Sunday, June 27, 2021

ମାନଵ ଜାତିର ଇତିହାସ କହିପାରୁଥିଵା ଶବ୍ଦ ଗଵେଷଣା

କେତେଜଣ ଭାଷାଵିଦ ପୂର୍ଵେ କହି ଯାଇଛନ୍ତି ଯେ ଗଵେଷଣା ଶବ୍ଦ ପ୍ରଥମେ ପ୍ରଥମେ ସଂକୀର୍ଣ୍ଣ ଅର୍ଥରେ ଵ୍ୟଵହୃତ ହେଉଥିଲା ଅର୍ଥାତ୍ ଗାଈର ଏଷଣାକୁ ହିଁ  ଆଗେ କେଵଳ ମାତ୍ର ଗଵେଷଣା କୁହାଯାଉଥିଲା ଏଵଂ ବହୁତ ପରେ ଏ ଶବ୍ଦ “ଯେକୌଣସି ତତ୍ତ୍ଵ ଵିଷୟରେ ଅନୁସନ୍ଧାନ” ଅର୍ଥରେ ପ୍ରୟୋଗ କରାଯାଇଅଛି ।

ତେବେ ‘ଗଵେଷଣା’ ଶବ୍ଦର ଟିକିନିଖି ଵ୍ୟଵଚ୍ଛେଦ କରି ଦେଖିଲେ ଜଣାପଡ଼େ “ଏ ଶବ୍ଦ କେବେ ବି ସଂକୀର୍ଣ୍ଣ ନଥିଲା ଵରଂ ଏଇ ଗୋଟିଏ ଶବ୍ଦ ମଧ୍ୟରେ ମାନଵଜାତିର ସଂଘର୍ଷ ଗାଥା ସଂକ୍ଷେପରେ କହି ଦିଆଯାଇଛି” କହିଲେ ମଧ୍ୟ ଅତ୍ୟୁକ୍ତି ହେଵ ନାହିଁ  ।

‘ଗଵେଷଣା’ ଶବ୍ଦ ମଧ୍ୟରେ ରହିଛି ‘ଗୋ’ ଶବ୍ଦ ଯାହାର କ୍ଷୁଦ୍ରତମ ଧାତୁ ଶବ୍ଦରୂପ ହେଲା “ଗମ୍ ଧାତୁ” ଅର୍ଥାତ୍ ଗମ୍ ଧାତୁ ସହିତ ‘ଗଵେଷଣା’ ଓ ‘ଗୋ’  ଉଭୟ ଶବ୍ଦ ସମଦ୍ଧୃତ ତଥା ପରସ୍ପର ସମ୍ବନ୍ଧିତ । ପ୍ରଥମେ ଗୋ ଶବ୍ଦକୁ ଗମ୍ ଧାତୁରୁ ନିଷ୍ପନ୍ନ କରାଯାଇଛି ଏଵଂ ଏହି 'ଗୋ' ଶବ୍ଦର ଵିଭିନ୍ନ ଅର୍ଥ ଆଧାରରେ ପରେ 'ଗୋ' ସହିତ 'ଏଷଣା' ଶବ୍ଦ ଯୁକ୍ତ କରି  ଗଵେଷଣା ଶବ୍ଦ ସୃଷ୍ଟି କରାଯାଇଅଛି ।

ତତ୍ସମ "ଗୋ" ଶବ୍ଦର ତେତିଶିଗୋଟି ଅର୍ଥ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରାଯାଇଛି ଏଵଂ ସେସବୁ ଅର୍ଥଗୁଡି଼କୁ ପରସ୍ପର ସମ୍ବନ୍ଧ ଆଧାରରେ କେତୋଟି ଭାଗରେ ଵିଭକ୍ତ କରାଯାଇପାରେ

