ଉପକୂଳର ଗୋଟାଏ ଗାଆଁ ତଳି ଅଞ୍ଚଳ । କରୋନା ଯୋଗୁଁ ଚାରିଆଡ଼େ ସୁନସାନ୍ । ସାଧାରଣ ଲୋକେ କେହି କୁଆଡ଼େ ବୁଲୁ ନାହାନ୍ତି । ଦୁଇଜଣ ଗୁରୁ ଚେଲା କୋଉଠି ଥିଲେ କେଜାଣି ଏକ ଉପକୂଳିଆ ଗାଆଁର ମନ୍ଦିରରେ ଆସି ପହଞ୍ଚିଲେ । ଗୁରୁ ଜଣକ ଢେଙ୍କାନାଳର ଜଣେ ଅର୍ଦ୍ଧଵୃଦ୍ଧ ଗୋସାଇଁ ଓ ତାଙ୍କ ସମ୍ବଲପୁରିଆ ଚେଲା ଯାହାର ନାଆଁ ସିଏ ଅବୋଲକରା ଦେଇଛନ୍ତି ଦୁହେଁ ସେ ମନ୍ଦିରରେ ଆସ୍ଥାନ ଜମେଇ ଦେଲେ ।
ଗୋସାଇଁ ତାଙ୍କ ଚେଲା ଅବୋଲକରାକୁ କହିଲେ
କିରେ ଅବୋଲକରା ଗଲୁ ଗାଆଁ ଭିତରେ ଯାଇ ଟିକିଏ ଚାଉଳ ପରିଵା ମାଗି ଆଣିବୁ । ତମର ତ ସହଜେ ନାଥ ସମ୍ପ୍ରଦାୟ,ମାଗାମାଗିରେ ଅଭିଜ୍ଞତା ଥିଵ ଯେ...
ଅବୋଲକରା ଗାଆଁରେ ପଶିଲା ଓ ଅଧଘଣ୍ଟା ପରେ ଅଗ୍ନିଶର୍ମା ହେଇ ବାହୁଡି ଆସିଲା...
ଗୋସାଇଁ ତାକୁ ଦେଖି ପୁଚ୍ଛା କଲେ ― ଆରେ ତୁ ପରା ଚାଉଳ ପରିଵା ମାଗି ଯାଇଥିଲୁ ଏ ରାଗୁଆ ଲଙ୍କା ଖିଆ ମୁହଁ କିସ ନାଗି କରିଚୁ କିରେ
ଅବୋଲକରା କହିଲା― ଗୋସାଇଁ ! ଏ ଉପକୂଳିଆ ଲୋକଯାକ କେଡ଼େ ଟାଉଟର କିହୋ 😏 ।
ମୁଁ ଯେଁଏତି
"ମୁଇଁ ଯହ ସାମିଆଥି ଟାକିଛେଁ ତମେ ଚାଉର ଦେମ କି ନ ଦେମ" କହିଛି ମୋତେ ଯୋଉ ହଟହଟା କଲେ ପୁରା ସଂସାର ବାହାର କଥା ମ ।
ଗୋସାଇଁ― ମଲା ମଲା ଏମିତି ସେମାନେ କିସ କହିଲେ କି ଯେ ତୁ ରାଗିଗଲୁ ?
ଅବୋଲକରା ଉଵାଚ― ଗୋସାଇଁ ! ସେମାନଙ୍କ ସହିତ ମୋର ବଢେ଼ ଯୁକ୍ତି ହେଲା । ସେମାନେ ଆମ ସମ୍ବଲପୁରିଆ ଟାକି ଶବ୍ଦକୁ ଓଡ଼ିଆ ଶବ୍ଦ କହି ମୋ ସହ କଳି କଲେ । ମୁଁ ତାଙ୍କୁ କିଛି ନକହି ଚାଲି ଆସିଛି ...
ଏବେ ତେମେ ଆପଣେ ଏହାର ଭେଦ କୁହନ୍ତୁ ନୋହିଲେ ମୁଁ ଆଉ ଏଠୁ ଇଞ୍ଚେ ନ ଘୁଞ୍ଚେ...
