Friday, March 25, 2022

ଓଡ଼ିଆ ଶବ୍ଦ ଠେଲା


ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସଂସ୍କୃତଭାଷାର ମୂଳଧାତୁ ଶବ୍ଦ ସ୍ଥଳ ଧାତୁ କିମ୍ୱା ଟଳ ଧାତୁ ସହିତ ଠେଲା ଶବ୍ଦର ସମୋଦ୍ଧୃତଗତ ସମ୍ପର୍କ ଥିଵା ଅନୁମାନ କରାଯାଇଛି । ଅସ୍ତୁ ଠେଲା,ଠେଲିଵା କ୍ରିୟା ମୂଳ ଇଣ୍ଡିକଭାଷାରୁ ପୂର୍ଵୀ ପ୍ରାକୃତ ଦେଇ ଓଡ଼ିଆ ଭାଷାରେ ଚଳୁଅଛି ‌। ଠେଲା ଶବ୍ଦଟି କେଵଳ ଓଡ଼ିଆ ନୁହେଁ ଭାରତର ଵିଭିନ୍ନ ଇଣ୍ଡିକ୍ ଭାଷାରେ ପ୍ରଚଳିତ । ପୂର୍ଵୀ ପ୍ରାକୃତର 𑀞𑁂𑀮𑁆 (*ṭhel) ଶବ୍ଦଟି ଭାରତର ଓଡି଼ଆ, ବଙ୍ଗାଳୀ,ନେପାଳୀ, ଗୁଜରାଟୀ ଓ ହିନ୍ଦୀ ଆଦି ଭାଷାରେ ପ୍ରଚଳିତ ହୋଇଅଛି ।  ତେବେ ଓଡ଼ିଆ ଭାଷା ଅନ୍ୟ ଭାରତୀୟ ଇଣ୍ଡିକ୍ ଭାଷା ଅପେକ୍ଷା ସହସ୍ରାଧିକ ଵର୍ଷ ପୁରାତନ ହୋଇଥିଵାରୁ ଏଵଂ ପୂର୍ଵୀ ପ୍ରାକୃତର ଆଧୁନିକ ରୂପ ବୋଲି ଅନେକ ଗଵେଷକ ମତ ଦେଇଥିଵାରୁ ନିର୍ଦ୍ଵନ୍ଦରେ କୁହାଯାଇପାରେ ଯେ ଠେଲା ଶବ୍ଦଟି ପ୍ରଥମେ ଓଡ଼ିଆ ଭାଷାର ତାପରେ ଅନ୍ୟମାନେ ଗ୍ରହଣ କରିଛନ୍ତି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କଥା କଥିତ ଓଡ଼ିଆ ଶବ୍ଦକୋଷରେ ଏହି ଠେଲା ଶବ୍ଦର ଯେଉଁ ଯେଉଁ ଅର୍ଥ ସବୁ ଉଲ୍ଲେଖ ଅଛି ତାହା ଏଠାରେ ପ୍ରଦତ୍ତ ହେଲା...

କ)ପଛଆଡ଼ୁ ପେଲିଵା; ପେଲା

ଖ)ତଳୁ ଉପରକୁ ଚାପ

ଗ)ଲେଡ଼ା ଵା ଧକ୍କା

ଘ)ପାନବରଜୀଙ୍କ ଭାଖାରେ ବରଜର ଏକ ମୁଣ୍ଡରେ ଦୁଇଆଡ଼ୁ ଲଗାଯାଇଥିଵା ବାଉଁଶଦ୍ବୟକୁ ଠେଲା କୁହାଯାଏ । ଏହା ତାଟିକୁ ଦୃଢ଼ ଓ ସିଧା କରି ଠେଲି ରଖେ ଓ ତୋଫାନର ଦାଉରୁ ପାନବରଜକୁ ରକ୍ଷା କରେ...

