ଅନେକ ଓଡ଼ିଆ ଶବ୍ଦ ହଜି ହଜି ଯାଉଛି । କାଳସ୍ରୋତରେ ହଜିଵାକୁ ବସିଥିଵା ଓଡ଼ିଆ ଶବ୍ଦଟିଏ ବୁଙ୍ଗା ।
ଥରକେ ପାଟି ଭର୍ତ୍ତିହେଵା ପରିମିତ ଖାଦ୍ଯ ଦ୍ରଵ୍ଯ ଵା ବଡ଼ ଗୁଣ୍ଡାକୁ ବୁଙ୍ଗା କୁହାଯାଏ ।
ଯଥା—
"ବୁଙ୍ଗାଏ ମୁଢ଼ି ପାଟିରେ ପୂରେଇ ସେ ଦଉଡ଼ିଗଲା ।"
ବୁଙ୍ଗା ଶବ୍ଦଟି ଅଧୁନା ଦେଓଗଡ଼ରେ ବୁଙ୍ଗାବୁଙ୍ଗା = ଗୁଣ୍ଡା ଗୁଣ୍ଡା
ତଥା
ବାଲେଶ୍ବରରେ ବୁଙ୍ଗେ = ପାଟିଭର୍ତ୍ତି
ଅର୍ଥରେ ଚଳୁଥିଵାର କଥିତ ଓଡ଼ିଆ ଶବ୍ଦକୋଷର ଉଲ୍ଲେଖରୁ ଜଣାଯାଏ ।
ଓଡ଼ିଶାରେ ଗରସା(ଗ୍ରାସ),ଗପା/ଗଫା (ମାରିଵା),ଗୁଣ୍ଡା,ଗେଫା,ଗେବଳା,ଗ୍ରାସ,ପିଣ୍ଡି,ଫାଲୁଆ(ଗୁଣ୍ଡା),ହାଁଉଆ/ହାଲୁଆ (ଗୁଣ୍ଡା) ଇତ୍ୟାଦି ଶବ୍ଦ ମଧ୍ୟରେ ବୁଙ୍ଗା ଶବ୍ଦ ଆଜି କୁଆଡ଼େ ହଜିଗଲାଣି ...
ତେଵେ ମନରେ ପ୍ରଶ୍ନ ଆସେ ବୁଙ୍ଗା ଶବ୍ଦଟି କୌଣସି ତତ୍ସମ ଶବ୍ଦ ସହିତ ସମଦ୍ଧୃତ ନା ଦ୍ରାଵିଡ଼ କିଂଵା ମୁଣ୍ଡା ଜନଜାତୀୟ ମୂଳର ?
ଅନ୍ୟ ଭାଷାରେ ଏଭଳି ଶବ୍ଦ ନମିଳିଵାରୁ ନିଜେ ପରୀକ୍ଷା କରି ଦେଖିଲି...
ଭାତ ଖାଇ ବସିଲାଵେଳେ ହାତରେ ଗୁଣ୍ଡା ତିଆରି କରନ୍ତେ ବୁଙ୍ଗା ବୁଙ୍ଗା ଶବ୍ଦ ସୃଷ୍ଟି ହେଉଥିଵାର ଅନୁଭଵ କଲି ।
ହାତରେ ଗୁଣ୍ଡା କରିଵା ସମୟରେ ଚାପିଲାଵେଳେ ବୁ ଓ ଛାଡି଼ଲାଵେଳେ ଙ୍ଗା ଭଳି ଶବ୍ଦ ହୋଇଥାଏ(ଆପଣ ବି ପରୀକ୍ଷା କରନ୍ତୁ) ।
ତେଣୁ ବୁଙ୍ଗା ଶବ୍ଦ ଓଡ଼ିଆ ଭାଷାର ନିଜସ୍ୱ ଏକ ନିଆରା ଓଡ଼ିଆ ଶବ୍ଦ ଏଵଂ ଏହା ଭାଷାଜଗତର ମୌଳିକ ପ୍ରାଚୀନ ଧ୍ଵନ୍ଯାନୁକରଣ ନିୟମାନୁସାରେ ସୃଷ୍ଟି ହୋଇଥିଵା ଶବ୍ଦଟିଏ ।
ମାଣ୍ଡାରିନ୍ ହେଉ କି ସଂସ୍କୃତ ଲାଟିନ୍ ହେଉ କି ଜୁଲୁ ସବୁ ଭାଷାର ପ୍ରାରମ୍ଭିକ ଶବ୍ଦଗୁଡି଼କର ସୃଷ୍ଟି ଧ୍ଵନ୍ଯାନୁକରଣ ଦ୍ଵାରା ହୋଇଅଛି ।
ଆମ୍ଭ ଦେଶର ଵିଦ୍ଵାନମାନେ ଏକଥା ଜାଣିଥିଵାରୁ ସଂସ୍କୃତ ଭାଷାରେ ମୂଳ ଧାତୁ ଶବ୍ଦର ପ୍ରଣୟନ କରିଯାଇଛନ୍ତି । ସେମାନେ ଜାଣିଥିଲେ ପତ୍ର ପଵନରେ ହଲିଲେ ପତ୍ ପତ୍ ଶବ୍ଦ କରେ ତେଣୁ ସେମାନେ ପତ୍ ଧାତୁରୁ ପତ୍ର ଶବ୍ଦକୁ ନିଷ୍ପନ୍ନ କରିଅଛନ୍ତି ।
No comments:
Post a Comment