ଚାଖଣ୍ଡେକୁ ଏକ ବିତା ବି କୁହାଯାଏ । ହିନ୍ଦୀରେ ଏ ଶବ୍ଦ बित्ता ତଥା ବଙ୍ଗାଳିରେ ବିଘତ୍ ହୋଇ ପ୍ରଚଳିତ । କଳାହାଣ୍ଡିରେ ବିତା ଶବ୍ଦ ଭିତା ହୋଇଅଛି । ଏ ସମସ୍ତ ଶବ୍ଦର ମୂଳ ହେଉଛି ଏକ ଶାସ୍ତ୍ରୀୟ ଶବ୍ଦ ଵିତସ୍ତି । ଏହି ଵିତସ୍ତି ଶବ୍ଦ ସାଧାରଣତଃ ଏକ ତତ୍ସମ ଶବ୍ଦ ଅଟଇ । ସେଇଭଳି ଇଂରାଜୀରେ ଚାଖଣ୍ଡ ଅର୍ଥରେ span ଶବ୍ଦ ଚଳୁଅଛି ।
"ଏକ ଵିତସ୍ତି ଵା ଚାଖଣ୍ଡେକୁ ୧୨ ଆଙ୍ଗୁଳି ପରିମାଣ ଵିଶିଷ୍ଟ ତଥା ୨୪ ଆଙ୍ଗୁଳ1 = ଏକ ହାତ" ଵିଚାର କରାଯାଇଥାଏ ।
ଆମ ଭାଷାରେ ସାଧାରଣତଃ ଚାଖଣ୍ଡ ଶବ୍ଦରେ ଏ ପରପ୍ରତ୍ଯୟ ଯୋଡି଼ ଚାଖଣ୍ଡେ ଶବ୍ଦ ଵ୍ୟଵହାର କରାଯାଇଥାଏ ଠିକ୍ ସେଇଭଳି ବିତେ ଓ ଭିତେ ଶବ୍ଦ ମଧ୍ୟ ସୃଷ୍ଟ ହୋଇ ଓଡ଼ିଶାରେ ଚାଖଣ୍ଡେ ଅର୍ଥରେ ଵ୍ଯଵହାର ହେଉଅଛି ।
ଚାଖଣ୍ଡ+ ଏକାର୍ଥେ "ଏ" ପରପ୍ରତ୍ଯୟ = ଚାଖଣ୍ଡେ
ବିତା+ଏକାର୍ଥେ "ଏ" ପରପ୍ରତ୍ଯୟ = ବିତେ
ଭିତା+ ଏକାର୍ଥେ "ଏ" ପରପ୍ରତ୍ଯୟ = ଭିତେ
ଓଡ଼ିଆ ଓ ହିନ୍ଦୀ ଉଭୟ ଭାଷାରେ ବିତା ଶବ୍ଦ ରହିଛି ସତ କିନ୍ତୁ ଓଡ଼ିଆ ଭାଷାରେ ଵ୍ଯଵହୃତ ଏ ପରପ୍ରତ୍ଯୟ ଲାଗିଲେ ଯାଇ ଭିତେ ଓ ବିତେ ଶବ୍ଦ ସୃଷ୍ଟି ହୁଏ ଯାହା ହିନ୍ଦୀରେ ଦୃଶ୍ୟ ହୁଏନାହିଁ ।
ଭୁଞ୍ଜିଆରେ ଚାଖଣ୍ଡକୁ ଭିଥାଏକ୍,ବଣ୍ଡାରେ ମୁଇତିତି ଓ ଜୁଆଙ୍ଗ ଭାଷାରେ ଚାଙ୍ଗଡ଼ମିଞ୍ କୁହାଯାଏ । ସେହିପରି ଓଡ଼ିଶାର ମୁଣ୍ଡା,ଖରିଆ ଓ କିସାନ୍ ଇତ୍ୟାଦି ଜନଜାତୀୟ ଭାଷାରେ ବିତେ ଶବ୍ଦ ଓଡ଼ିଆ ଭାଷାରୁ ଯାଇ ଚଳୁଅଛି କିନ୍ତୁ ଚାଖଣ୍ଡ ଶବ୍ଦର ବହୁଳ ଵ୍ଯଵହାର ଯୋଗୁଁ ଏ ଶବ୍ଦ କେଵେ ସର୍ଵତ୍ର ପ୍ରଚଳିତ ହୋଇପାରିନାହିଁ ।
ବିତା,ବିତେ,ଭିତା ଓ ଭିତେ ଇତ୍ୟାଦି ଶବ୍ଦର ମୂଳ ଵିତସ୍ତି ବୋଲି ସହଜରେ ଜଣାପଡି଼ଗଲା କିନ୍ତୁ ଚାଖଣ୍ଡ ଓ ଚାଖଣ୍ଡେ ଶବ୍ଦର ମୂଳ ଜାଣିଵା ପାଇଁ ଟିକିଏ ଅଧିକ ଶ୍ରମ କରିଵାକୁ ପଡି଼ପାରେ ।
