"ଉଠି ଯେହ୍ନେ ଜଳଧର ପଶ୍ଚିମ-ଆଶାରେ,
ଅସ୍ତାଚଳ ପ୍ଳାଵିଦିଏ ଅଜସ୍ର-ଆସାରେ ।।"
ସ୍ବଭାଵକଵି ଗଙ୍ଗାଧର ମେହେର ତାଙ୍କ ତପସ୍ଵିନୀ କାଵ୍ଯର (ସୀତା) ପ୍ରଥମ ସର୍ଗରେ ଏହି ପଦ ମଧ୍ୟରେ ଦୁଇଗୋଟି "ଆଶାରେ" ଓ "ଆସାରେ" ଶବ୍ଦ ଵ୍ଯଵହାର କରିଅଛନ୍ତି ।
ତାହେଲେ କ'ଣ ଆମ ଭାଷାରେ ଦୁଇଗୋଟି ଆଶା ଓ ଆସା ଶବ୍ଦ ରହିଛି ଏଵଂ ପ୍ରୟୋଗ ଦୃଷ୍ଟିରୁ ଏ ଉଭୟ ଶବ୍ଦର ଅର୍ଥ ମଧ୍ୟ ଭିନ୍ନ ଭିନ୍ନ ହୋଇଥିଵା ସମ୍ଭଵ ?
ହଁ ପ୍ରକୃତରେ ଆମ ଭାଷାରେ ଦୁଇଗୋଟି "ଆଶା" ଓ "ଆସା" ଶବ୍ଦ ରହିଛି ତେବେ "ଆସା" ଶବ୍ଦଟିର ଵ୍ଯଵହାର ସେତେ ଦେଖାଯାଏ ନାହିଁ ଏଵଂ ଏହା ଵୈଦିକ ସଂସ୍କୃତ ତଥା ପ୍ରାଚୀନ ସଂସ୍କୃତ ସାହିତ୍ୟରେ ଦୃଷ୍ଟିଗୋଚର ହୋଇଥାଏ । ଆସା ଶବ୍ଦର ସେତେ ଵ୍ଯଵହାର ନଥିଵାରୁ ଏ ଶବ୍ଦପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦିଆଯାଇନାହିଁ ।
ତେବେ ଉଭୟ "ଆଶା" ଓ "ଆସା" ଶବ୍ଦ କେଉଁ କେଉଁ ଅର୍ଥରେ ଵ୍ଯଵହାର ହୋଇଥାଏ ?
❇️ଆଶା ଶବ୍ଦର ନିମ୍ନୋକ୍ତ ଅର୍ଥରେ ଵ୍ଯଵହାର ଅଛି...
🔵୧)ବାଞ୍ଚା ଵା ଇଚ୍ଛା
🔵୨)ଦୀର୍ଘତୃଷ୍ଣା
🔵୩)ଦିଗ🔸
🔵୪)ଭରସା
🔵୫)ଦକ୍ଷ ପ୍ରଜାପତିଙ୍କ ଏକ କନ୍ୟାର ନାମ
🔵୬)କନ୍ଯାମାନଙ୍କୁ ଦିଆଯିଵା ନାମ
✳️ସେହିପରି ଆସା ଶବ୍ଦର ନିମ୍ନ ଅର୍ଥ ସବୁ ରହିଛି...
🔴୧)ନିମିଷକେ
🔴୨)ମୁଖର ଶବ୍ଦ
🔴୩)ଵ୍ଯକ୍ତିଗତ ଭାବେ
🔴୪)ଆଖପାଖରେ
🔴୫)ପାଖରେ
🔴୬)ନିକଟତା
🔴୭)ନିକଟ
🔴୮)ଉପସ୍ଥିତି
🔴୯)ଆଶାବାଡୀ
🔴୧୦)ସୁନା ରୂପା ଆଦି ଧାତୁରେ ତିଆରି ମୋଟ ଦଣ୍ଡ ଯାହା କେଵଳ ସାଜସଜ୍ଜା ହେତୁ ରାଜାମହାରାଜା ତଥା ଶୋଭାଯାତ୍ରାର ଆଗରେ ଚୋପ୍ଦାରମାନେ ଧରି ଚାଲୁଥିଲେ ।
ତାହେଲେ କଵି କ'ଣ ଆଶା ଓ ଆସା ଏ ଉଭୟ ଶବ୍ଦର ଏଠାରେ ଵ୍ଯଵହାର କରିଅଛନ୍ତି କି ? ଯଦି କରିଛନ୍ତି ତାହେଲେ ଏଠାରେ କେଉଁ ଅର୍ଥରେ କରିଅଛନ୍ତି ?
