ଏବେ ଵିନୋଦ ଶବ୍ଦଟି ଅନ୍ତର୍ଜାଲରେ ଚର୍ଚ୍ଚାର ଵିଷୟ ହୋଇଯାଇଛି । ୟୁଟ୍ୟୁବର ଏକ ଵିଡିଓରେ ବିନୋଦ ଥାରୁ ନାମକ କେହି ଜଣେ ଵ୍ଯକ୍ତି ନିଜ ନାମ ଟିପ୍ପଣୀ କରିଥିଲା Binod । ଏହାକୁ ନେଇ ମେମେ ହେଵାରୁ ଵିନୋଦ ଶବ୍ଦକୁ ନେଇ କିଏ କେତେ ପ୍ରକାରରେ ଲେଖୁଅଛନ୍ତି । ତେବେ ଇତିମଧ୍ୟରେ କିଛି ହିନ୍ଦିଆ ଏହାକୁ ହିନ୍ଦୀ ଶବ୍ଦ କହି ପ୍ରଚାର କରିଵା ନିତାନ୍ତ ହାସ୍ୟାସ୍ପଦ ହୋଇଛି । ହିନ୍ଦୀରେ ଵ୍ଯଵହାରର ବହୁ ପୂର୍ଵରୁ ଆମ ଓଡ଼ିଆ ଭାଷାରେ ଏ ଶବ୍ଦର ବହୁଳ ଵ୍ଯଵହାର ହୋଇଥିଵା ଦେଖାଯାଏ । ଓଡ଼ିଶାରେ ଏମିତି କୌଣସି ଗ୍ରାମ ନଥିଵ ଯେଉଁଠି ଵିନୋଦ ନାମରେ କୌଣସି ଵ୍ଯକ୍ତି ନଥିଵ କିନ୍ତୁ ଅହଂକାରୀ ଉତ୍ତର ଭାରତୀୟଙ୍କୁ ଏସବୁ ଦେଖାଯାଏ ନାହିଁ । ସେମାନେ କୁହନ୍ତି ଵିନୋଦ ଶବ୍ଦରେ ତାଙ୍କର ହିଁ ଏକାଧିପତ୍ୟ ରହିଛି ଓ ଏ ଶବ୍ଦଟା ସଂସ୍କୃତନିଷ୍ଠ ହେଲେ ହେଁ ଆମ ଶବ୍ଦ ।
ଵିନୋଦ ଶବ୍ଦଟି ପ୍ରକୃତରେ କାହାର ?
ଵିନୋଦ ଶବ୍ଦ ମୂଳତଃ ଏକ ତତ୍ସମ ସଂସ୍କୃତ ଶବ୍ଦ ଏଵଂ ଏଵଂ ଶବ୍ଦକୁ ଵି ଉପସର୍ଗରେ ନୁଦ୍ ଧାତୁ ଯୁକ୍ତ କରି ସୃଷ୍ଟି କରାଯାଇଛି ।
ଏ ଶବ୍ଦର ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ନିମ୍ନୋକ୍ତ ଅର୍ଥ ସବୁ ଉଲ୍ଲେଖ ରହିଛି
❇️ମନସ୍ତୁଷ୍ଟି ଵା ଆନନ୍ଦ(ଵି.)
❇️ଔତ୍ସୁକ୍ଯ
❇️ଵିହାର
❇️ଆମୋଦ ପ୍ରମୋଦ
❇️କ୍ରୀଡ଼ାକୌତୁକ
❇️ଅପନୟନ ଵା ଅପନୋଦନ(alleviating)
❇️ପ୍ରବୋଧନ(Consolation)
❇️ସମୟ ଯାପନୋପାୟ(Diversion)
❇️ରସିକତା ପ୍ରକାଶ
❇️ପ୍ରମୋଦ ଗୃହ
❇️ଆଲିଙ୍ଗନବିଶେଷ
❇️ମନୋହର(ଵି.ଣ.)
❇️ସୁନ୍ଦର(ଵି.ଣ)
❇️ବିନୋଦବିହାରୀର ଡାକ ନାମ(ଦେ.ଵି.)
