ଆନ୍ଧ୍ରପ୍ରଦେଶ― ତେଲୁଗୁ ଅଞ୍ଚଳରେ ଦୁଇଗୋଟି ମୁଖ୍ୟ ଜାତି ରହୁଥିଲେ । ଆନ୍ଧ୍ରକ ଓ ତେଲେଙ୍ଗା । ଆନ୍ଧ୍ରକଙ୍କ ନାମରେ ଆନ୍ଧ୍ରପ୍ରଦେଶର ନାମକରଣ ହେଲାଵେଳେ ସେଠାର ମାନକ ଶାସ୍ତ୍ରୀୟ ରାଷ୍ଟ୍ରଭାଷାର ନାମ ତେଲୁଗୁ ରଖାଗଲା ।
ଅରୁଣାଚଳପ୍ରଦେଶ―ଏହି ରାଜ୍ୟର ନାମକରଣକୁ ନେଇ ଭିନ୍ନ ଭିନ୍ନ ମତ ରହିଛି । କେତେକଙ୍କ ମତରେ
ଅରୁଣ(ସୂର୍ଯ୍ୟୋଦୟ)+ଅଚଳ(ପର୍ଵତ) = ଅରୁଣାଚଳ ନାମ ହୋଇଛି । ଯେଉଁ ଭୂମିରେ ପର୍ଵତାଦିରେ ରକ୍ତିମ ସୂର୍ଯ୍ୟୋଦୟର ସୌନ୍ଦର୍ଯ୍ୟ ଅତି ମନୋହର ସେ ଦେଶ ଅରୁଣାଚଳ ।
ଆସାମ―ଅହୋମ ଜନଜାତୀୟ ଲୋକ ଏଵଂ ସେମାନଙ୍କ ଭାଷା ଅହମିୟାର ସଂସ୍କୃତ ମାନକିକୃତ ଆସାମ ନାମାନୁସାରେ ଏ ରାଜ୍ୟର ନାମକରଣ ହୋଇଅଛି ।
ବିହାର― ପ୍ରାଚୀନ ମଗଧର ଆଧୁନିକ ନାମ ବିହାରରେ ଅନେକ ବୌଦ୍ଧ ଵିହାର ରହିଥିଵାରୁ ଏଵଂ ଏହା ହଜାର ହଜାର ଵର୍ଷରୁ ଜ୍ଞାନୀ ଗୁଣି ତଥା ଗୟାତୀର୍ଥରେ ଧର୍ମକାର୍ଯ୍ୟ ସମ୍ପାଦନ ହେତୁ ଅନ୍ୟ ଅଞ୍ଚଳର ଲୋକଙ୍କ ପାଇଁ ପର୍ଯ୍ୟଟନ ଭ୍ରମଣ ଵିହାରର ଉତ୍ତମ ସ୍ଥାନ ଥିଵାରୁ ଏହି ରାଜ୍ୟର ନାମକରଣ ବିହାର ହୋଇଅଛି ।
ଛତିଶଗଡ଼― କୁହାଯାଏ ଛତିଶଟି ଗଡ଼କୁ ନେଇ ଗଠିତ ହୋଇଥିଲା ବୋଲି ଏ ରାଜ୍ୟର ନାମ ଛତିଶଗଡ଼ ରଖାଯାଇଛି । ପ୍ରକୃତରେ ଛତିଶଗଡ଼ ଗଠନ ସମୟରେ ସେଠାକାର ଲୋକେ ଓଡ଼ିଶାର ପଶ୍ଚିମାଞ୍ଚଳର କେତେକ ଗଡ଼କୁ ନୂତନ ରାଜ୍ଯରେ ମିଶ୍ରଣ ହେତୁ ଦାଵୀ କରିଥିଵା ଶୁଣାଯାଏ । ତେଵେ ସେମାନେ ଏଥିରେ କୃତକାର୍ଯ୍ୟ ହୋଇପାରିନଥିଲେ ଏଵଂ ଛତିଶଗଡ଼ ନହୋଇ ବି ଏ ରାଜ୍ୟ ଗଠନ କରାଗଲା ଏଵଂ ସେହି ନାମ ରଖିଦିଆଗଲା ।
