Pantsକୁ ଅନେକେ ଭାଵନ୍ତି ଵୈଦେଶିକ ଆଵିଷ୍କାର କିନ୍ତୁ ଆଜିଯାଏଁ ମିଳିଥିଵା ପୃଥିଵୀର ସବୁଠାରୁ ପୁରୁଣା ପ୍ୟାଣ୍ଟ୍ର ଅଵଶେଷ ଚୀନରୁ ମିଳିଛି । ଏଥିରୁ ସ୍ପଷ୍ଟ ହୁଏ ଯେ ପ୍ୟାଣ୍ଟ୍ ପାଶ୍ଚାତ୍ୟ ନୁହେଁ ପ୍ରାଚ୍ୟରେ ପ୍ରଥମେ ଆଵିଷ୍କୃତ ପରେ ପାଶ୍ଚାତ୍ୟ ଦେଶମାନଙ୍କରେ ଅନୁସୃତ ।
ଓଡ଼ିଶାରେ ପୂର୍ଵେ ପ୍ରଚଳିତ ପାରମ୍ପରିକ ପ୍ୟାଣ୍ଟ୍କୁ #ଗନ୍ତାଇ କୁହାଯାଉଥିଲା । ଏହି ଧରଣର ପ୍ୟାଣ୍ଟ୍ ରାଜପୁରୁଷ ଓ ରାଜକର୍ମଚାରୀମାନେ ପିନ୍ଧୁଥିଲେ । ମୋଗଲକାଳରେ ଓଡ଼ିଶାକୁ ଆସିଥିଲା ପାର୍ସୀ ମୂଳର ଵୈଦେଶିକ ପାଜାମା ଶବ୍ଦ ଯାହା କେତେକ ଵର୍ଷ ଯାଏଁ ଓଡ଼ିଆ ଭାଷାରେ #ପାଇଜାମା ରୂପେ ପ୍ରଚଳିତ ମଧ୍ୟ ଥିଲା । ଏବେ ବି ଓଡ଼ିଶାର ପୂର୍ଵାଞ୍ଚଳରେ କେଉଁଠି କେଉଁଠି ଏ ଶବ୍ଦ ପ୍ରୟୋଗ ହେଉଥିଵା ଜଣାଯାଏ
ଓଡ଼ିଶାର କେତେକ ଅଞ୍ଚଳରେ ପ୍ୟାଣ୍ଟକୁ #ଟିପେଇ କୁହାଯାଏ । ଶଗଡ଼ରୁ ବଳଦଙ୍କୁ ଖୋଲି ଠିଆ କଲାବେଳେ ଶଗଡ଼ର ଅଗପଟ (ହଂସମୁଣ୍ଡି) ତଳେ ଗୋଟିଏ ଓଲଟା "Y" ଆକାର ର କାଠ ର ଭରା ଦେଇ ରଖା ହୁଏ ତାକୁ "ଟିପେଇ" କୁହନ୍ତି । ପ୍ୟାଣ୍ଟଟି ସେଇ ଆକାରର ହୋଇଥିଵାରୁ ତାକୁ ମଧ୍ୟ ଟିପେଇ କୁହାଯାଏ | ସେହିଭଳି ଭାଷାକୋଷ ଅନୁସାରେ ଆଗେ ଗଞ୍ଜାମରେ Halfpantକୁ #ଶିରେଇ କୁହାଯାଉଥିଲା ।
ପ୍ୟାଣ୍ଡର ଆକାର ହାତୀର ଶୁଣ୍ଢପରି ହୋଇଥିଵାରୁ କେହି କେହି ଓଡ଼ିଶାରେ ଏହାକୁ #ହାତୀଥୋଡ଼ ତଥା
#ହାତୀଖୋଜିଆ କହିଥାନ୍ତି ।