🤔🤔🤔
ପ୍ରକୃତରେ କଵି
"ଉଠି ଯେହ୍ନେ ଜଳଧର ପଶ୍ଚିମ-ଆଶାରେ,"
ପଦରେ ଆଶା ଶବ୍ଦକୁ ଦିଗ ଅର୍ଥରେ ଵ୍ଯଵହାର କରିଛନ୍ତି
କିନ୍ତୁ
"ଅସ୍ତାଚଳ ପ୍ଳାଵିଦିଏ ଅଜସ୍ର-ଆସାରେ ।।"
ଏହି ପଦରେ ଵୈଦିକ ଆସା ଶବ୍ଦର ଵ୍ଯଵହାର କରିନାହାନ୍ତି 😂
ଏଠାରେ ତତ୍ସମ ଆସାର ଶବ୍ଦରେ ଓଡ଼ିଆ ଏ ପର ପ୍ରତ୍ଯୟ ଯୁକ୍ତ କରି କଵି ଆସାରେ ଶବ୍ଦଟି ପ୍ରୟୋଗ କରିଅଛନ୍ତି ।
ତତ୍ସମ ଆସାର ଶବ୍ଦର ନିମ୍ନଲିଖିତ ଅର୍ଥରେ ପ୍ରୟୋଗ ରହିଛି
🔶୧)ଅସାରା/ଅସରା
🔶୨)ମୁଷଳଧାରାରେ ଵୃଷ୍ଟିପାତ
🔶୩)ଜଳଧାରା ପତନ
🔶୪)କୌଣସି ପଦାର୍ଥର ଧାରା
🔶୫)ଶତ୍ରୁ ସୈନ୍ଯ ବେଷ୍ଟନ
🔶୬)ଵିସ୍ତାର ଵା ପ୍ରସାରଣ
🔶୭)ଜଳକଣା
🔶୮)ବନ୍ଧୁବଳ; ମିତ୍ର ସେନା
🔶୯)ପ୍ରଵେଶ
ଅର୍ଥାତ୍ କଵି ଏଠାରେ କହୁଛନ୍ତି—
ଉଠି
ଯେହ୍ନେ = ଯେଉଁଠି
ଜଳଧର=ମେଘ
ପଶ୍ଚିମ-ଆଶାରେ = ପଶ୍ଚିମଦିଗରେ
ଅସ୍ତାଚଳ = ପଶ୍ଚିମାଚଳ; ଯେଉଁ ପର୍ଵତରେ ସୂର୍ଯ୍ୟ ଅସ୍ତ ଯାଆନ୍ତି
ପ୍ଳାଵିଦିଅନ୍ତି = ବୁଡା଼ଇ ଦିଅନ୍ତି ଵା ଢାଳି ଦିଅନ୍ତି
ଅଜସ୍ର ଆସାରେ = ଅଜସ୍ର ଜଳଧାରାରେ
ମଜାକଥା ହେଲା ବହୁତ ଲୋକ ହଠାତ୍ ଏହି ପଦଟି ପଢ଼ି ଭାବନ୍ତି କଵି ଏଠାରେ ଦୁଇଗୋଟି "ଆଶା" ଓ "ଆସା" ଶବ୍ଦ ଵ୍ଯଵହାର କରିଅଛନ୍ତି 😅 କିନ୍ତୁ ପ୍ରକୃତରେ କଵି ଏଠି "ଆଶାରେ" ଶବ୍ଦକୁ "ଦିଗରେ" ଅର୍ଥରେ ଏଵଂ "ଆସାରେ" ଶବ୍ଦକୁ "ଜଳଧାରାରେ" ଅର୍ଥରେ ଵ୍ଯଵହାର କରିଥିଵା ଆସାର ଶବ୍ଦକୁ ଓ ତାହାର ଅର୍ଥକୁ ଜାଣିଥିଵା ଵ୍ଯକ୍ତି ହିଁ ଠିକ୍ ରେ ଠଉରେଇ ପାରିଥାଆନ୍ତି ।
🙏🙏
No comments:
Post a Comment