ଇତି ମଧ୍ୟରେ ଓଡ଼ିଶାର କିଛି ହିନ୍ଦୀଭକ୍ତ ଫେସବୁକରେ ମାଗଣାରେ ହିନ୍ଦୀ ପ୍ରଚାର ପ୍ରସାର ଆରମ୍ଭ କରିଦେଇଛନ୍ତି । ହଁ ହିନ୍ଦୀର ପ୍ରଚାର ପ୍ରସାର ହେଉ କିଏ ମନା କରୁଛି କିନ୍ତୁ ଓଡ଼ିଶାର ହିନ୍ଦୀଭକ୍ତ ଗୋଟିଏ ଅପପ୍ରଚାର କରୁଅଛନ୍ତି । ସେମାନେ କହୁଛନ୍ତି हिंदी ओडि़आ एक हीं सिक्के के दो पार्श्व ଅଟେ । କିନ୍ତୁ ଏମନ୍ତ କହିଵା କେତେ ଦୂର ଯୁକ୍ତିଯୁକ୍ତ ?
ଶାସ୍ତ୍ରୀୟ ଓଡ଼ିଆ ଭାଷା ସହିତ ହିନ୍ଦୀ କେମିତି ତୁଳନୀୟ ହେଵ ?
ଓଡ଼ିଆ ଭାଷାର ଉଲ୍ଲେଖ ୨୬ଶହ ଵର୍ଷ ପୁରାତନ ଗ୍ରନ୍ଥରେ ଅଛି ହିନ୍ଦୀର ନାଆଁ ଗନ୍ଧ ବି ତିନିଶହ ଵର୍ଷ ପୁରାତନ ଗ୍ରନ୍ଥରେ ମିଳେନାହିଁ । ଓଡ଼ିଆ ଭାଷାରେ ସଂସ୍କୃତ ପରେ ସର୍ଵାଧିକ ପାଣ୍ଡୁଲିପି ରହିଛି ହିନ୍ଦୀ ଏ କ୍ଷେତ୍ରରେ ପଛରେ ରହିଛି । ଓଡ଼ିଆ ଭାଷାର ନିଜସ୍ବ ଶବ୍ଦ ସମ୍ଭାର ଵିଶାଳ ଓ ଵୈଚିତ୍ରମୟ କିନ୍ତୁ ହିନ୍ଦୀ ଏତେ ମାତ୍ରାରେ କଳୁଷିତ ଯେ ଏ ଭାଷାରେ ଗଦା ଗଦା ଆରବୀ ପାର୍ସୀ ତୁର୍କ ଶବ୍ଦ ଭରି ରହିଛି । ଓଡ଼ିଆ ଭାଷାରେ ସଂସ୍କୃତ ଭାଷାର ଯେକୌଣସି ଶବ୍ଦ ଵିନା ଦ୍ବିଧାରେ ଵ୍ୟଵହାର ହୋଇପାରେ ଏଵଂ ତାହା ଶୁଣିଵାକୁ ଭଲ ଲାଗେ କିନ୍ତୁ ଆରବୀ ପାର୍ସୀ ତୁର୍କ ଶବ୍ଦମୟ ହିନ୍ଦୀରେ କ୍ଲିଷ୍ଟ ଶାସ୍ତ୍ରୀୟ ସଂସ୍କୃତ ଶବ୍ଦଟିଏ ମିଶାଇଲେ ଶୁଣିଵାକୁ ସେତେ ଭଲ ଲାଗେନାହିଁ । ଓଡ଼ିଆ ଭାଷାରେ ଆଜି ବି ଳ ଵର୍ଣ୍ଣର ଵ୍ୟଵହାର ରହିଛି ହିନ୍ଦୀରେ ତାହା ଅପ୍ରଚଳିତ ହୋଇ ସାରିଛି । ଓଡ଼ିଆ ଭାଷାରେ ଅନ୍ତସ୍ତ ଯ ଓ ଦ୍ଵିସ୍ଵର ୟ ମଧ୍ୟରେ ଭିନ୍ନତା ଆଜି ମଧ୍ୟ ରହିଛି ହିନ୍ଦୀରେ ଏହାକୁ ଏକାକାର କରିଦିଆଯାଇଛି । ହିନ୍ଦୀରେ W କୁ ପ୍ରକାଶ କରିଵାକୁ ଅକ୍ଷରଟିଏ ନାହିଁ କିନ୍ତୁ ଓଡ଼ିଆ ଭାଷାର ଲିପିରେ ୱ ଅକ୍ଷର W ପାଇଁ ଵ୍ୟଵହୃତ ହୋଇଥାଏ । ପ୍ରାଚୀନ ଆର୍ଯ୍ୟଭାଷା ଵା ମୂଳ ଇଣ୍ଡିକ୍ ଭାଷାର ଅକାରାନ୍ତ ଉଚ୍ଚାରଣ ଆଜିଯାଏଁ ଓଡ଼ିଆ ଭାଷାରେ ବଞ୍ଚି ରହିଛି କିନ୍ତୁ ହିନ୍ଦୀରେ ଏହା ଦେଖାଯାଏ ନାହିଁ । ଓଡ଼ିଆ ଭାଷାରେ