ଗୋସାଇଁ ଅବୋଲକରାର କଳିଲଗା ବୁଦ୍ଧି ଜାଣିଥିଲେ ତଥାପି ତାକୁ ପାଖକୁ ଡାକୁ କହିଲେ ― ହଉ ହେଲା ହେଲା ଆଗ ତୋ କାମଟା ହେଵ ...
ଧନ ଅବୋଲକରା ... ଯା ଯା !!!
ପକା କମ୍ବଳ ପୋତ ଛତା
ଆରେ ଶୁଣିବୁ ଟାକି'ର କଥା...
ଗୁରୁ କହିଵା ଆରମ୍ଭ କଲେ...
ଜାଣିଛୁ ଅବୋଲକରା ତୁ ଯୋଉ ଟାକିଛେଁ ଶବ୍ଦକୁ ଖାଣ୍ଟି ସମ୍ବଲପୁରୀ କହୁଛୁ ସେଇଟା ସମ୍ପୂର୍ଣ୍ଣ ୧୦୦% ଖାଣ୍ଟି ଓଡ଼ିଆ ଶବ୍ଦ ଯେ ।
ଅବୋଲକରା ଉଵାଚ– କାଇଁ ଗୋସାଇଁ ଏ ଅଲଣା କଥା କହୁଚ,ଆମେ ଶହେ ପୁରୁଷ ଟାକି କହୁଛନ୍ତି ତେମେ ହଟାତ୍ ଆସି କହିଵ କିସ ନା ସେତା ଉପକୂଳିଆଙ୍କ ଶବ୍ଦ 😏😏😏
ଗୋସାଇଁ― ଆରେ ବାଇଆ ଓଡ଼ିଆ ମୂଳ ଧାତୁ "ଟାକିଵା"ର ଏକ ରୂପ "ଟାକିଛି"କୁ ନେଇ ସମ୍ବଲପୁରିଆ ଟାକିଛେଁ କରିଛନ୍ତି । ଉପକୂଳିଆଙ୍କର ଭାଷାକୋଷରେ ପରା ଏ ଶବ୍ଦଟା ଅଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସେ ଵିଶାଳ ଅଭିଧାନର ନାଆଁ । ସେଥିରେ ଯୋଉ ଶବ୍ଦ ରହିଛି ସେସବୁ ଆଜି ମାନକ ଓଡ଼ିଆ ଶବ୍ଦ ପରିଗଣିତ ହେଉଛି ।
ଅବୋଲକରା ଉଵାଚ–ହେଲେ ଗୁରୁଜୀ ଆମେ କଣ୍ ଚୋର ?
ଗୋସାଇଁ– ନାହିଁରେ ବାଇଆ ତୋତେ କିଏ ଚୋର କହିଵ କହିଲୁ ତୁ ସମସ୍ତଙ୍କୁ ଏକା ଚୋର କହିପାରିବୁ ନା ...
ଟିକିଏ ରହି ଗୋସାଇଁ ପୁଣି କହିଵା ଆରମ୍ଭ କଲେ...
ଦେଖେ ଅବୋଲକରା ତୁ ଯେତେ ଵିଚ୍ଛନତାଵାଦୀ ହେଲେ ବି ଟାକିଵା ଶବ୍ଦକୁ ଖାଣ୍ଟି ଓଡ଼ିଆ ଶବ୍ଦ ନୁହେଁ ବୋଲି ପ୍ରମାଣିତ କରିପାରିବୁନି ...
ଅବୋଲକରା ଉଵାଚ– କେମିତି ଓ କାହିଁକି ?
ଗୋସାଇଁ– କାରଣ ! ଓଡ଼ିଆ ଭାଷାରେ ହଜାରହଜାର ଵର୍ଷ ଆଗରୁ ଅଛି ଟାକିଵା,ଟାକି ବସିଵା,ଟାକି ରହିଵା ଇତ୍ୟାଦି କ୍ରିୟାର ଵ୍ଯଵହାର । ଯେତେବେଳେ ସମ୍ବଲପୁରିଆ କି ସମ୍ବଲପୁରୀ ବୋଲି କିଛି ଗୋଟାଏ ନଥିଲା ତୋ ପୂର୍ଵଜ ଆପଣାକୁ ଓଡ଼ିଆ କହୁଥିଲେ, ହିନ୍ଦୀ ବୋଲି କୌଣସି ଭାଷାର ଅସ୍ତିତ୍ଵ ନଥିଲା ସେତେବେଳର ଓଡ଼ିଆ ଗ୍ରନ୍ଥରେ ପରା ଏଇ ଶବ୍ଦଟା ରହିଛି ...
ହଉ ଶୁଣେ ଧନମଣି ଟାକି ଶବ୍ଦର କିରା ସବୁ ଅର୍ଥ ଅଛି ଯଉଟା ଆମ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରାଯାଇଛି ମ ...
■୧)କୌଣସି ପଦାର୍ଥ (ଯଥା—ନିର୍ଦ୍ଦିଷ୍ଟ ସମୟରେ ଭୋଜ୍ଯ ଦ୍ରଵ୍ଯ) ମିଳିଵ ବୋଲି ଚାହିଁ ବସିଵା ଵା ଉତ୍କଣ୍ଠାସହକାରେ ଅପେକ୍ଷା କରିଵା ।
■୨) ଆଶା କରିଵା
■୩)ଅଧୈର୍ଯ୍ୟ ସହକାରେ ଜଗି ରହିଵା
■୪)ନିର୍ନିମେଷ ଦୃଷ୍ଟିରେ ଚାହିଁ ରହିଵା
■୫)ନାକେଇଵା
ଅବୋଲକରା ଉଵାଚ― (ମଝିରେ ଷଣ୍ଢ ପୁରେଇ କହିଵା ଆରମ୍ଭ କରି)
ହେକ୍ ! ଏସବୁ ଅଭିଧାନରେ ଲେଖିଦେଲେ କିଛି ବଡ଼ କଥା ନୁହେଁ । ଟାକି ଶବ୍ଦଟା ଉପକୂଳିଆଙ୍କର ବୋଲି ପ୍ରମାଣ କିୟଣ ଵା 😏
ଗୋସାଇଁ ― ଆରେ ଅବୋଲକରା ଏଡେ଼ ଚନ୍ଦରା କାଣାରେ ର ର କହୁଚି ଶୁଣେ...
ତମ ଅଞ୍ଚଳର କଵିଙ୍କୁ ସମ୍ବଲପୁରର ନକହି ଉଡିଆ,ଉପକୂଳିଆ କଵି କୁହ ମ କଣ ତାଙ୍କ ନାଆଁ ତ ...🤔
ହଁ ହଁ ମନେ ପଡିଲା ସ୍ଵଭାଵକଵି ଗଙ୍ଗାଧର ମେହେର ...
ସିଏ ତାଙ୍କ ତପସ୍ଵିନୀ କାଵ୍ଯରେ ପଦେ ଲେଖିଲେ ...
"ବହି ସ୍ୱଦ ଯାଉଥାଏ ଲଲାଟେ ବହି;
ପୋଛି ଦେଉଥାନ୍ତି କରେ ମନ୍ଥର-ଗମନା
ରାଜନନ୍ଦନାଙ୍କୁ ଟାକି ଟାକି ଥରେ ଥରେ | ୨୨।"
ଅବୋଲକରା ଉଵାଚ – ଆହେ ଗୋସାଇଁ ସିଏ ତ ଆମ ଅଞ୍ଚଳର ଲୋକ ! ମିଶୁ ମିଶୁ ଆମ ଶବ୍ଦ ଗୋଟାଏ ଦୁଇଟି ମିଶେଇ ଦେଇଥିବେ ଯେ 🤗
ଗୋସାଇଁ ଉଵାଚ ― ନାଇଁରେ ଧନ ଏମନ୍ତ ଆହୁରି ଉଦାହରଣ ଅଛି ...
