ପଶ୍ଚିମ ଓଡ଼ିଶାରେ ଉହାଟ୍ ବୋଲି ଏକ ଵିଶେଷ୍ୟ ଶବ୍ଦ ପ୍ରଚଳିତ । ଏହା ଅନୁମାନ,ଅନୁଜ୍ଞାନ, ଉପସ୍ଥିତ ପରିସ୍ଥିତିରେ କାର୍ଯ କରିଵା ପାଇଁ ଵା ସମସ୍ୟାର ସମାଧାନ ପାଇଁ ହଠାତ୍ ଉତ୍ପନ୍ନ ଯୁକ୍ତିସଙ୍ଗତ ବୁଦ୍ଧି, ଦୂରଦୃଷ୍ଟି ,ଉଦ୍ଭାଵନ ଓ ପ୍ରତ୍ୟୁତ୍ପନ୍ନମତା ଆଦି ଅର୍ଥରେ ଵ୍ୟଵହୃତ ହୋଇଥାଏ । ଏହାର ଏକ ରୂପ ଉହା ଓଡ଼ିଶାର ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ଅନୁମାନ ଅର୍ଥରେ ଚଳୁଅଛି ।
ଏହି ଉହାଟ୍ ଓ ଉହା’ର ତତ୍ସମ ଊହ ଓ ଊହା ସହିତ ସଗୋତ୍ରୀୟ ସମ୍ପର୍କ ରହିଛି । ସଂସ୍କୃତ ଭାଷାରେ ଊହ ଧାତୁରୁ ତର୍କଣା କରିଵା ,ଅନୁମାନ କରିଵା ଅର୍ଥରେ ଊହ ତଥା ଊହା ଶବ୍ଦ ନିଷ୍ପନ୍ନ ହୋଇଅଛି । ଏହି ଊହ ଓ ଊହା ଶବ୍ଦ ସହିତ ଆମ ଉହା ତଥା ଉହାଟ୍ ଶବ୍ଦ ସମୋଦ୍ଧୃତ ।
ସଂସ୍କୃତ ତଥା ଓଡ଼ିଆ ସାହିତ୍ୟରେ ଊହ,ଊହା ଓ ଉହ ଶବ୍ଦ
ଵିତର୍କ,ଅନୁମାନ,ଯୁକ୍ତିଦ୍ବାରା ଦୁରୂହ ଵିଷୟର ନିର୍ଣ୍ଣୟ ଚେଷ୍ଠା, ଅନୁସନ୍ଧାନ, ଅଧ୍ଯାହାର , ଲୁପ୍ତଵାକ୍ଯ ଵା ପଦ ଅର୍ଥରେ ଵ୍ଯଵହାର ହୋଇଥାଏ । ଆମେ ଉହାପୋହ ଶବ୍ଦ ଵ୍ୟଵହାର କରିଥାନ୍ତି ଏଥିରେ ମଧ୍ୟ ସେହି ଊହା ଶବ୍ଦଟି ରହିଛି ।
ଆମ ଭାଷାରେ ଉହିଵା କ୍ରିୟା ମଧ୍ୟ ତର୍କିଵା,ଅନୁମାନ କରିଵା ଓ ଅଟକଳ କରିଵା ଅର୍ଥରେ ଵ୍ୟଵହାର ହୋଇଥାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି ।
ଊହା ଭଳି ଏକ ଅଳ୍ପ ଜଣାଶୁଣା ସଂସ୍କୃତ ଶବ୍ଦ ସହିତ ସମୋଦ୍ଧୃତ ଉହା ଓ ଉହାଟ୍ ଶବ୍ଦର ଆମ କଥିତ ଭାଷାଗୁଡି଼କରେ ଵ୍ୟଵହାର ସ୍ପଷ୍ଟ କରେ ଯେ ଆମ କଳିଙ୍ଗ ଦେଶର ଜନତା ପୂର୍ଵେ ସଂସ୍କୃତ ଭାଷାରେ କେତେ ଵିଦ୍ଵାନ ଥିଲେ ଏଵଂ ବେଳେବେଳେ ତ ଲାଗେ ସଂସ୍କୃତ ଭାଷା ବହୁତ ସମ୍ଭଵ ଏହି କଳିଙ୍ଗ ଦେଶର ଭାଷା ।
ଅଗସ୍ତି ରୂପ କଳିଙ୍ଗୀମାନେ ବୋଇତରେ ସଂସ୍କୃତ ଓ ପାଲୀ ଭାଷାକୁ ନେଇ ଦେଶ ଵିଦେଶରେ ପରିଚିତ ଓ ପ୍ରସିଦ୍ଧ କରିଥିଲେ ।
ଅଗସ୍ତି ଋଷିଙ୍କ କାହାଣୀ କହେ ଅଗସ୍ତି ସାରା ଵିଶ୍ଵର ସମୁଦ୍ର ଜଳକୁ ପାନ କରିଦେଇଥିଲେ ଲକ୍ଷଣାର୍ଥ ସମୁଦ୍ର ଯାତ୍ରା କରିଥିଲେ ,ସେ ଉତ୍ତର ଓ ଦକ୍ଷିଣ ମଧ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଥିଵା ଭାଷା ଭେଦଭାଵ ରୂପକ ବିନ୍ଧ୍ୟ ପର୍ଵତକୁ ନୁଆଁଇ ଦେଇଥିଲେ, ଜନ୍ମରୁ ଅଗସ୍ତି ଶୂଦ୍ର ଥିଲେ ନିଜ ଅଧ୍ୟଵସାୟ ଫଳରେ ବ୍ରହ୍ମତ୍ଵ ପ୍ରାପ୍ତ ହୋଇ କାଶି ଯାଇଥିଲେ ସେଠାକାର ବ୍ରାହ୍ମଣ ସମାଜ ତାଙ୍କୁ କେଣ୍ଟିକରି ବିନ୍ଧ୍ୟକୁ ନୁଆଁଇଵାକୁ କହିଥିଲେ,ଅଗସ୍ତି ଦକ୍ଷିଣ ଭାରତର ଆତାପି ବାତାପି ଭଳି ରାକ୍ଷସଙ୍କୁ ମାରି ଦେଇଥିଲେ । ଏସବୁ କାହାଣୀ ମଧ୍ୟରେ କଳଙ୍ଗୀମାନଙ୍କ ପ୍ରାଚୀନ କୀର୍ତ୍ତି ରହିଥିଵା ଅନୁଭଵ ହୁଏ । ପୂର୍ଵେ ଭାରତରେ ଆମ କଳିଙ୍ଗୀମାନଙ୍କୁ ଅନାର୍ଯ୍ୟଗଣଙ୍କ ମଧ୍ୟରେ ରଖାଯାଇଥିଲା ପରେ ପତିତ କ୍ଷତ୍ରୀୟ ଅଭିହିତ ହେଲେ ଏଠାକାର ସଂଖ୍ୟା ଗରିଷ୍ଠ ଉଡ୍ରଜାତି ।
କଥିତ ଓଡ଼ିଆରେ ଉହା ତଥା ଉହାଟ୍ ଵିଶେଷ୍ୟ ଶବ୍ଦ ଭଳି ଵ୍ୟଵହୃତ ହୋଇଥାଏ । ତେବେ ଉହାତ୍ ଓ ଉହାଏତ୍ ବୋଲି ଆଉ ଏକ ଶବ୍ଦ ମଧ୍ୟ ଗଡ଼ଜାତ ଓଡ଼ିଶାରେ ଵିଶେଷଣ ଶବ୍ଦ ଭାବରେ ଚଳୁଅଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ଉଭୟ ଶବ୍ଦ ରହିଛି । ଭାଷାକୋଷରେ ଏହାର ଅର୍ଥ ଲେଖାଅଛି
କ) ବୃଥା; ପଣ୍ଡ
ଯଥା—
ଉହାଏତ୍ ଆଶା/ଉହାତ୍ ଆଶା = ଦୁରାଶା
ଉହାଏତ୍ ମେହେନତ୍/ଉହାତ୍ ମେହେନତ୍ = ପଣ୍ଡଶ୍ରମ—
ଉହାତ୍ ଓ ଉହାଏତ୍ ଶବ୍ଦ କ୍ରିୟା ଵିଶେଷଣ ଭାବେ ବୃଥାରେ ଅର୍ଥରେ ମଧ୍ୟ ଵ୍ୟଵହୃତ ହୋଇଥାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି ।
ସମ୍ଭଵତଃ ଵିଶେଷଣ ରୂପେ ପ୍ରଚଳିତ ଉହାତ୍ ଓ ଉହାଏତ୍ ଶବ୍ଦଦ୍ଵୟ ତତ୍ସମ ଵ୍ୟର୍ଥ ଶବ୍ଦ ସହିତ ସମୋଦ୍ଧୃତ ।
ଵ୍ୟର୍ଥ ଶବ୍ଦ ଵିଫଳ, ଵୃଥା,ପଣ୍ଡ,ନିଷ୍ପଳ,ନିଷ୍କ୍ରୟୋଜନ,ଲାଭହୀନ,ଅନର୍ଥକ ଓ ଅମୂଳକ ଅର୍ଥରେ ଵ୍ୟଵହାର ହୋଇଥାଏ ଏଵଂ ଓଡ଼ିଶାରେ ଏହାକୁ ଵିଅର୍ଥ ଓ ଵେର୍ଥ ରୂପେ ମଧ୍ୟ କଥିତ ଭାଷାରେ ପ୍ରୟୋଗ କରାଯାଏ ।
ଵ୍ୟର୍ଥ ଶବ୍ଦରେ ଅଵର୍ଗ୍ଯ ଵ ରହିଛି ଯାହା ସହଜରେ ସ୍ଵରଵର୍ଣ୍ଣ ଯଥା ଅ,ଆ,ଇ,ଉ ,ଏ ତଥା ଓ ରେ ପରିଵୃତ୍ତ ହୋଇଯାଏ(ଯଥା— ଦେଵ = ଦେଓ,ଦେଵୀ = ଦେଈ,ଦେଵକୁଳ = ଦେଉଳ ଇତ୍ୟାଦି) ।
ତେଣୁ ବହୁତ ସମ୍ଭଵ ଵ୍ୟର୍ଥ ଶବ୍ଦ ସହିତ ସମୋଦ୍ଧୃତ ଉହାତ୍ ଓ ଉହାଏତ୍ କ୍ଷେତ୍ରରେ ଅଵର୍ଗ୍ଯ ଵ ଵର୍ଣ୍ଣ ଉ ରେ ପରିଵୃତ୍ତ ହୋଇଅଛି , ସେଥିରେ ଯୁକ୍ତ ଯ୍ୟ ଫଳା ଏ ରେ ପରିଵୃତ୍ତ ହୋଇଛି ଏଵଂ ମହାପ୍ରାଣ ଥ ଵର୍ଣ୍ଣ ଅଳ୍ପପ୍ରାଣ ତ ରେ ପରିଵୃତ୍ତ ହୋଇଛି ।
No comments:
Post a Comment