ଚାଖଣ୍ଡକୁ ତାମିଲରେ சாண் (cāṇ) , ତେଲୁଗୁରେ jāna, କନ୍ନଡ଼ରେ gēṇ ଓ ମଲୟାଲମରେ cāṇ କୁହାଯାଏ । ସେଇଭଳି ଆମ ଓଡ଼ିଶାର ଦ୍ରାଵିଡ଼ ଭାଷା କୁଈରେ ଚାଖଣ୍ଡକୁ ସାକାଡାକା କୁହାଯାଇଥାଏ ।
ଵିଭିନ୍ନ ଦ୍ରାଵିଡ଼ ଭାଷାରେ ଓଡ଼ିଆ ଭାଷାର ଚାଖଣ୍ଡ ସହିତ ସାମ୍ଯଥିଵା ଶବ୍ଦ ଚଳୁଥିଵାରୁ ଏ ଚାଖଣ୍ଡ ଵା ଚାଖଣ୍ଡେ ଶବ୍ଦକୁ କେହି କେହି ଦ୍ରାଵିଡ଼ ମୂଳର ବୋଲି ଵିଚାର କରିଥାଆନ୍ତି ।
ତେଵେ ଓଡ଼ିଆ ଭାଷାର ଶବ୍ଦ ଵିଭଵ ଆଧାରରେ ଚାଖଣ୍ଡ ଶବ୍ଦକୁ ଭାଙ୍ଗିଲେ ଦୁଇଗୋଟି ଶବ୍ଦ ଦୃଶ୍ୟ ହୁଏ । ଚା ଓ ଖଣ୍ଡ । ଚା ଶବ୍ଦ ଚାରି ଶବ୍ଦର କ୍ଷୁଦ୍ରାଶଂ ଓ ଖଣ୍ଡର ଅର୍ଥ ଏଠାରେ ଭାଗ ।
କାନ୍ଧଠାରୁ ଆଙ୍ଗୁଳି ଟିପଯାଏଁ ସମ୍ପୂର୍ଣ୍ଣ ହାତର ଚାରିଭାଗରୁ ଭାଗେ ଦୈର୍ଘ୍ୟକୁ ଚାରିଖଣ୍ଡରୁ ଖଣ୍ଡେ ଚାଖଣ୍ଡ ଵା ଚାଖଣ୍ଡେ କୁହାଯାଏ ।
ଚାଖଣ୍ଡ ଵା ଚାଖଣ୍ଡେ ଭଳି ଆଉ ଏକ ଓଡ଼ିଆ ଶବ୍ଦ ମଧ୍ୟ ରହିଛି ପାହୁଣ୍ଡ ଓ ପାହୁଣ୍ଡେ ।
...ଓଡ଼ିଆ ମାପ ପ୍ରଣାଳୀ ଵିଷୟରେ ସମ୍ଯକ ଧାରଣା...
ଯଵଧାନକୁ ଆଡ଼ବାଗରେ ରଖିଦେଲେ ଉକ୍ତ ଦୈର୍ଘ୍ୟ ପରିମାଣ ଏ ଯଵ ହୋଇଥାଏ । ଆଠ ଯଵ = ୧ ଆଙ୍ଗୁଳ । ତେଵେ ଆଙ୍ଗୁଠି ଭେଦରେ ଯଵ ସଂଖ୍ୟା ଭିନ୍ନ ଭିନ୍ନ ହୁଏ । ଯଥା―
୮ ଯଵ = ୧ ଜ୍ଯୋଷ୍ଠ ଆଙ୍ଗୁଳ
୭ ଯଵ = ୧ ମଧ୍ଯମା ଆଙ୍ଗୁଳ
୬ ଯଵ = ୧ କନିଷ୍ଠା ଆଙ୍ଗୁଳ
ସେଇମିତି ...
୪ ଆଙ୍ଗୁଳ = ୧ ଚଉକ
୧ ଚଉକ = ୧ ମୁଠା
୩ ମୁଠା = ୧୨ ଆଙ୍ଗୁଳ(୭ ଇଞ୍ଚ)
୧୨ ଆଙ୍ଗୁଳ = ଏକ ଚାଖଣ୍ଡ/ବିତା ଵା ଭିତା
୨ ଆଙ୍ଗୁଳ = ୧ ମୁଠୁଣୀ
୨ ଚାଖଣ୍ଡ = ୨୪ ଆଙ୍ଗୁଳ
୨୪ ଆଙ୍ଗୁଳ = ୧ ହାତ
୪ ହାତ = ୧ ବେଁ (ସଂ. ବ୍ଯାମ )
୮,୦୦୦ ହାତ=1 କ୍ରୋଶ
୧ କ୍ରୋଶ =2ମାଇଲ୍
୪ କ୍ରୋଶ =1 ଯୋଜନ
(ଅଧିକାଂଶ ତଥ୍ୟ― ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ)
No comments:
Post a Comment