Muddy waterକୁ ଆମ ଭାଷାରେ କାଦପାଣି କୁହାଯାଏ । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ଶବ୍ଦର ଅନ୍ୟ ଅର୍ଥ ଏହାର ସାଂସ୍କୃତିକ ମହତ୍ତ୍ବ ଵିଷୟରେ
ସୂଚିତ କରିଥାଏ ।
ଭାଷାକୋଷ ଅନୁଯାୟୀ ଆଗେ “ଵିଵାହର ଚଉଠି ଦିନ ବର କନ୍ୟା ନଗର ଭ୍ରମଣ କରି ପୋଖରୀରେ ଏକତ୍ର ସ୍ନାନ କରି ଯେଉଁ ଜଳକ୍ରିଡ଼ା କରୁଥିଲେ ଉକ୍ତ ନଗରସ୍ନାନକୁ କାଦପାଣି କୁହାଯାଉଥିଲା । ଅଵଶ୍ୟ ଏ ଯୁଗରେ ଓଡ଼ିଶାରେ ଏଭଳି ପରମ୍ପରା ଆଉ କେଉଁଠି ଚଳୁଥିଵାର ଜଣାଯାଏ ନାହିଁ । ପୁଣି ପ୍ରଥମ ଓଡ଼ିଆ ଭାଷାଵିଦ୍ ଶ୍ରୀ ଗୋପୀନାଥ ନନ୍ଦ ମହାଶୟ କାଦପାଣି ଶବ୍ଦର ଅର୍ଥ “ଵିଵାହର ପଞ୍ଚମ ଦିଵସ” ବୋଲି ଜଣାଇଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଲେଖାଅଛି । କଵି ପୀତାମ୍ବରଙ୍କ ଵିରଚିତ ନୃସିଂହପୁରାଣରେ ମଧ୍ୟ ଏହି ଅର୍ଥ ଘେନି କାଦପାଣି ଶବ୍ଦ ପ୍ରୟୋଗ ହୋଇଥିଵା ଜଣାଯାଏ ।
“ତେତ୍ତିଶ କୋଟି ଦେଵଙ୍କ କନ୍ୟା ବିଭା ହେଲା
ଚଉଠି କାଦପାଣି ସାତମଙ୍ଗଳା କଲା। ।”
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କାଦପାଣି ଶବ୍ଦର ପରଵର୍ତ୍ତୀ ଅର୍ଥ ବଙ୍ଗାଳୀଜାତି ସହିତ ସମ୍ବନ୍ଧିତ । ଏଥିରେ କୁହାଯାଇଛି ଯେ ପୂର୍ଵେ ରଜସ୍ବାଳା ବଙ୍ଗୀୟ ବାଳିକାର ପ୍ରଥମ ରଜୋଦର୍ଶନ ପରେ ଶୁଦ୍ଧସ୍ନାନ ସମୟରେ ପ୍ରତିବେଶିନିମାନଙ୍କ ସଙ୍ଗେ ପାଣିରେ ପଶି କାଦୁଅ ଫୋଫାଡ଼ାଫୋଫାଡ଼ି ହୋଇ ଯେଉଁ ପରସ୍ପର ଆମୋଦ ଵା କ୍ରିଡ଼ା କରିଵା ଉତ୍ସଵ ହେଉଥିଲା ତାକୁ କାଦପାଣି କୁହାଯାଉଥିଲା ।ବଙ୍ଗଦେଶରେ ଦୁର୍ଗାପୁଜାର ତୃତୀୟ ଦିନ ପ୍ରତିବେଶୀ ଓ ବଦ୍ଧୁମାନେ ପାଣିରେ ପଶି ପରସ୍ପର କାଦୁଅ ଫିଙ୍ଗାଫିଙ୍ଗି ହେଵା ପ୍ରଥା ଥିଵା କଥା ତଥା ଏହାକୁ ବି କାଦପାଣି କୁହାଯାଉଥିଲା ବୋଲି ଭାଷାକୋଷରେ ଲେଖାଅଛି ।
ସମ୍ଭଵତଃ ସ୍ଵାସ୍ଥ୍ୟ ସମ୍ବନ୍ଧିତ ଲାଭ ହେତୁକ କାଦୁଅପାଣିରେ ଗାଧୋଇଵାର ପରମ୍ପରା ପୂର୍ଵ ଭାରତରେ ପ୍ରଚଳିତ ଥିଲା । ତେବେ ଯୁଗ ବଦଳିଛି ଯୁଗକୁ ଧରି ଆମର ଅନେକ ପୁରୁଣା ପରମ୍ପରା ମଧ୍ୟ ଲୁପ୍ତ ହୋଇଯାଇଅଛି । କିନ୍ତୁ ଅଧୁନା ଦେଖାଯାଉଛି ଅନେକ ଧନୀକ ଲୋକେ ଵିଶେଷତଃ ମହିଳାମାନେ ସ୍ଵାସ୍ଥ୍ୟ ସମ୍ବନ୍ଧିତ ଲାଭ ପାଇଵା ପାଇଁ କାଦୁଅରେ ଗାଧୋଉ ଅଛନ୍ତି ।
ଆମେ ଆମ କାଦପାଣି ଭଳି ପରମ୍ପରା ମଧ୍ୟରେ ଲୁଚି ରହିଥିଵା ଵୈଜ୍ଞାନିକ କାରଣ ହୃଦୟଙ୍ଗମ ନକରି ଛାଡି଼ଦେଉଥିଵା ବେଳେ ତେଣେ ଵିଦେଶରେ କାଦୁଅପାଣିରେ ଗାଧୋଇଵାର ଚାହିଦା ବଢ଼ିଚାଲିଛି ।
No comments:
Post a Comment