Sunday, May 17, 2020

ଗୁରିଆ ~ କଳିଙ୍ଗ ଦେଶର ଏକ ବହୁଅର୍ଥବୋଧକ ଶବ୍ଦ

ଓଡ଼ିଶାରେ କୋଟି କୋଟି ଜଣା ଅଜଣା ଶବ୍ଦ ରହିଛି ପୁଣି ପ୍ରତ୍ୟେକ ଶବ୍ଦର ଥାଏ ଦୁଇ ଵା ତତୋଽଧିକ ଅର୍ଥ । ଅଞ୍ଚଳ ଭେଦରେ ଗୋଟାଏ ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ହୋଇପାରେ ।

ଵିଭିନ୍ନ ଅଞ୍ଚଳରେ ପ୍ରଚଳିତ ଏକା ପରି ଦେଖାଯାଉଥିଵା ଶବ୍ଦଟିଏ ଭିନ୍ନ ଭିନ୍ନ ମୂଳରୁ ନାନା ଅର୍ଥରେ ଚଳୁଥିଵା ଦୃଶ୍ଯ ହୋଇଥାଏ ।

ସେଇଭଳି ଗୋଟିଏ ଶବ୍ଦ ହେଉଛି ଗୁରିଆ , ଏ ଶବ୍ଦର ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଅର୍ଥ ।

ପୂର୍ଵାଞ୍ଚଳର କଥିତ ଭାଷାରେ ଏ ଶବ୍ଦ ଏଵେ ଲୁପ୍ତ ହେଵାକୁ ବସିଛି ଏଵଂ କେଵଳ ଵୃଦ୍ଧ ଵୃଦ୍ଧାଙ୍କ ମଧ୍ୟରେ ସୀମିତ ।

ଆଗେ  କୁଲାଦ୍ବାରା କୌଶଳକ୍ରମେ ଗୁରା ହୋଇଥିଵା ଵା ପାଛୁଡ଼ା ହୋଇଥିବା ଧାନ ଆଦି ଶସ୍ଯକୁ ଗୁରିଆ କୁହାଯାଉଥିଲା ।

ଏ ଶବ୍ଦ ଆଜକୁ କେଵଳ କୃଷକ ପରିଵାରର ଵୟସ୍କ ଲୋକଙ୍କ ମଧ୍ୟରେ ସୀମିତ ରହିଯାଇଛି ।

ଓଡ଼ିଶାର ମିଷ୍ଟାନ୍ନ ପ୍ରସ୍ତୁତକାରୀ ଜାତିଵିଶେଷ ଲୋକେ ଗୁଡ଼ ଦ୍ଵାରା ମିଷ୍ଟାନ୍ନ ପ୍ରସ୍ତୁତ କରୁଥିଵାରୁ ସେମାନଙ୍କୁ ଆମ ଦେଶରେ ଗୁଡ଼ିଆ ଉପାଧି ପ୍ରାପ୍ତ ହୋଇଛି ।

ଏହି ଗୁଡି଼ଆ ଶବ୍ଦଟି ଓଡ଼ିଶାର ଗଡ଼ଜାତ ଅଞ୍ଚଳରେ ଗୁରିଆ ହୋଇ ପ୍ରଚଳିତ ।

ଗଡ଼ଜାତରେ ସାଧାରଣତଃ 'ଡ଼' ଯୁକ୍ତ ଶବ୍ଦ 'ର' ରେ ପରିଵୃ୍ତ୍ତ ହୋଇଥାଏ ଯେମିତିକି ବାଡି଼ = ବାରି ।

ସେହିପରି ଆମ ଗଡ଼ଜାତରେ ଈଷତ୍ ନାଲିଆରଙ୍ଗକୁ ଗୁରିଆ କୁହାଯାଏ । ଏ ଶବ୍ଦ ଗୋରା ସହିତ ସମଦ୍ଧୃତ ଅଟେ । ଏହାର ଅନ୍ୟ ରୂପ ଗୋରିଆ ଅଟେ ।

ସାଧାରଣତଃ ୟୁରୋପୀୟ ଗୋରା ଲୋକେ ଈଷତ୍ ନାଲିଆ ରଙ୍ଗର ହୋଇଥାଆନ୍ତି ।

ଗୋରା ଲୋକଙ୍କୁ ଗୁରିଆ କୁହାଯାଏ ଏଵଂ ଏହାର ସ୍ତ୍ରୀ ଵାଚକ ରୂପ ଗୁରି ଅଟେ । 

ସେଇଭଳି ହଳଦିଆ ମିଶା ନାଲି ଗୋରୁଙ୍କୁ ମଧ୍ୟ ଗୁରିଆ କୁହାଯାଏ । ଏଭଳି ଗାଈ କମ୍ ଦେଖାଯାଆନ୍ତି
ଏଵଂ ଢେଙ୍କାନାଳ ଗଡ଼ଜାତରେ ଏହି ଵିଶେଷ ରଙ୍ଗର ଗାଈଙ୍କୁ କସରା କୁହାଯାଏ । ସେଇଭଳି ଅନୁଗୁଳ ଓ ଢେଙ୍କାନାଳ ଅଞ୍ଚଳରେ ଗୋରା ଓ ଗୋରୀ ପିଲାଙ୍କୁ ଯଥାକ୍ରମେ କଇରା ଓ କଇରୀ ଡାକନାମ ଦିଆଯାଇଥାଏ ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...