ଢେଙ୍କାନାଳରେ ଢଗଟିଏ ଚଳୁଅଛି
“ଜେନାଘର ଛେନାପିଠା
ରାତି ପାହିଲେ ବାଡି଼ଆପିଟା”
ଯାଜପୁର ଜିଲ୍ଲାରେ ଏ ଢଗଟି ସାମାନ୍ୟ ଭିନ୍ନ ରୂପେ ଚଳୁଅଛି
“ଜେନାଘର ଛେନାପାଣି
ଖଣ୍ଡେ ଛେନାକୁ ଟଣାଟଣି”
ତେବେ ଏ ଉଭୟ ଢଗରେ ଵ୍ୟଵହୃତ ଜେନା ଵା ଜେନାଘରର ପ୍ରକୃତ ଅର୍ଥ କ'ଣ ହୋଇଥିଵ ?
ପ୍ରଥମେ ବୁଝିଵାକୁ ହେଵ ଏଠାରେ ଜେନା ବୋଇଲେ କିଏ ?ପ୍ରକୃତରେ ରାଜପୁତ୍ରକୁ ଆମ ଭାଷାରେ ଜେନା କୁହାଯାଏ । ଏହି ଜେନା ଶବ୍ଦଟି ସଂସ୍କୃତର ଜି ଧାତୁ(ଜୟକରିଵା) ଓ ଜେତା(ଵିଜେତା) ଆଦି ତତ୍ସମ ଶବ୍ଦ ସହ ସମଦ୍ଧୃତ ଅଟଇ ।
କୃଷ୍ଣସିଂହ ତାଙ୍କ କୃଷ୍ଣ ମହାଭାରତରେ ରାଜପୁତ୍ର ଅର୍ଥରେ ଜେନା ଶବ୍ଦର ଵ୍ୟଵହାର କରିଛନ୍ତି ।
“ଏହିରୂପେ ତୁମ୍ଭର ଦୁଃଶାସନ ଜେନା”
(ଵନପର୍ଵ,କୃଷ୍ଣ ମହାଭାରତ)
ସେହିପରି ଜେନାମଣି ଶବ୍ଦ ମଧ୍ୟ ରାଜପୁତ୍ର ତଥା ଯୁଵରାଜ ଅର୍ଥରେ ଆମ ଭାଷାରେ ଏହି କଵିଙ୍କ ଦ୍ଵାରା ତାଙ୍କ ମହାଭାରତ ଗ୍ରନ୍ଥରେ ପ୍ରୟୋଗ କରାଯାଇଛି ।
“ଅରଜୁନଙ୍କୁ ଦୁଃଶାସନ ଜେନାମଣି
ତୁମ୍ଭର ଆଗୁଳି ବିନ୍ଧିଲେ ଶରଶ୍ରେଣୀ
(ଭୀଷ୍ମ ପର୍ଵ, କୃଷ୍ଣ ମହାଭାରତ)
କ୍ଷତ୍ରିୟ, ଖଣ୍ଡାୟତ ତଥା ଵିଭିନ୍ନ ଜାତିର ଯୋଦ୍ଧାମାନଙ୍କର ଵଂଶଧର ଏହି ଜେନା ଶବ୍ଦକୁ ଆପଣା ଉପନାମ ଭାବେ ଵ୍ୟଵହାର କରି ସ୍ବୟଂକୁ ରାଜପୁତ୍ର ପରିଚୟ ଦେଇଛନ୍ତି । ଆଜି ଖଣ୍ଡାୟତ,ଵୈଶ୍ୟ ଓ ଶୂଦ୍ରମାନଙ୍କ ମଧ୍ୟରେ ଜେନା ଓ ବଡ଼ଜେନା ଆଦି ଵଂଶୋପାଧି ଦୃଷ୍ଟିଗୋଚର ହୋଇଥାଏ । ମେଦିନୀପୁରର ଜନ ଉପନାମ ବି ପ୍ରକୃତରେ ଜେନା ଉପନାମର ଏକ ଶବ୍ଦରୂପ ମାତ୍ର ଅଟଇ ।
ତାହେଲେ ଢଗରେ ଉଲ୍ଲେଖିତ ଜେନାଙ୍କ ଘର ଅର୍ଥାତ୍ ରାଜାଘର ହୋଇଥିଵା ସମ୍ଭଵ ଆଉ ରାଜାଘରେ ଛେନାପିଠା କୁହାଯିଵାର ତାତ୍ପର୍ଯ୍ୟ ଆଡ଼ମ୍ବରପୂର୍ଣ୍ଣ ଵିଳାସ ଵ୍ୟସନର ଜୀଵନ ହୋଇଥାଇପାରେ । ରାଜାଘରେ ଛେନାପିଠା ସୁଲଭ କିନ୍ତୁ ସେଠି ରାତିପାହିଲେ ବାଡି଼ଆପିଟା ଲାଗିଯିଵାର ମଧ୍ୟ ସମ୍ଭାଵନା ରହିଛି ।
ରାଜ ଉଆସକୁ ରାଜା ଓ ତାଙ୍କ ପରିଵାରକୁ ଗୃହଶତ୍ରୁ ଓ ଵାହ୍ଯଶତ୍ରୁ ଉଭୟଙ୍କ ଆଡ଼ୁ ସବୁଵେଳେ ଵିପଦ ରହିଥାଏ । ଏଣୁ ଜେନାଘର ଵା ରାଜଉଆସରେ ଯେକୌଣସି ସମୟରେ ମଧ୍ୟ ଵିଵାଦ ସୃଷ୍ଟି ହୋଇପାରଇ ଵା ରାଜ ଉଆସ ଉପରକୁ ଵାହ୍ୟଶତ୍ରୁର ଆକ୍ରମଣ ମଧ୍ୟ ହୋଇପାରେ ।
ପୁନଶ୍ଚ ଓଡ଼ିଆ ଭାଷାରେ ପ୍ରଵଚନ ଵାକ୍ୟ ରହିଛି “ଝିମିଟି ଖେଳରୁ ମହାଭାରତ” ! ପାଣ୍ଡଵ କୌରଵମାନେ ସର୍ଵେ ଜେନା ଵା ରାଜପୁତ୍ର ଥିଲେ ଏଵଂ ଗୃହକଳହ ଘଟିଵା ପୂର୍ଵରୁ ଛେନାପିଠା ରୂପକ ଵିଳାସ ଵ୍ୟସନକୁ ମହା ଆନନ୍ଦରେ ଭୋଗ କରୁଥିଲେ । ତେବେ ଯେଉଁଦିନ ତାଙ୍କ ମଧ୍ୟରେ ଵିଵାଦ ଦେଖାଦେଲା ସେମାନଙ୍କ ବାଡି଼ଆପିଟା ସମୟକ୍ରମେ ମହାଭାରତ ଯୁଦ୍ଧରେ ପରିଣତ ହେଲା ।
ତେଣୁ ଏହା ସ୍ପଷ୍ଟ ହୁଏ ଯେ ଜେନାଘରେ ଵା ରାଜଘରେ ଛେନାପିଠାର ଅଭାଵ ନଥାଏ କିନ୍ତୁ ଅନିଶ୍ଚିତ କାଳେ ବାଡି଼ଆପିଟା ବି ହୋଇଯାଏ ।
No comments:
Post a Comment