ଭାରତରେ ତୁତ୍ କୋଳି ଗଛର ଦେଶୀୟ species/ପ୍ରଜାତି ଵା ଉପଜାତି ହେଉଛି
Morus indica କିନ୍ତୁ Morus serrata ଜାତୀୟ ତୁତ୍ କୋଳି ଭାରତର ପୂର୍ଵୋତ୍ତର ରାଜ୍ୟ ଛଡ଼ା ଭାରତର ଅପହୃତ ଭୂଭାଗ ତିବତ୍ତ ତଥା ଵିଚ୍ଛିନ୍ନାଞ୍ଚଳ ନେପାଳରେ ମଧ୍ୟ ଦୃଶ୍ୟ ହୋଇଥାଏ ।
ସେହିପରି Morus macroura ନାମରେ ଏକ ଜାତୀୟ ତୁତ୍ କୋଳି ଗଛ ହିମାଳୟ ପର୍ଵତମାଳାର ଜଙ୍ଗଲମାନଙ୍କରେ ମଧ୍ୟ ଦେଖାଯାଏ ।
ଏହିପରି ତୁତ୍ କୋଳିର ପୃଥିଵୀରେ ପ୍ରାୟ ୧୫୦ରୁ ଅଧିକ species ଵା ପ୍ରଜାତି ରହିଛି । ତେବେ ପ୍ରାଚୀନ କାଳରୁ ନନ୍ଦୀଵୃକ୍ଷ ଓ ବ୍ରହ୍ମଦାରୁ ରୂପେ ପ୍ରସିଦ୍ଧ ଭାରତୀୟ ତୁତ କୋଳିରେ ମଧୁମେହ ରୋଗର ପ୍ରତିକାର ହେତୁକ ସାଧନ ଖଞ୍ଜି ଦେଇଛି ପ୍ରକୃତି । ଭାରତୀୟ ତୁତ୍ କୋଳି ଖାଇଵା ଦ୍ଵାରା ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ହ୍ରାସ ହୋଇଥାଏ ।
ତୁତ୍ କୋଳି ଗଛକୁ ପ୍ରାଚୀନ ଭାରତୀୟ ଶାସ୍ତ୍ରରେ... କ୍ରମୁକ,ଯୂଷ,ନନ୍ଦୀଵୃକ୍ଷ,ତୂତ,ବ୍ରହ୍ମଣ୍ୟ,ବ୍ରହ୍ମଦାରୁ,ତୁଳ,ପୀତ,ପୂଷ,ପୂଷକ,ଶମଠ,ସୁପୁଷ୍ପ ଓ ସୁରକ୍ତକ ଆଦି ଵିଭିନ୍ନ ନାମରେ ପରିଚିତ କରାଯାଇଛି ।
ତୁତକୋଳି ଗଛ Rosids ପାଦପ ବଂଶଶାଖା ଅନ୍ତର୍ଗତ Rosales ପାଦପ ଵର୍ଗ ତଥା Moraceae ପାଦପ ପରିଵାରରେ ଵର୍ଗୀକୃତ Morus ଜାତୀୟ ପାଦପ ଅଟେ ।
ଓଡ଼ିଶାରେ morus ଜାତୀୟ ଗଛକୁ
ତୁତ୍ କୋଳି,ଭାଲୁ କୋଳି,
ସଁବାଳୁଆ କୋଳି,ଚିତ୍ କୋଳି,ତିନ୍ତୁ କୋଳି,
ଜନ୍ଦା କୋଳି,ପିମ୍ପୁଡ଼ି କୋଳି,ଲିଚି,ତେନ୍ତୁ କୋଳି ଓ ଲୁଣି କୋଳି ଆଦି କୁହାଯାଏ ।
ତୁତ୍ ନାମଟି ଏହାର ସଂସ୍କୃତ ତତ୍ସମ ନାମ ସହିତ ସମୋଦ୍ଧୃତ । ସେହିପରି ତୁତ୍ ଶବ୍ଦରେ ଵର୍ଣ୍ଣପରିଵୃତ୍ତି ଯୋଗୁଁ ଚିତ୍,ତିନ୍ତୁ ଓ ତେନ୍ତୁ ଆଦି ନାମ ସୃଷ୍ଟି ହୋଇଛି ।
ପୁଣି ଏହି କୋଳିଟି ଦେଖିଵାକୁ ଭାଲୁ ଦେହର ରଙ୍ଗପରି ହୋଇଥିଵାରୁ ଏହାକୁ ଭାଲୁ କୋଳି କୁହାଯାଏ ।
ତୁତ୍ କୋଳି ଗଛରେ ଏକ ଜାତୀୟ ସଁବାଳୁଆ ପୋକ ଦେଖାଯାଉଥିଵାରୁ ଏହାକୁ ସଁବାଳୁଆ କୋଳି ମଧ୍ୟ କୁହାଯାଏ ।
ଚୀନ ଦେଶୀୟ ତୁତ୍ କୋଳି ଗଛ morus alba ଏ ଦେଶରେ ଆନୀତ ହୋଇ ଅନେକ ଲଗାଯାଇଛି । ସମ୍ଭଵତଃ ଚୀନ ଦେଶୀୟ ଲିଚୁ ଫଳର ଲିଚି ନାମଟି କେତେକ ଅଞ୍ଚଳରେ ଏହି ଜାତୀୟ ତୁତ୍ କୋଳି ପାଇଁ ପ୍ରଥମେ ଵ୍ୟଵହାର ହୋଇଥାଇପାରେ ।
ଓଡ଼ିଶାର କେତେକ ଅଞ୍ଚଳରେ ଏହି ତୁତ୍ କୋଳିକୁ ଜନ୍ଦା କୋଳି ଓ ପିମ୍ପୁଡ଼ି କୋଳି କୁହାଯାଏ । ବହୁତସମ୍ଭଵ ଏହି କୋଳିର ରଙ୍ଗ ଯୋଗୁଁ କିମ୍ବା ପିଲାଏ ଏହି ଗଛ ଚାରିପଟେ ପିମ୍ପୁଡ଼ି ଜନ୍ଦା ଚରିଲା ଭଳି ଚଢ଼ି ସବୁ ଚରିଯାଆନ୍ତି ବୋଲି ଏ କୋଳିର ଓଡ଼ିଆ ଭାଷାରେ ଏଭଳି ନାମକରଣ ହୋଇଥାଇପାରେ ।
No comments:
Post a Comment