Saturday, April 24, 2021

ପୋଲିସମାନଙ୍କୁ ଭାରତଵର୍ଷରେ ମାମୂ ଵା ମାମୁଁ କାହିଁକି କୁହାଯାଏ ?

ପୋଲିସମାନଙ୍କୁ ଭାରତଵର୍ଷରେ ମାମୂ ଵା ମାମୁଁ କାହିଁକି କୁହାଯାଏ ?

  ପ୍ରୋକ୍ତ ପ୍ରଶ୍ନର ଅନେକ ସମ୍ଭାଵିତ ଉତ୍ତର ଦିଆଯାଇପାରେ । ଏ ସମ୍ବନ୍ଧରେ ସବୁଠାରୁ ଲୋକପ୍ରିୟ ମତ ଭଗଵାନ ଶ୍ରୀକୃଷ୍ଣ ଜନ୍ମ ଵୃତ୍ତାନ୍ତ ସହିତ ସମ୍ବନ୍ଧିତ । 
  
🔷ଶ୍ରୀକୃଷ୍ଣ କଂସର ବନ୍ଦିଶାଳାରେ ଜନ୍ମ ଲଭିଥିଲେ ଏଵଂ କଂସ  ତାଙ୍କର ମାମୁଁ ହୋଇଥିଵାରୁ ଯେକୌଣସି ବନ୍ଦୀ ଗୃହକୁ ଆମ ଦେଶରେ ମାମୁଘର କୁହାଯିଵାର ପରମ୍ପରା ସୃଷ୍ଟି ହୋଇଅଛି ବୋଲି ଅନେକଙ୍କ ଧାରଣା ରହିଛି । ଏଣୁ ଯଦି ଜିଅଲ ,ଲକ୍'ଅପ୍ ଆଦି ମାମୁଘର ହୁଏ ସେଠାରେ କାର୍ଯ୍ୟ କରୁଥିଵା କଟୁଆଳ,ପ୍ରହରୀ ଵା ପୋଲିସମାନେ ମାମୁ ଵିଦିତ ହେଵା ସ୍ଵାଭାଵିକ ଅଟଇ । ଆହୁରି ମଧ୍ୟ କଂସ ତା ଭଣଜା ଶ୍ରୀକୃଷ୍ଣଙ୍କ ଉପରେ ଅନେକ ଅତ୍ୟାଚାର କରିଵାକୁ ଚେଷ୍ଟା କରିଅଛି ଏମନ୍ତକି ଜୀଵନରେ ମାରିଦେଵାକୁ ବାରମ୍ବାର ପ୍ରୟାସ କରିଥିଲା ।  ପୋଲିସ ମଧ୍ୟ ଆସାମୀମାନଙ୍କୁ ଠେଙ୍ଗାରେ ପିଟାପିଟିକରି କଥା ଆଦାୟ କରିଵାକୁ ଚେଷ୍ଟା କରେ ଆଉ ଅନେକ ସମୟରେ ଲକ୍ଅପ୍ ମଧ୍ୟରେ କିଛି ଆସାମୀ ମାଡ଼ ଖାଉ ଖାଉ ଦୁର୍ଭାଗ୍ୟକୁ ମରି ବି ଯାଆନ୍ତି । କଂସ ଭଳି ଆସାମୀମାନଙ୍କ ଉପରେ ନୃଶଂସ ଅତ୍ୟାଚାର କରୁଥିଵାରୁ ପୋଲିସକୁ କିଛି  ଲୋକ ମାମୁଁ କହିଵା ଆରମ୍ଭ କରିଦେଇଥିଵେ ଯାହା ପରେ ଲୋକପ୍ରିୟ ହୋଇଯାଇଥିଵ ।  