ଯଥା—
(କ)'ଗୋ'ର ଗାଭୀ ସମ୍ବନ୍ଧୀୟ ଅର୍ଥ
୧)ଧେନୁ ଵା ଗାଭୀ
୨)ଵଳଦ
୩)ଗୋରୁଠାରୁ ଉତ୍ପନ୍ନ ଦୁଧ, ଦହି ଓ ଘିଅ ଆଦି
୪)ପଶୁ
୫)ମାତା
୬)ଵେଦମାତା ଗାୟତ୍ରୀ
୭)ଵୃଷ
୮)ଗୋମେଧ ଯଜ୍ଞ

(ଖ)'ଗୋ'ର ଭୂ-ସମ୍ବନ୍ଧୀୟ ଅର୍ଥ
୯)ପୃଥିଵୀ
୧୦)ଗୃହ
୧୧)ଦିଗ
୧୨)ସ୍ବର୍ଗ
୧୩)ଵିଦିଗ
୧୪)ଜଳ
୧୫)କିରଣ
୧୬)ସୂର୍ଯ୍ୟ
୧୭)ଚନ୍ଦ୍ର
୧୮)ନକ୍ଷତ୍ର
୧୯)ଵଜ୍ର
୨୦)ଵୃଷରାଶି

(ଗ)'ଗୋ'ର ଶରୀର ସମ୍ବନ୍ଧୀୟ ଅର୍ଥ
୨୧)ଵାଣୀ
୨୨)ଵାକ୍ଯ
୨୩)ଗାୟକ
୨୪)ଦୃଷ୍ଟି
୨୫)ଚକ୍ଷୁ
୨୬)ଇନ୍ଦ୍ରିୟ
୨୭)କେଶ
୨୮)ଲୋମ

(ଘ)'ଗୋ'ର ଅନ୍ୟାନ୍ୟ ଅର୍ଥ
୨୯)ଵାଣ ଵା ଶର
୩୦)ହୀରକ
୩୧)ଗୁଆ
୩୨)ଦଶ କୋଟି ସଂଖ୍ଯା
୩୩)ନଅ ସଂଖ୍ୟା

ଗୋ ଶବ୍ଦକୁ “ଗମ୍ ଧାତୁ”ରୁ ନିଷ୍ପନ୍ନ କରାଯାଇଛି ଏଵଂ ଏହି ଧାତୁରୁ ସାଧାରଣତଃ ଯିଵା,ରମଣ କରିଵା,ଭ୍ରମଣ କରିଵା ଓ ପାଇଵା ଆଦି ଅର୍ଥରେ ସହସ୍ରାଧିକ ଶବ୍ଦ ନିଷ୍ପନ୍ନ ହୋଇଅଛି । ଅନେକ ଶବ୍ଦ ସହ ଏ ଧାତୁ ଶବ୍ଦର ସଜାତୀୟ ସମ୍ପର୍କ ଥିଵାରୁ ଭାରତୀୟ ଭାଷାଗୁଡି଼କରେ ଗମ୍ ଧାତୁ ବହୁତ ଗୁରୁତ୍ବପୁର୍ଣ୍ଣ ।  ଏଠାରେ ଧ୍ୟାନ ଦେଵା ଭଳି କଥା ହେଲା ଯେ ଗମ୍ ଧାତୁରୁ ନିଷ୍ପନ୍ନ ଏହି ଗୋ ଶବ୍ଦର ପ୍ରୋକ୍ତ ସମସ୍ତ ଅର୍ଥ ଯେଉଁ ଯେଉଁ ଦ୍ରଵ୍ୟ ଵା ଵସ୍ତୁର ତାହା ନିଜେ କିଂଵା ଅନ୍ୟଦ୍ଵାରା ଗତି କରିଥାଏ । ଉଦାହରଣ ସ୍ୱରୂପ ଗାଭୀ ଆଦି ପଶୁ ଗତି କରନ୍ତି ।ଜଳ,କିରଣ ଓ ଵଜ୍ର ଭୂପୃଷ୍ଠରେ ତଥା ପୃଥିଵୀ,ସୂର୍ଯ୍ୟ,ଚନ୍ଦ୍ର,ନକ୍ଷତ୍ର ଓ ଵୃଷରାଶି ଇତ୍ୟାଦି ଅନ୍ତରୀକ୍ଷରେ ଗତି କରିଥାଆନ୍ତି । ମୁଖରୁ ଵାଣୀ ଓ ଵାକ୍ଯ ବାହାରକୁ ଗତି କରିଥାଏ । ଚକ୍ଷୁରେ ଦୃଷ୍ଟି ନିକ୍ଷେପଦ୍ଵାରା ଵିଭିନ୍ନ ଚିତ୍ର ଗତି କରିଥାଏ । ମନର ଚଞ୍ଚଳତା ଯୋଗୁଁ ଇନ୍ଦ୍ରିୟମାନେ ଗତି କରନ୍ତି । ପଵନ ଯୋଗୁଁ କେଶ ଓ ଲୋମ ଉଡି଼ଥାଆନ୍ତି ଵା ଗତି କରନ୍ତି । ଵାଣ ଵା ଶର ମଧ୍ୟ ଲକ୍ଷ୍ୟସ୍ଥଳ ଯାଏଁ ଗତି କରିଥାଏ । ହୀରା ଓ ହୀରା ଭଳି ମୂଲ୍ୟଵାନ ଵସ୍ତୁ ପାଇଵା ପାଇଁ ମନୁଷ୍ୟମାନେ ଅନେକ ଦୁର୍ଗମ ପଥ ଅତିକ୍ରମ କରିଵାକୁ ପଛାନ୍ତି ନାହିଁ । ଭାରତୀୟ ସମାଜରେ ଗୁଆ ଆଦାନ ପ୍ରଦାନଦ୍ଵାରା ସମ୍ପର୍କ ଚଳିଥାଏ ଵା ଗତି କରିଥାଏ ଇତ୍ୟାଦି ଇତ୍ୟାଦି...

