Saturday, July 31, 2021

ଶ୍ରୀ ଶତ୍ରୁଘ୍ନ ନାଥଙ୍କ ଏକ ପ୍ରବନ୍ଧରେ ଓଡ଼ିଆ ଭାଷାର କିଛି ଶବ୍ଦ

ମୋଗଲବନ୍ଦୀରେ ଯାହା ଝଡ଼ିପୋକ, ସମ୍ବଲପୁରରେ ତାହା ବତରକିରି ଓ ଅନୁଗୋଳ ପ୍ରଭୃତି ଅଞ୍ଚଳରେ ତାହା କଲେଇ । ସେହିପରି କୁଆପଥରକୁ କେଉଁଠାରେ କରା ଓ କେଉଁଠାରେ କଇରା କହୁଛନ୍ତି ।

କେହି କେହି ମାଂସକୁ ଲାଲଭାଜି, ଶାଗୁଆତି କହିଲା ବେଳକୁ ଗଡ଼ଜାତ ଅଞ୍ଚଳରେ ତାହାକୁ ଶିକାର କହନ୍ତି । ପ୍ରକୃତରେ ତାହା ଶିକାର ଵା ପାରିଧିରୁ ମିଳେ ବୋଲି ତାହାର ନାଁ ହେଉଛି ଶିକାର ।

କଟକ ଅଞ୍ଚଳରେ ଯାହାକୁ ଖଇ କହନ୍ତି, ଅନ୍ୟ ବହୁତ ଅଞ୍ଚଳରେ ତାହା ଲିଆ । ମାତ୍ର ଲିଆ ସଙ୍ଗରେ ଲଗିଥିବା ଧାନକୁ ଖଇ କୁହାଯାଏ । ସମ୍ବଲପୁର ଅଞ୍ଚଳରେ ଖିଅର ହେଵାକୁ ଭଦର ହେଵା କହନ୍ତି । ପ୍ରକୃତରେ ଭଦର ହେଵା କହିଲେ କଥାର ଭାଵ ଉଚ୍ଚ ଧରଣର ନୁହେଁ କି ?

ପୂର୍ଵାଞ୍ଚଳରେ ଧାନ କାଟିଵା କଥା କୁହାଯାଏ, ମାତ୍ର ଅନୁଗୋଳ ପ୍ରଭୃତି ଅଞ୍ଚଳରେ ତାକୁ ଧାନ ଦାଇଵା କହନ୍ତି । ଦାଆ ଓ ଦାଇଵାର ମୂଳ କଥା ଏକ । ତେଣୁ ଦାଇଵା ଗୋଟିଏ ଭଲ କଥା ।

ଗଞ୍ଜାମ ଓ କୋରାପୁଟ ଅଞ୍ଚଳରେ କିରାସିନକୁ ମାଟିତେଲ, ଦିଆସିଲିକୁ ନିଆଁପେଡ଼ି, ଦସ୍ତଖତକୁ ସନ୍ତକ, କାମକୁ ପାଇଟି କହନ୍ତି । ରଜା ରାଜୁଡ଼ାଙ୍କ ଯୋଗୁଁ ଗଡ଼ଜାତ ଅଞ୍ଚଳର ଗମ୍ଭୀରି ସାଆନ୍ତ, କାଠିଲାଗି, ପହୁଡ଼, ମଣୋହି, ବିଜେ, ଜେମା, ଛାମୁ, ସାଆନ୍ତାଣି ପ୍ରଭୃତି ବହୁତ ନୂଆ ଶବ୍ଦର ଚଳଣି ଅଛି ।

ଜଗନ୍ନାଥଙ୍କ ହେତୁରୁ ଛେରାପହଁରା, ଛଡ଼ାମୁଦିରଥ, ଅଠରନଳା, ବାଇଶିପାଉଛ, ମହାର୍ଦ, କୈଵଲ୍ୟ, ଚକାଡୋଳା, କାଳିଆବଳିଆ, କୁଡ଼ୁଆ ପ୍ରଭୃତି ଶବ୍ଦଗୁଡ଼କ ପୁରୀର ନିଜସ୍ୱ ।

