Tuesday, May 12, 2020

କାଛି ~ ଏକ ଲୁପ୍ତ ଶବ୍ଦର କାହାଣୀ

ଭାଷାର ନିଜସ୍ଵ ଅଵ୍ଯୟ,ପ୍ରତ୍ୟୟ, ସର୍ଵନାମ, କ୍ରିୟା ଓ କ୍ରିୟା ଵିଶେଷଣ ଆଦି ଯଦି ଅନ୍ଯ ଭାଷା ଦ୍ଵାରା ପ୍ରଭାଵିତ ହୋଇ ମରିଵାକୁ ଲାଗେ  ତେଵେ ବୁଝିଯିଵାକୁ ହେଵ ଯେ ଉକ୍ତ ଭାଷାର ଦୁର୍ଦ୍ଦିନ ଆସିଗଲାଣି ।


ତେଵେ ଓଡ଼ିଆ ଭାଷାରେ ମଧ୍ୟ ଏହି ଶ୍ରେଣୀୟ ଶବ୍ଦ ଅଵ୍ଯଵହୃତ ହୋଇଯାଇଛି କି ?


ହଁ ଏଭଳି ଅନେକ ଉଦାହରଣ ରହିଛି !!!
ଏକଦା ଆମ୍ଭନ୍ତ ତୁମ୍ଭନ୍ତ ଲେଖୁଥିଵା ଓଡ଼ିଆମାନେ ଆଜି ସେ ଶୈଳୀ ସଂପୂର୍ଣ୍ଣ ଛାଡ଼ି ସାରିଛନ୍ତି ଏଵଂ ତତ୍ ପରିଵର୍ତ୍ତେ ଆମ୍ଭଙ୍କୁ ତୁମ୍ଭଙ୍କୁ ଲେଖିଥାନ୍ତି । 


ସେଇଭଳି ଆଉ ଗୋଟିଏ ଦେଶଜ ଓଡ଼ିଆ ଅଵ୍ୟୟ ହେଉଛି


“କାଛି”


ଏହି ଅଵ୍ଯୟଟି  “ଲାଗିଯାଇ”  ଵା “ଦେହକୁ ଦେହ ଲାଗି”
ଆଦି ଅର୍ଥରେ ଵ୍ଯଵହୃତ ହେଉଥିଲା  । ଏହା ସଂସ୍କୃତ ଶବ୍ଦ କକ୍ଷ ସହିତ ସମଦ୍ଧୃତ ହୋଇଥାଇପାରେ କାରଣ କକ୍ଷ ଶବ୍ଦର ଏକ ଅର୍ଥ ପାର୍ଶ୍ଵରେ; କଡ଼ରେ ଵା ପାଖରେ ଅଟେ ।


କଵି କୃଷ୍ଣ ସିଂହ କୃତ ମହାଭାରତରେ ଆମେ ଏହି ଅଵ୍ଯୟ ଵ୍ଯଵହାର ହୋଇଥିଵାର ଦେଖିଵାକୁ ପାଇଥାନ୍ତି ।


ଯଥା—


“ତୁମ୍ଭ ଲୋକମାନେ କର୍ଣ୍ଣଙ୍କୁ ଆଗକରି,
ଯୁଦ୍ଧ କରିଲେ କାଛି ଶସ୍ତ୍ରକୁ ପ୍ରହାରି।”
(କର୍ମପର୍ଵ, କୃଷ୍ଣ ମହାଭାରତ)





ସେଇଭଳି “କାଛେ କାଛେ” କ୍ରିୟା ଵିଶେଷଣ ଶବ୍ଦ ବି ଚଳୁଥିଲା ଆମ ଭାଷାରେ ...


ଏହା ଅତି ନିକଟରେ ଵା ପାଖେ ପାଖେ ଅର୍ଥରେ ଵ୍ଯଵହାର ହେଉଥିଲା ।


ଜଗନ୍ନାଥ ଦାସ କୃତ ଭାଗଵତରେ ଆମେ ଏ ଶବ୍ଦର ଵ୍ଯଵହାର ହୋଇଥିଵା ଦେଖିଥାନ୍ତି
ଯଥା—


“ଗୋରୁଙ୍କ ଶିଙ୍ଗ ଧରି ନାଚେ
ବୁଲନ୍ତି ଅଗ୍ନି କାଛେ କାଛେ।”


ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଏ ଶବ୍ଦ ମେଦିନୀପୁରୀ ଓଡ଼ିଆ ଭାଷାରେ “କାଛା କାଛି” ହୋଇ ଏକ ଵିଶେଷଣ ଭାଵେ ଵ୍ଯଵହୃତ ହେଉଥିଲା ।


ମେଦିନୀପୁରିଆ ଏ ଶବ୍ଦକୁ ଅତି ନିକଟବର୍ତ୍ତୀ; ସନ୍ନିକଟ; ପରସ୍ପରର ନିକଟବର୍ତ୍ତୀ ଆଦି ଅର୍ଥରେ 
ଵ୍ଯଵହାର କରୁଥିଲେ ବୋଲି ଏ ଅଭିଧାନରେ ଉଲ୍ଲେଖ ରହିଛି ।