ଏଣୁ ଗମ୍ ଧାତୁରୁ ନିଷ୍ପନ୍ନ ହୋଇଥିଵା ଗୋ ଶବ୍ଦର ଏହି ୩୩ଗୋଟି ଅର୍ଥ ଯଥାର୍ଥ ଅଟଇ ।‌

ତେବେ ଗଵେଷଣା ଶବ୍ଦରେ ଥିଵା ଗୋ ଶବ୍ଦର ଉପରୋକ୍ତ ୩୩ଗୋଟି ଅର୍ଥ ଆଧାରରେ ମାନଵ ସଭ୍ୟତାର କାହାଣୀ ଗୁପ୍ତରେ କୁହାଯାଇଥିଲା ।

ମଣିଷକୁ କିଛି ପାଇଵା ପାଇଁ ପ୍ରଥମେ ପ୍ରଥମେ ଅନେକ ଚାଲିଵାକୁ ପଡି଼ଛି,ଏକ ସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ଯିଵାକୁ ହୋଇଛି । ଆଫ୍ରିକାରୁ ଆଧୁନିକ ମାନଵମାନଙ୍କର(Homo sapiens) ଏକ ଶାଖା ୟୁରୋପ ଯାଇଛି ଅନ୍ୟ ଏକ ଶାଖା ଭାରତ ଆସି ପୁଣି ଦୁଇ ଭାଗରେ ଵିଭକ୍ତ ହୋଇ ଏକ ଭାଗ ଚୀନ ଓ ଅନ୍ୟ ଭାଗଟି ଭିଏତନାମ ଦେଇ ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜ ଓ ଶେଷରେ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ପହଞ୍ଚିଯାଇଛି । ମାନଵ ନୂତନ ଭୂମିର ଏଷଣାଠାରୁ ଆରମ୍ଭ କରି ଆପଣା ମନରେ ଜାତ ଲକ୍ଷାଧିକ ଜିଜ୍ଞାସାଗୁଡି଼କର ସମାଧାନ ଯାଏଁ  ଭିନ୍ନ ଭିନ୍ନ କାରଣ ଘେନି ପୃଥିଵୀର ଵିଭିନ୍ନ ଭୂଭାଗକୁ ଗମନ କରି ଵସତି ସ୍ଥାପନ କରିଅଛି । ଏଇ କଥା ଗଵେଷଣା ଶବ୍ଦ ମଧ୍ୟରେ ସଂକ୍ଷିପ୍ତ ଭାବେ କହି ଦିଆଯାଇଛି ।

କିନ୍ତୁ କେମିତି ...?

