Tuesday, June 23, 2020

ଶ୍ରୀଜିଉଙ୍କ ମଇଲମ ନୀତି

ଆମର ଓ ଜଗାର  ଅଭିଧାନ ତଥା ଶବ୍ଦାଦି ମଧ୍ୟରେ କେତେକ ଭିନ୍ନତା ରହିଛି । ଆମେ ପ୍ରଜା ସେ ରଜା ,ରଜାଙ୍କ ପରି ସହସ୍ରାଧିକ ଵର୍ଷକାଳ ଶଵର ଓ ଓଡ଼ିଆ ଲୋକଙ୍କ ଦ୍ଵାରା ପୂଜିତ ହୋଇଆସୁଛି ସେଇ କଳାଵଦନ ନୀଳାଚଳିଆ ।

ରଜାଙ୍କ ଶବ୍ଦ ରୀତିନୀତି ଚଳଣି ସାଧାରଣ ଜନତାଙ୍କଠାରୁ  ଭିନ୍ନ ଭିନ୍ନ ହେଉଥିଲା ତେଣୁ ଶବ୍ଦ ବି ଭିନ୍ନ ରହୁଥିଲା । ଜଗନ୍ନାଥମନ୍ଦିରରେ ଵ୍ଯଵହୃତ ଏଇଭଳି ଏକ ଶବ୍ଦ ହେଉଛି  "ମଇଲମ" ।

ପ୍ରତ୍ଯହ ⁠ନିର୍ଦ୍ଧାରିତ ସମୟ ସକାଳ ଛଅଟାରେ ଶ୍ରୀଜିଉଙ୍କ ଏହି ମଇଲମ୍ ନୀତି ପାଳିତ ହୋଇଥାଏ  କିନ୍ତୁ ମଙ୍ଗଳ ଆରତି ଶେଷ ହେବା ପରେ ଏହି ନୀତି ହୁଏ । ଏହି ନୀତିରେ ଜଡ଼ିତ ସେଵକମାନେ ହେଲେ ପୃଷ୍ଠାଳକ (୩ଜଣ), ଖୁଣ୍ଟିଆ, ଚାଙ୍ଗଡ଼ା ମେକାପ ଓ ଧୋବା ।

ତିନି ଜଣ ପୃଷ୍ଠାଳକ ରତ୍ନସିଂହାସନ ଉପରକୁ ଉଠି ପୂର୍ଵରାତ୍ରରେ ଠାକୁରମାନଙ୍କ ଶ୍ରୀଅଙ୍ଗରେ ଥିବା ବେଶ ଫୁଲ, ତୁଳସୀ ଓ ଢ଼ସ୍ତ୍ରମାନ ମଇଲମ ଵା ବାହାର କରନ୍ତି । ଏଠାରେ ମଇଲମର ଅର୍ଥ ବାହାର କରିଵା ଵା କାଢି଼ଵା ଅଟେ ବୋଲି କେତେକ ପୁସ୍ତକାଦିରେ ଉଲ୍ଲେଖକରାଯାଇଛି ।

ଠାକୁରମାନଙ୍କ ଅବକାଶ ନୀତିପାଇଁ ତଡ଼ପ ଓ ଉତ୍ତରୀୟ ନାମକ ସୂତା ଗାମୁଛା ପରି ଵସ୍ତ୍ର ପୃଷ୍ଠାଳକମାନେ ପିନ୍ଧାନ୍ତି । ଏହି ଵସ୍ତ୍ର ପ୍ରତିଦିନ ଧୋବାସେଵକ ଧୋଇଵା ବିଧି ଅଛି । ଏହି ସେଵକ ପ୍ରକୃତରେ ଜାତିରେ ଧୋବା ନୁହେଁ; ସେ ବ୍ରାହ୍ମଣ କିନ୍ତୁ ଧୋଇଵା କ୍ରିୟାଟି କରୁଥିଵା ହେତୁ ତାଙ୍କୁ ଧୋଵାସେଵକ ଅଭିହିତ କରାଯାଇଛି  ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ମଇଲମ ଶବ୍ଦଟି ସ୍ଥାନିତ କରାଯାଇଛି । ସେଠାରେ ମଇଲମ ଶବ୍ଦର ତିନୋଟି ଅର୍ଥ ଉଲ୍ଲେଖ ହୋଇଛି ।

