ସାପ ଆଦି କେତେକ ଜାତୀୟ ସରିସୃପ ନିଜ କାତି ଛାଡିଥାନ୍ତି । ଇଂରାଜୀ ଭାଷାରେ ସାପର କାତିକୁ Slough କୁହାଯାଏ ।
ଓଡ଼ିଆ ଭାଷାରେ ସାପର କାତିକୁ ସାପକାତି,ଖୋଳ,ଖୋଳପା,ଖୋଳସ
,ଖୋଳି,ସାପ ଜୋଗ,କଞ୍ଚୁକ,ତ୍ବଚ୍,ନିର୍ମୋକ
,ଲୋଚକ ଓ ଶଳ୍କ ଆଦି କୁହାଯାଏ ।
ସେହିପରି ସାପର କାତିକୁ ଝାରସୁଗୁଡ଼ାରେ ଜୋଖ୍ କୁହାଯାଏ ବୋଲି କଥିତ ଓଡ଼ିଆ ଶବ୍ଦକୋଷରେ ଲେଖାଅଛି ।
ସାପକାତି ଅର୍ଥଜ ଏହି ଜୋଖ୍ ଶବ୍ଦ ଗଡ଼ଜାତରେ ଜୋକ୍,ଜୋଗ୍ ଆଦି ରୂପରେ ମଧ୍ୟ ପ୍ରଚଳିତ ଏଵଂ ଏହାର ଓଡ଼ିଆ ରୂପ ଜୋଗ(ଯୋଗ ନୁହେଁ) ଅଟେ ।
ଜୋକ୍,ଜୋଖ୍,ଜୋଗ୍ ତଥା ଜୋଗ ଆଦି ଶବ୍ଦ ଦେଖି କେହି କେହି ଭାବି ପାରନ୍ତି ଏହା କୌଣସି ଜନଜାତୀୟ ଭାଷା ମୂଳର ଶବ୍ଦ ହୋଇଥିଵ କିନ୍ତୁ ପ୍ରକୃତରେ ଶାସ୍ତ୍ରୀୟ "ଜହକ" ଶବ୍ଦ ଓଡ଼ିଆରେ ଜୋକ୍, ଜୋଖ୍ ଓ ଜୋଗ ଆଦିହୋଇଅଛି।
ତତ୍ସମ ଜହକ ଶବ୍ଦ ପରିଵୃତ୍ତ ହୋଇ ଜୋକ୍,ଜୋଖ୍ ତଥା ଜୋଗ ହୋଇପାରେ ।
ଜହକ ଶବ୍ଦର ମଧ୍ୟରେ ହ ଵର୍ଣ୍ଣ ଅଛି ଯାହା ଏକ ମହାପ୍ରାଣ ଅଵର୍ଗ୍ୟ ଵର୍ଣ୍ଣ ଏଵଂ ଅଵର୍ଗ୍ୟ ଵର୍ଣ୍ଣଗୁଡି଼କ ଅତି ସହଜରେ ସ୍ଵରଵର୍ଣ୍ଣରେ ପରିଵୃତ୍ତ ହୋଇଥାନ୍ତି ।
ଜହକ ଶବ୍ଦଟି ଵିଶେଷ୍ୟ ତଥା ଵିଶେଷଣ ଶବ୍ଦ ଭାବେ ପ୍ରୟୋଗ ହୋଇଥାଏ ।
ପରିତ୍ୟାଗକାରୀକୁ ଜହକ କୁହାଯାଏ ।
ସେହିପରି ଵିଶେଷ୍ୟ ଶବ୍ଦ ଭାବେ ଜହକ ଶବ୍ଦଟି ସମୟ ଵା କାଳ,ବାଳକ ତଥା ସାପକାତି ଅର୍ଥରେ ପ୍ରୟୋଗ ହୋଇଥାଏ ।
ଏହି ଜହକ ଶବ୍ଦକୁ ସଂସ୍କୃତଭାଷାର ଧାତୁଶବ୍ଦ ହା ଧାତୁରୁ ନିଷ୍ପନ୍ନ କରାଯାଇଛି ।
ହା ଧାତୁରୁ ତ୍ଯାଗ କରିଵା,ଯିଵା,ଗତି କରିଵା ଆଦି ଅର୍ଥରେ "ଜହ୍ନୁ(ଧର୍ମପାଇଁ ସଂସାର ତ୍ୟାଗ କରିଥିଲେ)",ଜାହକ(ଜୋକ,ଓଧ,ଵିରାଡି଼,ଏଣ୍ଡୁଅ, ଗେଣ୍ଡା
),ଜିହାନ,ଜିହାସା(ଘୃଣା,ତ୍ୟାଗ କରିଵାର ଇଚ୍ଛା),ଜିହ୍ମ(ଢାଲୁ),ହାୟନ(ଵର୍ଷ;ଏହି ଶବ୍ଦରୁ ଆଗ୍ରହାୟଣ ଶବ୍ଦ ହୋଇଅଛି),ହାଳୀ(କନିଷ୍ଠା ଶାଳିକା ସ୍ତ୍ରୀଙ୍କ ସାନ ଭଉଣୀ),ହାଳୁ(ଦାନ୍ତ, ମୁହଁ) ଓ ହୀନ(ନୀଚ୍ଚ) ଆଦି ଶବ୍ଦ ନିଷ୍ପନ୍ନ କରାଯାଇଛି ।
ସମୟ ସବୁ କ୍ଷଣକୁ ତ୍ୟାଗକରି ଆଗକୁ ବଢି଼ଚାଲିଯାଏ ତେଣୁ ତାକୁ ଜହକ କୁହାଗଲା
ବାଳକ ମଧ୍ୟ ପ୍ରାୟତଃ ଯେକୌଣସି ସମୟରେ ଦୀର୍ଘଶଙ୍କା ଲଘୁଶଙ୍କା ତ୍ୟାଗ କରେ ବାନ୍ତି ମଧ୍ୟ କରିପାରେ ତେଣୁ ତାକୁ ଜହକ କୁହଗଲା
ଠିକ୍ ସେହିଭଳି ସାପ ନିଜର ଚର୍ମ ତ୍ୟାଗ କରିଦିଏ କାରଣ ଆମ ଭଳି ତାହାର ବୃଦ୍ଧି ସହ ତା ଚର୍ମର ବୃଦ୍ଧି ଘଟେ ନାହିଁ ତେଣୁ ସେ ନିଜର ତ୍ଵଚ୍ ଵା ଚର୍ମକୁ ତ୍ୟାଗକରି ଦେଇଥାଏ ।
No comments:
Post a Comment