ଓଡ଼ିଆ ଭାଷାର ପ୍ରାଚୀନ ସାହିତ୍ୟରେ ଵିନୋଦ ଶବ୍ଦର ଯେତିକି ଵ୍ଯଵହାର ଦେଖାଯାଏ ତାହା ଅନ୍ୟ ଭାଷାରେ ପ୍ରାୟ ଦୃଶ୍ୟ ହୁଏନାହିଁ । ଵସ୍ତୁତଃ ୩୦୦ ଵର୍ଷ ପୁରାତନ ଗୋଟିଏ ମିଶ୍ରଭାଷା ପୁଣି ଓଡ଼ିଆ ଭାଷା ସହ ପ୍ରାଚୀନ ସାହିତ୍ୟ କ୍ଷେତ୍ରରେ ଶବ୍ଦ ଵ୍ଯଵହାରକୁ ନେଇ ପ୍ରତିଯୋଗିତା କରିଵା ଅତି ହାସ୍ଯୋଦ୍ଦୀପକ ତଥାପି ଆମ୍ଭେ ଏଠାରେ ପ୍ରାଚୀନ ଓଡ଼ିଆ ସାହିତ୍ୟର ଏମନ୍ତ କେତେକ ଉଦାହରଣ ଦେଖିଵା ଯହିଁରେ ତତ୍ସମ ଵିନୋଦ ଶବ୍ଦର ଵ୍ଯଵହାର ରହିଛି ।
ଵିଦିଗ୍ଧ ଚିନ୍ତାମଣିରେ ଅଭିମନ୍ୟୁ ସାମନ୍ତସିଂହାର ଶ୍ରୀକୃଷ୍ଣଙ୍କୁ ଭାଵ ଵିନୋଦ କହିଅଛନ୍ତି । ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ଆମ୍ଭ କଳିଙ୍ଗ ଦେଶରେ ଭାଵଵିନୋଦିଆ ଭାବେ ଅଭିହିତ କରାଯାଇଥାଏ ...
🔴ଭାବ ବିନୋଦ ହେ
କୃଷ୍ଣ ବର୍ଣ୍ଣ ଶେଯେ ମାଡ଼େ ନିଦ ।
ଶ୍ରୀ ଅଙ୍ଗ ତିଳକୁ ଚାହିଁଵା ବେଳକୁ
ଚିତ୍ତରେ ଜାତ ହୁଏ ମୁଦ ॥୪॥
ଆମେ ସୁଦଶା ଵ୍ରତ କଥାରେ ମଧ୍ୟ ଵିନୋଦେ ଶବ୍ଦର ଵ୍ଯଵହାର ହୋଇଥିଵାର ପାଇଥାଉ...
🔴ଏଥୁ ଅନନ୍ତରେ ଇନ୍ଦ୍ର ଶୁଣ ହେ ବୋଇଲା ।
ମୃଗୟା ଵିନୋଦେ ନଳ ବନସ୍ତକୁ ଗଲା ।୩୩।
ଵିଚିତ୍ର ରାମାୟଣରେ କଵି ଵିଶ୍ଵନାଥ ଖୁଣ୍ଟିଆ ସମ୍ଭଵତଃ ଆମୋଦପ୍ରମୋଦ ଵା ରସିକତା ପ୍ରକାଶ ଅର୍ଥରେ ଵିନୋଦ ଶବ୍ଦର ଵ୍ଯଵହାର କରିଛନ୍ତି...
🔴ଜାନକୀ ସଙ୍ଗତେ ବହୁ ଵିନୋଦ ।
କମଳ ଚୁମ୍ବଇ କି ଷଟପଦ ।
ପୁଣି ସେହି କାଵ୍ଯରେ କଵି ଵିନୋଦେ ଶବ୍ଦର ମଧ୍ୟ ଏମନ୍ତଭାବେ ଵ୍ଯଵହାର କରିଯାଇଛନ୍ତି...
🔴ଶ୍ରୀ ନୀଳଗିରିଶିଖରେ ବିଜେ ହରି ଦ୍ୱାଦଶ ଯାତ୍ରା ଵିନୋଦେ
ସ୍ନାନ ଶ୍ରୀଗୁଣ୍ତିଚା ଅୟନ ଶୟନ ପାରଶ୍ୱ ପାଲଟ ମୋଦେ ।
କଵି ଚାନ୍ଦ ଦାସ ତାଙ୍କ ଶ୍ରୀକୃଷ୍ଣ ଵନ୍ଦନା "ପୂତନାଦି ଵକ ଶକଟ ଷଣ୍ଢ"ରେ ଵିନୋଦ ଶବ୍ଦ ଵ୍ଯଵହାର କରିନଥିଲେ ହେଁ ଵିନୋଦେ ଶବ୍ଦଟି ନିଶ୍ଚୟ ଵ୍ଯଵହାର କରିଛନ୍ତି ।
🔴ଵିପିନେ ଭୋଜନ ଵିନୋଦେ
ଚତୁରାନନ ଭ୍ରମ ଭଞ୍ଜିଲେ
ମୋହ ଭରେଣ ଶରଣ ଜନର ତଦୁପରିରେ
ଚାର ପଣେ ଛିନ୍ନମତି ଛାନ୍ଦ ଭଣିଲେ ।
କଵିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଵୈଦେହୀଶ ଵିଳାସ କାଵ୍ଯରେ ଅନେକ ସ୍ଥାନରେ ଵିନୋଦ ଶବ୍ଦର ଵିଭିନ୍ନ ଅର୍ଥରେ ଵ୍ଯଵହାର ରହିଛି । ନିମ୍ନରେ କେତେକ ପଦର ଉଦାହରଣ ଦିଆଗଲା...