ଵର୍ଣ୍ଣ ଦ୍ଵିତକରଣ(କର୍ଣ୍ଣ,ଵର୍ଣ୍ଣ) ଭଳି ମୌଳିକ ଗୁଣ ରହିଛି ଯାହା ପରେ ସଂସ୍କୃତ ଭାଷାରେ ମଧ୍ୟ ଗ୍ରହଣୀୟ ହୋଇଛି ହିନ୍ଦୀର ଦୁର୍ଗୁଣ ଳ ଵର୍ଣ୍ଣକୁ ଲ କରି ଉଚ୍ଚାରଣ କରିଵା(ଜଳ = ଜଲ୍) ପ୍ରଥା ଅଧୁନା ସଂସ୍କୃତକୁ ଗ୍ରାସ କରିଛି । ହିନ୍ଦୀରେ ସ୍ତ୍ରୀ ପୁରୁଷ ଭେଦରେ ଵାକ୍ୟଗଠନ ହୋଇଥାଏ । ଯଥା— वह जा रहा था/ वह जा रही थीं କିନ୍ତୁ ଓଡ଼ିଆ ଭାଷାରେ ଵାକ୍ୟଗଠନ କାଳରେ ହିନ୍ଦୀ ଭଳି ଅଯଥା ପ୍ରମାଦ ନାହିଁ । ଉଭୟ ଭାଷାର ଗୁଣ ମଧ୍ୟରେ ଅନେକାନେକ ଭିନ୍ନତ୍ଵ ରହିଛି । ଗୋଟିଏ ଭାଷା ପରିଵାର ଓ ଭାଷା ବଂଶ ଶାଖାର ହୋଇଥିଲେ ହେଁ ଓଡ଼ିଆ ତଥା ହିନ୍ଦୀ ଦୁଇଟି ଭିନ୍ନ ଭିନ୍ନ ଭାଷା ।
ଏହି ପରିପ୍ରେକ୍ଷୀରେ ଓଡି଼ଆ ତଥା ହିନ୍ଦୀର ବା/बा ତଥା ଵା/वा ଶବ୍ଦର ଅର୍ଥ ସମ୍ବନ୍ଧରେ ଆଲୋଚନା କରାଯାଇପାରେ । ହିନ୍ଦୀ ଓ ଓଡ଼ିଆ ଭାଷାରେ “ବା ଓ ଵା” ଶବ୍ଦର ଭିନ୍ନ ଭିନ୍ନ ଅର୍ଥରେ ଵ୍ୟଵହାର ରହିଛି ।
ପୁରୁଣା ହିନ୍ଦୀ ସାହିତ୍ୟରେ ବା ଶବ୍ଦ ଜଳ ଅର୍ଥରେ ଵ୍ୟଵହାର ହୋଇଅଛି ଏଵଂ ଏହା ତତ୍ସମ ଵାଃ(ଜଳ) ସହିତ ସମୋଦ୍ଧୃତ ।
राधा कैसे मान बचावै ।
सेसभार धर जा पति रिपु तिय
जलयुत कबहुँ न हेरै ।
बा निवास रिपु धर रिपु लै
सर सदा सूल सुख पैरै ।
बा ज्वर नीतन ते सारँग
अति बार बार भर लावै ।
(सूर,शब्द॰)
ପୁଣି ହିନ୍ଦୀରେ ପାର୍ସୀ ମୂଳର ଏକ बा ଶବ୍ଦ ଥର,ଦଫା ଅର୍ଥରେ ଵ୍ୟଵହାର ହୋଇଥାଏ
कारे बरन डरावने कत आवत यहि गेह ।
कै बा लख्यौ, सखी !
