Tuesday, August 3, 2021

“ବହି ଓଡ଼ିଆ ନୁହେଁ ସେ କଟକିଆ”

ସଵୁ ଅଞ୍ଚଳ ପରି କଟକ ଜିଲ୍ଲାରେ ମଧ୍ୟ ଆଞ୍ଚଳିକ କଥିତ ଶୈଳୀ ରହିଛି ଯାହା ମାନକ ଲିଖିତ ଶୈଳୀଠାରୁ ଭିନ୍ନ l କଟକ ଜିଲ୍ଲାର ଭିନ୍ନ ଭିନ୍ନ ଗ୍ରାମରେ ମଧ୍ୟ ଶବ୍ଦର ଵିଵିଧତା ପ୍ରତିଭାତ, ଯଥା 'ଵିରି'କୁ 'ଵିର୍‍ହି', 'ଛୋଟ'କୁ 'କଣ୍‍ହିଆ', 'ପ୍ରଥମ'କୁ 'ପୋରୁହାଁ','ବାମ'କୁ 'ଡେବ୍ରି'/'ଡେଭ୍ରି' ଇତ୍ୟାଦି କୁହାଯାଇଥାଏ l

'କଟକ' ଶବ୍ଦର ଅର୍ଥ ହେଉଛି 'ସେନାଶିଵିର' l ଏହି ନଗରର ଉଭୟ ପାର୍ଶ୍ୱରେ ନଦୀ ଥିଵାରୁ ତାହା ଅତୀତରେ ରାଜାମାନଙ୍କ ପାଇଁ ଏକ ନିରାପଦ  ସ୍ଥାନ ଥିଲା l ଏହାର ମୁକସାକ୍ଷୀ ଭାଵେ ମୟୂରଭଞ୍ଜ, କେନ୍ଦୁଝର, କନିକା ରାଜାଙ୍କର ରାଜବାଟି ଓ ଦୁର୍ଗର ଭଗ୍ନାଵଶେଷ ଏଵେ ମଧ୍ୟ କଟକରେ ଦଣ୍ଡାୟମାନ l ସେହି ସମସ୍ତ ଅଞ୍ଚଳର ରାଜା ଓ ତାଙ୍କର ପରିଷଦବର୍ଗଙ୍କର ଆଞ୍ଚଳିକ ଶୈଳୀର ସମନ୍ୱୟ କଟକ ନଗରର ଭାଷାରେ ମିଳିଥାଏ ...

ଠିକ୍ ଯେପରି ଆଜି ସୁନ୍ଦରଗଡ଼ର ରାଉରକେଲା, ସମ୍ବଲପୁରର ବୁର୍ଲା, କୋରାପୁଟର ଜୟପୁର, ମୟୂରଭଞ୍ଜର ବାରିପଦାରେ ମାନକ ଓଡ଼ିଆର ବହୁଳ ଵ୍ୟଵହାର ପରିଲକ୍ଷିତ ହୁଏ l

ପ୍ରକୃତରେ କଟକରେ ମଧ୍ୟ ଏକ ଆଞ୍ଚଳିକ ଓଡ଼ିଆ ଶୈଳୀ ରହିଛି  ବୋଲି ଓଡ଼ିଶାର ଅନେକ ଲୋକ ଅନୁଭଵ କରିନାହାନ୍ତି । କାରଣ ସେମାନେ କଟକ ନଗରକୁ ଯାଇଥାଇପାରନ୍ତି କିନ୍ତୁ କେବେ କଟକ ଜିଲ୍ଲାର ଗ୍ରାମାଞ୍ଚଳରେ ରହିନାହାନ୍ତି । କଟକର ଗ୍ରାମାଞ୍ଚଳରେ ଯାଇ ସେଠାକାର କଥିତ ଭାଷାକୁ  ଶୁଣିଲେ ମାନକ ଓଡ଼ିଆ ଠାରୁ ତାହା ଭିନ୍ନ ପ୍ରତିଭାତ ହୁଏ । ତେଣୁ କଟକ ଶୈଳୀକୁ କାହା ଉପରେ ଲଦି ଦିଆଯାଇ ନାହିଁ ।