🔴ବେଭାରେ ମଧୁସୂଦନ ସେହି ।
ବଞ୍ଚନ୍ତି କାଳକୁ ଵିନୋଦ ବିହି ।୧୭।
(ଵୈଦେହୀଶ ଵିଳାସ,କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ)
🔴ବୈଦେହୀ ଶ୍ରୀରାମ କିସ କରିଣୀ କରୀ,
ଵିନୋଦ ନଦୀରେ କୁଞ୍ଜକୁଟୀରେ କରି|୧|
(ଵୈଦେହୀଶ ଵିଳାସ,କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ)
🔴ବହି ଵିଚରିତ ଶାଳେ ଧୁଆଇଲେ ପଦ |
ବହିତ ଗମନାନିଳେ ଚମରୀ ଵିନୋଦ ଯେ | ୪୨ |
(ଵୈଦେହୀଶ ଵିଳାସ,କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ)
🔴ବାଚକ ଏ ଘେନି ପେଚକପନ୍ତି,
ଵିଲୋକନ ନୋହେ ମେଚକକାନ୍ତି। ଵିନୋଦ ସ୍ୱଚ୍ଛେ କରନ୍ତି ଗଣ୍ଡକ,
ଵଲ୍ମୀକ ବିଦାରୁଛନ୍ତି ଭଲ୍ଲୁକ।୩୫।
(ଵୈଦେହୀଶ ଵିଳାସ,କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ)
🔴ବିନୋଦ ଦେଖାଇ ଦୁର କରି ନେଇ ନୃପଜମାନଙ୍କୁ ।
ବଧ କରେ ତୁଙ୍ଗ ଶୃଙ୍ଗରେ ଏ ରଙ୍ଗ ଆସଇ ମନକୁ । ୨୯
(ଵୈଦେହୀଶ ଵିଳାସ,କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ)
ପଞ୍ଚସଖା ଯୁଗର କଵି ଅତିବଡ଼ ଜଗନ୍ନାଥ ଦାସ ତାଙ୍କ ଭାଗଵତରେ ମଧ୍ୟ ଚାରୋଟି ସ୍ଥାନରେ କେଵଳ ଵିନୋଦ ଶବ୍ଦର ଵ୍ଯଵହାର କରିଛନ୍ତି ।
🔴ତୁମ୍ବୁରୁ ଅଛି ତାଙ୍କ ସଙ୍ଗେ ।
ଵୀଣା-ଵିନୋଦ ଵାଦ୍ୟରଙ୍ଗେ ॥ ୧୩୧
ନାଦେ ଗୋଵିନ୍ଦ ଗୁଣ ଗାଇ ।
ପୁଲକ ରୋମପନ୍ତି ବହି ॥ ୧୩୨
(ପ୍ରଥମ ସ୍କନ୍ଧ, ଜଗନ୍ନାଥ ଭାଗଵତ)
🔴ବାଜନ୍ତି ଗୋମୁଖ ଆନକ ।
ପଣବ ତୂରୀ ଯେ ଅନେକ ।।୨୮
ଗୀତ ଵିନୋଦ ନୃତ୍ୟଗୋଳ ।
ଦିଗ ଉଛୁଳନ୍ତି ତୁମୁଳ ।।୨୯
(ଅଷ୍ଟମ ସ୍କନ୍ଧ, ଜଗନ୍ନାଥ ଭାଗଵତ)
🔴ଭକତି କର ଦୃଢ଼ଚିତ୍ତେ ।
ହରି-ଭକତଙ୍କର ମତେ । ।୧୫୯
ଗୀତ-ଵିନୋଦ ଭାଗଵତ ।
କହିଲା ଦାସ ଜଗନ୍ନାଥ । ।୧୬୦
(ଦଶମ ସ୍କନ୍ଧ, ଜଗନ୍ନାଥ ଭାଗଵତ)
🔴ଵିଵିଧରଙ୍ଗେ କରି ଖେଳା ।
କେତେ ରଜନୀ ଦିନ ଗଲା ।।୨୫
ଏମନ୍ତେ ଵିଵିଧ ଵିନୋଦ ।
ତା' ସଙ୍ଗେ ବଳିଲା ମୋ' ସଧ ।।୨୬
(ଏକାଦଶ ସ୍କନ୍ଧ, ଜଗନ୍ନାଥ ଭାଗଵତ)
ପୁଣି ଜଗନ୍ନାଥ ଦାସ ଵିନୋଦେ ଶବ୍ଦର ମଧ୍ୟ ପ୍ରୟୋଗ ଏହିପରି କରିଅଛନ୍ତି ...
