ଦୁଇପାଦ ଵିଶିଷ୍ଟ ଗୀତକୁ ଆମ ଦେଶିଆ ଓଡ଼ିଆ ଭାଷାରେ ଚାଖନା ଗୀତ କୁହାଯାଏ । ଆଜିକାଲି ଏକ ଜାତୀୟ ଚାରିପଦିଆ ଗୀତକୁ ଅଣୁକଵିତା କୁହାଯାଉଛି। ତେବେ ଦେଶିଆ ଭାଖାର ଏହି ଚାରିପଦିଆ ଚାଖନା ଗୀତ ତହିଁଠାରୁ ମଧ୍ୟ କ୍ଷୁଦ୍ରାକାର ଏଵଂ ଲୋକଗୀତ ପଦଵାଚ୍ୟ ।
ଚାଖନା ଗୀତରେ ପ୍ରଥମ ପାଦରେ ଵିଷୟ ଅଵତାରଣା ଓ ଦ୍ଵିତୀୟ ପାଦରେ “ଗୀତ୍ କୁଡ଼ିଆ” ଵା “ଗୀତ୍ କୁଡ଼ିଆନି”ର ଅଭୀପ୍ସା ରୂପ ନେଇଥାଏ ।
ଦେଶିଆ ଭାଷାରେ ଚାଖନା ଗୀତର କେତୋଟି ଉଦାହରଣ :
୧. ବାରଙ୍ଗ ଦଉଡ଼ି ଟେଣ୍ଡକା ଫାଶ
ଆମ ଗାଁଏ ଭାରି ଆସ ।
ଅର୍ଥ: ବାରଙ୍ଗ ନାମ ଘାସରେ ତିଆରି ଫାଶରେ ଏଣ୍ଡୁଅ ପଡ଼ିଲା ପରି, ମୁଁ ତୋ ଫାଶରେ ପଡ଼ିଛି ଯେ, ଆ, ଆମ ଗାଁକୁ ଚାଲିଆ...
୨. ପାନି ମାରି କରି ଛେକିଲା ଖରା
ସତେ ପ୍ରୀତି ହେଲା ପରା ।
ଅର୍ଥ: ପ୍ରଥମରେ ପାଣି ଵର୍ଷା ହୋଇ ତା ପରେ ଖରା ହେଲେ ଯେମିତି ପ୍ରୀତିପ୍ରଦ ମନେ ହୁଏ, ତା’ର ଅନୁଭଵ ତୋତେ ପ୍ରକୃତ ପ୍ରୀତି କଲା ପରି ଯେ !
୩. କଞ୍ଚା ଜାମ ଡାଲ ଟିପ ସୁନ୍ଦର
ଖାଇଲେ ସିନା ମଧୁର ।
ଅର୍ଥ : ପାଚି ନଥିଵା ଜାମୁକୋଳି ଗଛର ଅଗ୍ରଭାଗ ଯେମିତି ସୁନ୍ଦର ସେମିତି, ତୋ ସହିତ ପିରତି ହେଲେ କେତେ ମଧୁର ଅନୁଭଵ ନ ହୁଅନ୍ତା ସତରେ ।
ଏହି ଚାଖନା ଗୀତର ଚାଖନା ନାମଟି ସଂସ୍କୃତ ଚକ୍ଷଣ ସହିତ ସମୋଦ୍ଧୃତ ।
ଚକ୍ଷଣ ଶବ୍ଦର ଅନେକ ଅର୍ଥ ରହିଛି
ଯଥା:-
କଥନ,ଚଟଣି,ମଦର ଚାଟୁ ଵା ଚାଖଣା, ମୁହଁସୁଆଦିଆ ଵା କ୍ଷୁଧାଵୃଦ୍ଧି କରିଵାପାଇଁ ଚାଟ୍ ଚାଖିଵା,ଚାଖିଵା ଓ କୃପାଦୃଷ୍ଟି ଵା ଅନୁଗ୍ରହ ଇତ୍ୟାଦି ।
ଦେଶିଆ ଜ୍ଞାନକୋଷ ଅନୁସାରେ...
“ଭାତ ଗିଳିଵାକୁ ଯେଉଁପରି ଚାଖଣା ଵା ଵ୍ୟଞ୍ଜନ ଲୋଡ଼ା ପଡ଼ିଥାଏ, ସେମିତି ଗୀତର ଅର୍ଥ ବୁଝିଵାକୁ ଗୀତର ଶେଷ ପାଦରେ ଗୁରୁତ୍ଵ ଦିଆଯାଇଥାଏ । ସେଥିପାଇଁ ଏହାକୁ ‘ଚାଖନା ଗୀତ’ କୁହାଯାଏ ।”
ମତାନ୍ତରେ ଚକ୍ଷଣ ଶବ୍ଦର "କଥନ" ଅର୍ଥ ଆଧାରରେ ଚାଖନା ଶବ୍ଦଟି ପରିଵୃତ୍ତ ହୋଇଥାଇପାରେ ।
ତଥ୍ୟ ଉତ୍ସ :—
୧) ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
୨)ଦେଶିଆ ଜ୍ଞାନକୋଷ
No comments:
Post a Comment