लखे लगै थरथरी देह ।
(बिहारी,शब्द॰)
ପାର୍ସୀ ମୂଳର ଏକ बा ଉପସର୍ଗ ମଧ୍ୟ ହିନ୍ଦୀରେ ସହିତ,ୱାଲା ଓ ପୂର୍ଣ୍ଣ ଅର୍ଥରେ ପ୍ରଚଳିତ । बाअदब, बाअसर, बाआबरू ଓ बाईमान ଆଦି ଶବ୍ଦରେ ଏହି बा ଉପସର୍ଗ ରହିଛି ।
ଗୁଜରାଟକୁ ଲାଗିଥିଵା ରାଜସ୍ଥାନ ଓ ମଧ୍ୟପ୍ରଦେଶର ହିନ୍ଦୀଭାଷୀ ଅଞ୍ଚଳରେ ମାଆଙ୍କୁ,ଶ୍ରେଷ୍ଠ ଓ ଵୟସ୍କା ମହିଳାଙ୍କୁ ଆଦରାର୍ଥକ बा ସମ୍ବୋଧନ କରାଯାଏ ଏଵଂ ଗୁଜରାଟୀ ଭାଷା ପ୍ରଭାଵରେ ହୋଇଥିଵା ଅନୁମେୟ ।
ଓଡ଼ିଆ ଭାଷାରେ ବା ଶବ୍ଦର ଵ୍ୟଵହାର ଓ ଅର୍ଥ ହିନ୍ଦୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।
ଆମର ବା ଶବ୍ଦ ବାଆ ଭଳି ଦୀର୍ଘ ଉଚ୍ଚାରଣ ହୋଇଥାଏ । ଓଡ଼ିଆ ଭାଷାରେ ଵାୟୁ ଵା ପଵନକୁ ବା/ବାଆ କୁହାଯାଏ ।
ଶୂନ୍ୟ ଗଗନେ ସଜାଡ଼ି ନବାସ,
ଉଡ଼ୁଛି ଖାଲି ବାଆରେ।
(ଭିକାରୀ. ଗୀତଲହରୀ।)
ପ୍ରଵଳ ଵାୟୁ ଵା ବତାସକୁ ମଧ୍ୟ ବାଆ/ବା କୁହାଯାଏ
ଲକ୍ଷଣାର୍ଥ ବା/ବାଆ ଶବ୍ଦ ସାମାନ୍ଯ ମାତ୍ର ସମ୍ପର୍କ ଵା ସ୍ପର୍ଶ ଅର୍ଥରେ ମଧ୍ୟ ଵ୍ୟଵହୃତ ହୁଏ ଏଵଂ ଏହା ବାହୁ ଶବ୍ଦ ସହିତ ସମୋଦ୍ଧୃତ ହୋଇଥାଇପାରେ ।
ଯଥା —“ବଡ଼ଲୋକଙ୍କ ଦିହରେ ଗରିବର ବାଆ/ବା ବାଜିଲେ ବଡ଼ଲୋକେ ଚମକି ପଡ଼ନ୍ତି।”
ଓଡ଼ିଶାର କେତେକ ଅଞ୍ଚଳରେ ନିଜ ବାପା ଵା ପିତାଙ୍କୁ ସନ୍ତାନମାନେ ବା/ବାଆ ଡାକିଥାନ୍ତି ଯାହା ବାପା ଶବ୍ଦର ସଂକ୍ଷିପ୍ତୀକରଣ ।
କେତେକ ଅଞ୍ଚଳରେ ଵିଵାହ ଅର୍ଥରେ ପ୍ରଚଳିତ ବାହା ଶବ୍ଦକୁ ସଂକ୍ଷିପ୍ତୀକରଣ କରି ବା/ବାଆ ଉଚ୍ଚାରଣ କରାଯାଏ ଏମନ୍ତକି ବାହାଘର ଶବ୍ଦକୁ ମଧ୍ୟ ବାଘର/ବାଆଘର ଉଚ୍ଚାରଣ କରିଥାନ୍ତି ।
ଓଡ଼ିଶାର କଚେରୀର ଭାଷା ପାର୍ସୀ ହେଵା ପରେ ବା ବୋଲି ଏକ ସାଂକେତିକ ଚିହ୍ନ ଵ୍ୟଵହାର ହେଵାକୁ ଲାଗିଲା । ଏହା ମୂଳତଃ ବୈଦେଶିକ ବାଵତ୍ ଶବ୍ଦର ସାଂକେତିକ ଚିହ୍ନ ଥିଲା । ଅଧୁନା ଏହି ପ୍ରଥା କଚେରୀମାନଙ୍କରେ ଚଳୁଅଛି କି ନାହିଁ ତାହା ଅନୁସନ୍ଧାନର ଵିଷୟ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ପ୍ରାୟ ଅଧିକାଂଶ ଲୋକ ଅଵର୍ଗ୍ଯ ‘ଵ’ଯୁକ୍ତ ଵା ଶବ୍ଦକୁ ‘ବା’ ହିଁ ଲେଖିଥାନ୍ତି କାରଣ ଶହ ଶହ ଵର୍ଷ ତଳେ ଲିପିଵିଵର୍ତ୍ତନ ଯୋଗୁଁ ଆମ୍ଭ ଭାଷାରେ ଵର୍ଗ୍ଯ ବ ଓ ଅଵର୍ଗ୍ଯ ଵ ପାଇଁ ଗୋଟିଏ ଅକ୍ଷର ‘ବ’ ଵ୍ୟଵହୃତ ହେଉଥିଲା ।