ଏଠାରେ କଟକିଆ ଓଡ଼ିଆ ଶୈଳୀର କିଛି ଉଦାହରଣ ପ୍ରଦତ୍ତ ହେଲା :

୧) ଆମେ ଯାଇଥିଲୁ ~~~ ଆମେ ଯାଇଥେଲ
୨) ଅନେକ କଥା ~~~ ଦୁନିଆର୍ କଥା
୩) ଏବେ ~~~ ଅବିକା
୪) ଲୁଣ ଲଙ୍କା ଲଗେଇ ଲେମ୍ବୁ ~~~ ନୁଣ ନଙ୍କା ନଗେଇ ନେମ୍ବୁ

ପ୍ରକୃତରେ କଟକର ନଗରାଞ୍ଚଳରେ ଓଡ଼ିଶାର ସବୁ ସ୍ଥାନର ଲୋକେ ରହନ୍ତି ବୋଲି ମାନକ ଓଡ଼ିଆ ଚାଲେ । ଓଡ଼ିଶାର ଅନ୍ୟ ଅଞ୍ଚଳରୁ ଯେଉଁମାନେ କଟକ ଆସନ୍ତି ସେମାନେ କଟକର ଗ୍ରାମାଞ୍ଚଳକୁ ଯାଆନ୍ତି ନାହିଁ ଵରଂ କଟକ ନଗରରେ ରହି ସେଠାକାର ମାନକ ଓଡ଼ିଆ ଭାଷାକୁ ଶୁଣି ଭାଵନ୍ତି ଯେ ଓଡ଼ିଆ ଭାଷାଟା କଟକୀ ଭାଷା କିନ୍ତୁ ଏହା ଏକ ବଡ଼ ଭ୍ରମ ଧାରଣା ଛଡ଼ା ଆଉ କିଛି ନୁହେଁ । କିଛି କଟକିଆଙ୍କ ପ୍ରକୃତି ବି ହାସ୍ୟାସ୍ପଦ । ନିଜେ ପଛେ ଘର ଭିତରେ ଆତ୍ମୀୟଙ୍କ ସହ, "ଆମେ ଅବିକା ଡାକ୍ତରଖାନା ଠି ଯାଇଥେଲ, ତା ଝୁଅ ଧୀୟ ଭୋଉତ୍ ଖରାପ" କହୁଥିବେ , କିନ୍ତୁ କଟକ ବାହାରକୁ ଗଲେ ନିଜ ଭାଷା ହିଁ ଶୁଦ୍ଧ ବୋଲି ଦାବି କରନ୍ତି । ଏଥିଯୋଗୁଁ ଅନ୍ୟ ଅଞ୍ଚଳର ଲୋକଙ୍କ ମନରେ ଏହି ଭ୍ରମ ଧାରଣା ଜାତ ହୋଇଛି ।

ପଶ୍ଚିମ ଓଡ଼ିଶା, ଦକ୍ଷିଣ ପଶ୍ଚିମ ଓଡ଼ିଶା , ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ପରି ଅଵିଭକ୍ତ କଟକ ଅଞ୍ଚଳରେ ମଧ୍ୟ ଅନେକ ସ୍ଥାନୀୟ ତଦ୍ଭଵ ଓ ଦେଶଜ ଶବ୍ଦ ଚଳୁଅଛି । ଏ ସବୁ ଶବ୍ଦ କଟକର ଗ୍ରାମାଞ୍ଚଳରେ ହିଁ ଚଳୁଅଛି , ଧୀରେ ଧୀରେ ଲୁପ୍ତ ହେଵାକୁ ବସିଛି ଏଵଂ ଭିତେ,ହନ୍ଦେ ଭଳି ଅନେକ କଟକୀ ଶବ୍ଦ ଲୁପ୍ତ ବି ହୋଇଯାଇଛି ।

ନିମ୍ନରେ ଅଵିଭକ୍ତ କଟକାଞ୍ଚଳର କେତେକ ଓଡ଼ିଆ ଶବ୍ଦର ଉଦାହରଣ ଦିଆଗଲା ଯାହା କଥିତ ଓଡ଼ିଆ ଶବ୍ଦକୋଷ ତଥା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ସଂଗୃହୀତ ।