 🔷ଅନ୍ୟ ଏକ ମତରେ ସାଧାରଣତଃ ଭଣଜାମାନେ ମାମୁଘରକୁ ଗଲେ ସେମାନଙ୍କୁ ସେତେ କାମ କରିଵାକୁ ହୁଏ ନାହିଁ । ଭଣଜାମାନେ ଯେତେ ଦିନ ମାମୁଁ ଘରେ ରୁହନ୍ତୁ ତାଙ୍କଦ୍ଵାରା କିଛି କାମ କରେଇଵା ଆଗରୁ ମାମୁଁଘର ଲୋକେ ଦଶ ଥର ଭାଵନ୍ତି । ପୋଲିସର ଘରକୁ ଅର୍ଥାତ୍ ଲକ୍ଅପ୍ ଆଦି ମାମୁଁଘରକୁ ଗଲେ ମଧ୍ଯ କିଛି କାମ କରିଵାକୁ ହୁଏନାହିଁ । ସେଥିପାଇଁ ଓଡ଼ିଆ ଭାଷାରେ ଗୋଟିଏ ଲୋକଵାଣୀ ରହିଛି 
      “ମାମୁଘରେ ପତର ଖଣ୍ଡିକ ଦିଖଣ୍ଡି କରିବା" 
 ଅର୍ଥାତ୍ “କୌଣସି ପରିଶ୍ରମ ନ କରି ମାତୁଳାଳୟରେ ଆଦର ଓ ଯତ୍ନ ସହିତ ପ୍ରତିପାଳିତ ହେଵା” । ଅଵଶ୍ୟ ଜେଲ୍ ରେ କଏଦୀମାନଙ୍କ ଦ୍ଵାରା କାର୍ଯ୍ୟ କରାଇଵାର ଵ୍ୟଵସ୍ଥା ରହିଛି କିନ୍ତୁ ପୂର୍ଵେ ଏଭଳି ଵ୍ୟଵସ୍ଥା ନଥିଵା ଜଣାଯାଏ । ସମ୍ଭଵତଃ ଏଥିପାଇଁ ଆମ ଦେଶରେ ପୋଲିସ ଘରକୁ ମାମୁଁଘର ଓ ପୋଲିସମାନଙ୍କୁ ମାମୁଁ କୁହାଯାଉଥିଵ ।

🔷ପୁନଶ୍ଚ ମାମୁଁଘରେ ଅର୍ଥାତ୍ ଲକ୍ଅପ୍ ଓ ଜିଅଲରେ ବନ୍ଦୀକୁ ଉତ୍ତମ ମଧ୍ଯମ ମଧ୍ୟ ବଡ଼ ସୁଲଭ ମୂଲ୍ୟରେ ଓ ଵିଶେଷ ଭାବରେ ପ୍ରାପ୍ତ ହୋଇଥାଏ । ବେଳେ ବେଳେ ଦେଖାଯାଏ ପୋଲିସ ଅନେକ ଲୋକଙ୍କୁ  ଭୂଲ୍ କେଶ୍'ରେ ବାନ୍ଧି ନିଏ ଏଣୁ ପୋଲିସକୁ ଦେଖିଲେ ଲୋକେ ଡରନ୍ତି  ଓ ସେମାନଙ୍କଠାରୁ ଦୂରେଇ ରହିଵାକୁ ଚେଷ୍ଟା କରନ୍ତି । ବେଳେ ବେଳେ ମାମୁଁମାନେ ଭଣଜା ଭାଣିଜୀ ଅଧିକ ଖେଚଡ଼ ହେଲେ ସେମାନଙ୍କୁ ଦଣ୍ଡିତ କରନ୍ତି । ଓଡ଼ିଆ ଲୋକଗୀତରେ ସେଇଥିପାଇଁ କୁହାଯାଇଛି...

“ଚକା ଚକା ଭଉଁରୀ
ମାମୁ ଘର ଚଉଁରୀ
ମାମୁ ମୋତେ ମାଇଲେ
କେତେ କଥା କହିଲେ”

ମାମୁଁମାନେ ମାରନ୍ତୁ କି ନାହିଁ ସେମାନଙ୍କ ପ୍ରତି ଭଣଜା ଭାଣଜୀମାନଙ୍କର ଭୟ ମିଶା ଆଦର ନିଶ୍ଚୟ ରହି ଥାଏ । 
 ବୋଧହୁଏ ଏଥିଯୋଗୁଁ ପୋଲିସମାନଙ୍କୁ ମାମୁଁ ଓ ପୋଲିସ ଷ୍ଟେସନକୁ ମାମୁଁଘର କୁହାଯାଇଥିଵ ।

