ଆଗେ ଅତିଵ ଦୁଷ୍ଟ ବାଳକମାନଙ୍କୁ ବୁଢା଼ବୁଢୀମାନେ ଆକଟ କରିଵାକୁ ଯାଇ କହୁଥିଲେ “ତୁଟା କେଡ଼େ "ଉତୁକଳିଆ ଟା" ଵା "ଉତୁକୁଳିଆ ଟା" କିରେ” । କେତେକଙ୍କ ମତରେ ଏହି ଉତୁକଳିଆ ଶବ୍ଦଟି ଉତ୍କଳିଆ ଵା ଉତ୍କଳୀୟର ପରିଵର୍ତ୍ତିତ ରୂପ । ସେମାନଙ୍କ ଅନୁସାରେ ଉତ୍କଳ ଦେଶର ଲୋକ ଉତ୍କଳୀୟ ଏଵଂ ଏହି ଉତ୍କଳୀୟ ଅତି ଦୁର୍ଦ୍ଦାନ୍ତ । ତେଣୁ ଉତ୍କଳରୁ ଉତ୍କଳୀୟ ଏଵଂ ଉତ୍କଳୀୟରୁ ଉତ୍କଳିଆ ତଥା ଶେଷରେ ଉତୁକଳିଆ ଵା ଉତୁକୁଳିଆ ହୋଇଅଛି ।
ତେବେ ଉତ୍କଳ ଶବ୍ଦଟି ଵିଶେଷଣ ଭାବେ ବଡ଼ପାଟିଆ ଓ ଵ୍ୟାଧ ଅର୍ଥରେ ଵ୍ୟଵହାର ହୁଏ କିନ୍ତୁ ଏହା ଉତ୍କଳ ଶବ୍ଦର ଵିଶେଷ ଵ୍ୟଵହାର ଏଵଂ ଏହି ପ୍ରୟୋଗ କେଵଳ ସାହିତ୍ୟରେ ହୋଇଥାଏ । କଥିତ ଭାଷାରେ ଉତ୍କଳ ଶବ୍ଦର ଏଭଳି ପ୍ରୟୋଗ ହୁଏନାହିଁ ଯଦି ହେଉଥାନ୍ତା ତେବେ ପ୍ରାଚୀନ ଢଗଢମାଳି ଓ ଲୋକଗୀତରେ ଉତ୍କଳ ଶବ୍ଦର ପ୍ରୟୋଗ ଦୁଷ୍ଟ ବିଶୃଙ୍ଖଳ ଅର୍ଥରେ ହୋଇଥାନ୍ତା ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉତୁକୁଳ କି ଉତୁକୁଳିଆ ଶବ୍ଦ ମିଳେ ନାହିଁ ଅର୍ଥାତ୍ ଏ ଉଭୟ ଶବ୍ଦ ଏକ ସୀମିତ ଅଞ୍ଚଳରେ ପ୍ରଚଳିତ ଥିଲା ଵିଶେଷ ଲୋକପ୍ରିୟ ବି ହୋଇନଥିଲା ।
କଥିତ ଓଡ଼ିଆ ଶବ୍ଦକୋଷରୁ ଜଣାଯାଏ ଯେ ଉତୁକୁଳ ବୋଲି ଏକ ଶବ୍ଦ ପୁରୀ ଓ ଏହାର ଆଖପାଖ ଅଞ୍ଚଳରେ ଉଚ୍ଛୃଙ୍ଖଳ;ଉତଵାର୍ଯ୍ୟ ଅର୍ଥରେ ପ୍ରଚଳିତ । ଧ୍ୟାନ ଥାଉ କି ପୁରୀର ଉତୁକୁଳ ଶବ୍ଦଟି ଏକ ଵିଶେଷ୍ୟ ଶବ୍ଦ କିନ୍ତୁ ଉତ୍କଳ ଶବ୍ଦର ଵିଶେଷଣ ଅର୍ଥ ଵ୍ୟାଧ ଓ ବଡ଼ପାଟିଆ ।