ଆମେ ସମସ୍ତେ ଜାଣନ୍ତି ଯେ "ଗୋ" ଶବ୍ଦର ସର୍ଵଜନ ଵିଦିତ ଓ ଲୋକପ୍ରିୟ ଅର୍ଥ ହେଉଛି ଧେନୁ,ଗାଭୀ ଵା ଗାଈ ଏଵଂ ବଳଦ ଆଦି ଗୋରୁ । ଏତଦ୍ବ୍ୟତୀତ ଗୋରୁଠାରୁ ଉତ୍ପନ୍ନ ଦୁଧ, ଦହି ଓ ଘିଅ ଆଦିକୁ ମଧ୍ୟ ଗୋ କୁହାଯାଏ । ଗୋ ଶବ୍ଦର ଅନ୍ୟ ଏକ ଅର୍ଥ ପଶୁ ‌ମଧ୍ୟ ଅଟଇ । ପ୍ରାଚୀନ ମାନଵ  ଶାକାହାରୀ ଓ ମାଂସାହାରୀ ଉଭୟ ଥିଲା ।  ପଶୁକୁ ମାରି ଖାଇଵାପାଇଁ ପଶୁମାନଙ୍କ ଏଷଣା ନିତାନ୍ତ ଆଵଶ୍ୟକ ତା ଛଡ଼ା ଗାଈ ଓ ମହିଷମାନେ ଦଳ ଦଳ ହୋଇ ରହୁଥିଵାରୁ ଓ ମାଂସ ଦୃଷ୍ଟିରୁ ଉପାଦେୟ ହୋଇଥିଵାରୁ ମନୁଷ୍ୟ ଏମାନଙ୍କର ଏଷଣା କରୁଥିଲା ।

ପ୍ରତ୍ନତାତ୍ତ୍ଵିକ ତଥ୍ୟାଵଳୀରୁ ଜଣାଯାଏ ମାନଵ ପ୍ରଥମେ କୁକୁର ପାଳନ କରିଵା ଶିଖିଲା ଏଵଂ ସେହି କୁକୁରଙ୍କ ସାହାଯ୍ୟରେ ସେ ବଡ଼ ବଡ଼ ଜୀଵଙ୍କୁ ହତ, ଆହତ ଓ ଆୟତ୍ତ କରିଵା ଶିଖିଵାକୁ ଚେଷ୍ଟା କରିଛି । ବହୁତ ପରେ କେହିଜଣେ ଵା କେତେ ଜଣ ବୁଦ୍ଧିମାନ ମନୁଷ୍ୟ ସମ୍ପୂର୍ଣ୍ଣ ମାନଵ ସମାଜକୁ ଗାଈ ମଇଁଷି ପାଳନ ଦ୍ଵାରା ଶତଗୁଣ ଲାଭର ବାଟ ଦେଖେଇଥିଲେ ଫଳତଃ ମନୁଷ୍ୟ ଗୋପାଳନ କରିଵା ଶିଖିଗଲା । ଗାଈଠାରୁ ଦୁଗ୍ଧ ପାଇ ମନୁଷ୍ୟ ପୃଷ୍ଟ ହେଲା ପୁଣି ତାହାର ଗୋଵର ଓ ଗୋମୁତ୍ରରୁ ମଧ୍ୟ ତାକୁ ଅନେକ ଲାଭ ମିଳିଲା । ଭାରତରେ ଗୋପାଳନ ଚରମୋତ୍କର୍ଷ ଲାଭ କରିଥିଲା ତେଣୁ ଭାରତୀୟ ସଂସ୍କୃତିରେ ଗାଈ ମହିଷିଙ୍କ ସ୍ଥାନ ସବୁ ଜୀଵଙ୍କ ଅପେକ୍ଷା ଉର୍ଦ୍ଧ୍ବରେ ରହିଛି । ଗାଈଠାରୁ ଅନେକ ଲାଭ ମିଳୁଥିଵାରୁ ଏଵଂ ଏ ଜୀଵ ଯୋଗୁଁ ମାନଵ ସଭ୍ୟତା ଉତ୍ତରୋତ୍ତର ଉନ୍ନତି କରୁଥିଵା ହେତୁରୁ ଭାରତୀୟମାନେ ଗାଈମହିଷିମାନଙ୍କୁ ମାତା ଵିଚାର କରିଛନ୍ତି ଏଣୁ ଗୋ ଶବ୍ଦର ଆଉ ଦୁଇଗୋଟି ଅର୍ଥ ହୋଇଛି ମାତା ଵା ମାଆ ଓ ମାତା ଗାୟତ୍ରୀ । ଅତି ଉପକାରୀ ଜୀଵ ଗାଈଟି ଭାରତଵର୍ଷରେ ମାତାର ଆସନ ଲାଭ କରୁ କରୁ ଶେଷରେ ଦେଵୀର ଆଖ୍ଯା ଲାଭ କରିଛି ଏଵଂ ତା ଶରୀର ମଧ୍ୟରେ ସମସ୍ତ ଦେଵତା ଵାସ କରୁଥିଵାର ମତ ମଧ୍ୟ ପ୍ରକାଶ ପାଇଛି ।