ଓଡ଼ିଆ ଭାଷାରେ ଏହି ‘ଵା’ ଶବ୍ଦ ନାନା ଅର୍ଥରେ ପ୍ରୟୋଗ କରାଯାଏ ।
ପ୍ରାୟତଃ ଅଵା; ଅଥଵା; କିଂଵା ଅର୍ଥରେ ଆମ ଭାଷାରେ ‘ଵା’ ଶବ୍ଦ ଏକ ଅଵ୍ୟୟ ରୂପେ ପ୍ରୟୋଗ ହୋଇଥାଏ । ଏହା ସନ୍ଦେହ, ସମ୍ଭାଵନା, ନିଶ୍ଚୟତା, ସାଦୃଶ୍ଯ, ସମୁଚ୍ଚୟ, ପ୍ରଶ୍ନ ଉପମା, ନାନାର୍ଥ ଓ ପାଦ ପୂରଣରେ ଵ୍ୟଵହୃତ ହୁଏ। ପରିଵର୍ତ୍ତରେ,ପକ୍ଷାନ୍ତରରେ,ଅପି ଓ ମଧ୍ୟ ଆଦି ଅର୍ଥରେ ମଧ୍ୟ ‘ଵା’ ଶବ୍ଦ ଏକ ଅଵ୍ୟୟ ଭାବେ ପ୍ରଚଳିତ । ଏହି ଵା ଶବ୍ଦଟି ସଂସ୍କୃତରୁ ଗୃହୀତ ହୋଇଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି ।
ଆଶ୍ଚର୍ଯ୍ୟାଦିବୋଧକ ଅଵ୍ୟୟ ଭାବରେ ଵାଃ ଶବ୍ଦର ଓଡ଼ିଆ ଭାଷାରେ ଦେଖାଯାଏ । କାହାକୁ ‘ହେ !’ କିଂଵା ‘ରେ !’ ‘ବେ’ ‘ବୋ’ (Oh) ସମ୍ବୋଧନ କଲାଭଳି ‘ଵା’ ଶବ୍ଦ ଶବ୍ଦକୁ ମଧ୍ୟ ସମ୍ବୋଧନାର୍ଥ ପ୍ରୟୋଗ କରାଯାଏ । ଏକ ଵାକ୍ୟାନୁପ୍ରାସ ଭାବେ ମ/ ମଁ(Too) ପରି ମଧ୍ୟ ‘ଵା’ ଶବ୍ଦର ଵ୍ୟଵହାର ଓଡ଼ିଆ ଭାଷାରେ ପ୍ରଚଳିତ ଏଵଂ ଏହି ଶବ୍ଦର ଵାକ୍ୟାନୁପ୍ରାସ ପ୍ରୟୋଗ ଵିଶେଷତଃ ଦକ୍ଷିଣ ଓଡ଼ିଶାରେ ଚଳୁଅଛି ।
ହିନ୍ଦୀରେ ମଧ୍ୟ ଅଵର୍ଗ୍ଯ ଵ ଯୁକ୍ତ ‘वा’ ଶବ୍ଦ ରହିଛି । ଓଡ଼ିଆ ଭାଷାରେ ସଂସ୍କୃତ ମୂଳର ‘ଵା’ ଅଵ୍ୟୟ ଵିଶେଷ ଭାବେ ଵ୍ୟଵହାର ହୋଇଥାଏ । ହିନ୍ଦୀରେ ଏହି ଅଵ୍ୟୟ ଶବ୍ଦ ପରିଵର୍ତ୍ତେ या ଓ अथवा ଶବ୍ଦର ଵ୍ୟଵହାର ଅଧିକ ପରିମାଣରେ ହୋଇଥାଏ । ତେବେ କେତେକ ଅଞ୍ଚଳରେ वा ଅଵ୍ୟୟ ଵିକଳ୍ପ ଓ ସନ୍ଦେହଵାଚକ ଶବ୍ଦ ରୂପରେ ପ୍ରୟୋଗ ହୋଇଥାଏ ।
ହିନ୍ଦୀରେ ଵିଶେଷତଃ ଵ୍ରଜଭାଷାରେ वा ଶବ୍ଦ ଏକ ସର୍ଵନାମ ରୂପରେ ପ୍ରଚଳିତ ଏଵଂ ଏହା ଚଳନ୍ତି ହିନ୍ଦୀର
वह ସର୍ଵନାମ ଶବ୍ଦ ସହିତ ସମୋଦ୍ଧୃତ ।