•ଅଇଖୁଣିଆ— ଯେ ସବୁ କାମକୁ ଘୃଣା କରେ,ଖୁଣ୍ଟିନାଣ୍ଟି
•ଅଇଗୁଣିଆ—ଯିଦ୍ଖୋର, ଅସନ୍ତୁଷ୍ଟ
•ଅଇଚ୍ଛା—ଵର୍ତ୍ତମାନ
•ଅକବନା— ଦୁଃଖ
•ଅକମୋଜିଆ—ଅବାଗିଆ ସ୍ଥାନ
•ଅକାଖରେ ଥୋଇଵା— ଅଯଥା ପ୍ରଶଂସାରେ ଜଣକୁ ଟେକିଵା
•ଅଖବା—ଅଭଦ୍ର
•ଅଗରବଳକା—ଅଵାଧ୍ୟ
•ଅଘଟ—ନିଅଣ୍ଟ,ଅକୁଳାନ
•ଅଙ୍ଗେଇଵା—ଏକ ପାଖ ହୋଇ ଯିଵା
•ଅଛିଆଣି—ଛପର ହୋଇନଥିଵା ଘର
•ଅଛେଦରୀ—ଅସଣ୍ଠଣା ନାରୀ
•ଅଟକଳ—ଅନୁମାନ(ଅଟପା-ଭ)
•ଅଡ଼ଭୁଷିଆ—ଅଖାଡୁ଼ଆ
•ଅତୁଲ— ସତୁଲ(ସିଂହଭୂମି ରୂପ),ହାତଖଡୁ଼ ଵିଶେଷ
•ଅମରପାତନା—ପ୍ରସଵ ପରେ ପ୍ରସୂତୀର ଫୁଲ ନ ପଡି଼ଵା
•ଅଲଗଛ/ଅଲଗଛେ—ଅଭୁତଭାବେ,ଶୂନ୍ୟେ ଶୂନ୍ୟେ
•ଅଁଳାବନ୍ଧା-ଘର ନିର୍ମାଣ
•ଅଂଶେଇ— ଘାଆର କୀଟ ଵା ପୋକ
•ଆଇଁଗିଣିଆ— ଅସ୍ଵାଦୁ ତିଅଣ
•ଆଇଁଷିଣିଆ— ମନ୍ଦ ସ୍ଵଭାଵ
•ଆଉଚାଏ—ଅଳ୍ପ ପରିମାଣ
•ଆଉଚା ବୁଡି଼ଵା—ଭୂଲକରିଵା,ଅବାଟରେ ଯିଵା
•ଆଉଛେକେ—ଆଉ ଥରେ
•ଆପଦର୍ପ—ଆଶ୍ବାସନା, ଆଦର ସତ୍କାର
•ଉଘ୍ରାଇଵା(ଉଦ୍ଘାଟନ)ଉଦ୍ଘାଟନ କରିଵା,ଦୁଆର ଫିଟାଇବା
•ଆଲ୍ ବୋଲିକାଲ୍ କରିଵା— ଭୂତେଇ ଦେଵା
•ଆଳୁବାତରା—ଆଳୁପୁଆ
•ଆଲୁରା/ଆଲୁରୀ—ଅଖଳିଆ ସ୍ତ୍ରୀ
•ଆହାରଛଟା—ମୂର୍ଚ୍ଛାଵାତ ରୋଗ
•ଇଙ୍କର—ଆଖୁ ଜାତୀୟ ଏକପ୍ରକାରର ଗଛ
•ଇଚଡ଼—କସି ପଣସ
•ଇଟାଳିଆ(ରଙ୍ଗ)—ଇଟା ପରି ଫିକାଳିଆ ରଙ୍ଗ ଵିଶେଷ
•ଉକୁଟିଵା— ଵିଷାକ୍ତ ହେଵା
•ଉକେଇଵା— ପିତ୍ତଳ ଵା ତମ୍ବାପାତ୍ରରେ ରହି ଖାଦ୍ୟ ଵିଷାକ୍ତ ହେଵା
•ଉଠାଗଣ୍ଠିଆ— ଯାଯାବର
•କଥମ କଥା—କଥା କଥାରେ ଝଗଡ଼ା,ଉଚ୍ଚଵାଚ ହେଵା
•କଥା ପକେଇଵା— ପ୍ରସ୍ତାଵ ଦେଵା
•କଥାବାତ୍—ଆଶ୍ଚର୍ଯ୍ୟ କରିଵାର କୌଶଳ
•କଥାବଦ—ଅତିକଷ୍ଟ ଓ ଯନ୍ତ୍ରଣା ଲଭିଵା
•କଦିଳ— କଦଳୀ
