Thursday, January 28, 2021

ନାଆଁ ଓ ସାଙ୍ଗିଆ ମଝିରେ କୁମାର ଶବ୍ଦ କାହିଁକି ଲଗାଯାଏ ?

ମନରେ ବେଳେବେଳେ ପ୍ରଶ୍ନ ଆସେ ଯେ ଭାରତଵର୍ଷରେ ଵିଶେଷତଃ ଆମ କଳିଙ୍ଗଦେଶରେ
ନାଆଁ ଓ ସାଙ୍ଗିଆ ମଝିରେ କୁମାର କାହିଁକି ଲଗାଯାଇଥାଏ । ଉଦାହରଣ ସ୍ୱରୂପ—

✓ପ୍ରଦ୍ୟୁମ୍ନ କୁମାର ସ୍ଵାଇଁ
✓ପଵନ କୁମାର ପାତ୍ର
✓ଶରତ କୁମାର ପଣ୍ଡା
✓ତପନ କୁମାର ସାହୁ

ଇତ୍ୟାଦି ଇତ୍ୟାଦି...

ସାରା ଭାରତରେ ଏଭଳି ନାମକରଣ ପ୍ରକ୍ରିୟା ସବୁଠାରୁ ଅଧିକ ଦେଖାଯାଏ ଆମ କଳିଙ୍ଗ ଦେଶରେ ହେଲେ କେଵେ ଆପଣଙ୍କ ମନକୁ ଏ ପ୍ରଶ୍ନ ଅସିଛି କି କାହିଁକି ଏହି ‘କୁମାର’ ସଂଯୁକ୍ତ କରାଯାଏ ?

ଏହି ପ୍ରଶ୍ନର ଉତ୍ତର ପାଇଵାକୁ ହେଲେ ଆମକୁ ପ୍ରଥମେ କୁମାର ଶବ୍ଦ ଵିଷୟରେ ଜାଣିଵାକୁ ହେଵ ।

କୁମାର ଏକ ସର୍ଵଭାରତୀୟ ଶାସ୍ତ୍ରୀୟ ଶବ୍ଦ ଯାହାର ପ୍ରାଚୀନ ଭାରତୀୟ ଭାଷା ଵିଜ୍ଞାନୀମାନେ  ଅନେକ ସମ୍ଭାଵିତ ନିରୁକ୍ତି ନିରୂପଣ କରିଅଛନ୍ତି ।
ଯଥା—
୧)କୁ(କୁତ୍ସିତ; ଅଳ୍ପ)+ମାର=କନ୍ଦର୍ପ(ବହୁଵ୍ରୀହି ସମାସ)
୨)କୁମାର୍=କ୍ରୀଡା କରିବା+କର୍ତ୍ତୃ. ଅ(ଧାତୁ ପ୍ରତ୍ଯୟାନ୍ତ)

ଏ ଶବ୍ଦର ଵିଭିନ୍ନ ଅର୍ଥରେ ଵ୍ୟଵହାର ରହିଛି
ଯଥା—
୧)ପୁତ୍ର
ରାଜକୁମାର ଓ ଅଶ୍ବାନୀ କୁମାର ଇତ୍ଯାଦି ଶବ୍ଦରେ ଥିଵା କୁମାର ଶବ୍ଦ ପୁତ୍ର ଅର୍ଥରେ ଲାଗିଛି । ଓଡ଼ିଆ ଭାଷାରେ ପୁତ୍ର ଅର୍ଥରେ କୁମାର ଶବ୍ଦ କୁମରରେ ପରିଣତ ହୋଇଛି ।

୨)ପଞ୍ଚମ ବର୍ଷୀୟ ବାଳକ

୩)ଯୁଵକ

୪)କାର୍ତ୍ତିକେୟ

୫)ଟିକାଏତ; ରାଜପୁତ୍ର;ଯୁଵରାଜ

୬)ପାଞ୍ଚଵର୍ଷରୁ କମ୍ ଵୟସ୍କ ବାଳକ ଶିଶୁ

୮)ନିର୍ମଳ ସ୍ବର୍ଣ୍ଣ; ଖାଣ୍ଟି ସୁନା

୯)ସିନ୍ଧୁନଦୀର ଗୋଟିଏ ନାମ
ସମ୍ଭଵତଃ ସିନ୍ଧୁ ନଦୀର ଏ ନାମାନୁସାରେ ଭାରତଵର୍ଷକୁ କୁମାରଵର୍ଷ ମଧ୍ୟ କୁହାଯାଏ ।

୧୦)ସହିସ; ଅଶ୍ବବାରକ

୧୧)ଭାରତ ବର୍ଷର ନାମାନ୍ତର (ବାମନ ପୁରାଣ)

୧୨)ମଙ୍ଗଳଗ୍ରହ (ନବଗ୍ରହ ସ୍ତୋତ୍ର)

୧୩)କୁମାରପକ୍ଷୀ ଵା ଶୁକପକ୍ଷୀ

୧୪)କୁମାରପର୍ଵତ

୧୫)ବରୁଣ ଗଛ

୧୬)ସନକ, ସନଦ, ସନାତନ, ସନତ୍କୁମାର ଋଷିଙ୍କୁ କୁମାର କୁହାଯାଏ । ଏମାନେ ଶୈଶଵରୁ ବ୍ରହ୍ମଚାରୀ ଥିଵାରୁ ଏମନ୍ତ କୁହାଯାଏ ।