ତେଣୁ ପୁରୀର ଉତୁକୁଳ ତଥା ଉତୁକୁଳିଆ ଶବ୍ଦ ତତ୍ସମ ଉତ୍କଳ ସହିତ ସମୋଦ୍ଧୃତ ହୋଇଥାଇପାରେ । ଓଡ଼ିଶାର ଲୋକେ ଆପଣା ଵୀରତ୍ଵର ପ୍ରକାଶ ସମୟରେ ଉତ୍କଳ ନୁହେଁ ଵରଂ କଳିଙ୍ଗ ନାମ ଵ୍ୟଵହାର କରନ୍ତି ।
କାରଣ କଳିଙ୍ଗାଃ ସାହାସିକା ଭାବେ ଵିଶ୍ଵ ଵିଖ୍ୟାତ ଉତ୍କଳୀ ସାହାସିକା କୁହାଯାଏ ନାହିଁ । ଉତ୍କଳ ନାମ ଆମ୍ଭ ଦେଶର କଳା ସ୍ଥାପତ୍ୟ ପର୍ଵ ପରମ୍ପରା ସମ୍ବନ୍ଧିତ ଆଲୋଚନା ସମୟରେ ପ୍ରୟୋଗ ହୋଇଥାଏ ।
ଅସ୍ତୁ ଉତୁକୁଳ ଶବ୍ଦର ଅର୍ଥ ଉଚ୍ଛୃଙ୍ଖଳ ଏଵଂ ଏହାର ଅନ୍ୟତମ ପ୍ରତିଶବ୍ଦ ଵିଶୃଙ୍ଖଳ । ଏତଏଵ୍ ମୋହର ମତ ଯେ ଵିଶୃଙ୍ଗଳ ଅର୍ଥଜ ପୁରୀର ଉତୁକୁଳ ଶବ୍ଦଟି ବହୁତ ସମ୍ଭଵ ତତ୍ସମ ଉଚ୍ଛୃଙ୍ଖଳ ଵା ଉଚ୍ଛୃଙ୍ଖଳାର ତଦ୍ଭଵ ରୂପ ।
ଯେହେତୁ
ଉତ୍+ଶୃଙ୍ଖଳ = ଉଚ୍ଛୃଙ୍ଖଳ ହୋଇଅଛି । ଏଵଂ ଉଚ୍ଛୃଙ୍ଖଳରେ
ଉତ୍ ଉପସର୍ଗ ଅଛି
ଖ ଵର୍ଣ୍ଣ ଅଛି
ୃ କାର ଅଛି
ଳ ଵର୍ଣ୍ଣ ଅଛି
ଖ ହେଉଛି କ ର ମହାପ୍ରାଣ ତେଣୁ ଏହା ଶବ୍ଦ ସରଳୀକରଣ ସମୟରେ କ ରେ ପରିଵୃତ୍ତ ହୋଇପାରେ
ୃ କାର ଉଚ୍ଚାରଣ ଶେଷ ସମୟରେ ଉ ପରି ହୋଇଥାଏ ତେଣୁ ତାହା ମଧ୍ୟ ସହଜରେ ପରିଵର୍ତ୍ତନ ହୋଇପାରେ । ଉତ୍ ଉପସର୍ଗ ଉଚ୍ଛୃଙ୍ଖଳ ଶବ୍ଦ ମଧ୍ୟରେ ରହିଥିଵାରୁ ଏହାର ଉଚ୍ଚାରଣ ଉତ୍ଶୃଙ୍ଗଳ ପରି ହୋଇଥାଏ । ଅନୁମାନ କରାଯାଇପାରେ ଯେ ଉଚ୍ଛୃଙ୍ଖଳର ଉତ୍ଶୃଙ୍ଖଳ ଉଚ୍ଚାରଣରୁ ‘ଶ ଵର୍ଣ୍ଣ’ ଲୋପ ହୋଇ ତାହା ପୁରୀ ଓ ଏହାର ଆଖପାଖ ଅଞ୍ଚଳରେ ଉତୃଙ୍ଖଳ ଓ ଉତୁରୁଙ୍ଖଳ ଉଚ୍ଚାରଣ ହୋଇଥିଵ ଏଵଂ ଶେଷରେ ଉତୁକୁଳ ତଥା ଉତୁକୁଳିଆ ଵା ଉତୁକଳିଆ ହୋଇ ଚଳିଥିଵ ।
No comments:
Post a Comment