ମାନଵ ସମାଜ ଅନେକ ଉପକାରୀ ଵୃକ୍ଷ ଵିନା କେବେ ବି ତିଷ୍ଠି ପାରିନଥାନ୍ତା । ଶ୍ଵାନ ପାଳନ ଯୋଗୁଁ ଯେତେବେଳେ ମାନଵ ଗୋପାଳନ କରିଵା ଶିଖିଲା ତାହାର ମାଂସ ଭକ୍ଷଣ ଅପେକ୍ଷାକୃତ କମିଗଲା । ଗାଈଠାରୁ ଦୁଗ୍ଧ ମିଳୁଥିଲା ସତ କିନ୍ତୁ ତାହା ପ୍ରଥମେ ପ୍ରଥମେ ପର୍ଯ୍ୟାପ୍ତ ପରିମାଣରେ ଉତ୍ପାଦିତ ହେଉନଥିଵାରୁ ମଣିଷ ଖାଦ୍ୟ ପାଇଁ  ଵୃକ୍ଷ ଉପରେ ନିର୍ଭର କରିଵାକୁ ଲାଗିଲା । କେଉଁ ଗଛ ଉପକାରୀ କେଉଁ ଗଛ ଅପକାରୀ ପୁଣି ଗଛର କେଉଁ ଭାଗଟି ଭକ୍ଷଣୀୟ ଏଵଂ କେଉଁ ଭାଗଟି ଅଭକ୍ଷ୍ୟ ତାହା ଜାଣିଵା ପାଇଁ ମାନଵ  ଶହ ଶହ ଵର୍ଷ ଧରି ଅନୁସନ୍ଧାନ କରିଛି । ପୁଣି ଶସ୍ୟ ଜାତୀୟ ପାଦପ ଓ ତହିଁର ଵିଵିଧ ଚାଷ ପଦ୍ଧତି ସମ୍ବନ୍ଧୀୟ ଗଵେଷଣା ମଧ୍ୟ ମାନଵର ଅନ୍ୟ ଏକ ଉଲ୍ଲେଖନୀୟ ଉପଲବ୍ଧି ଅଟେ । ଭାରତରେ ଵୃକ୍ଷ ସମ୍ବନ୍ଧୀୟ ଗଵେଷଣା ସର୍ଵାଧିକ ହୋଇଥିଲା ଫଳତଃ ସର୍ଵପ୍ରଥମେ ଏଠାରେ ଆୟୁର୍ଵେଦଠାରୁ ଚରକ ସଂହିତା ଯାଏଁ  ଶହ ଶହ  ସ୍ବାସ୍ଥ୍ୟ ସମ୍ପର୍କିତ ଶାସ୍ତ୍ର ରଚିତ ହୋଇଥିଲା  ।

