ଯଥା—
(କ)ଓଡ଼ିଆ ଭାଷାରେ ନାନା ଶବ୍ଦର ଅର୍ଥ ଵିଭିନ୍ନ କିନ୍ତୁ କୁଣ୍ହା/କିସାନ ଭାଷାରେ ନାନା ଶବ୍ଦର ଅର୍ଥ ଅଙ୍କନ ଅଟେ ।
(ଖ)ଆରବୀ ଭାଷା ମୂଳର ରାଜି ଶବ୍ଦର ଅର୍ଥ ହେଲା 'ସମ୍ମତି' କିନ୍ତୁ କୁଣ୍ହା ଭାଷାରେ ଅଞ୍ଚଳ ଅର୍ଥରେ ରାଜି ଶବ୍ଦ ପ୍ରୟୋଗ କରାଯାଏ
(ଗ) ସମ୍ବଲପୁରୀ ଓଡ଼ିଆରେ କାଣା ଶବ୍ଦର ଅର୍ଥ କ'ଣ ଅଟେ କିନ୍ତୁ କୁଣ୍ହା ଭାଷାରେ ଅନ୍ଧକୁ କାଣା କୁହାଯାଏ । ଉଲ୍ଲେଖଯୋଗ୍ୟ ଯେ ଗୋଟିଏ ଆଖି ନଥିଵା ଲୋକକୁ ଓଡ଼ିଆ ଭାଷାରେ କଣା ତଥା ସଂସ୍କୃତ ଭାଷାରେ କାଣ କହିଥାନ୍ତି ।
(ଘ)କୁଣ୍ହାରେ ଅନ୍ଧାରକୁ ଉହା କୁହାଯାଏ କିନ୍ତୁ ଓଡ଼ିଆ ଭାଷାରେ ତତ୍ସମ ଊହା ସହିତ ସମୋଦ୍ଧୃତ ଉହା ଶବ୍ଦ ଅନୁମାନ ଅର୍ଥରେ ପ୍ରୟୋଗ କରାଯାଏ। ଏକ ଜାତୀୟ ପାତ୍ର,କମାର ତଥା କୁମ୍ଭାରଙ୍କ ଚୂଲିକୁ ମଧ୍ୟ ଉହା କୁହାଯାଏ । ଲୁହା ଘଷିଵା ଯନ୍ତ୍ର,ମଦଭାଟି,ଧାତୁ ଆଉଟିଵା କୋଇ ନାମକ ପାତ୍ର ତଥା ଜର ଯୋଗୁଁ ଜାତ ହେଵା ବ୍ରଣକୁ ବି ଓଡ଼ିଆ ଭାଷାରେ ଉହା କୁହାଯାଇଥାଏ ।
(ଙ)ପଣ୍ଯଦ୍ରବ୍ଯ ଵା ଦେଣମେଣର ସ୍ମାରକ ଲିପି(ହାତ ଚିଠା)କୁ ସାଧାରଣତଃ ଓଡ଼ିଆ ଭାଷାରେ ଚିଠା କୁହାଯାଏ । ସେହିପରି
କୌଣସି ଦଲିଲର ମୌଳିକ ପାଣ୍ଡୁଲିପି ଵା ଖସଡ଼ା,ଜମିର ଭଉଁରିଆ,ଜମିଦାରିସଂକ୍ରାନ୍ତ ଜମିଜମା ଲେଖାଥିଵା କାଗଜ ଵା ତାଲିକା/ ଖସଡ଼ା,ଵଣିକର ଦୈନିକ ଆୟଵ୍ୟୟର ମୋଟାମୋଟି ଖାତାକୁ ମଧ୍ୟ ଚିଠା କହିଥାନ୍ତି କିନ୍ତୁ କୁଣ୍ହା ଭାଷାରେ ଅଶ୍ଵତ୍ଥ ଗଛକୁ "ଚିଠା" କୁହାଯାଏ ।
(ଚ) ଓଡ଼ିଆ ଭାଷାରେ କେତେକ ଅଞ୍ଚଳରେ ନିଶକୁ ମେଚ୍ଛା କୁହାଯାଏ ତେବେ କୁଣ୍ହା ଭାଷାରେ ଉଚ୍ଚତାକୁ ମେଚ୍ଛା କହିଥାନ୍ତି ।
(ଛ) କନ୍ଧମାଳ ଜିଲ୍ଲାରେ ଦେଵତାଙ୍କୁ ପେନୁ କୁହାଯାଏ ତେବେ କୁଣ୍ହା ଭାଷାରେ ଉକୁଣିକୁ ପେନୁ କୁହାଯାଏ।
(ଜ) ଓଡ଼ିଆ ଭାଷାରେ ବେଡ଼ା ଶବ୍ଦ ସାଧାରଣ ଅର୍ଥ ଓଲା ପୁଣି ଗଛର ଶୁଖିଲା ଡାଳିଆ,ବେଢ଼ା,ଝାଟି ମାଟି ବାଡ଼,ଖାଳୁଆ ଵା ଗଭୀର ଜମି, ଧୋଇଆ ଜମି,ପାହାଡ଼ରୁ ଵା ଉଚ୍ଚ ଜାଗାରୁ ଗଡ଼ିଵା ପାଣିକୁ ବନ୍ଧ ପକାଇବା ଅଟକାଇ ରଖାଯିଵା ଛୋଟ ପୁଷ୍କରିଣୀ(ଏ ଧରଣର ଏକ ଜାତୀୟ ବନ୍ଧକୁ କଟା କୁହାଯାଏ),ପଡି଼ଆ ତଥା ଅଵିଵେକୀ ଲୋକକୁ ମଧ୍ୟ ଓଡ଼ିଶାର ଭିନ୍ନ ଭିନ୍ନ ଅଞ୍ଚଳରେ ବେଡ଼ା କହିଥାନ୍ତି । ହେଲେ ସକାଳ ଓଳି ମଧ୍ୟରେ ଵ୍ୟଵହୃତ ଓଳି ଅର୍ଥରେ କୁଣ୍ହା ଵା କିସାନ ଭାଷାରେ ବେଡ଼ା ଶବ୍ଦ ପ୍ରୟୋଗ କରାଯାଇଥାଏ ।
(ଝ) ଓଡ଼ିଆ ଭାଷାରେ କଟିଦେଶକୁ ଅଣ୍ଟା କୁହାଯାଏ ପୁଣି ଅଣ୍ଟିଵା କ୍ରିୟାର ଏକ କ୍ରିୟାରୂପ ମଧ୍ୟ ଅଣ୍ଟା ତଥା ଆଣ୍ଟୁଆ ଶବ୍ଦର ଏକ ଶବ୍ଦରୂପ ମଧ୍ୟ ଅଣ୍ଟା ଅଟେ ମାତ୍ର
କୁଣ୍ହା ଵା କିସାନ ଭାଷାରେ "ଏକ" ସଂଖ୍ୟାକୁ "ଅଣ୍ଟା" କୁହାଯାଏ ।
କ୍ରମଶଃ...
No comments:
Post a Comment