•କନିଆରୀ—ହଳଦିଆଫୁଲ(ବାଲେଶ୍ଵରରେ ଵିଵାହ ଯୋଗ୍ୟା କନ୍ୟା ଅର୍ଥରେ କନିଆରୀ ଶବ୍ଦ ଚଳେ; କଳାହାଣ୍ଡିରେ କନିଆହାରୀ )
•କନ୍ଥାକମଳ—ଵିଛଣାପତ୍ର,ଆସଵାଵ ପତ୍ର
•କପାଳିଆ—ଭାଗ୍ୟଵାନ
•କମେଇ— ଵିଶ୍ରାମ ସମୟ,କାମ ନଥିଵା ଦିନ
•କମ୍ଭୀରିଆ—ଅଜୀର୍ଣ୍ଣ ରୋଗ
•କରକଚା— ବାଲିଗୋଡି଼ ,ବାଲିଗରଡା଼,ବାଲି ଗୋଡ଼ି ମିଶ୍ରିତ ସ୍ଥାନ
•କରଛଡା—ଅଲଗା ହୋଇ ରହିଵା
•କରଛୁଲି— ପିତ୍ତଳ ଡଙ୍କି ଵା କରଚୁଲି,ହତା
•କରନଳା—କେନାଲ
•କରବା—ଏକପ୍ରକାରର ବଣଆଳୁ
•କର୍ମାଣିଆ— ଶ୍ରାଦ୍ଧକର୍ମ କରୁଥିଵା ବ୍ରାହ୍ମଣ
•ଖଣ୍ଡିକଉଡି଼ଆ—ମୁଣ୍ଡପିଛା ମୂଲ ନେଵା
•ଖପିସ୍—ମୃତଲୋକ ରୂପରେ ଆସିଥିଵା ଅଦୃଶ୍ୟମାନ ଵ୍ୟକ୍ତି, ଅଦୃଶ୍ୟ ଭୂତ
•ଖଳାବଢା଼—ଅମଳ ଶେଷରେ ଖଳାକାମ ଶେଷ ହେଵା
•ଖୁଆପେଡା଼—ମିଠା ଵିଶେଷ
•ଖୁଟ୍'ଖାଟ୍—ଅସନ୍ତୋଷ ସୂଚକ କଥାଵାର୍ତ୍ତା
•ଗଙ୍ଗାକୁଳିଆ— ଲେମ୍ବ ଜାତୀୟ ଗଛ
•ଗଡ଼ଗଡି଼—ତୃଣ ଵିଶେଷ
•ଗଣ୍ଠିରତନ—ଏକାନ୍ତ ନିଜର
•ଗତରକୁଢି଼—ଅତି ଅଳସୁଆ
•ଗରଡ଼—ମେଣ୍ଢା ବୋଦା
•ଗରୁଧାନ— ବିଳମ୍ଵରେ ଅମଳ ହେଉଥିଵା ଧାନ
•ଗାଡି଼ଏ—ଯଥେଷ୍ଟ ପରିମାଣରେ,ଗଦାଏ
•ଗାର—ଏକବିଶା ଵା କଟକୀ 1 1/4 ସେର,ରେଖା
•ଗୋଟ୍କା—ଟଙ୍କା
•ଘର ବସିଯିଵା—ପୂର୍ଵ ସମୃଦ୍ଧିର ହ୍ରାସ
•ଘୋଡା଼ଦଣ୍ଡା—ବାରବୁଲା, ଯେ ସର୍ବଦା ଏଣେ ତେଣେ ବୁଲୁଥାଏ;ଏହା ଗାଳି ଭାବେ ଵ୍ୟଵହୃତ ହୋଇଥାଏ
•ଚଉକା ଦେଵା—ଦୈନିକ କାର୍ଯ୍ୟ ସ୍ବରୂପ ଵିଶେଷତଃ ପର୍ଵପର୍ଵାଣିରେ ଘରର ଦୁଆରମୁହଁ ପାଖ ଗୋଵରମିଶା ପାଣିରେ ଲିପିଵା
•ଚଟା—  କୋଡ଼ାକାଙ୍କଆଦିରେ ଥରେ ହାଣିଵା,କୋଡ଼ିକାଙ୍କଆଦି ଥରେ ହାଣିଲେ ଯେଉଁ ମାଟି ସମ୍ଭାଳି ଯିଵ(ଢେଙ୍କାନାଳରେ ଚଟା ଶବ୍ଦର ଅର୍ଥ ସାନ; ଯଥା—ଚଟାଛୁଆ)