🔷ମତାନ୍ତରରେ ପୋଲିସମାନଙ୍କୁ ଆମ ଭାଷାରେ ଆରକ୍ଷୀ ମଧ୍ୟ କୁହାଯାଏ । ଯିଏ ରକ୍ଷାକରେ ଵା ରକ୍ଷକ ସେ ଆରକ୍ଷୀ ଅଟଇ । ଭାଇମାନେ ଭଉଣୀମାନଙ୍କ ପାଇଁ ଜଣେ ଜଣେ ଆରକ୍ଷୀ ସଦୃଶ ତେଣୁ ଭଗିନୀମାନେ ରାକ୍ଷୀ ବାନ୍ଧି ସେମାନଙ୍କ ପ୍ରତି ଆପଣା  ସ୍ନେହ ପ୍ରକଟ କରନ୍ତି । ପୋଲିସମାନଙ୍କର ମଧ୍ୟ ନରପିଶାଚ,ଦେଶଦ୍ରୋହୀ ଓ ଦୁର୍ବୁତ୍ତମାନଙ୍କଠାରୁ ଭୂମି,ଗୃହଲକ୍ଷ୍ମୀ ଓ ଧନଲକ୍ଷ୍ମୀର ରକ୍ଷା ପରମ କର୍ତ୍ତଵ୍ୟ ଅଟଇ । ଭୂମି ଆମର ମାତା, ଧନଲକ୍ଷ୍ମୀ ମଧ୍ୟ ଆମର ମାତା ସଦୃଶ ଏଵଂ ଆମ୍ଭ ଗୃହର ଭଗିନୀ, ଜନନୀ,ପତ୍ନୀ ଓ କନ୍ୟାଦିମାନେ ମଧ୍ୟ ମାତୃଜାତି ଅଟନ୍ତି । ଯେହେତୁ ଏତେଗୁଡି଼ଏ ମାତାମାନଙ୍କର ରକ୍ଷା କରିଥାନ୍ତି ତେଣୁ ବହୁତ ସମ୍ଭଵ ଆମ ସମାଜରେ ପୋଲିସ ମାନଙ୍କୁ  ଦେଶର , ଲକ୍ଷ୍ମୀଙ୍କର,ନାରୀମାନଙ୍କର ରକ୍ଷକ ଭ୍ରାତା ଵିଚାର କରି ମାମୁ ଡାକିଵାର  ପରମ୍ପରା ଚଳି ଆସୁଛି।

🔷ପୋଲିସକୁ ମାମୁ କୁହାଯିଵାର ପରମ୍ପରା ସମ୍ଭଵତଃ ଇଂରେଜ ଆଗମନ ବେଳକୁ ଅଧିକ ଲୋକପ୍ରିୟ ହୋଇଥିଵ କାରଣ ଇଂରେଜମାନେ ଭାରତୀୟମାନଙ୍କ ଉପରେ ଅନେକ ଅତ୍ୟାଚାର କରିଵା ସହ ପରାଧୀନ ମଧ୍ୟ କରି ରଖିଥିଲେ । ତେଣୁ ଭାରତୀୟମାନେ ସେମାନଙ୍କ ପାଇଁ ଅପମାନସୂଚକ ପାଣ୍ଡୁ(ପାଣ୍ଡୁର ଵର୍ଣ୍ଣ ତେଣୁ),ଠୁଲ୍ଲା(ଅଳସୁଆ,କାମଚୋର) ,ଲାଲପଗଡି଼ ଓ ମାମୁଁ ଇତ୍ୟାଦି ଅନେକ ଶବ୍ଦ ଵ୍ୟଵହାର କରୁଥିଲେ । ସେ ସମୟରେ ଵିଚାର ଵିଭାଗର ଅନେକ  ଶବ୍ଦ ସାଧାରଣତଃ ଆରବୀ ପାର୍ସୀ ତୁର୍କ  ଭାଷାରୁ ଆନିତ ହୋଇ ଚଳୁଥିଲା ଯଥା ଆଇନ୍, କାନୁନ୍ ,ଫେରାଦ୍ ଇତ୍ୟାଦି ଇତ୍ୟାଦି । ତେଣୁ ସେହିଭଳି ଏକ ଆରବୀ ଶବ୍ଦ "ମାମୁର୍"  ଵା "ମାମୁଲ୍"ରୁ ସମ୍ଭଵତ ପୋଲିସମାନଙ୍କ ପାଇଁ ମାମୁ ଶବ୍ଦ ସୃଷ୍ଟି ହୋଇଥାଇପାରେ । ଏହି ମାମୁଲ୍ ଶବ୍ଦର ଅନେକ ଅର୍ଥ ମଧ୍ୟରେ ଦୁଇଗୋଟି ଅର୍ଥ ହେଲା ନିୟମ ଵା କାନୁନ୍ ଓ ରୀତି । ସମାଜରେ ଆଇନ କାନୁନ୍ ର ରକ୍ଷକ ଭାବେ ପୋଲିସମାନଙ୍କୁ ଅଭିହିତ କରାଯାଇଥାଏ । 

