ମହରଡା଼କୁ ଢେଙ୍କାନାଳରେ ତାଇ କୁହାଯାଏ ଓ ଏ ଶବ୍ଦ ଦେଓଗଡ଼ ଇତ୍ୟାଦି ଅନ୍ୟ ଗଡ଼ଜାତିଆ ଅଞ୍ଚଳରେ ମଧ୍ୟ ଊଣା ଅଧିକେ ଚଳୁଅଛି ।
ମହରଡା଼ ଶବ୍ଦର ଅର୍ଥ ଓ ଏହାର ମୂଳ ହଟାତ୍ ଜଣାନପଡୁନଥିଲେ ହେଁ ତାଇ ଶବ୍ଦ ଯେ ଏକ ଓଡ଼ିଆ ଶବ୍ଦ ତାହା ସ୍ପଷ୍ଟ ଉଲ୍ଲେଖ କରାଯାଇପାରେ ।
କିନ୍ତୁ ମହରଡା଼କୁ ତାଇ କାହିଁକି କୁହାଯାଏ ?
ପ୍ରକୃତରେ ଏହି ତାଇ ଶବ୍ଦର ସମ୍ବନ୍ଧ ମହରଡା଼ ଗଛର ମଞ୍ଜି ସହିତ ରହିଛି । ସାଧାରଣତଃ ମହରଡା଼ ଶିମ୍ବର ମଞ୍ଜି ବଡ଼ ବଡ଼ ଓ ଅପେକ୍ଷାକୃତ ଅଧିକ ଟାଣ ହୋଇଥାଏ । ତାକୁ ଚଟାଣରେ କି କାନ୍ଥରେ ଘସି ଲୋକେ କୌତୁହଳ କୌତୁକାଦି ହେତୁକ ଦେହରେ ଲଗାନ୍ତି ଫଳତଃ ଯେଉଁ ସ୍ଥାନରେ ମଞ୍ଜିକୁ ସ୍ପର୍ଶ କରଯାଏ ତାହା ତାତି ଯାଏ ...
ଗଛ ମଞ୍ଜି ଘସି ଦେହରେ ସ୍ପର୍ଶ ମାତ୍ରେ ତାତି ଯାଏ ବୋଲି ଏହାକୁ ଗଡ଼ଜାତରେ ପ୍ରଥମେ #ତାତି କୁହାଯାଇଥିଵ ଏଵଂ ସମୟ ସହ ଉକ୍ତ ଶବ୍ଦରୁ ତ ଵର୍ଣ୍ଣ ଲୁପ୍ତ ହୋଇ ତାହା 'ତାଇ'ରେ ପରିଵୃତ୍ତ ହୋଇଥିଵ ।
ଅତଏଵ ତାଇ ଏକ ଓଡ଼ିଆ ଶବ୍ଦ ଅଟେ ଏଵଂ ତପ୍ତ,ତଵତ(ଉଷୁମ ଭାତ),ଉତ୍ତପ୍ତ,ତାତି,ତପଲା ଓ ତତଲା ଇତ୍ୟାଦି ଯେତେ ଶବ୍ଦ ଏହା ସହିତ ଅଟଇ ।
ତେଵେ ସମଗ୍ର ଓଡି଼ଆ ଭାଷାରେ ତାଇ ଶବ୍ଦର ଏଇ ଗୋଟିଏ ନୁହେଁ ଆହୁରି ଅନେକ ଅର୍ଥରେ ଵ୍ଯଵହାର ରହିଛି ।
ଯଥା―
●ତାଇ ଶବ୍ଦ ସର୍ଵନାମ ଭାଵେ ତାହାହିଁ,ସେହି କଥାହିଁ,ତାହା ସୁଦ୍ଧା ଓ ତାହା ମଧ୍ୟ ଇତ୍ୟାଦି ଅର୍ଥରେ ଵ୍ଯଵହୃତ ହୋଇଥାଏ ଏଵଂ ସଂସ୍କୃତ "ତତ ହି" ସହିତ ଏହା ସମଦ୍ଧୃତ ।
●ଏକ ଵିଶେଷ୍ଯ ଭାଵେ ତାଇ ଶବ୍ଦ ତାତି ଶବ୍ଦର ପରିଵର୍ତ୍ତିତ ରୂପ ହେତୁକ
◆ମହରଡା଼
◆ଛୋଟ ତାଉଆ ଵା ତାଇଆ
◆ରୁଟି ସେକିବାର ଚଟକା କରେ(ଡେ଼)ଇ
◆ମୋହର ଚିହ୍ନ ଵା ଛାପ
(ଆଗକାଳରେ ଉତ୍ତପ୍ତ କରି ମୋହର ଦିଆଯାଉଥିଵା ହେତୁ)
◆ମାଟି ତେଲୁଣି
ଆଦି ଅର୍ଥରେ ଵ୍ଯଵହାର ହୋଇଥାଏ ।
●ଵିଶେଷଣ ଶବ୍ଦ ଭାଵେ ତାଇ ଶବ୍ଦ ତୀକ୍ଷ୍ଣ,ଚଞ୍ଚଳିଆ,ତେଜୀଯାନ୍ ଅର୍ଥରେ ଵ୍ଯଵହୃତ ହୁଏ...