•ଚେଙ୍ଗ—ଲମ୍ବ କୁବ୍କପୃଷ୍ଠ କାଗଜର ଗୁଡ଼ି। ଏହାର ଶେଷରେ ଖଣ୍ଡିଏ ଲମ୍ବା ନେତ ପରି ଲାଙ୍ଗୁଡ଼ ଲାଗିଥାଏ ଓ ସେଥିଯୋଗୁଁ ଉଡ଼ିଲା ବେଳେ ସେହି ଲାଙ୍ଗୁଡ଼ ଇତସ୍ତତଃ ସଞ୍ଚାଳିତ ହୋଇ ଶବ୍ଦ କରେ
•ଜଇନ୍ତ୍ରାୱାଲା —ଡକାୟତ
•ଜହ୍ନିପୋକ—ଜୁଳୁଜୁଳିଆ ପୋକ(ଏମାନଙ୍କ ଦେହରୁ ବାହାରିଵା ଜ୍ଯୋତିଃ ଜହ୍ନି ଫୁଲ ପରି ସ୍ନିଗ୍ଧ ଓ ଶୁଭ୍ର ଥିଵାରୁ  ଏଭଳି ନାମକରଣ ହୋଇଛି)
•ଜୁଆଣ ପାଣି—ମନ୍ତ୍ରପୂତ ଜଳ ଫଳପାଣି
•ଠିଆରିଆ—ଵିଚାରହୀନ ଚିନ୍ତାହୀନ ଅଵିଵେଚକ,ଅଭଦ୍ର
•ଠିଆରିଆ କଥା—ଅଵଜ୍ଞାସୂଚକ କଥା,ଉପରଠାଉରିଆ କଥା
•ଠିଆରିଆ କାମ—ଉପରଠାଉରିଆ କାମ, ଯେଉଁ କାମକୁ ମନୁଷ୍ଯ ମନ ଲଗାଇ କରେ ନାହିଁ
•ତଳିମଣ୍ଡା—ଅଳ୍ପ ଖାଦ୍ଯ
•ଦମ୍ ଦମା—ଡାଇମନ୍ କଟା ହାତର ଚଉଡ଼ା ଚୁଡ଼ି
•ଧରଶଣା—ଭେଦବିଚାର, ଦୃଢ଼ ନିୟମ ପାଳନ (ତାଙ୍କର ନିଜ ଓ ପର ମଧ୍ୟରେ ଧରଶଣା ନ ଥିଲା)
•ନାଦ ନାଳି—କଣ୍ଠନାଳି ,ଯେଉଁ ବାଟେ ସ୍ବର ବାହାରେ
•ନେଥେଇଫୁଲୀ—ଅହଂକାରିଣୀ ନାରୀ
•ପୁଣ୍ଡା—ହୃଷ୍ଟପୁଷ୍ଟ, ଫାପୁଲା
•ଫେଣ୍—ପୁଣି
•ବୟାର—ଛାଡା଼ବାନ୍ତି
•ବରିଲା—ଓଳିଆର ମୋଡ଼ା
•ବାଵା—ବାପା
•ବିଭବ—ଅପମାନ,ଗାଳିମନ୍ଦ, ଦୁଃଖକଷ୍ଟ
•ବୁହା(ସଂ- ବହୁ) କାମର ଏକ ହପ୍ପା(ସବୁ ଲୋକ ମିଳି ଗୋଟେ ବୁହା ମାରି ଦେଲେ ଏ କାମ ସରିଯିଵ)
•ବେଣ୍ଟି—ମେଞ୍ଚା
•ବେତ୍ରକ—ଦ୍ଵାରପାଳ
•ବୈଡ଼୍—ଭିଡ଼,ଜନ ସମାଗମ, ଜନଗହଳି
•ବୋଦସି/ବୋଦିସି/ବୋଦୁସି—କଉମାଛ ପରି କିନ୍ତୁ ତମ୍ବାଳିଆ ଵର୍ଣ୍ଣର ଏକପ୍ରକାର ଛୋଟ ଛୋଟ ମାଛ
•ଭାଇଘର—କୌଣସି ଘର ସମ୍ମୁଖରେ ତିଆରି ହୋଇଥିଵା ଅନ୍ୟ ଘର
•ଭିତେ—ଦ୍ବାରା(ମୋ ଭିତେ ୟା ହୋଇ ପାରିଵ ନାହିଁ।)
•ମଖଣ୍ଡି—ଥଟ୍ଟା କଥା
