ଓଡ଼ିଆ ଭାଷାରେ ଖନ୍ଦ୍ ଓ ଖନ୍ଦ ଶବ୍ଦ ଵିଭିନ୍ନ ଅର୍ଥରେ ପ୍ରୟୋଗ ହୋଇଥାଏ । ସମ୍ବଲପୁରୀ ଭାଖାରେ ଖନ୍ଦ୍ ଶବ୍ଦ କାନ୍ଧ ଅର୍ଥରେ ଵ୍ୟଵହୃତ ହୋଇଥାଏ ଏଵଂ ଏହା ତତ୍ସ ସ୍କନ୍ଦ ସହିତ ସମୋଦ୍ଧୃତ ।
ସେହିପରି ଖନ୍ଦ ଶବ୍ଦର ଏକ ପାଖାପାଖି କ୍ରିୟା ଶବ୍ଦ ମଧ୍ୟ ନଵରଙ୍ଗପୁର ଜିଲ୍ଲାରେ ପ୍ରୟୋଗ କରାଯାଏ ଏଵଂ ଉକ୍ତ ଶବ୍ଦଟି ହେଲା ଖନ୍ଦିଵା । ଏହି ଖନ୍ଦିଵା ଶବ୍ଦଟି ଖଞ୍ଜିଵା ଶବ୍ଦର ଏକ ରୂପ ଅଟଇ ଏଵଂ ଖଞ୍ଜିଵା ଅର୍ଥରେ ହିଁ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଖନ୍ଦିଵା କ୍ରିୟା ପ୍ରଚଳିତ ।
ତେବେ ଵୈଦେଶିକ ଫସଲ ଶବ୍ଦ ଵ୍ୟଵହାର ହେଵା ଆଗରୁ ଖନ୍ଦ ଶବ୍ଦଟି ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ପନିପରିଵା ଚାଷ,ଵର୍ଷକର ଫସଲ,ଫଳମୂଳାଦି ଶସ୍ଯାଦି ଫସଲ ଅର୍ଥରେ ଵ୍ୟଵହାର ହେଉଥିଲା ।
ଏହି ଅର୍ଥଜ ଖନ୍ଦ ଶବ୍ଦଟି ତତ୍ସମ କନ୍ଦ ଶବ୍ଦ ମୂଳଜ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମତପୋଷଣ ହୋଇଅଛି ।
ଵର୍ଷକର ଫସଲ କିଂଵା ଫସଲ ଅର୍ଥରେ କଵି ପୀତାମ୍ବର ଦାସ ତାଙ୍କ ନୃସିଂହପୁରାଣରେ ଖନ୍ଦ ଶବ୍ଦ ପ୍ରୟୋଗ କରିଛନ୍ତି
“ପ୍ରଜାଙ୍କୁ ବୋଇଲା ଏ ବରଷ ଖନ୍ଦ
ଖାଅ ଯେତେ ପାରିଵ ଚଷି ଘରକୁ ବୋହିନିଅ”
ସେହିପରି ଆମ ଭାଷାରେ ଖନ୍ଦ ଉଜାଡ଼ିଵା ଶବ୍ଦ ମଧ୍ୟ ଫସଲ ନଷ୍ଟ କରିଵା ଅର୍ଥରେ ଚଳୁଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ।
ଗଞ୍ଜାମରେ ଆଜି ବି ଏହି ଖନ୍ଦ ଶବ୍ଦଟି କଥିତ ଭାଷାରେ ଜୀଵିତ ଥିଵା କଥିତ ଓଡ଼ିଆ ଶବ୍ଦକୋଷରେ ଉଲ୍ଲେଖିତ ଏକ ଗଞ୍ଜାମୀ ଶବ୍ଦ ଖନ୍ଦପୋଡି଼ରୁ ଜଣାପଡ଼େ । ଵର୍ଷା ଅଭାଵରୁ ଫସଲ ନଷ୍ଟ ହେଵାକୁ ଗଞ୍ଜାମରେ ଖନ୍ଦପୋଡି଼ କୁହନ୍ତି ।
ତେବେ ଵୈଦେଶିକ ଶବ୍ଦର ବହୁଳ ଵ୍ୟଵହର ଯୋଗୁଁ
ଖନ୍ଦ ଓ ଖନ୍ଦ ଭଳି ଅନ୍ୟ ଓଡ଼ିଆ ଶବ୍ଦର
ଵର୍ତ୍ତମାନ ସ୍ଥିତିକୁ ଆକଳନ କରି କୁହାଯାଇପାରେ ଯେ ଗୋଟିଏ ଵୈଦେଶିକ ଶବ୍ଦ ଗ୍ରହଣ କଲେ ଆମର ଏକ ଦେଶୀୟ ଶବ୍ଦକୁ ମରିଵାକୁ ଵା ମାରିଵାକୁ ହିଁ ହୋଇଥାଏ ।
No comments:
Post a Comment