ଏଇ ଯେମିତି ଵିଶିଷ୍ଟ ଜନସେଵୀ ,ସ୍ଵାଧୀନତାସଂଗ୍ରାମୀ ଉତ୍କଳମଣି ଗୋପବନ୍ଧୁ ଦାସ ତାଙ୍କ ବନ୍ଦୀର ଆତ୍ମକଥାରେ ଲେଖିଅଛନ୍ତି
"ତଥାପି ରହିଛି କେତେ ସ୍ଥାନ ବାକୀ,
ମୋ ଯିବାକୁ ଲୋକେ ରହିଥିଲେ ଟାକି ।"
ପୁଣି ସେ ସମୟର ଆଉ ଜଣେ କଵି କଵିଵର ରାଧାନାଥ ରାୟ
ତାଙ୍କ ଦରଵାର କାଵ୍ଯରେ ଟାକି ଶବ୍ଦ ଵ୍ଯଵହାର କରି ଲେଖିଛନ୍ତି
"ରହିଥାଅ ଟାକି, କରି ଜରିମାନା,
ଧନେ ପୁରାଇବା ଲାଗି ମାଲଖାନା ।
ତାଙ୍କର ଆଉ ଏକ କାଵ୍ଯ ଉଷାରେ ବି ଆମେ ଦେଖୁ ଟାକି ଶବ୍ଦର ଵ୍ଯଵହାର ....
ଅଯାଚିତବୃତ୍ତି ଅଜଗର ତୃଣ ଭୂମିରେ ଲାଖି,
ଓଟାରିବା ଆସେ ଶ୍ୱାସେ ମୃଗ ଯହିଁ ରହନ୍ତି ଟାକି ।
ବାଲେଶ୍ଵରିଆ କଵି ନନ୍ଦକିଶୋର ତାଙ୍କ ଶର୍ମିଷ୍ଠା କାଵ୍ଯରେ ଟାକି ଷବ୍ଦର ଵ୍ଯଵହାର ଏମନ୍ତ କରିଛନ୍ତି...
"ପ୍ରଣୟୀ ଆନନ୍ଦେ କୋଟି କୋଟି ଯୁଗ ବସି ରହିଥାନ୍ତା ଟାକି"
ଗୋସାଇଁଙ୍କୁ ଆଉ କହିଵାକୁ ନଦେଇ ଅବୋଲକରା କହିଲା–
ଗୋସାଇଁ ତେମେ ନା ବୁଝିଲ 🙄 କଣ କହିବି କହିଲ ତମକୁ କିହେ ଗଙ୍ଗାଧର ମେହେରଙ୍କର ସାହିତ୍ୟ ପଢି଼ ଏ ଉପକୂଳିଆ କଵି ସବୁ ଆମ ଟାକି ଶବ୍ଦକୁ ଵ୍ଯଵହାର କରିଥିଵେ ନା ଆଉ 🤔
ଗୋସାଇଁ― (ସାମାନ୍ୟ ମୁରୁକି ହସି) ନାଇଁରେ ପାଗଲା ! ମୁଁ ଆଗରୁ କହିଛି ପରା ଟାକି ଶବ୍ଦଟା ଆଗରୁ ଵ୍ଯଵହାର ହେଉଛି ଆଉ ଏବେ ବି ଅଛି...
କଵିସୂର୍ଯ୍ୟ ଵଳଦେଵ ରଥ ଦି ଶତାବ୍ଦୀ ଆଗର କଵି ସେ ବି ତାଙ୍କ କିଶୋରୀ ଚମ୍ପୂର ଟ-ଗୀତରେ ଟାକି ଶବ୍ଦ ଵ୍ଯଵହାର କରି ପଦେ ଲେଖିଲେ...
"ଟାକିଛି ସୁଧାଶୁଂ କଳାକୁ ଆକାଶୁଁ କରିବାକୁ ପାଣିଗତ"
ସେହିପରି ଲୋକନାଥ ଦାସ କର୍ତ୍ତୁକ ପୁରାତନ " ଜ୍ଞାନ ଉଦୟ କୋଇଲି"ରେ ମଧ୍ୟ ଟାକି ଶବ୍ଦର ଵ୍ଯଵହାର ରହିଛି...
"ଟଳୁଛି ପଦ୍ମରେ ପାଣି ।
ଟେକ ତୁ ବାୟୁ ଉଜାଣି ।
ଟେକ ବ୍ରହ୍ମରନ୍ଧ୍ର ପରେ ।
ଟାକି ଚୈତନ୍ୟକୁ ରଖ ସେଠାରେ ଲୋ ।
ଟଳଟଳିଆ ନକର ମନ ।
ଟସକର ବହିନେବେ ତୋ ଧନ ଲୋ ।"
ଚାରିଶହ ଵର୍ଷ ପୁରାତନ କଵି ଦାମୋଦର ଦାସ ତାଙ୍କ ରସକୁଲ୍ଯା ଚଉତିଶାରେ ବି ଟାକି ଶବ୍ଦର ଏପରି ଭାବେ ଵ୍ଯଵହାର କରିଛନ୍ତି...
