ଭାରତ ଉପମହାଦେଶ ତଥା ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଖପରଖାଇ ବୋଲି ଗୋଟିଏ ଜଳଚର ପକ୍ଷୀ ଦେଖାଯାଏ ।
ଏହାର ଵୈଜ୍ଞାନିକ ନାମ―Anhinga melanogaster ଏଵଂ ସାଧାରଣ ଇଂରାଜୀ ନାମ oriental darter,indian darter ଓ snakebirds କୁହାଯାଏ ।
ଖପରଖାଇକୁ ପେଙ୍ଗୁଇନ,ବତକ ଓ ହଂସ ଇତ୍ୟାଦିଙ୍କ Suliformes ଵର୍ଗରେ ଵର୍ଗିକୃତ କରାଯାଇଛି ।
ଭାରତର ଭିନ୍ନ ଭିନ୍ନ ଭାଷାରେ ଏହାର ଵିଭିନ୍ନ ନାମ ପ୍ରଚଳିତ ଉଦାହରଣ ସ୍ଵରୂପ ଭୋଜପୁରୀରେ ଏ ପକ୍ଷୀକୁ ପନଵା,ବଙ୍ଗାଳୀରେ ଗୟାର,ଗୁଜରାଟୀରେ ସର୍ପଗ୍ରୀଵା ଓ ମଲୟାଲମୀରେ ଚେରକ୍କୋଳ଼ି କୁହାଯାଇଥାଏ ।
ତେଵେ ପକ୍ଷୀର ଏଭଳି ଓଡ଼ିଆ ନାମକରଣ ପଛର କୌଣସି ଯୁକ୍ତିଯୁକ୍ତ ତଥ୍ୟ ପ୍ରାପ୍ତ ହୋଇପାରେ ନାହିଁ ।
ଓଡ଼ିଆ ଭାଷାରେ ଆଉ ଏକ ଶବ୍ଦ ଖପରାଖାଈ ସହିତ ଖପରଖାଇର ସାମଞ୍ଜସ୍ୟ ଦୃଶ୍ଯ ହୁଏ ।
ଖପରାଖାଈ ଶବ୍ଦର ନାନା ଅର୍ଥ ରହିଛି ଏଵଂ ଏ ଶବ୍ଦ କେତେକ ଅଞ୍ଚଳରେ ଗାଳି ଭାଵେ ଵ୍ଯଵହୃତ ହୋଇଥାଏ । ଖପରଖିଆର ସ୍ତ୍ରୀଵାଚକ ରୂପ ଖପରାଖାଈ ।
ଯିଏ ଖପରାରେ ଖାଏ ଅର୍ଥାତ୍ ଯାପାଖରେ ମାଟିହାଣ୍ଡିଟିଏ ବି ନାହିଁ ମାନେ ଅତି ଦରିଦ୍ର ଲୋକ ତାକୁ ଆପରାଖିଆ କୁହାଯାଏ ।
ଖପରଖାଈ ଶବ୍ଦର ଦ୍ଵିତୀୟ ଅର୍ଥ ଆହୁରି କୌତୁହଳପ୍ରଦ । ଚଣ୍ଡୀଙ୍କ ପରି ଅତିଶୟ ଉଗ୍ରପ୍ରକୃତିକା ମହିଳାଙ୍କୁ ମଧ୍ୟ ଖପରାଖାଈ କୁହାଯାଏ ।
ଚଣ୍ଡୀ ଠାକୁରାଣୀ ଯେପରି ଖପରା ଵା ମନୁଷ୍ଯ ମୁଣ୍ଡର ଖପୁରିରେ ରକ୍ତପାନ କରନ୍ତି ସେହିପରି ପାନାହାର କରୁଥିଵା ଓ ତତ୍ସ୍ବଭାବସମ୍ପନ୍ନା ସ୍ତ୍ରୀ ଵିଶେଷଙ୍କୁ ମଧ୍ୟ ଖପରାଖାଈ କୁହାଯାଏ । ଏହି ଅର୍ଥରେ ପ୍ରଚଳିତ ଅନ୍ୟ ଏକ ଶବ୍ଦ ହେଉଛି ଅଣ୍ଡିରାଚଣ୍ଡି ।
ତେଵେ ସମ୍ଭଵତଃ ଖପରଖାଇ ପକ୍ଷୀଟି ଉଗ୍ର ସ୍ଵଭାଵର ହୋଇଥିଵା ଯୋଗୁଁ ଏହାର ଏପରି ନାମକରଣ ହୋଇଥାଇପାରେ ।
ଆପଣଙ୍କ ଅଞ୍ଚଳରେ ଏ ପକ୍ଷୀକୁ କ'ଣ୍ କୁହନ୍ତି ?
No comments:
Post a Comment