•ମାପିଖିଆ—ଯେଉଁ ମାଣରେ ପ୍ରତିଦିନ ଚାଉଳ ମପାଯାଇ ଖାଇଵା ପାଇଁ ଭାତ ରନ୍ଧା ହୁଏ
•ମୁଣ୍ଡିଆଳ—ଗାଁ ମୁଖିଆ ଵା ସରଦାର, ଶ୍ରେଷ୍ଠ ଵ୍ୟକ୍ତି,ନେତା
•ଯଇଶୁଳ ମାଧିଆ—ରାଣ୍ଡିପୁଅ ଅନନ୍ତା ପରି ଯେଉଁ ପରିଵାରଵିହୀନ ଵ୍ୟକ୍ତି ନିଷ୍କର୍ମା ଓ ଗୃହହୀନ ହୋଇ ଏଣେ ତେଣେ ବୁଲୁଥାଏ । ବୋଧ ହୁଏ ଅଵିଭକ୍ତ କଟକ ଜିଲ୍ଲାର ଜଇଶୁଳ ନାମକ ଗ୍ରାମର ମାଧବ ଵା ମାଧିଆ ନାମଧାରୀ ଜନୈକ ଵ୍ୟକ୍ତିର ନାମରୁ ଏ ଵ୍ୟଵହାର ଚଳି ଅଛି।
•ରଙ୍କଣା—କୃପଣ
•ଲକଡ଼ି ଝାଙ୍ଗ(ଅନ୍ୟରୂପ-ଲକଡ଼ିଝେମ୍ )— କଟକ ନଗରରେ ମାଘ ପୂର୍ଣ୍ଣିମା ଦିନ ସନ୍ଧ୍ଯା ବେଳେ ଅଗ୍ନ୍ଯତ୍ସଵ ପାଇଁ  ଟୋକାମାନେ ବଜାରର ଗୃହସ୍ଥମାନଙ୍କ ନିକଟରୁ ଚାନ୍ଦା ମାଗିବା ବେଳେ ଦୁଇ ଖଣ୍ଡ କାଠିକୁ ଦୁଇ ହାତରେ ଧରି ଠକ ଠକ କରି ବଜାଇ ଏହି ଲକଡି଼ଝାଙ୍ଗ ପଦ ବୋଲୁଥିଲେ(ଏହା ଅଛି କି ଏବେ ଲୁପ୍ତ ତାହା ଅନୁସନ୍ଧାନ ସାପେକ୍ଷ)
•ନ ଆଦ୍ୟର ଅନେକ ଓଡ଼ିଆ ଶବ୍ଦ କଟକାଞ୍ଚଳରେ ଲ ରେ ପରିଵୃତ୍ତ ହୁଏ ଯଥା— ଲକସା(ନକସା),ଲବେ(ନବେ),ଲଜର(ନଜର),ଲଡା଼(ନଡ଼ା),ଲଡି଼ଆ(ନଡ଼ିଆ),ଲଦି(ନଦୀ),ଲଵା(ନେଵା),ଲଵୀନ(ନଵୀନ),ଲଷ୍ଟି(ନଷ୍ଟ ମୂଳଜ କ୍ଷତି ଅର୍ଥଜ) ଇତ୍ୟାଦି
•ଶିରାଧ—ଶ୍ରାଦ୍ଧ
•ଶୁନ୍ କରିଵା—ପରିସ୍ରା କରିଵା(ପୂର୍ଵେ ଵିଦ୍ୟାଳୟ ଓ ଚାଟଶାଳୀରେ ପିଲାଏ ଏହା ଵ୍ୟଵହାର କରୁଥିଲେ ତୁଳନା କରନ୍ତୁ —ଏକ କରିଵା)
•ସିଣିସିଣିଆ—ଫଣଫଣିଆ; ସରଦି ୟୋଗୁ ସାମାନ୍ଯ ଫୁଲିଥିବା (ମୁହଁ)
•ହଂସେଇଵା—ହସେଇଵା
•ହନ୍ଦେ— ହେତୁରୁ; ଯୋଗୁଁ
ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏ ଶବ୍ଦ ଵ୍ୟଵହାର ହୋଇଛି ତେବେ ସମ୍ଭଵତଃ ଏ ଶବ୍ଦ ଅଧୁନା ଲୁପ୍ତ...