🔴ବାଳକ ପୌଗଣ୍ଡ କୈଶୋରେ ।
ବିଂଶବରଷ ତହୁଁ ହରେ । ।୪୬
କାଳର ସ୍ୱଭାଵ ଏମନ୍ତ ।
କ୍ରୀଡ଼ା ଵିନୋଦେ କରେ ଗ୍ରସ୍ତ । ।୪୭
(ସପ୍ତମ ସ୍କନ୍ଧ,ଭାଗଵତ)
🔴ହରି-ଵିନୋଦେ ବ୍ରଜନାରୀ ।
ଆନନ୍ଦେ ବୃନ୍ଦାବନେ ପୁରି । ।୧୩
(ଦଶମ ସ୍କନ୍ଧ,ଭାଗଵତ)
ସେହିପରି କଵି ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣରେ ଆମେ ଵିନୋଦେ ଶବ୍ଦ ଵ୍ଯଵହାର ହୋଇଥିଵା ଦେଖିଵାକୁ ପାଉ...
🔴 ଶୁଣ ହେ ନାରଦ ଏଣେ ହରି ବଳରାମ ।
ମୃଗୟା ଵିନୋଦେ ଯାଇଥିଲେ ଘୋରବନ ।।୧୪୩।।
ଏକାଦଶରୁ ତ୍ରୟୋଦଶ ଶତାବ୍ଦୀ ମଧ୍ୟରେ ରଚିତ ସରଳା ଦାସଙ୍କ ମହାଭାରତରେ ଵିନୋଦ ଶବ୍ଦଟି ଅନେକ ଥର ଵିଭିନ୍ନ ରୂପେ ଵ୍ଯଵହାର ହୋଇଥିଵା ଦୃଶ୍ୟ ହୁଏ ।
🔴ଵନେ ମୃଗୟା ଵିନୋଦ ସେ କରଇ ଭଗଵାନ ନୃପତି ମାଦ୍ରି ବୋଲିଣ ତାହାର ଦୁହିତା ଉତପତ୍ତି । ୧୯ ।
(ଆଦି ପର୍ଵ,ସାରଳା ମହାଭାରତ)
🔴ମୁହିଂ ମହାପାତକ କଲି ଶୁଣସି ଗୋ କୋଇନ୍ତା
ମୃଗୟା ଵିନୋଦେ ହାଦେ ମୁହିଂ କଲି ବ୍ରହ୍ମହତ୍ୟା । ୧୨୮
🔴ଖେଳନ୍ତି ବେନି ନନ୍ଦନ ଯେ କୁତୂହୋଳ ହୋଇ
ଲାଟ ଵିନୋଦେ ଖେଳ ଖେଳନ୍ତି ଜାଣ ଦୁଇ
(ଵନ ପର୍ଵ, ସାରଳା ମହାଭାରତ)
🔴ଶୁଭାଙ୍ଗୀ ସୁନ୍ଦରୀ ସେ ପ୍ରିୟର ଚଞ୍ଚଳା
ବେଣୁ ସୁସ୍ବର ଵିନୋଦେ ଖଟନ୍ତି ଅଵଳା ।
(ଵନ ପର୍ଵ, ସାରଳା ମହାଭାରତ)
🔴ମୃଗୟା ଵିନୋଦେ ଯାଇଛନ୍ତି ମୋର ପତି
ୟେହିକ୍ଷଣି ଆସିବେ ଦଣ୍ଡେ ୟେଥେ ବସ ହୋ ମହାଛତ୍ରୀ ।
(ଵନ ପର୍ଵ, ସାରଳା ମହାଭାରତ)
🔴ମୃଗୟା ଵିନୋଦୁଂ ଅଇଲେ ପାଣ଼ଡଵ ଚାରିଭାଇ
ପର୍ଣ୍ଣକୁଟୀ ଭିତରେ ଦେଖିଲେ ଦ୍ରୋପତୀଦେଵୀ ତହିଂ ନାହିଂ ।
