ବଡ଼ ଜୋରରେ ହେଉଥିଵା କାଶକୁ
ଗଡ଼ଜାତରେ ଠେଙ୍ଗାଖାସ,ଠେଙ୍ଗାଖାସି କୁହାଯାଏ । ଓଡ଼ିଶାର ଅନ୍ୟ କେତେକ ଅଞ୍ଚଳରେ ଏହି ଜାତୀୟ କାଶ ଵା ଖାସକୁ ସମାକାଶ, ଶୁଖିଲା ଖାସ ଆଦି କୁହାଯାଏ ।
ଏହି ଶବ୍ଦକୁ ନେଇ ଏକ ପ୍ରଵଚନ ଓଡ଼ିଆ ସମାଜରେ ପ୍ରଚଳିତ...
"ଖୁଖି ଖାସି ବାରମାସି
ଠେଙ୍ଗା ଖାସି ପରାନ୍ ନେସି।"
ଅର୍ଥାତ୍ ସାଧାରଣ ଖାସ ଵା କାଶ ଅପେକ୍ଷା ଠେଙ୍ଗା ଖାସି /ଶୁଖିଲା ଖାସ ଅଧିକ କଷ୍ଟଦାୟକ ଓ ପ୍ରାଣନାଶକ ।
ଏହି ଧରଣର ଆଉ ଏକ ଶବ୍ଦ ଠେଙ୍ଗାଜର । ସାଧାରଣତଃ ଡେଙ୍ଗୁ ଜାତୀୟ ଜରକୁ ଠେଙ୍ଗାଜର କୁହାଯାଏ ।
ଉଭୟ ଠେଙ୍ଗାଖାସି ଓ ଠେଙ୍ଗାଜର କ୍ଷେତ୍ରରେ ଭୀଷଣ , ବଡ଼ ଅର୍ଥରେ ଠେଙ୍ଗା ଶବ୍ଦ ଯୁକ୍ତ ହୋଇଥିଵା ଅନୁମାନ କରାଯାଇପାରେ ।
ଠେଙ୍ଗା ଆକାରରେ ଲମ୍ବ ଓ ବଡ଼ ହୋଇଥିଲାବେଳେ ବାଡ଼ି କ୍ଷୁଦ୍ରାକାର ଓ ଛୋଟ ହୋଇଥାଏ । ତେଣୁ ବଡ଼ ଅର୍ଥରେ ଠେଙ୍ଗାଖାସି ଓ ଠେଙ୍ଗାଜର ଶବ୍ଦରେ ଠେଙ୍ଗା ଶବ୍ଦ ଯୁକ୍ତ ହୋଇଥିଵା ଅନୁମିତ ହେଇଥାଏ ।
ମତାନ୍ତରେ ଓଡ଼ିଆ ଠେଙ୍ଗ(ଉଚ୍ଚଭୂମି,ଗୋଡ଼,ଜଙ୍ଘ) ଶବ୍ଦ ସହିତ ଏ ଶବ୍ଦ ସମୋଦ୍ଧୃତ ଅଟଇ ।
ବୌଦ୍ଧ ଜିଲ୍ଲାରେ "ଠେଙ୍ଗ୍ ଵାଙ୍ଗର" ଶବ୍ଦ ଉଚ୍ଚା ନିଚା ଅର୍ଥରେ ଚଳୁଥିଵା କଥିତ ଓଡ଼ିଆ ଶବ୍ଦକୋଷରେ ଲେଖାଅଛି ସେହିପରି ଉଚ୍ଚଭୂମିକୁ ଠେଙ୍ଗ ମଧ୍ୟ କୁହାଯାଏ ବୋଲି ଏହି ଶବ୍ଦକୋଷରେ ଉଲ୍ଲେଖ ହୋଇଛି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଧ୍ୟ ଠେଙ୍ଗ ଶବ୍ଦର ତିନୋଟି ଅର୍ଥ ଲେଖାଯାଇଅଛି ।
କ) ଉଚ୍ଚ ଭୂମି; ଢିପା ଜମି
(ଯେଉଁ ଜମିରେ ଧାନ ଆଦି ଫସଲ ଭଲ ହୁଏ ନାହିଁ)
ଖ)ଗୋଡ଼
ଗ)ଚଟୁଆ; ଜଙ୍ଘ
ଘ) ଢିପା(ଵିଶେଷଣ)
ଏହି ଠେଙ୍ଗ ଶବ୍ଦଟି ସଂସ୍କୃତର ଟଙ୍କ ଶବ୍ଦ ସହିତ ସମୋଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖିତ ।
ଭାଷାକୋଷରେ ଟଙ୍କ ଶବ୍ଦର ନିମ୍ନୋକ୍ତ ଅର୍ଥ ଉଲ୍ଲେଖ ଅଛି...