ଵିଭିନ୍ନ ଜୀଵଙ୍କୁ ଗୃହପାଳିତ କରି ଆୟତ୍ତ କରି ତଥା ଖାଦ୍ୟ ଲାଭ ସ୍ଵାର୍ଥରେ ଵୃକ୍ଷ ସମ୍ବନ୍ଧରେ ନାନାଵିଧ ଗଵେଷଣା କରୁ କରୁ ମାନଵ ପୃଥିଵୀରେ ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଗମନ କରିଵାକୁ ବାଧ୍ୟ ହୋଇଛି । ଗୋ ଶବ୍ଦଟି ପୃଥିଵୀ ,ଦିଗ,ଵିଦିଗ ଓ ସ୍ଵର୍ଗ ଅର୍ଥରେ ମଧ୍ୟ ପ୍ରୟୋଗ ହୋଇଥାଏ । ଜ୍ଞାନ ପାଇଵା ଦିନରୁ ମନୁଷ୍ୟମାନେ ଏକ ସୁନ୍ଦର ଶାନ୍ତ ସୁଖମୟ ସ୍ଥାନ ସ୍ଵର୍ଗର କଳ୍ପନା କରି ଆସିଛନ୍ତି ଓ ତାହାର ଅନ୍ଵେଷଣରେ ସମସ୍ତ ପୃଥିଵୀ ଖେଦିଯାଇଛନ୍ତି । ସେମାନେ ପୃଥିଵୀର ସବୁ ଦିଗକୁ ଯାଇଛନ୍ତି , ଶୁଷ୍କ ମରୁଭୂମି ହେଉ ଵା ଆଦ୍ର ମରୁଭୂମି ସବୁଠି ସବୁ ପରିଵେଶରେ ରହି ପାରିଵାର ଜୀଵନ ପଦ୍ଧତି ଆଵିଷ୍କାର କରିଅଛନ୍ତି ।

ତେବେ ଅଧିକାଂଶ ମାନଵ ଜନଵସତି ନଦୀ, ସମୁଦ୍ର,ହ୍ରଦ ଥିଵା ସ୍ଥାନମାନଙ୍କରେ ଦେଖାଯାଏ । ମନୁଷ୍ୟର ଜଳ ଅନେକ କାମରେ ଆସିଥାଏ ତେଣୁ ସେ ଅତୀତରେ ଜଳ ସୁଵିଧାରେ ଓ ପ୍ରଚୁର ପରିମାଣରେ ଥିଵା ସ୍ଥାନ ଉଣ୍ଡି ଆସିଛି । ମଣିଷ ପ୍ରାଚୀନକାଳରୁ ଜଳର ଏଷଣା କରୁଥିଲା ଏଣୁ ଗୋ ଶବ୍ଦର ଏକ ଅର୍ଥ ଜଳ ଓ ଗୃହ ବୋଲି ଵିଭିନ୍ନ ଅଭିଧାନରେ ଉଲ୍ଲେଖ କରାଯାଇଛି । ଜଳ ସୁଲଭରେ ମିଳୁଥିଵା ସ୍ଥାନମାନଙ୍କରେ ରହିଵା ଫଳରେ ମାନଵ ସଭ୍ୟତା ଧିରେ ଧିରେ ଉଧେଇଵା ଆରମ୍ଭ କରିଛି । ମଣିଷକୁ ଆଉ ଜଳ ସନ୍ଧାନରେ,ଖାଦ୍ୟ ସନ୍ଧାନରେ ଏତେ ଶ୍ରମ କରିଵାକୁ ପଡୁ଼ନଥିଲା । ତେଣୁ ସେ ତାହାର ଖାଲି ସମୟରେ ଅନ୍ତରୀକ୍ଷରେ ସ୍ଥିତ ସୂର୍ଯ୍ୟ,ଚନ୍ଦ୍ର ଓ ନକ୍ଷତ୍ରାଦିଙ୍କ ସମ୍ବନ୍ଧରେ ଗଵେଷଣା ଆରମ୍ଭ କରିଥିଲା ଫଳତଃ ପ୍ରାୟତଃ ପୃଥିଵୀର ସମସ୍ତ ସଂସ୍କୃତିରେ ଜ୍ୟୋତିଷ ଶାସ୍ତ୍ର ପ୍ରଣିତ ହୋଇଥିଲା । ଦିନରେ ସୂର୍ଯ୍ୟଙ୍କୁ ଦେଖି ମନୁଷ୍ୟ ସମୟ ନିରୂପଣ କରିଵା ଶିଖିଲା, ରାତିରେ ଧ୍ରୁଵ ନକ୍ଷତ୍ରଦ୍ଵାରା ଦିଗ ନିର୍ଣ୍ଣୟ କରିଵା ଶିଖିଲା । ନକ୍ଷତ୍ରଦ୍ଵାରା ପୃଥିଵୀର ଜଳଵାୟୁଠାରୁ ଜୀଵର ଭାଗ୍ୟ ପର୍ଯ୍ୟନ୍ତର ପୂର୍ଵାନୁମାନ ହେତୁକ ଜ୍ୟୋତିଷ ଶାସ୍ତ୍ର ବହୁତ ଉପଯୋଗୀ ହୋଇପଡି଼ଥାଏ ।  ମନୁଷ୍ୟମାନେ ଅନ୍ତରୀକ୍ଷରେ ନକ୍ଷତ୍ର ଉପରେ ଏଷଣା କରୁଥିଲେ ତେଣୁ ଗୋ ଶବ୍ଦର ସୂର୍ଯ୍ୟ,ଚନ୍ଦ୍ର , ନକ୍ଷତ୍ର ,ଵୃଷରାଶି ଓ ଵଜ୍ର ଆଦି ଅର୍ଥ ରହିଛି ।