(ଵନ ପର୍ଵ, ସାରଳା ମହାଭାରତ)
ଏଇଭଳି ଆହୁରି ଶତାଧିକ ପ୍ରାଚୀନ ଓଡ଼ିଆ ସାହିତ୍ୟର ପଦ ଉଦାହରଣ ଦିଆଯାଇପାରେ ଯହିଁରେ ଵିନୋଦ ଓ ଵିନୋଦେ ଇତ୍ଯାଦି ଶବ୍ଦର ଵ୍ଯଵହାର ହୋଇଅଛି । ଯେତେବେଳେ ହିନ୍ଦୀ ବୋଲି କୌଣସି ଭାଷାର ନାଆଁ ଗନ୍ଧ ନଥିଲା ଯେତେବେଳେ ଉତ୍ତର ଓ ପୂର୍ଵ ଭାରତରେ କେହି ଭାଗଵତ କି ମହାଭାରତ ସଂସ୍କୃତ ଛଡ଼ା ଅନ୍ଯ ଭାଷାରେ ରଚନା କରିନଥିଲା ଏଇ କଳିଙ୍ଗମାଟିରେ ପ୍ରଥମେ ଵିନୋଦ ଶବ୍ଦର ସେତେବେଳେ ବହୁଳ ଵ୍ଯଵହାର କରିଯାଇଛନ୍ତି ଜଗନ୍ନାଥ ଦାସ, ବଳରାମ ଦାସ ଓ ସାରଳା ଦାସଙ୍କ ପରି କଵି ପଣ୍ଡିତମାନେ ତାହେଲେ ଗୋଟିଏ ଆଧୁନିକ ଅଳ୍ପଵୟସ୍କ ମିଶ୍ର ଭାଷା ବୋଲୁଥିଵା ଏ ହୀନିମାନିଆ ହିନ୍ଦିଆଲୋକଙ୍କୁ କିଏ ଅଧିକାର ଦେଲା ଯେ ସେମାନେ ଵିନୋଦ ଭଳି ଏକ ତତ୍ସମ ଶବ୍ଦକୁ କେଵଳ ତାଙ୍କର ଶବ୍ଦ ବୋଲି ପ୍ରଚାର କରିଵେ ? ଵିନୋଦ ଏକ ସର୍ଵଭାରତୀୟ ଶବ୍ଦ ତେଵେ ସଂସ୍କୃତ ପରି ଓ ପରେ ଏହାର ବହୁଳ ଵ୍ଯଵହାର ଶାସ୍ତ୍ରୀୟ ଓଡ଼ିଆ ଭାଷାରେ ଥିଵାରୁ ଏହାକୁ ଓଡ଼ିଆ ଭାଷାର ମଧ୍ୟ ଏକ ଅତ୍ଯାଵଶ୍ଯକ ଶବ୍ଦ କହିଲେ ମଧ୍ୟ ଅତିଶୟୋକ୍ତି ହେଵ ନାହିଁ ।
ସଂସ୍କୃତ ଭାଷା ଓ ଏହି ଭାଷାର ଶବ୍ଦ କେଵଳ ଉତ୍ତର ଭାରତୀୟଙ୍କର ବୋପା ସମ୍ପତ୍ତି ନୁହେଁ ଏଥିରେ ସମସ୍ତ ଭାରତୀୟଙ୍କର ସମାନ ଅଧିକାର ରହିଛି ଏଵଂ ଓଡ଼ିଆ ଭାଷା ସ୍ଵାଭାଵିକ ଭାବେ ସଂସ୍କୃତନିଷ୍ଠ
ତଥା ପ୍ରାଚୀନ ହୋଇଥିଵା ହେତୁ ଅନ୍ଯ ଅଳ୍ପଵୟସ୍କ ଭାଷା ଅପେକ୍ଷା ଏହାର ତତ୍ସମ ଶବ୍ଦ ଉପରେ ଅଧିକାର ପ୍ରଥମ ନୁହେଁ କି ?
No comments:
Post a Comment