"ଟାହି ପରାୟେ ନ ମଣ କହ୍ନାଇଁ
ଟାକି ବସିଥିବେ ତୋତେ ଅନାଇଁ
ଟଳି ପଡ଼ିବାକୁ ଅଛି କେବଳ
ଟାଣ ମନସିଜରାଜ ପ୍ରବଳ ଯେ,
ଟିକାଏ ଓପ୍ରୋଧ ନାହିଁନା ତାହାର
କରୁଅଛି ରଣଭଣ ଯେ ।।୧୧।°
ସେହି ଶତାବ୍ଦୀରେ ଵୀରସିଂଘ ନାମକ ଆଉ ଜଣେ ଓଡ଼ିଆ କଵି ଵୀର ସିଘ ଚଉତିଶାରେ ଟାକି ଶବ୍ଦର ଵ୍ଯଵହାରରେ ଲେଖିଥିଲେ...
"ଟାଣି ଥୋକେ କହୁଥାନ୍ତି ପରମ ଲକ୍ଷଣ
ଟେକ ୟେହୁ କଥାମାନ ନୋହଇଟି ଗ୍ୟାନ
ଟଳିଯିବ କ୍ଷଣକରେ ୟେ ଜୀବ ପରମ
ଟାକି ବୀରସିଂଘ କହେ ନୋହଇ ୟେ ବ୍ରହ୍ମ ।"
ପନ୍ଦରଶହ ଶତାବ୍ଦୀର ଓଡ଼ିଆ ଜଗନ୍ନାଥ ଭାଗଵତରେ ସୁଦ୍ଧା ଟାକି ଶବ୍ଦ ପ୍ରୟୋଗ ରହିଛି ଆଉ ଗୋଟାଏ ନୁହେଁ ଦୁଇଗୋଟି ସ୍ଥାନରେ ଵ୍ଯଵହାର କରାଯାଇଛି ।
"ଯେମନ୍ତେ ବ୍ଯାଧ ଯେ ମୃଗର,
ଛିଦ୍ର ଟାକଇ ନିରନ୍ତର । "
ପୁଣି ଓଡ଼ିଆ ଭାଗଵତର ଦଶମ ସ୍କନ୍ଧରେ ଟାକି ଶବ୍ଦର ପ୍ରୟୋଗ ଥିଵା ଦୃଶ୍ୟ ହୁଏ...
"ଆକର୍ଷି ଆଣି ନିଜ କରେ ।
ହୃଦେ ଲଗାଇ କୋଳ କଲେ ।।୨୫୯ ।।
ଟାକି ଯେ ଥିଲା ଯୋଗମାୟା ।
ଶୂନ୍ୟରେ ବିକାଶିଲା କାୟା ।। ୨୬୦।।"
ତେଣୁ ହେ ଅବଲୋକରା ତୁ ଟାକି ଶବ୍ଦକୁ ଖାଣ୍ଟି ଓଡ଼ିଆ ଶବ୍ଦ ବୋଲି ଜାଆଣେ ଆଉ ଆଞ୍ଚଳିକଵାଦଠାରୁ ଦୂରେଇ ରହ କାରଣ ଶବ୍ଦକୁ ନେଇ ଛୋଟବଡ଼ ଭେଦଭାଵ କରିଵା କେଵଳ ମୂର୍ଖଙ୍କ ସୁଲଭ ସ୍ଵଭାଵ ଅଟଇ ।...
ଗୁରୁଙ୍କ କଥା ଶେଷ ହୁଅନ୍ତେ ଅବୋଲକରା କିଛି କହିଵାକୁ ଉଦ୍ଯନ୍ତ ହୁଅନ୍ତେ ଗୁରୁ ତାକୁ ଚୁଡା,କଦଳୀ,ଚିନି ଚକଟିଵାକୁ ଦେଇଦେଲେ...
No comments:
Post a Comment