କ୍ରମଶଃ ମନୁଷ୍ୟମାନଙ୍କ ସଭ୍ୟତା ସବୁଦୃଷ୍ଟିରୁ ଉତ୍ତରୋତ୍ତର ଉନ୍ନତି କରିଚାଲିଲା । ମନୁଷ୍ଯମାନେ ଭାଷା, ଚିତ୍ରକଳା, ନୃତ୍ୟ, ଵସ୍ତ୍ରାଭୂଷଣର ଆଵିଷ୍କାର କରିଛନ୍ତି । ସେମାନେ ଏ ଦିଗରେ ଏଯାଵତ୍ ଏଷଣା କରୁଛନ୍ତି ଏଵଂ ଯେତେଦିନଯାଏଁ ମାନଵ ସଭ୍ୟତା ଥିଵ ଏହି କାର୍ଯ୍ୟ ବଳବତ୍ତର ରହିଥିଵ । ଗୋ ଶବ୍ଦର ଵାଣୀ,ଵାକ୍ଯ, ଚକ୍ଷୁ, ଦୃଷ୍ଟି,ହୀରକ ଓ ଗାୟକ ଆଦି ଅର୍ଥ ମଧ୍ୟରେ ଏହିକଥା ସୂକ୍ଷ୍ମ ଭାବେ କହି ଦିଆଯାଇଛି ।

ଏଣୁ ମନୁଷ୍ୟମାନଙ୍କର ସମ୍ପୂର୍ଣ୍ଣ ଇତିହାସ ସଂକ୍ଷେପରେ ଗଵେଷଣା ଶବ୍ଦର ନିରୁକ୍ତି ମଧ୍ୟରେ ରହିଛି । କେଵଳ ଗାଈ ଉଣ୍ଡିଵା ଯୋଗୁଁ ଗଵେଷଣା ଶବ୍ଦର ସୃଷ୍ଟି ହୋଇନାହିଁ ଏହି ଶବ୍ଦକୁ  ମନୁଷ୍ଯର  ଆଵଶ୍ୟକତାଗୁଡି଼କୁ ଵିଚାର କରି ଗମ୍ ଧାତୁଜ ଗୋ ଶବ୍ଦରୁ ନିଷ୍ପନ୍ନ କରାଯାଇଛି ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...