ଙ)ଆଗେ ଗଡ଼ଜାତରେ ଗୋରୁଙ୍କ ରୋଗରେ ଵ୍ୟଵହୃତ ଏକଜାତୀୟ ଔଷଧ ଵିଶେଷକୁ ଠେଲା କୁହାଯାଉଥିଲା

ଚ)ପୁରୀ ଜିଲ୍ଲାର କେତେକ ଅଞ୍ଚଳରେ ଭୁଲ କଥା ହେଲେ ମଧ୍ୟ ନିଜ ବୁଝାମଣା ଓ ଯୁକ୍ତି ତର୍କରେ ଅଟଳ ରହୁଥିଵା ଲୋକଙ୍କୁ ଠେଲା ଵା ଠେଲାଲୋକ କୁହାଯାଏ

ଛ) ଗଡ଼ଜାତର କେତେକ ଅଞ୍ଚଳରେ ଗୁମ୍‌ଟିକୁ ଠେଲା କୁହାଯାଏ

ଜ)ଯାହା ଠେଲିରଖେ ତାକୁ ମଧ୍ୟ ଠେଲା କୁହାଯାଏ ।

ଝ)ଯାହାକୁ ଠେଲା ଯାଏ ତାକୁ ବି ଠେଲା କୁହାଯାଏ ଯଥା— ଠେଲା ଗାଡ଼ି...

ଠେଲା ଓ ଠେଲିଵା ଆଦି ଶବ୍ଦ ଆଜିର ନୁହେଁ । ସହସ୍ରାଧିକ ଵର୍ଷ ଧରି ଏ ଶବ୍ଦ ଓଡ଼ିଆରେ ଚଳୁଅଛି । ସେଥିପାଇଁ ନୂଆ ପୁରୁଣା ଉଭୟ ଜାତୀୟ ଓଡ଼ିଆ ସାହିତ୍ୟରେ ଏ ଶବ୍ଦ ବହୁଳ ଭାବରେ ଵ୍ୟଵହୃତ ହୋଇଅଛି । ଉଦାହରଣ ସ୍ୱରୂପ...

ସିଂହଦ୍ୱାରେ ଭିଡାଭିଡ଼ି ବାଜୁଅଛି ବେତବାଡ଼ି ଠେଲି ଦେଇ ଯିବା ମାଡ଼ି ଧକା ବାଜିଲେ ସହିବା ।୩।
(ଥକାମନ ଚାଲ ଯିଵା,ସାରିଆ ଭିକ)

ସୁନାସୀର-ପଦ କରଗତ ହେଲେ                           କେ ଠେଲି ଦେଇଛି ପଦେ ?
(କୀଚକ ଵଧ, ଗଙ୍ଗାଧର ମେହେର)

ଯମ ସିଂହାସନେ କଂସାର କବାଟ ବାମ ଗୋଡ଼େ ଦେଲି ଠେଲି, ଅନାଇ ଦେଲି ମୁଁ ଧର୍ମ ମଣ୍ଡପକୁ ଯମ ବସିଛି ଦେଖିଲି ।
(ଟୀକା ଗୋଵିନ୍ଦ ଚନ୍ଦ୍ର,ଯୋଗୀନ୍ଦ୍ର ଵିପ୍ର)

ଗହଳେ ଗଲେ ପେଲା ପେଲି । ସ୍ୱାମୀଙ୍କି ପକାଇଲେ ଠେଲି ।।

(ଓଡ଼ିଆ ଭାଗଵତ,ଦଶମ)

ଠେଲିଵା କ୍ରିୟାର ମୂଳ ଓଡ଼ିଆ ଧାତୁରୂପ “ଠେଲ ଧାତୁ”ରୁ ଅନେକ ଓଡ଼ିଆ ଶବ୍ଦ ସୃଷ୍ଟି ହୋଇଅଛି ‌ । ଯଥା ଠେଲ,ଠେଲା,ଠେଲଉଁଠେଲା,ଠେଲାଠେଲି,ଠେଲିଵା,ଠେଲାଇଵା,ଠେଲେଇଵା,ଠେଲାଗାଡି଼,ଠେଲାଜାଲ ଓ ଠେଲା ମାରିଵା ଇତ୍ୟାଦି...

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...