୧)ମଲମ ଵା Ointment ଅର୍ଥଜ ଦେଶଜ ମଇଲମ ଶବ୍ଦ
ଏହା ମୂଳତଃ ଏକ ଆରବୀ ଶବ୍ଦ ଏଵଂ ମଲମ,ମଲହମ୍ ଓ ମରହମ୍ ଇତ୍ୟାଦି ଶବ୍ଦଗୁଡି଼କ ସହିତ ସମଦ୍ଧୃତ । ଆରବୀୟ ଲୋକଙ୍କ ଆଗମନ ଉତ୍ତାରୁ ଏ ଶବ୍ଦ ସାଧାରଣ ଜନତାଙ୍କ ଦ୍ଵାରା ଵ୍ଯଵହୃତ ହେଉଅଛି ।

୨)ଦେଵତାଙ୍କ ଅଙ୍ଗରେ ଚୁଆ ଚନ୍ଦନ ବୋଳିଵା ନୀତି ଵିଶେଷକୁ ମଇଲମ୍ କୁହାଯାଏ ।

୩)ଦେଵମୂର୍ତ୍ତିଙ୍କ ଦେହରୁ ପିନ୍ଧିଥିଵା ବେଶ ଓ ଅଳଙ୍କାର କାଢ଼ିଵାକୁ ମଇଲମ କୁହାଯାଏ ।

ଶ୍ରୀଜଗନ୍ନାଥଙ୍କ ମଇଲମ ନୀତିରେ ପ୍ରୋକ୍ତ ତୃତୀୟ ଵିଧି ପାଳିତ ହୋଇଥାଏ ଅର୍ଥାତ୍ ଦେଵତାଙ୍କ ଅଙ୍ଗରୁ ପୁଷ୍ପାଳଙ୍କାର କଢା଼ଯାଇଥାଏ ।

କିଛି ଲୋକ ଏ ଶବ୍ଦକୁ ଆରବୀ ଶବ୍ଦ "مَرْهَم" (marham)ର ଏକ ରୂପ ଭାଵେ ଅଭିହିତ କରୁଥିଲେ ହେଁ ଏହା ମୁଣ୍ଡା ସଉରା ଭାଷାପରିଵାର ସହ ସମ୍ବନ୍ଧିତ ଶବ୍ଦ ହୋଇଥିଵା ଅଧିକ ସମ୍ଭଵ ।

ଅଵଶ୍ୟ ମୁଣ୍ଡା ଭାଷାରେ କାଢି଼ଵାକୁ "ବାଲେ" କୁହାଯାଏ ଓ ବାହାରିଵାକୁ ଅଣ୍ଡଙ୍ଗା । ତେଵେ ଅନ୍ଯତମ ଆଷ୍ଟ୍ରୋଏସୀୟ ଭାଷା ଖଡି଼ଆଭାଷାରେ ବାହାରିଵାକୁ ମୁଃନା କୁହାଯାଏ ।

ଓଡ଼ିଆଭାଷାର ମଇଲମ ସହିତ ସବୁଠାରୁ ଅଧିକ ସାମଞ୍ଜସ୍ୟ ଥିଵା ଆଷ୍ଟ୍ରୋଏସୀୟ ଶବ୍ଦ ହେଉଛି "ମଅଳେନା" ଓ "ମାରିନା" ଏଵଂ ଏ ଶବ୍ଦଦ୍ଵୟ ଜୁଆଙ୍ଗ ଭାଷାରେ ଚଳୁଅଛି ।

ଜୁଆଙ୍ଗଭାଷାରେ ଓହ୍ଲେଇଵାକୁ "ମଅଳେନା" ଓ ବାହାରିଵାକୁ "ମାରିନା" କୁହାଯାଏ କୁହାଯାଏ ପୁଣି କାଢି଼ଵା ଅର୍ଥରେ ଏ ଭାଷାରେ "ଆବିରାଏ" ଶବ୍ଦ ବି ରହିଛି । ଆମେ କାଢି଼ଵା ଅର୍ଥରେ ଓହ୍ଲେଇଵା ଶବ୍ଦ ଵ୍ଯଵହାର କରିଥାଉ ଯଥା "ଵସ୍ତ୍ର ଓହ୍ଲେଇଵା" ।

