶବ୍ଦ ଵ୍ଯଵହାର କରାଯାଇ କଥିତ ଭାଷାରେ ଏମିତି କିଛି ଶବ୍ଦ ସୃଷ୍ଟି ହୁଏ ଯେଉଁ ଶବ୍ଦ ମୂଳ ସଂସ୍କୃତରେ କେଵେ ପ୍ରଚଳିତ ନଥାଏ ତେଣୁ ଏଭଳି ଶବ୍ଦ ତତ୍ସମ ନୁହେଁ ଵରଂ ଦେଶଜ ଵିଵେଚିତ ହୋଇଥାଏ ।
ତତ୍ସମ ଶବ୍ଦ ଵ୍ଯଵହାର କରାଯାଇ ସୃଷ୍ଟ ହୋଇ ଲୋକମୁଖରେ ପ୍ରଚଳିତ ଏଭଳି ଶବ୍ଦସବୁ ସଂସ୍କୃତ ଭାଷାରେ ନଥିଵାରୁ ଏଵଂ କେଵଳ କଥିତ ଭାଷାରେ ଵ୍ଯଵହାର ହୋଇଥିଵା ହେତୁ ଏମନ୍ତ ଶବ୍ଦଗୁଡ଼ିକୁ ଦେଶଜ ଅଭିହିତ କରାଯାଇଥାଏ ।
ସେଇଭଳି ଏକ ନିଆରା ଶବ୍ଦ ହେଉଛି
"ଅଗ୍ନିମୂଲ୍ୟ" । ଏ ଶବ୍ଦଟି ସାଧାରଣତଃ ଏକ ଵିଶେଷଣ ଶବ୍ଦ ଭାଵେ ଵ୍ଯଵହାର ହୋଇଥାଏ ।
ଏଠାରେ "ଅଗ୍ନିମୂଲ୍ୟ" ଶବ୍ଦରେ ଥିଵା "ଅଗ୍ନି" ଓ "ମୂଲ୍ୟ" ଏ ଉଭୟ ଶବ୍ଦ ତତ୍ସମ ଶବ୍ଦ ଅଟେ କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାକୁ ଏକ ଦେଶଜ ଶବ୍ଦ ଭାଵେ ଅଭିହିତ କରାଯାଇଛି ।
ମୂଳ ସଂସ୍କୃତରେ ଵା ସଂସ୍କୃତର କୌଣସି ଗ୍ରନ୍ଥାଦିରେ ଏ ଶବ୍ଦ ଵ୍ଯଵହାର ହେଉନଥିଵାରୁ ଓ ହିନ୍ଦୀ,ଓଡ଼ିଆ ଇତ୍ୟାଦି କେତୋଟି ଭାଷାରେ ହିଁ ଏହା ଵ୍ଯଵହୃତ ହେଉଥିଵା ହେତୁ ଏହାକୁ ଦେଶଜ ଶବ୍ଦ ବୋଲି ଉଲ୍ଲେଖ କରାଯାଇଛି ।
ଯେଉଁ ପଦାର୍ଥ ଦୁର୍ମୂଲ୍ଯ, ଯାହା ମହର୍ଗ ଵା ମହାର୍ଘ ଓ ସହଜରେ ପ୍ରାପ୍ତ ହୁଏ ନାହିଁ ,ଯାହାକୁ କିଣିଵା ସହଜ ନୁହେଁ, ଯେଉଁ ଦ୍ରଵ୍ଯର ମୂଲ୍ୟ ଆକାଶଛୁଆଁ, ଯାହା ବହୁମୂଲ୍ୟ ଵା ମୂଲ୍ଯଵାନ ସେଭଳି ଵସ୍ତୁକୁ ଅଗ୍ନିମୂଲ୍ଯ କୁହାଯାଇଥାଏ ।
ତେଵେ ଅଗ୍ନିମୂଲ୍ଯ ଶବ୍ଦର ଦୁର୍ମୂଲ୍ଯ,ବହୁମୂଲ୍ୟ ଓ ମହରଗ ଅର୍ଥରେ ପ୍ରୟୋଗ କେଉଁ ଆଧାରରେ ହୋଇଅଛି ?
ଏହି ପ୍ରଶ୍ନର ଉତ୍ତର ଶହେ ଵର୍ଷ ତଳେ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ତାଙ୍କର ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରିଯାଇଛନ୍ତି ।
ଶ୍ରୀପ୍ରହରାଜଙ୍କ ଅନୁସାରେ ― "ଅଗ୍ନିର ଦାହିକା ଶକ୍ତି ଯୋଗୁଁ ଅଗ୍ନି ନିକଟକୁ କେହି ଯାଇ ପାରେ ନାହିଁ, ସେହିପରି ମୂଲ୍ଯ ବେଶି ହେଵାରୁ ଯେଉଁ ଦ୍ରଵ୍ଯକୁ କିଣିଵାକୁ ଗ୍ରାହକ ଭରସନ୍ତି ନାହିଁ ତାହା ଅଗ୍ନିମୂଲ୍ଯ ଵିଵେଚିତ ହୋଇଥାଏ ।
No comments:
Post a Comment