(ଶ୍ରୀ ଶତ୍ରୁଘ୍ନ ନାଥ (ଅନୁଗୋଳ) ଙ୍କ ଦ୍ଵାରା ଲିଖିତ ପୁସ୍ତକ "ଆମ ଭାଷାର ଵିଭଵ"ର ଏକ ପ୍ରବନ୍ଧ "ଆଞ୍ଚଳିକ ଭାଷା"ରୁ କିଛି ଅଂଶ)
🟠🟠🟠🟠🟠🟠🟠🟠🟠🟠🟠🟠🟠
ଉଲ୍ଲେଖିତ ଶବ୍ଦଗୁଡି଼କ ଵିଷୟରେ ଚାଲନ୍ତୁ ଜାଣିଵା
🟠🟠🟠🟠🟠🟠🟠🟠🟠🟠🟠🟠🟠
🔵ଝଡି଼ପୋକ— ଲଗାଣ ଝଡ଼ି ଵର୍ଷା ସମୟରେ ଏହି ଊଈପୋକ ଦେଖାଯାଉଥିଵାରୁ ଏଵଂ କେତେକ ସମୟ ଉଡ଼ି ତଳେ ଝଡି଼ପଡୁ଼ଥିଵାରୁ ଏମାନଙ୍କର ଏଭଳି ନାମକରଣ ହୋଇଛି । ପୋକ ଶବ୍ଦଟି ତତ୍ସମ ପୁତ୍ତକ ଓ ପୁର୍ତ୍ତିକା ସହିତ ସମଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।
🔵ବତରକିରି( ବତର୍+କିରି )
ବତର୍= ଓଦା ତୁଳନା କରନ୍ତୁ ଓଡ଼ିଆ ଭାଷାରେ ବତୁରିଵା । ଶବ୍ଦଟି ସମ୍ଭଵତଃ ତତ୍ସମ ଦ୍ରଵ(ଆର୍ଦ୍ର) ଶବ୍ଦ ସହ ସମଦ୍ଧୃତ । କିରି ଶବ୍ଦଟି କୀଟ ସହିତ ସମଦ୍ଧୃତ ।

🔵କଲେଇ— ଝଡି଼ପୋକ ଵା ବତରକିରିକୁ ଢେଙ୍କାନାଳ ଓ ଅନୁଗୁଳରେ କଲେଇ ପୋକ କୁହାଯାଏ । ଏ ପୋକର ପକ୍ଷ କସରା ଵା କହରା ରଙ୍ଗର ତଥା ଶରୀର ହଳଦିଆ ମିଶା ହୋଇଥିଵା ଯୋଗୁଁ ଏଭଳି ନାମକରଣ ହୋଇଛି । ଢେଙ୍କାନାଳରେ କସରା ରଙ୍ଗର ଗାଈ ତଥା କହରା ରଙ୍ଗର କେଶଯୁକ୍ତ କନ୍ୟାଙ୍କୁ କଇରୀ ଓ କଲେଇ ଆଦି ନାମ ଦିଆଯାଏ ।

🔵କୁଆପଥର,କରା ଓ କଇରା— ଶବ୍ଦତ୍ରୟ ତତ୍ସମ କରକା ସହିତ ସମଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।

🔵ଲାଲଭାଜି— ମାଂସକୁ ମସଲା ଆଦିରେ ଭାଜିଲେ ତାହାର ରଙ୍ଗ ଲାଲ ହୁଏ ବୋଲି ସମ୍ଭଵତଃ ଏଭଳି ନାମକରଣ ହୋଇଥିଲା ।

🔵ଶାଗୁଆତି—ହିନ୍ଦୀରେ ମାଂସକୁ ସଗୌତି କୁହାଯାଏ ବୋଲି କେତେକ ପୁରୁଣା ହିନ୍ଦୀ ଅଭିଧାନରେ ଉଲ୍ଲେଖ ରହିଛି କିନ୍ତୁ ଏ ଶବ୍ଦର ଉତ୍ପତ୍ତି ସମ୍ବନ୍ଧରେ ଏଯାଏଁ କୌଣସି ଯୁକ୍ତିଯୁକ୍ତ ତଥ୍ୟ ମିଳିନାହିଁ ।

