ଏ ଶବ୍ଦର ସମ୍ପର୍କ ମହାଭାରତର ଅର୍ଜୁନ-ଅଶ୍ବତ୍ଥାମା ଯୁଦ୍ଧର କାହାଣୀ ସହିତ ଥିଵା ଗୋପାଳ ଚନ୍ଦ୍ର ପ୍ରହରାଜ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅନୁମାନ କରିଛନ୍ତି ।
“ମହାଭାରତ ଯୁଦ୍ଧର ଶେଷରେ ଅଶ୍ଵତ୍ଥାମା ପାଣ୍ଡଵଙ୍କ ପାଞ୍ଚପୁତ୍ରଙ୍କୁ ରାତି ସମୟରେ ମାରିଦେଲେ । ତତ୍ପରେ ଅର୍ଜୁନ ଓ ଅଶ୍ଵତ୍ଥାମାଙ୍କ ମଧ୍ୟରେ ଯୁଦ୍ଧ ହେଲା ଓ ଦୁଇଜଣ ପରସ୍ପର ଉପରକୁ ବ୍ରହ୍ମାସ୍ତ୍ର ଛାଡି଼ଦେଲେ । ସେହି ସମୟରେ ଵେଦଵ୍ୟାସ ସେଠାକୁ ଆସି ଯୁଦ୍ଧକୁ ବନ୍ଦ କରିଵାକୁ ଵିଭିନ୍ନ ନୀତିଵାକ୍ୟ ସହିତ ଉଭୟଙ୍କୁ ବୁଝାଇଲେ । ଵେଦଵ୍ୟାସ ବୁଝାଇଵାରୁ ଅର୍ଜୁନ ନିଜଦ୍ଵାରା ପ୍ରେରିତ ବ୍ରହ୍ମାସ୍ତ୍ରକୁ ଶାନ୍ତ କରି ଫେରାଇନେଲେ କିନ୍ତୁ ଅଶ୍ଵତ୍ଥାମାଙ୍କୁ ବ୍ରହ୍ମାସ୍ତ୍ର ଫେରାଇନେଵା ଜ୍ଞାନ ନଥିଲା ଏଵଂ ଏକଥା ସେ ଵେଦଵ୍ୟାସଙ୍କୁ କହିଲେ । ସେଇଠୁ ଵେଦଵ୍ୟାସ ଉକ୍ତ ବ୍ରହ୍ମାସ୍ତ୍ରର ଦିଗ ପରିଵର୍ତ୍ତନ କରିଵାକୁ ଆଦେଶ ଦେଲେ । ସେତେବେଳେ ଅଶ୍ଵତ୍ଥାମା ସେ ବ୍ରହ୍ମାସ୍ତ୍ରକୁ ଅଭିମନ୍ୟୁଙ୍କ ସ୍ତ୍ରୀ ଉତ୍ତରାଙ୍କ ଗର୍ଭକୁ ନିକ୍ଷେପ କଲେ । ତେବେ ଅଶ୍ବତ୍ଥାମା ଉତ୍ତରାଙ୍କ ଗର୍ଭକୁ ଶର ନିକ୍ଷେପ କଲାବେଳେ ଶ୍ରୀକୃଷ୍ଣ ଚକ୍ର ଉହାଡ଼ କରି ପରୀକ୍ଷିତଙ୍କୁ ରକ୍ଷା କରିଥିଲେ ।”
ମତାନ୍ତରେ ଚକ୍ର ଓ ଛେମଣ୍ଡ ଶବ୍ଦର ପରିଵର୍ତ୍ତିତ ରୂପ ଚକରଛେଉଣ୍ଡ ଵା ଚକରଛେଣ୍ଡା ।
ଚକ୍ର ଶବ୍ଦର ଅର୍ଥ କେଵଳ ଚକ୍ର ନାମକ ଅସ୍ତ୍ର ଵା ଗାଡି଼ର ଚକ ନୁହେଁ ଵରଂ ଏ ଶବ୍ଦର ଗ୍ରାମସମୂହ ଵା ଚକଲା, ଦଳ,ସମୂହ,ପ୍ରଦେଶ,ଜିଲ୍ଲା ଓ ରାଜ୍ଯ ଆଦି ଅର୍ଥ ମଧ୍ୟ ରହିଛି ।
ଚକ୍ରଛେଉଣ୍ଡ ଶବ୍ଦକୁ "ଵାସହୀନ, ବାରବୁଲା,ଛତରା,ଦୁଷ୍ଟ ଓ ବଗୁଲିଆ" ଆଦି ଅର୍ଥରେ ଏକ ଗାଳି ଶବ୍ଦ ରୂପେ ଵ୍ୟଵହାର କରାଯାଉଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି ।
ଯେଉଁ ପିଲାର ନିଜର ସାମାଜିକ ଦଳ ରୂପ ପରିଵାର ନଥାଏ , ଯେଉଁ ପିଲାର ପରିଵାର ନଥିଵାରୁ ସେ କୌଣସି ନିର୍ଦ୍ଦିଷ୍ଟ ଗ୍ରାମ , ଜିଲ୍ଲା ଵା ରାଜ୍ୟରେ ଵାସନକରି ବାରବୁଲା ହୋଇ ଏଣେ ତେଣେ ବୁଲାଥାଏ ସେ ପିଲାକୁ ହୁଏତ ପୂର୍ଵେ ଚକ୍ର ଓ ଛେମଣ୍ଡ ଶବ୍ଦ ଯୁକ୍ତ କରି ଚକ୍ରଛେମଣ୍ଡ ଓ ପରେ ଚକରଛେଉଣ୍ଡା ତଥା ଚକରଛେଣ୍ଡା ଆଦି କୁହାଯାଇଥିଲା ।
No comments:
Post a Comment