🔷ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମାମା,ମାମୁଁ ଵା ମାମୁ ଶବ୍ଦ ସହ ସଂସ୍କୃତ ମାମ,ମାମକ ଶବ୍ଦ ସମଦ୍ଧୃତ ବୋଲି ଉଲ୍ଲେଖ କରାଯାଇଛି ତେବେ ସଂସ୍କୃତରେ ମାମୁଁ ଶବ୍ଦର ଅନ୍ୟ ଏକ ପ୍ରତିଶବ୍ଦ ହେଉଛି ମାତୁଳ ଏଵଂ ଓଡ଼ିଆ ଭାଷାର ମଉଳା ଶବ୍ଦ ଏଥି ସହିତ ସମଦ୍ଧୃତ ଅଟଇ । ଏହି ଶବ୍ଦଟି ସର୍ଵଭାରତୀୟ ସ୍ତରରେ ଏକ ସଂସ୍କୃତ ଶବ୍ଦ ଭାବେ ଵିଶେଷ ଜଣାଶୁଣା । ଏହି ମାତୁଳ ଶବ୍ଦର ଚାରୋଟି ଅର୍ଥ ରହିଛି ଯଥା— ମାମୁଁ,ଧତୁରା ଗଛ,ଏକ ଜାତୀୟ ଚାଉଳ ଓ ବୋଡ଼ା ସାପ । ମାମୁଁ ଶବ୍ଦ ସହ ସମାର୍ଥକ ହୋଇଥିଵାରୁ ମାତୁଳ ଶବ୍ଦର ବୋଡା଼ ସାପ ଅର୍ଥ ଘେନି ହୁଏତ କେହି ପୋଲିସମାନଙ୍କୁ ସର୍ପ ଭାଵେ ଗୁପ୍ତରେ ଅଭିହିତ କରିଵାକୁ ଚେଷ୍ଟା କରିଥାଇପାରେ । ଉତ୍ତର ଭାରତରେ ଅନେକ ଗାଳୀ ଶବ୍ଦ ଏହିପରି ସୃଷ୍ଟି ହୋଇଅଛି ଉଦାହରଣ ସ୍ଵରୂପ “ମାଁ କୀ ଆଁଖ୍” ହିନ୍ଦୀରେ ଏକ ଗାଳୀ ଏଵଂ ଏ ଶବ୍ଦର ଆକ୍ଷରିକ ଅର୍ଥ ଅଶ୍ଳୀଳ ବୋଧ ନହେଲେ ହେଁ ଆଁଖ୍ ଵା ଆଖି ଶବ୍ଦକୁ ଏଠାରେ ଗୂଢା଼ର୍ଥକ ଯୋନି ଅର୍ଥରେ ପ୍ରୟୋଗ କରାଯାଇଛି । ପୁନଶ୍ଚ ଭାରତୀୟ internet slang ମଧ୍ୟରେ BC କୁ କିଏ ନଜାଣେ କିନ୍ତୁ ଆଜିକାଲି ଉତ୍ତର ଭାରତୀୟ ଏହା ପରିଵର୍ତ୍ତେ “ଈସାପୂର୍ଵ” ଶବ୍ଦ ଵ୍ୟଵହାର କରୁଛନ୍ତି । ଯେହେତୁ Before Christ ର ସଂକ୍ଷିପ୍ତ ରୂପ BC ଅଟେ ଏଵଂ ହିନ୍ଦୀରେ ଏହାକୁ ଈସାପୂର୍ଵ(ଓ—ଖ୍ରୀଷ୍ଟପୂର୍ଵ) କହିଥାନ୍ତି ତେଣୁ ଏ ଶବ୍ଦର ପ୍ରୟୋଗ ଆଜିକାଲି BC ପରିଵର୍ତ୍ତେ କିଛି ଲୋକ ଲେଖୁଛନ୍ତି । ହୁଏତ ସେହିପରି କେହି ମାତୁଳ ଶବ୍ଦର ବୋଡ଼ା ସର୍ପ ଆଧାରରେ ଏ ଶବ୍ଦ ସମାର୍ଥକ ମାମୁଁ ଶବ୍ଦକୁ ଵ୍ୟଵହାର କରିଥାଇପାରେ ।