ଆଶ୍ଚର୍ଯ୍ୟଜନକ ଭାଵେ ଏକ କଳିଙ୍ଗଦେଶୀୟ ଦ୍ରାଵିଡ଼ ଭାଷାରେ ମଧ୍ୟ କାଢି଼ଵା ଅର୍ଥରେ ମଇଲମ୍ ସହ ସାମଞ୍ଜସ୍ୟ ଥିଵା ଶବ୍ଦ ଚଳୁଅଛି
ତାହା ହେଲା ମଲ୍'ହା ।  କିସାନ୍ ଵା କୁଣାହଁ ଭାଷାରେ କାଢି଼ଵାକୁ ମଲ୍'ହା କୁହାଯାଏ ତେବେ ଓରାଓଁରେ କୁହାଯାଏ ନତାଗ୍'ନା । ଏ ଉଭୟ ଭାଷା ଦ୍ରାଵିଡ ଭାଷାପରିଵାରର ଅଟନ୍ତି । ସେଇଭଳି କୁଭିରେ
କୁଭିରେ ଓହ୍ଲାଇଵା ଓ ଓଟାରିଵା ପାଇଁ ରେନା ଶବ୍ଦ ରହିଛି । ସଉରାଭାଷାରେ କାଢି଼ଵାକୁ ଆତାବ୍'ଵା କୁହାଯାଏ ଏଵଂ କୁଈରେ ସଡ଼୍ଃପା ଶବ୍ଦ ରହିଛି ବାହାରିଵା ଅର୍ଥରେ । କୋୟାରେ ବାହାର କରିଵା ପାଇଁ ରହିଛି ପେପ୍ପାନାଦ୍ ଶବ୍ଦ ।

ମଇଲମ୍ ଶବ୍ଦ ମୁଣ୍ଡା ଶଵର ଭାଷା ପରିଵାରର ଶବ୍ଦ ହୋଇଥିଵା ଅଧିକ ସମ୍ଭଵପର କାରଣ ଶ୍ରୀଜଗନ୍ନାଥଙ୍କର ଏ ଜାତିଟି ଆଦ୍ଯ ପୂଜକ । ଓଡ଼ିଶାରେ କିସାନ୍ ଭାଷାର ମଲ୍'ହା ଶବ୍ଦ ସହ ମଇଲମ ଶବ୍ଦର ସାମଞ୍ଜସ୍ୟ ଥିଲେ ହେଁ ତାମିଲ ଇତ୍ୟାଦି ଭାଷାରେ ଏଭଳି କୌଣସି ଶବ୍ଦ ମିଳେନାହିଁ ।

ଏଠାରେ ଧ୍ଯାନ ଦେଵାଭଳି ଆଉ ଏକ କଥା ହେଲା ମଇଲମ ନୀତି ସହିତ ଚନ୍ଦନଲାଗି ଵିଧି ଅଙ୍ଗାଙ୍ଗୀଭାଵେ ଜଡ଼ିତ ରହିଛି । ⁠ ଠାକୁରମାନଙ୍କର ବେଶ ମଇଲମ ହୋଇ ଶାଢି, ଖଣ୍ଡୁଆ ପିନ୍ଧାଯାଏ ତତ୍ପରେ ପୁଷ୍ପାଳକମାନେ ଠାକୁରମାନଙ୍କୁ ଚନ୍ଦନ ଲାଗି କରନ୍ତି । ଚନ୍ଦନ ସହିତ କର୍ପୂର, କେଶର, କସ୍ତୁରୀ ଘୋରା ହୋଇଥାଏ ।