୧୭)ଅଶ୍ବଵାରକ ବୃକ୍ଷ

୧୮)ଅଵିଵାହିତ ବାଳକ

୧୯)କୁମ୍ଭକାର

କୁମାର ଶବ୍ଦଟି ସାଧାରଣତଃ ପୁତ୍ର ଓ ରାଜପୁତ୍ର ଏଇ ଦୁଇଟି ଅର୍ଥରେ ଵିଶେଷ ଭାବେ ଵ୍ଯଵହୃତ ହୋଇଥାଏ । ଯେହେତୁ ଆମ୍ଭ ଦେଶରେ ରାଜାଙ୍କର ସମସ୍ତ ପ୍ରଜା ପୁତ୍ର ଵିଵେଚିତ ହୋଇଥାଆନ୍ତି ତେଣୁ ଏହି “କୁମାର” ଶବ୍ଦର ପ୍ରଚଳନ ନାମ ପରେ ଓ ସାଙ୍ଗିଆ ପୂର୍ଵରୁ ଲାଗିଵା ଆରମ୍ଭ ହୋଇଥିଵା ସମ୍ଭଵ।

ପ୍ରତ୍ୟେକ ମାତାପିତାଙ୍କ ପାଇଁ ତାଙ୍କ ପୁତ୍ରପୁତ୍ରୀମାନେ ଯେତେ ଦୁଷ୍ଟଦୁଷ୍ଟା ହେଲେ ବି  ଖାଣ୍ଟି ସୁନା ପୁଣି ଯେତେ ବଡ଼ ହେଇଗଲେ ବି ବାପାମାଆଙ୍କ ଦୃଷ୍ଟିରେ ସେମାନେ ସବୁ ଛୋଟପିଲା । ପ୍ରତ୍ୟେକ ମାତାପିତାଙ୍କ ପାଇଁ ତାଙ୍କ ପିଲାଏ ରାଜକୁମାର ଓ ରାଜକୁମାରୀ ସଦୃଶ ଏଥିଯୋଗୁଁ ବି ଅନେକ ଅଵିଭାଵକ ନିଜ ସନ୍ତାନମାନଙ୍କ ନାମ ପରେ କୁମାର ଲଗେଇଵାକୁ ସୁଖ ପାଆନ୍ତି ।

ଉତ୍ତର ଭାରତୀୟ ଲୋକେ ଆପଣାର ସାଙ୍ଗିଆ ନଥିଲେ କିଂଵା କୌଣସି କାରଣରୁ ଲୁଚେଇଵାକୁ ଚାହୁଁଥିଲେ ନାମପରେ କୁମାର ଲଗାଇଥାଆନ୍ତି । ଏହି ଅଞ୍ଚଳରେ ତଥାକଥିତ ଉଚ୍ଚ ଓ ନିମ୍ନଵର୍ଗର ସନାତନୀ ତଥା ଧର୍ମ ପରିଵର୍ତ୍ତନ କରି ହିନ୍ଦୁ ହୋଇଥିଵା ଲୋକେ ଏମନ୍ତ କରିଥାଆନ୍ତି ।

ବେଳେ ବେଳେ ଦୁଇ ଓ ତିନି ଵର୍ଣ୍ଣ ଵିଶିଷ୍ଟ ନାମଗୁଡି଼କରେ ଭଲ ଶୁଣାଯିଵ ଏହି ଆଶାରେ କୁମାର ଶବ୍ଦ ଯୋଡ଼ା ଯାଇଥାଏ ।  ସନକାଦି ବ୍ରହ୍ମଚାରୀ ବ୍ରାହ୍ମଣ ପୁତ୍ରମାନଙ୍କୁ କୁମାର କୁହାଯାଏ ବୋଲି ବ୍ରାହ୍ମଣ ପୁତ୍ରମାନଙ୍କର ନାମ ପରେ କୁମାର ଲାଗିଵାର ପ୍ରଥା ଆରମ୍ଭ ହୋଇଥିଵା ସମ୍ଭଵ ।

କନ୍ୟାମାନଙ୍କ ନାମ ପୂର୍ଵରୁ କୁମାରୀ ଲଗାଯିଵାର ପ୍ରଥା ଚଳୁଥିଵାର ଜଣାଯାଏ ତେଵେ ଆଧୁନିକ ଯୁଗରେ ଆଞ୍ଜେଲ୍ ,ସୁଇଟି ଇତ୍ୟାଦି ଶବ୍ଦକୁ କନ୍ୟାରତ୍ନମାନେ ଆପଣା ନାମ ପୂର୍ଵରୁ ଯୋଖି ବହୁତ ଆନନ୍ଦ ଅନୁଭଵ କରିଥାଆନ୍ତି ।  ଏହିଭଳି ନାମପରେ କୁମାର ଲଗାଯିଵା ପରମ୍ପରାର ସ୍ଥାନ ଓ ପରିସ୍ଥିତି ଭେଦରେ ନାନାଦି କାରଣ ଥାଇପାରେ ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...