🔵ଖଇ— ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଖଇ ଶବ୍ଦ ତତ୍ସମ ଖଇକା ସହିତ ସମଦ୍ଧୃତ ।
🔵ଲିଆ ଵା ନିଆ— ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଲିଆ ଶବ୍ଦଟି ତତ୍ସମ ଲାଜା ସହିତ ସମଦ୍ଧୃତ
🔵ଭଦର ହେଵା — ଭଦ୍ରାକରଣ ଶବ୍ଦର ଅର୍ଥ କ୍ଷୌର ହେଵା ଏଥିରୁ ଭଦର ହେଵା ଶବ୍ଦର ସୃଷ୍ଟି
🔵ଦାଇଵା — ତତ୍ସମ ଦାତ୍ର ଶବ୍ଦ ସହ ଦାଆ ଶବ୍ଦ ସମଦ୍ଧୃତ । ଦାଆରେ କଟାଯିଵାରୁ ଏକ କ୍ରିୟା ଶବ୍ଦ ଭାବେ ଦାଇଵା ଶବ୍ଦ ସୃଷ୍ଟି ହୋଇଅଛି ।
🔵ମାଟିତେଲ— କିରୋସିନ ମାଟିତଳୁ ବାହାରେ ବୋଲି ଏହି ନାମକରଣ ହୋଇଥିଲା
🔵ନିଆଁପେଡି଼—ପେଡି଼ ଭିତରେ ସୁପ୍ତ ଅଵସ୍ଥାରେ ନିଆଁ ରହିଛି ଏହି ଭାବରୁ ଏ ଶବ୍ଦର ସୃଷ୍ଟି ହୋଇଥିଵା ସମ୍ଭଵ ।
🔵ସନ୍ତକ— ସମ୍ଭଵତଃ ଶବ୍ଦଟି ତତ୍ସମ ସ୍ମରଣାର୍ଥକ ସହିତ ସମଦ୍ଧୃତ । ସ୍ମରଣାର୍ଥକର ଅର୍ଥ ଯାହା ମନେ ପକାଇ ଦିଏ ।
🔵ପାଇଟି— ତତ୍ସମ ପରିପାଟୀ ଵା ପାଟୀ ଶବ୍ଦ ସହ ଓଡ଼ିଆ ପାଇଟି ଶବ୍ଦ ସମଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି
🔵ଗମ୍ଭିରୀ— ଏ ଶବ୍ଦଟି ତତ୍ସମ ଗମ୍ଭୀର (ଗଭୀର) କିଵା ଗର୍ଭାଗାର ସହିତ ସମଦ୍ଧୃତ ହୋଇଥାଇପାରେ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅନୁମାନ କରାଯାଇଛି

🔵ସାଆନ୍ତ— ଏ ଶବ୍ଦ ତତ୍ସମ ସାମନ୍ତ ସହିତ ସମଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି
🔵କାଠିଲାଗି—ଦେଵତା ଓ ରାଜାମାନଙ୍କର ଦନ୍ତଧାଵନ ନୀତିକୁ କାଠିଲାଗି କୁହାଯାଏ । ଦାନ୍ତକାଠି ମଧ୍ୟ କୌଣସି ଏକ ଗଛର ଡାହିରୁ ତିଆରି କାଠି ଵିଶେଷ ହିଁ ହୋଇଥାଏ ।

🔵ପହଡ଼ /ପହୁଡ଼— ଏ ଶବ୍ଦଟି ଦ୍ରାଵିଡୀୟ ଭାଷା ମୂଳର ହୋଇଥିଵା ସମ୍ଭଵ କାରଣ ତାମିଲରେ ପଡ଼ ଓ ତେଲୁଗୁରେ ପହୂଡ଼ ଶବ୍ଦ ଶୋଇଵା ଅର୍ଥରେ ଵ୍ୟଵହାର ହୋଇଥାଏ

🔵ମଣୋହି—ରାଜାମାନଙ୍କର ଭୋଜନ କ୍ରିୟାକୁ  ମଣୋହି ଵା ମୁଣୋହିଁ କୁହାଯାଏ ‌। ଏହି ଶବ୍ଦର ନିରୁକ୍ତି ସମ୍ବନ୍ଧରେ କୌଣସି ତଥ୍ୟ ମିଳେନାହିଁ

🔵ବିଜେ— ବିଜେ ଶବ୍ଦଟି ଵିଜୟ ଶବ୍ଦ ସହ ସମଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି

🔵ଜେମା— ସଂସ୍କୃତରେ କନ୍ୟାକୁ ଜାମା କୁହାଯାଏ । ରାଜଜାମା ଶବ୍ଦ ଓଡ଼ିଆରେ ରାଜଜେମା ଓ ଜେମା ହୋଇଅଛି ।
🔵ଛାମୁ— ଛାମୁ ଶବ୍ଦଟି ତତ୍ସମ ସମ୍ମୁଖ ସହିତ ସମଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କଥିତ ଅଛି
🔵ମହାର୍ଦ—ମହାପ୍ରସାଦର କଥିତ ଓଡ଼ିଆ ରୂପ ମହାର୍ଦ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି

🔵କୁଡୁ଼ଆ—ମହାପ୍ରସାଦ ଅନ୍ନଵ୍ୟଞ୍ଜନାଦି ପାକ କରିଵାର ମାଟିପାତ୍ର ଵା ହାଣ୍ଡିକୁ କୁଡୁ଼ଆ କୁହାଯାଏ ଏଵଂ ଏ ଶବ୍ଦଟି ତତ୍ସମ କୁଡି଼କା ସହିତ ସମଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି । କୁଡି଼କା ଶବ୍ଦର ଅର୍ଥ କାଠ ଵା ମାଟିର ପାତ୍ର ଓ ଗିନା

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...