ଯଥା―
ଘୋଡାଟା ଭାରି ତାଇ ହୋଇଛି ।
●ସେଇଭଳି ଜଳୁଥିଵା ଅଵସ୍ଥାକୁ ତାଇ କୁହାଯାଏ ଓ ଏ ସ୍ଥାନରେ ଓଡ଼ିଶାର କେତେକ ଅଞ୍ଚଳରେ ତାତି ଶବ୍ଦ ଵ୍ଯଵହାର ହୁଏ
ଯଥା—
ନିଆଁଟା ଭାରି ତାଇ(ତାତି) ହୋଇଛି ।
●ନିଆଁରେ ପାଚିକରି ନାଲି ହୋଇଥିବା ଲୁହା ଆଦି ଧାତୁକୁ ବି ତାଇ କୁହାଯାଏ ।
●ତେଵେ ତାଇ ଶବ୍ଦଟି ଏକ ଶିଶୁରଞ୍ଜନ ଜନିତ ଅଵ୍ଯୟ ଭାଵେ ବି ଵ୍ଯଵହୃତ ହୋଇଥାଏ । ସାଧାରଣତଃ ପିଲାମାନେ ତାଳି ଶବ୍ଦ ଉଚ୍ଚାରଣ କରିପାରନ୍ତି ନାହିଁ ସେମାନେ ତାହା ତାଇ ଉଚ୍ଚାରଣ କରନ୍ତି ତେଣୁ ବଡ଼ ଲୋକେ ବି ସେମାନଙ୍କୁ ତାଇ ତାଇ କହି ଖେଳାନ୍ତି । ତାଳି ଏକ ଵିଶେଷ୍ଯ ଶବ୍ଦ ହେଲେ ହେଁ ତହିଁରୁ ବାଳସୁଲଭ ଭାଷାରେ ଉତ୍ପନ୍ନ ତାଇ ଏକ ଅଵ୍ଯୟ ଶବ୍ଦ ଭଳି ଵ୍ଯଵହୃତ ହୋଇଥାଏ ।
ଏଵେ ମୂଳ ପ୍ରସଙ୍ଗକୁ ଲେଉଟାଯାଉ...
ମହରଡା଼ ଵା ତାଇଗଛର ଵୈଜ୍ଞାନିକ ନାମ Canavalia Ensifermis ଏଵଂ ଓଡ଼ିଶାର କେତେକ ଅଞ୍ଚଳରେ ଏ ଗଛକୁ ମହୁକା ବି କୁହାଯାଇଥାଏ । ଏହାର ଫଳ ଲମ୍ବରେ ଚାଖଣ୍ଡେ ଓ ଚଉଡ଼ାରେ ୩ ଆଙ୍ଗୁଳ ପର୍ଯ୍ୟନ୍ତ ହୁଏ ଓ ତରବାର ପରି ଆକୃତିଵିଶିଷ୍ଟ ହୋଇଥାଏ ବୋଲି ଏହାକୁ sword bean ମଧ୍ୟ କୁହାଯାଏ ।
ଏହାର ଅନ୍ୟ ସାଧାରଣ ଇଂରାଜୀ ନାମ Jack bean ଅଟେ । ତାଇଗଛର ମଞ୍ଜି ନାଲି ଚେପଟା ଓ ବଡ଼ ବଡ଼। କେଉଁଠି କେଉଁଠି ଏହାକୁ ତରକାରୀ କରି ଖାଆନ୍ତି ତେଵେ ଅଧିକାଂଶ ଅଞ୍ଚଳରେ ମହରଡା଼ ଵା ତାଇଗଛକୁ ଵିଶାକ୍ତ ଵିଵେଚିତ କରାଯାଇଥାଏ । ଏ ଛୁଇଁର ଆବରଣକୁ ରାନ୍ଧିଲେ ଲହୁଣୀ ପରି ହୁଏ ।
Canavalia ଜାତୀୟ Canavalia Virosa ଵ ବାହାଡ଼ା ଶିମ୍ବକୁ ବି କେଉଁଠି କେଉଁଠି କେଉଁଠି ମହରଡା଼ କୁହାଯାଏ । ସମ୍ଭଵତଃ ଏଇଠି ମହରଡା଼ ନାମକରଣର ରହସ୍ୟ ଲୁଚି ରହିଛି !!!
ମହରଡା଼କୁ ଅଧିକାଂଶ ଅଞ୍ଚଳରେ ଵିଶାକ୍ତ ଭାଵନ୍ତି । ସଂସ୍କୃତରେ #ମ ଵର୍ଣ୍ଣ ଏକ ଵିଶେଷ୍ଯ ଶବ୍ଦ ଭାଵେ #ଵିଷ ଅର୍ଥରେ ମଧ୍ୟ ଵ୍ଯଵହୃତ ହୋଇଥାଏ । ମହରଡା଼ ଶବ୍ଦରେ #ହରଡ଼ ଶବ୍ଦ ରହିଛି ଯାହା ଏକ ପ୍ରକାରର ଶିମ୍ବାଦିଵର୍ଗର Cajanus Indicus ପାଦପକୁ ବୁଝାଏ । ସଂସ୍କୃତରେ ଏହାର ନାମ ହରେଣୁ । ତେଣୁ ସମ୍ଭଵତଃ ମହରଡା଼ର ନାମ ପୂର୍ଵେ ମହରେଣୁ ଥିଲା ଏଵଂ କାଳକ୍ରମେ ତାହା ମହରଡା଼ରେ ଅପଭ୍ରଂସ ହୋଇ ଚଳୁଅଛି ।
ଆପଣଙ୍କ ଅଞ୍ଚଳରେ ମହରଡା଼ ଓ ବାହାଡା଼ ଶିମ୍ବକୁ କ'ଣ କୁହନ୍ତି ?
No comments:
Post a Comment