ପୂର୍ଣ୍ଣଚନ୍ଦ୍ରଭାଷାକୋଷରେ ମଇଲମ ଶବ୍ଦର ଦ୍ଵିତୀୟ ଅର୍ଥ ଏଠାରେ ପ୍ରକଟିତ ହେଉଅଛି କାରଣ  "ଦେଵତାଙ୍କ ଅଙ୍ଗରେ ଚୁଆ ଚନ୍ଦନ ବୋଳିଵା ନୀତି ଵିଶେଷକୁ ମଧ୍ୟ ମଇଲମ୍ କୁହାଯାଏ ଏଵଂ ଠାକୁରମାନଙ୍କ ମଇଲମ ନୀତିରେ ବି ଚନ୍ଦନଲାଗି ଵିଧି ରହିଛି ।

ଚନ୍ଦନକୁ ମଳୟଜ ଓ ମଳୟୋଦ୍ଭବ କୁହାଯାଏ । ଘୋରା ଚନ୍ଦନକୁ ବି ମଳୟଜ କୁହନ୍ତି । ମଳୟଗଛକୁ ମଳୟଦ୍ରୁମ ଓ ମଳୟରୁହ କୁହାଯାଉଥିଵାଵେଳେ ଚନ୍ଦନକାଠକୁ "ମାଳୟ"  କୁହାଯାଏ ।

ଯେହେତୁ ମଇଲମ ନୀତିରେ ଚନ୍ଦନ ଲାଗି ଵିଧି ରହିଛି ଏଵଂ ଚନ୍ଦନ ସମ୍ଵନ୍ଧୀୟ ମଳୟଜ,ମଳୟୋଦ୍ଭଵ, ମଳୟଦ୍ରୁମ , ମଳୟରୁହ ଓ ମାଳୟ ଇତ୍ୟାଦି ଅନେକ ଶବ୍ଦର ଓଡ଼ିଆ ମଇଲମ ସହିତ ସାମଞ୍ଜସ୍ୟ ରହିଥିଵାରୁ ଵିଶ୍ଵାସ କରାଯାଏ ଯେ ଏ ଶବ୍ଦଟିର ଚନ୍ଦନ ଲାଗି ନୀତି ସହିତ ସମ୍ପର୍କ ରହିଛି ।

            
                  ଏ ଵିଷୟରେ ଆପଣଙ୍କ ମତ କଣ ?

ଯେଉଁ ମନ୍ଦିରରେ ବିଲାତି ଆଳୁ,କୋବି,ବିଲାତି ବାଇଗଣ ଓ ଲଙ୍କାମରିଚ ଭଳି ଵୈଦେଶିକ ପରିଵା'ର ଵ୍ଯଵହାର ଵର୍ଜିତ ସେଠାରେ ଏକ ଦେଵ ନୀତିର ନାମ ଵୈଦେଶିକ  ଆରବୀ ଭାଷାର "مَرْهَم" (marham)ରୁ ସୃଷ୍ଟ ମଲମ ଶବ୍ଦୁ ହୋଇଥିଵ କି ?

ନା ଶ୍ରୀଜଗନ୍ନାଥଙ୍କୁ ପ୍ରାଚୀନକାଳରେ ପୂଜା କରୁଥିଵା ମୁଣ୍ଡା ଶଵର ଜାତିର ମୁଃନା(ଖଡି଼ଆ),ମଅଳେନା" ଓ "ମାରିନା(ଜୁଆଙ୍ଗ) ଇତ୍ୟାଦି ଶବ୍ଦ ସହିତ ମଇଲମ୍ ଶବ୍ଦ ସମ୍ଵନ୍ଧିତ ?

ମଳୟଗିରିରେ ଜାତ ହୋଇଥିଵା ଚନ୍ଦନକାଠକୁ ମାଳୟ ଓ।ଚନ୍ଦନଗଛକୁ ମଳୟଦ୍ରୁମ କୁହାଯାଏ । ମଇଲମ୍ ନୀତିରେ ଚନ୍ଦନଲାଗି ଅନ୍ଯତମ ଵିଧି ହୋଇଥିଵା ହେତୁ ମଳୟ ଵା ମାଳୟରୁ ଏହି ମଇଳମ୍ ଶବ୍ଦ ସୃଷ୍ଟି ହୋଇ ଅଛି କି ?

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...