ବ୍ରେକ୍ ର ଆଵିଷ୍କାର କିଏ କରିଥିଲା ପଚାରିଲେ ଲୋକେ କହିଵେ ପାଶ୍ଚାତ୍ୟ ଦେଶର ଲୋକେ କିନ୍ତୁ ଆମ ଦେଶର ବହୁତ ଅଳ୍ପ ଲୋକଙ୍କୁ ଜଣାଥିଵ ଯେ ଶ୍ରୀମନ୍ଦିରର ରଥଗୁଡି଼କରେ ସହସ୍ରାଧିକ ଵର୍ଷ ଆଗରୁ ରହିଆସିଛି ଏହି ବ୍ରେକ୍ ଵ୍ଯଵସ୍ଥା । ରଥରେ ଥିଵା ଏହି ବ୍ରେକ୍'କୁ ଆମ ଭାଷାରେ କୁହାଯାଏ ହଡି଼କାଠ ।
ହଡି଼କାଠ ଶବ୍ଦଟି ଆଜି ଓଡ଼ିଶାରେ କେଵଳ ରଥନିର୍ମାତା କାରିଗରମାନଙ୍କ ପାଖରେ ସୀମିତ ହୋଇ ରହିଯାଇଛି ତେଣୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବ୍ରେକ୍ ଅର୍ଥରେ ହଡି଼କାଠ ଶବ୍ଦର ଉଲ୍ଲେଖ ଦେଖାଯାଏ ନାହିଁ ତେଵେ ଏ ଭାଷାକୋଷରେ "ହଡି଼" ଶବ୍ଦ ଓ ଏହାର ଅନେକ ଅର୍ଥ ଵିଷୟରେ ନିଶ୍ଚୟ ତଥ୍ୟ ରହିଅଛି ।
ହଡି଼ ଶବ୍ଦର ନିମ୍ନୋକ୍ତ ଅର୍ଥଗୁଡି଼କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରାଯାଇଛି...
୧)ହାଡ଼,ଅସ୍ଥି ଵା Bone
ଆମ ଭାଷାରେ ହାଡ଼ ଶବ୍ଦର ଏକ ରୂପ ହାଡି଼ ଅଟେ
୨)ପ୍ରତି ବନ୍ଧକ ଵା ବାଧା
କଵିସୂର୍ଯ୍ୟ ଵଳଦେଵ ରଥ ଏହି ଅର୍ଥରେ ହଡି଼ଶବ୍ଦର ଵ୍ଯଵହାର କରି " ଅଟକାଇ ପଦ ନୁହଇ ହଡ଼ି"
ପଦ ଲେଖିଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି।
୩)କୁକୁର
ହାଡ଼ ଖାଏ ବୋଲି କୁକୁରକୁ ହଡି଼ ବି କୁହାଯାଏ । ସାଧାରଣତଃ କୁକୁରମାନେ ଖାଇଵାକୁ ନପାଇଲେ ମରାଖଣ୍ଡି ଵା ଯୋଉଠି ମଲା ଗୋରୁଙ୍କୁ ଫିଙ୍ଗାଯାଏ ସେଠାରୁ ହାଡ଼ ଆଣି ଚୋଵାଉ ଥାଆନ୍ତି । ସ୍ତ୍ରୀଲୋକମାନେ ବଡ଼ଲୋକଙ୍କ ନାମ ଧରିଵାରୁ ଵିରତ ହେଵା ହେତୁ କୁକୁରକୁ ହଡି଼ କହିଥାଆନ୍ତି ।
୪)ହରିକାଠ;କାଷ୍ଠ ନିର୍ମିତ ଯନ୍ତ୍ର ଵିଶେଷ ।
ଏହି ଯନ୍ତ୍ରର ଛିଦ୍ରମାନଙ୍କରେ ଅପରାଧୀ ଗୋଡ଼କୁ ଓ ହାତକୁ ଗଳାଇଦେଇ ଏଥିରେ ଚାବି ପକାଇ ଦେଲେ ଵା କୀଳିଣୀ ମାରି ଦେଲେ ଅପରାଧୀ ତହିଁରୁ ହାତଗୋଡ଼ ବାହାର କରିପାରୁନଥିଲା ।
୫)ହଡି଼କାଠ;ପଶୁବଳି ଦେଵାରେ ପଶୁର ବେକ କାଟିଵାପାଇଁ ଵ୍ଯଵହୃତ ଯୂପକାଠ । ଏହାକୁ ଆଡ଼କାଠ ବି କୁହାଯାଏ ।
କଥିତ ଓଡ଼ିଆ ଶବ୍ଦକୋଷରେ ହଡି ଶବ୍ଦର ଦୁଇଗୋଟି ଅନ୍ୟ ଅର୍ଥର ଉଲ୍ଲେଖ ରହିଛି
୬)ଶୃଙ୍ଖଳ
୭)ହୁରି ;ଉଚ୍ଚୈସ୍ଵରେ ଡାକ
ହଡି଼ ଶବ୍ଦର ସମସ୍ତ ଆଭିଧାନିକ ଅର୍ଥ ମଧ୍ୟରେ ଦ୍ଵିତୀୟ ଅର୍ଥ "ବାଧା,ପ୍ରତିବନ୍ଧକ" ରଥର ବ୍ରେକ୍ ଅର୍ଥରେ ଵ୍ଯଵହାର ହଡି଼କାଠ ଶବ୍ଦ କ୍ଷେତ୍ରରେ କାର୍ଯ୍ୟ କରୁଅଛି ।
ଗାଡ଼ିରେ ବ୍ରେକ୍ ଦେଲେ ଗାଡ଼ି ଅଟକେ ଫଳରେ ଯାତ୍ରା କ୍ଷେତ୍ରରେ ପ୍ରତିବନ୍ଧକ ଓ ବାଧା ଉପୁଜିଥାଏ । ରଥକୁ ରୋକିଵା ପାଇଁ ଆମ ପୂର୍ଵଜ ସହସ୍ରାଧିକ ଵର୍ଷ ପୂର୍ଵେ ଆଜି ଭଳି ନହେଲେ ହେଁ ଯୁଗାନୁରୂପ ବ୍ରେକ୍ ଵ୍ଯଵସ୍ଥାର ପ୍ରଣୟନ କରିଥିଲେ ।
No comments:
Post a Comment