ଵିଧିଵଶେ କଟକେ ଅଟକ ହେଲେ ସେହୁ,
ସେ ହନ୍ଦେ ବ୍ଯାକୁଳ ମୋ ହୃଦ ହେଲା ତହୁଁ।

(ସଦାନନ୍ଦ କଵିସୂର୍ଯ୍ୟ— ଯୁଗଳରସାମୃତ ଲହରୀ)

•ହେଳମେଳ ହେଵା—  କୌଣସି ଵ୍ୟକ୍ତିଙ୍କ ସହିତ ସମ୍ପର୍କ ସ୍ଥାପନ ପାଇଁ ମିଳାମିଶା କରିଵା

କଟକ ଜିଲ୍ଲାରେ ଏହିପରି ହଜାର ହଜାର ନିଆରା କଟକୀ ଶବ୍ଦ ପ୍ରଚଳିତ ଥିଲା ଏଵଂ କିଛି ଶବ୍ଦ ଆଜି ବି କଟକର ଗାଆଁ ଗଣ୍ଡାରେ ଚଳୁଅଛି ।‌ ପ୍ରୋକ୍ତ ଅଧିକାଂଶ ଶବ୍ଦମଧ୍ୟରେ କାଁ ଭାଁ ଗୋଟିଏ ଦୁଇଟି ଶବ୍ଦ ପ୍ରାଚୀନ ସାହିତ୍ୟରେ ଵ୍ୟଵହୃତ ହୋଇଥିଲା କିନ୍ତୁ ମାନକ ଓଡ଼ିଆରେ ଅଵିଭକ୍ତ କଟକ ଜିଲ୍ଲାର କଥିତ କଟକୀ ଶୈଳୀର ଅନେକ ଶବ୍ଦ ସ୍ଥାନ ପାଇନାହିଁ ।