ଗୋଆ―ପର୍ତ୍ତୁଗୀଜଙ୍କ ଆଗମନର ବହୁପୂର୍ଵେ ଏ ଅଞ୍ଚଳର ନାମ ଗୋଵରାଷ୍ଟ୍ର ଥିଵା ଜଣାଯାଏ ।
ଵୈଦେଶିକଲୋକେ ଏ ଅଞ୍ଚଳକୁ ଗୋଆ କହିଵାକୁ ଲାଗିଲେ ସେଇ ନାମ ରହିଯାଇଛି ।
ଗୁଜରାଟ―ଗୁଜରାଟରେ ଵସଵାସ କରୁଥିଵା ପ୍ରାଚୀନ ଶାସକ ଜନଜାତି ଗୁର୍ଜର ଓ ଏଠାକାର ମାନକ ରାଷ୍ଟ୍ରଭାଷା ଗୁଜରାଟୀକୁ ଭିତ୍ତିଭୂମି କରି ଏହି ରାଜ୍ୟର ନାମକରଣ କରାଯାଇଛି ।
ହିମାଚଳ ପ୍ରଦେଶ―ହିମ+ଅଚଳ ଶବ୍ଦଦ୍ଵୟକୁ ଯୋଡ଼ି ହିମାଚଳ ଶବ୍ଦ ସୃଷ୍ଟି ହୋଇଛି । ହିମାଳୟର ଅନ୍ୟ ନାମ ହିମାଚଳ । ହିମାଳୟର ଭାରତପକ୍ଷର ନିମ୍ନଭୂମିକୁ ମଧ୍ୟ ଭୂଗୋଳ ଶାସ୍ତ୍ରରେ ହିମାଚଳ କୁହାଯାଏ । ଏହି ଅଞ୍ଚଳ ମଧ୍ୟରେ ରାଜ୍ୟର ଅଧିକାଂଶ ଭୂଭାଗ ଆସୁଥିଵା ହେତୁ ଏହାର ନାମକରଣ ହିମାଚଳ ପ୍ରଦେଶ ରଖାଯାଇଛି ।
ଝାଡ଼ଖଣ୍ଡ―ଝାଡ଼ ଶବ୍ଦର ଅର୍ଥ ଜଙ୍ଗଲ ଏଵଂ ଖଣ୍ଡ ଶବ୍ଦର ଅର୍ଥ ଅଞ୍ଚଳ ଵା ଭୂଭାଗ । ଏ ଅଞ୍ଚଳ ଜଙ୍ଗଲିଆ ଥିଵାରୁ ଏହାର ଏଭଳି ନାମକରଣ ହୋଇଅଛି । ତେଵେ ପୂର୍ଵେ
ଅଵିଭକ୍ତ କୋରାପୁଟର ନନ୍ଦପୁର ଶାସକଙ୍କୁ ଯେଉଁ ଦୁଇଗୋଟି ଉପାଧି ମିଳିଥିଲା ତନ୍ମଧ୍ୟରୁ ଗୋଟିଏ ଥିଲା “ଝାଡ଼ଖଣ୍ଡ ବାଦସା”! ସେ ସମୟରେ କଳିଙ୍ଗଦଶୀୟ ଦକ୍ଷିଣ ପଶ୍ଚିମ ଅଞ୍ଚଳର ଅଧିକାଂଶ ଜଙ୍ଗଲିଆ ଭୂଭାଗ ନନ୍ଦପୁର ଶାସକଙ୍କ ଅଧିନସ୍ଥ ଥିଵାରୁ ତାଙ୍କୁ ଏଭଳି ଉପାଧି ମିଳିଥିଵା ଅନୁମାନ କରାଯାଏ ।
କ୍ରମଶଃ...
No comments:
Post a Comment