🟣ଟଙ୍କ (ତତ୍ସମ ଵିଶେଷ୍ୟ)
୧)ପାହାଡ଼; କ୍ଷୁଦ୍ର ଶୈଳ
୨)ଗଣ୍ଡ ଶୈଳ; ପର୍ଵତ ଦେହରୁ ବିଚ୍ଯୁତ ବଡ଼ ପଥରଖଣ୍ଡ
୩)ଖଡ୍ଗ
୪)ଟାଙ୍ଗର ଭୂମି
୫)ଖଡ୍ଗକୋଷ; ଖଣ୍ଡାର ଖାପ
୬)ଏକ ପ୍ରକାର ସରୁ କୋଡ଼ି; ଖଣତା
୭)କ୍ରୋଧ; ରାଗ
୮)ଗର୍ବ
୯)ପରିମାଣ ଵିଶେଷ
( A weight of 4 'masas' or 68 grains 2/5 of a tola/ସ୍ଥଳବିଶେଷରେ ଏହା 3 ମସା ଵା 24 ରତି ପରିମାଣ ବୋଲି ଧରାଯାଏ।)
୧୦)ଗୋଡ଼
୧୧)ମୁଦ୍ରା
୧୩)ପଥର କାଟିବାର ଅସ୍ତ୍ର; ଟାଙ୍ଗିଆ—୧୪)ରୌପ୍ଯ ମୁଦ୍ରା
୧୫)ଟଙ୍କା
୧୬)ଜଙ୍ଘ
୧୭)ଟାଙ୍ଗଣା; ମୁହାଗା(Borax)
୧୮)କୁରାଢ଼ି; ପରଶୁ
୧୯)କୋଷ; ଧନାଗାର
୨୦)ଶ୍ରୀ, ଭୈରଵ ଓ କାନଡ଼ ରାଗ ଯୋଗ ହୋଇ ରଚିତ ସମ୍ପୂର୍ଣ୍ଣ ଜାତିର ରାଗିଣୀ
୨୧)ନୀଳ କପିତ୍ଥ
୨୨)ଏକ କଣ୍ଟକୀ ଗଛ ୟହିଁ ରେ ବେଲ ବା କଇଥ ପରି ଫଳ ଧରେ (ହି. ଶବ୍ଦସାଗର)
🟠ଟଙ୍କ(ଦେଶଜ ଵିଶେଷ୍ୟ)
୧)ଅମ୍ଳସ୍ବାଦ; ଅମ୍ଳରସ; ଅମ୍ଳତା
🟤ଟଙ୍କ(ଦେଶଜ ଵିଶେଷଣ)
୧)ଅତ୍ଯନ୍ତ ଖଟା ଲାଗୁଥିଵା ଅତି ଅମ୍ଳ(Very sour)
ସଂସ୍କୃତ ଭାଷାରେ କମ୍ ଉଚ୍ଚ ପାର୍ଵତ୍ୟ ଭୂମିକୁ ଟଙ୍କ କୁହାଯାଉଥିଲା ସେହିପରି ଓଡ଼ିଆ ଭାଷାରେ ଠେଙ୍ଗ ଶବ୍ଦ ଉଚ୍ଚ ଭୂମି ଅର୍ଥରେ ପ୍ରୟୋଗ ହେଉଥିଲା ।
ସମୟ ସହିତ ସେହି ଠେଙ୍ଗ ଶବ୍ଦଟି ଉଚ୍ଚ ଅର୍ଥ ଘେନି ଠେଙ୍ଗା ରୂପେ ଠେଙ୍ଗାଖାସି ଓ ଠେଙ୍ଗାଜର ଆଦି ଶବ୍ଦ ସହିତ ଯୁକ୍ତ ହୋଇଅଛି ।
ତେଣୁ ଠେଙ୍ଗାଖାସି ଓ ଠେଙ୍ଗାଜର ଶବ୍ଦଦ୍ଵୟରେ ଥିଵା ଠେଙ୍ଗା ଶବ୍ଦଟି ଭୀଷଣ,କଷ୍ଟଦାୟକ,ଉଚ୍ଚ ଆଦି ଅର୍ଥରେ ଵ୍ୟଵହାର ହୋଇଥିଵା ସମ୍ଭଵ ...
No comments:
Post a Comment