ଅତଏଵ୍ ବହିରେ ପଠିତ ଓ ଲିଖିତ ଶୈଳୀକୁ 'କଟକିଆ' କହିଵା ଏକ ଅପପ୍ରଚାର ତଥା ଦୁର୍ଭାଗ୍ୟଜନକ l କିଛି ଲୋକ କୁହନ୍ତି କଟକରେ ଆଗେ ମୁଦ୍ରଣ ଯନ୍ତ୍ର ପ୍ରତିଷ୍ଠା ହୋଇଥିଵାରୁ ସେଠାକାର କଥିତ ଭାଷାରେ ବହି ଛପାଗଲା ତେଣୁ ବହି ଭାଷାଟା କଟକୀ ଭାଷା କିନ୍ତୁ ଏହା ଠିକ୍ ନୁହେଁ । ଓଡ଼ିଆ ଭାଷାର ମୁଦ୍ରଣ ଯନ୍ତ୍ର ସିନା ପ୍ରଥମେ କଟକରେ ହେଲା କିନ୍ତୁ ଓଡ଼ିଆ ସାହିତ୍ୟ ଏତେ ପୁରୁଣା ଯେ ତାହା ତାଳପତ୍ର ଯୁଗରେ ହିଁ ମାନକୀକରଣ ହୋଇ ସାରିଥିଲା ।

ନହେଲେ
ତାଳପତ୍ର ଯୁଗରେ ଉପେନ୍ଦ୍ର ଭଞ୍ଜ ତାଙ୍କର
୧) ତନ୍ଦରା
୨) ଗମାତ
୩) ବିଜାର
ଇତ୍ୟାଦି ଶବ୍ଦଯାକ କିମିତି ପାଶୋରି ଦେଲେ ?

ତାଳପତ୍ର ଯୁଗରେ ଭୀମ ଭୋଇ, ଗଙ୍ଗାଧର ମେହେର ତାଙ୍କର
୧) କିନ୍ଦ୍ରିବା
୨) ଛିନା ଛିନା ଲାଗେ
୩) ଫୁଲମଲିଆ
  ଇ ଯେନ୍ ଶବ୍ଦମନେ କେନ୍ତା କରି ପାଶୋରିଲେ ?
 
କଟକୀ ଗ୍ରାମୀଣ ଶବ୍ଦ ଯଥା
୧) ହିଇନ୍ତି (ସେମିତି)
୨) ଭନାଭନ୍ ଖୋବିଲା (ତ୍ଵରିତେ ପିଟିଲା)
୩) ଆମେ ଯାଇଥେଲ (ଯାଇଥିଲୁ)
ଇତ୍ୟାଦି କେଵେ ମୁଦ୍ରଣ ସାହିତ୍ୟରେ ଲଦା ହୋଇନାହିଁ କାହିଁକି?

ତିନୋଟି ପ୍ରଶ୍ନର ଗୋଟିଏ ଉତ୍ତର ଯେ ମାନକୀକରଣର ଏକ ଭାଷାତାତ୍ତ୍ଵିକ ନିୟମ ରହିଛି ଓ ତାହା ସମସ୍ତ ସଗୋତ୍ରୀୟ ଆଞ୍ଚଳିକ ଶୈଳୀକୁ ଏକୀଭୂତ କରେ । ତାହାକୁ ଉପେନ୍ଦ୍ର ଭଞ୍ଜ, ଗଙ୍ଗାଧର ମେହେର, କୁନ୍ତଳା କୁମାରୀ ସାବତ, ଫକୀରମୋହନ ସମସ୍ତେ ବୁଝିଥିଲେ । ସାରସ୍ୱତ ସ୍ରଷ୍ଟା ସର୍ଵଦା ଆଞ୍ଚଳିକତାରୁ ଉର୍ଦ୍ଧ୍ବରେ । ତେଣୁ ଆଞ୍ଚଳିକ ଶୈଳୀ ଆମର ଵୈଶିଷ୍ଟ୍ୟ ହେଉ, ଵୈଚିତ୍ର୍ୟ ହେଉ କିନ୍ତୁ ଵିଵାଦ ଓ ଵିଭେଦର କାରଣ ନ ହେଉ l

               —ତଥ୍ୟ ଓ ଆଲେଖ୍ୟ —
© ଉଡ୍ରବନ୍ଧୁ ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ
(କେତେକ ଲୁପ୍ତ କଟକୀ ଓଡ଼ିଆ ଶବ୍ଦ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ସଂଗୃହୀତ)
ସମ୍ପାଦନା— ଶିଶିର ସାହୁ ମନୋଜ

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...