🔷ଉତ୍ତର ଭାରତରେ ମାମୂ ବୋଲି ଶବ୍ଦଟିଏ ଚଳୁଅଛି ଏଵଂ ଏ ଶବ୍ଦଟି ଦୁଇଗୋଟି ମୁଖ୍ୟ ଅର୍ଥରେ ଵ୍ୟଵହାର ଲୋକପ୍ରିୟ 
(କ)ଅତି ମୂର୍ଖ
(ଖ) ପୋଲିସ

ସମ୍ଭଵତଃ 
ମା = ମହା ଶବ୍ଦକୁ ହିନ୍ଦିଆ ମାହା ଉଚ୍ଚାରଣ କରନ୍ତି
ଓ 
ମୂ = ମୂର୍ଖ

ଏହିପରି ଯୁକ୍ତ ହୋଇ ମାମୂ ଶବ୍ଦ ସୃଷ୍ଟି ହୋଇଅଛି ଏଵଂ

ମାମୂ => ମହାମୂର୍ଖ ଅର୍ଥରେ ଚଳୁଅଛି । ସେଥିପାଇଁ ହିନ୍ଦୀଭାଷୀ ମାମୂ ଶବ୍ଦକୁ ମହାମୂର୍ଖ ଅର୍ଥରେ ଵ୍ୟଵହାର କରି କୁହନ୍ତି 

मुझे मामू बनादिया यार...

ବୋଧହୁଏ ପୋଲିସମାନଙ୍କୁ ଗାଳୀ ଦେବାପାଇଁ ଏହି ମହାମୂର୍ଖ ଅର୍ଥଜ ମାମୂ ଶବ୍ଦକୁ ଵ୍ୟଵହାର କରାଯାଇଥିଲା ଯାହା ପରେ ଭାରତର ଅନେକ ଅଞ୍ଚଳରେ ପ୍ରଚଳିତ ହୋଇଯାଇଥିଲା । 


ପୋଲିସ ପାଇଁ ଵ୍ୟଵହୃତ slang word ମାମୂ ଵା ମାମୁ ସମ୍ବନ୍ଧିତ ଏହି ସାତଗୋଟି ସମ୍ଭାଵିତ ନିରୁକ୍ତି ମତ ଛଡ଼ା ଆହୁରି ଅନେକ ମତ ମଧ୍ୟ ଥାଇପାରେ । ତେବେ ପ୍ରୋକ୍ତ ସମସ୍ତ ମତ ମଧ୍ୟରେ ସାଧାରଣତଃ ଅଧିକାଂଶ ଲୋକେ “ଶ୍ରୀକୃଷ୍ଣ—କଂସ” ପୌରାଣିକ ଆଖ୍ୟାନକୁ ଅଧିକ ଗୁରୁତ୍ବ ଓ ସମର୍ଥନ ଦେଇଥାଆନ୍ତି । ଏତଦବ୍ୟତୀତ ଆପଣଙ୍କ ପାଖରେ ପୋଲିସ ସମ୍ପର୍କିତ ମାମୁ ଵା ମାମୂ ଶବ୍ଦ ଵିଷୟକ ଅନ୍ୟ କୌଣସି ନିରୁକ୍ତି ମତ ଥିଲେ ଏଠାରେ ତାହା ଉଲ୍ଲେଖ କରିଵାକୁ ଵିଶେଷ ଅନୁରୋଧ ରହିଲା । 




No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...