ତେଵେ ଓଡ଼ିଆ ଭାଷାରେ କାଛି ଶବ୍ଦର ଏକ ଵିଶେଷ୍ଯ ଶବ୍ଦ ଭାଵେ ମଧ୍ୟ ଵ୍ଯଵହାର ରହିଥିଲା ଏଵଂ ସମ୍ଭଵତଃ ଏହା ମଧ୍ୟ କକ୍ଷ ଶବ୍ଦ ସହ ସମଦ୍ଧୃତ ହୋଇଥିଵା ସମ୍ଭଵ କାରଣ କକ୍ଷ ଶବ୍ଦର ଆଉ ଏକ ଅର୍ଥ କଛା; ବସ୍ତ୍ରପ୍ରାନ୍ତ; ବସ୍ତ୍ରାଞ୍ଚଳ ପୁଣି ସଂସ୍କୃତରେ କଚ୍ଛ ଶବ୍ଦ ସହିତ ବି ସମଦ୍ଧୃତ ହୋଇଥିଵା ସମ୍ଭଵ ଯେହେତୁ ଏହା ମଲ୍ଲମାନଙ୍କ ଵ୍ଯଵହାର୍ଯ୍ୟ ଲେଙ୍ଗୁଟୀ; କର୍ପଟୀକୁ କଚ୍ଛ କୁହାଯାଉଥିଲା ।




କାଛି ସାଧାରଣତଃ କ୍ଷୁଦ୍ର ପତଳା ରଙ୍ଗୀନ୍ ପରିଧାନ ବସ୍ତ୍ର ଯାହାକୁ କରିଆ ମଧ୍ୟ କୁହାଯାଇଥାଏ । ଏହାକୁ ଓଡ଼ିଶାରେ କେଉଁଠି କେଉଁଠି କଚ୍ଛା ,କାଚ୍ଛ,କାଚ୍ଛଟା ଓ କାଛ ଆଦି ମଧ୍ୟ କୁହାଯାଏ ।


ଜଗନ୍ନାଥ ଦାସ ଏହି ଅର୍ଥରେ କାଛ ଶବ୍ଦର ପ୍ରୟୋଗ କରି ଲେଖିଯାଇଛନ୍ତି...


“କୁତ ପଲ୍ଲବ ଶିଖିପୁଚ୍ଛ, 
କଟୀରେ ନୀଳ ପୀତ କାଛ। ”


ସେଇଭଳି ଭକ୍ତଦାସ କୃତ ମଥୁରା ମଙ୍ଗଳରେ 
କାଛି ଶବ୍ଦର ଵ୍ଯଵହାର ଉଲ୍ଲେଖ ଯୋଗ୍ୟ


“କାହାକୁ ପିନ୍ଧାଇବି କାଛିରେ”


ଲୁଗାକୁ ସୁନ୍ଦରରୂପେ ଅଙ୍ଗରେ ସଜ୍ଜିତ କରି ପିନ୍ଧିଵା ଅର୍ଥରେ 
କଵିସୂର୍ଯ୍ୟ ବଳଦେଵ ରଥ ଏ ଶବ୍ଦର ଵ୍ଯଵହାର  କରି ଲେଖିଛନ୍ତି—


“ବିଶଥ ହୋଇଛିରେ, 
            ବାସ ପିନ୍ଧିଥାଉ ପରି କାଛି ।”




ଓଡ଼ିଆ ଭାଷାରେ କାଛି ଶବ୍ଦର ଆଧାରରେ ଦୁଇଗୋଟି କ୍ରିୟାଶବ୍ଦ ବି ଚଳୁଥିଲା 
ଯଥା—
୧)କାଛିଵା— କାଛା ପିନ୍ଧିବା; କାଛା ଭିଡ଼ିବା,କ୍ଷୁଦ୍ର ଵସ୍ତ୍ର ପିନ୍ଧିଵା


୨)।କାଛି ହେବା—ଛୋଟ ଲୁଗା ବଡ଼ ଶରୀରକୁ କସାକସ୍ ହେବା, କାଛା ପିନ୍ଧିଲା ଭଳିଆ କସିକାସି ଭିଡ଼ିଭାଡ଼ି ଲୁଗାକୁ ପିନ୍ଧିବା,କଛା ମାରି ଲୁଗା ପିନ୍ଧିବା


ତେଵେ ଏଠାରେ ପ୍ରଶ୍ନ ଉଠେ ଓଡ଼ିଆ ଭାଷାରେ ପ୍ରଚଳିତ ଏ କାଛି ଶବ୍ଦ ଉଭୟ ଅଵ୍ଯୟ ଓ ଵିଶେଷ୍ଯ ଅର୍ଥରେ ଵ୍ଯଵହାର ହେଉଥିଲେ ହେଁ ଆଜି କାହିଁକି ଲୁପ୍ତ ହୋଇଯାଇଅଛି ?


No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...