ଓଡ଼ିଶାର କେତେକ ଅଞ୍ଚଳରେ #ନାଳୁଆ ଶବ୍ଦ ମଧ୍ୟ ପ୍ୟାଣ୍ଟ୍ ଅର୍ଥରେ ପ୍ରଚଳିତ । ନଳ ଆକାରର ଦରଵକୁ ନଳିଆ,ନଳୁଆ କୁହାଯାଏ । full pants ମଧ୍ୟ ନଳାକାର ହେଉଥିଵାରୁ ବୋଧହୁଏ ଏହାକୁ ନାଳୁଆ କୁହାଯାଉଥିଲା । ଅଵଶ୍ୟ ନାଳୁଆ ଶବ୍ଦଟି ଅନ୍ୟ କେତେକ ଅଞ୍ଚଳରେ ଅଶ୍ଳୀଳ ଅର୍ଥରେ ପ୍ରୟୋଗ ହୋଇଥାଏ । ଝିଅଙ୍କ ପଛରେ ପଡି଼ଥିଵା ଲୁଙ୍ଗୁଡ଼ା ଯୁଵକକୁ ନାଳୁଆ କୁହାଯାଏ ତେଣୁ ଏ ଶବ୍ଦଟି କେବେ ଗ୍ରାମାଞ୍ଚଳ ଛାଡ଼ି ନଗରାଞ୍ଚଳରେ ଲୋକପ୍ରିୟ ହୋଇପାରିନାହିଁ ।
ପୁରୀବୋଲୀ ତଥା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ #ଗାଣ୍ଡିମୁଣା ଶବ୍ଦଟି ପ୍ୟାଣ୍ଟ୍ ଅର୍ଥରେ କେତେକ ଅଞ୍ଚଳରେ ଵ୍ୟଵହୃତ ହେଉଥିଲା ବୋଲି ଉଲ୍ଲେଖ ଅଛି। ତେବେ ଗାଣ୍ଡି ଶବ୍ଦଟି କେତେକ ଅଞ୍ଚଳରେ ଅଶ୍ଳୀଳ ହୋଇଥିଵାରୁ ଏ ଶବ୍ଦକୁ ଓଡ଼ିଶାର ସଭ୍ୟସମାଜ କେବେ ଗ୍ରହଣ କରିପାରିନାହିଁ । ଅନୁମାନ କରାଯାଇପାରେ ଯେ ଵୈଦେଶିକ ପ୍ୟାଣ୍ଟ୍ ଏ ଦେଶରେ ପ୍ରଚଳିତ ହେଵା ସମୟରେ ତତ୍କାଳୀନ ନଵ୍ୟଯୁଵକଗଣ ଏହି ଜାତୀୟ ପ୍ୟାଣ୍ଟ୍ ପିନ୍ଧିଵାରୁ ସେହି ଆଧୁନିକ ପ୍ୟାଣ୍ଟ୍ର ଵ୍ୟଙ୍ଗାର୍ଥକ ନାମକରଣ ହେତୁକ ଏ ଶବ୍ଦ ସୃଷ୍ଟି ହୋଇଥିଲା ।
ଓଡ଼ିଶାରେ ପ୍ୟାଣ୍ଟ୍ ଅର୍ଥରେ ଏତେ ଶବ୍ଦ ଥିଲେ ବି କୌଣସି ଦେଶଜ ଶବ୍ଦ ସାରା ଓଡ଼ିଶାରେ ପ୍ରଚଳିତ ହୋଇ ମାନକ ଓଡ଼ିଆ ଭାଷା ଵା ବହିଭାଷାରେ ଗୃହୀତ ହୋଇପାରିଲା ନାହିଁ । ଫଳତଃ ଆଜି ଓଡ଼ିଶାରେ ଇଂରାଜୀ Pant ଶବ୍ଦର
ଓଡ଼ିଆ ରୂପ ପେଏଣ୍ଟ,ନଳୀ ପେଏଣ୍ଟ
,ପୁରା ପେଏଣ୍ଟ ଓ ଫୁଲୁ ପେଏଣ୍ଟ ଆଦି ଶବ୍ଦ ବହୁ ପ୍ରଚଳିତ ହୋଇ କଥିତ ଭାଷାରେ ପ୍ରୟୋଗ ହେଉଅଛି ।
No comments:
Post a Comment