ବ୍ରଜଭାଷାରେ ପ୍ରଥମପୁରୁଷର ଏକଵଚନ ରୂପ ହେଉଛି ଏହି वा ଶବ୍ଦ । ଏହା କାରକ ଚିହ୍ନ ଲାଗିଵାପୂର୍ଵରୁ ଯୁକ୍ତ ହୋଇଥାଏ । ଉଦାହରଣ ସ୍ୱରୂପ वाने ,वाको, वासे ଓ वासो ଇତ୍ୟାଦି । ହିନ୍ଦୀ ଶବ୍ଦ ସାଗରରେ ଏହି ଶବ୍ଦ ପ୍ରୟୋଗର କେତେକ ଵାକ୍ୟଗଠନ ଉଦାହରଣ ଦିଆଯାଇଛି ।
(କ) वा सुरतरु महँ अवर एक अदभुत छबि छाजै । साखा दल फल फूलनि हरि प्रतिबिंब बिराजै ।—(नंद॰ ग्रं॰, पृ॰ ६ )
(ଖ)रहै देह वाके परस याहि द्दगन ही देखि ।
(बिहारी ,शब्द॰) ।
(ଗ)और प्रभु जब किवाड़ खोलन पधारते तब ओ ठाकुर जी वा इ पुकार सों पूछते ।
(दो सौ बावन॰, भा॰ १, पृ॰ १०१ )
ହିନ୍ଦୀରେ ପାର୍ସୀ ମୂଳର ଅଵର୍ଗ୍ୟ ଵ ଯୁକ୍ତ ଏକ वा ମଧ୍ୟ ରହିଛି ଏଵଂ ଏହା ଖୋଲା ଵା ଵିସ୍ତୃତ ଅର୍ଥରେ ପ୍ରୟୋଗ କରାଯାଏ । ଏହାର ଵ୍ୟଵହାର ପ୍ରାୟତଃ ସାହିତ୍ୟ ମଧ୍ୟରେ ହିଁ ସୀମିତ ।
“दिन के वा दतुण्न के दर्बार में रौनक अफरोज हुए ।”
(प्रेमघन॰, भा॰ २, पृ॰ १७ )
ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ହିନ୍ଦୀ ତଥା ଓଡ଼ିଆ ଭାଷା ଗୋଟିଏ ଭାଷାପରିଵାର ତଥା ଗୋଷ୍ଠୀର ହୋଇଥିଵାରୁ ତହିଁର କେତେକ ତଦ୍ଭଵ ଓ ତତ୍ସମ ଵିଶେଷ୍ୟ,କ୍ରିୟା ଶବ୍ଦ ମଧ୍ୟରେ ସମାନତା ଦୃଶ୍ୟ ହୋଇଥାଏ କିନ୍ତୁ ଉଭୟ ଭାଷାର ପ୍ରତ୍ୟୟ ଅଵ୍ୟୟ ,କ୍ରିୟା,ଵିଶେଷଣ,ସର୍ଵନାମ ,କ୍ରିୟା ଵିଶେଷଣ ଓ ଵିଶେଷ୍ୟ ଶବ୍ଦ ମଧ୍ୟରେ ଅନେକ ଅସମାନତା ରହିଛି । ତେଣୁ ଗୋଟିଏ ଭାଷା ପରିଵାରର ଭାଷା ହୋଇଥିଵାରୁ ଯେମିତି ଇଂରାଜୀ ଓ ଜର୍ମାନ୍ ଭାଷା ମଧ୍ୟରେ ସମ୍ବନ୍ଧ ରହିଛି ସେହିପରି ହିନ୍ଦୀ ତଥା ଓଡ଼ିଆ ଭାଷା ମଧ୍ୟରେ ସଗୋତ୍ରୀୟ ସମ୍ପର୍କ ରହିଛି । କିନ୍ତୁ କେତେକ ସମାନତା ଆଧାରରେ ”ହିନ୍ଦୀ ଓଡ଼ିଆ ଗୋଟିଏ ଟଙ୍କାର ଦୁଇ ପାର୍ଶ୍ଵ” କହିଵା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଅଯୁକ୍ତିଯୁକ୍ତ କଥା ଅଟଇ ।
No comments:
Post a Comment