Sunday, June 26, 2022

ବୁଈ ଶବ୍ଦ ଓ ଏହାର ଵିଭିନ୍ନ ନିରୁକ୍ତିମତ



ଛୋଟ ଝିଅ ଵା ବାଳିକାମାନଙ୍କୁ ଓଡ଼ିଶାର ପଶ୍ଚିମାଞ୍ଚଳରେ ବୁଈ କୁହାଯାଏ ଏମନ୍ତକି ଉତ୍ତର ଓଡ଼ିଶାର କେତେକ ଓଡ଼ିଆ ଶୈଳୀ ତଥା ସାନ୍ତାଳୀ ଭାଷାରେ ମଧ୍ୟ ଏ ଶବ୍ଦ ଚଳୁଥିଵା ଜଣାଯାଏ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି ଯେ "ଅଵିଭକ୍ତ ସମ୍ବଲପୁରରେ କିଶୋର-ଯୁଵକମାନଙ୍କୁ 'ବାବୁ' ଓ କିଶୋରୀ-ଯୁଵତୀମାନଙ୍କୁ 'ବୁଇ' କହନ୍ତି। କେତେକ ଅଞ୍ଚଳରେ ଝିଅମାନଙ୍କୁ 'ଝି', 'ନୁନୀ' ଵା 'ନନୀ' ବୋଲାଯାଏ। 


ଭାଷାକୋଷ ଅନୁସାରେ “ଅଵିଭକ୍ତ ସମ୍ବଲପୁରର ଜଣେ ଭୂତପୂର୍ଵ ଇଂରାଜୀ କର୍ମଚାରୀ Colonel Buiଙ୍କ ନାମ ଅନୁସାରେ ବାଳିକା କିଶୋରୀ ଯୁଵତୀମାନଙ୍କର 'ବୁଇ' ନାମକରଣ ହୋଇ ଥିଵାର ଜନ ପ୍ରଵାଦ ଅଛି।” 

କିନ୍ତୁ ଏ ନିରୁକ୍ତିମତଟି ଯୁକ୍ତିଯୁକ୍ତ ଲାଗୁନାହିଁ କାରଣ ଯେତେବେଳେ ଇଂରେଜମାନେ ଭାରତଵର୍ଷରେ ପରାଧୀନ ଭାରତୀୟମାନଙ୍କୁ ଶୋଷଣ କରୁଥିଲେ ସେତେବେଳେ କୌଣସି ଇଂରେଜ ଅଧିକାରୀ ଯେ କି ମହିଳା ବି ନୁହେଁ ଵରଂ ପୁରୁଷ ତାଙ୍କ ସାଙ୍ଗିଆ ଆଧାରରେ ଝିଅମାନଙ୍କୁ ବୁଇ ସମ୍ବୋଧନ କରାଯିଵା ସମ୍ଭଵ ହୋଇନଥାଇପାରେ । 

କିଛି ଲୋକ କୁହନ୍ତି ଗଡ଼ଜାତରେ ସ୍ତନକୁ 'ବୁ' କୁହାଯାଏ ଏଵଂ ଅଛି ଅର୍ଥରେ ଈ ପ୍ରତ୍ୟୟ ଯୁକ୍ତ ହୋଇ ବୁଈ ଶବ୍ଦ ସୃଷ୍ଟି ହୋଇଅଛି କିନ୍ତୁ ଏହି ନିରୁକ୍ତିମତ ଏଥିପାଇଁ ଗ୍ରହଣୀୟ ନୁହେଁ ଯେ ସେହି ସମାନ ପ୍ରକ୍ରିୟାରେ ବୁଆ ଶବ୍ଦ କେମିତି ସୃଷ୍ଟି ହୋଇଅଛି ତାହା ସ୍ପଷ୍ଟ ହୋଇପାରେ ନାହିଁ । 

ଆଉ କେତେକ କୁହନ୍ତି ଯେ ଯୁଵତୀ ଶବ୍ଦଟି ଵର୍ଣ୍ଣଵିପର୍ଯ୍ୟୟ ଘଟି 'ବୁଈ'ରେ ପରିଣତ ହୋଇଅଛି । ଅର୍ଥାତ୍ ଯୁଵତୀ ଶବ୍ଦରେ 'ଯ' ଵର୍ଣ୍ଣ ଲୋପ ପାଇ ଅଵର୍ଗ୍ୟ 'ଵ' ଵର୍ଣ୍ଣ ଵର୍ଗ୍ୟ 'ବ' ରେ ପରିଵର୍ତ୍ତତ ହେଵା ସହ 'ଉକାର' ଯୁକ୍ତ ହେଇ ଶେଷରେ 'ତ' ଵର୍ଣ୍ଣ ଲୁପ୍ତ ହେଵାରୁ ବୁଇ ଶବ୍ଦ ଜାତ ହୋଇଅଛି (ଯୁଵତୀ> ଯୁବତୀ > ବୁତୀ > ବୁଈ) । 
ତେବେ ଏହି ନିରୁକ୍ତିମତର ସମର୍ଥନରେ କୌଣସି ପ୍ରକାରର ପ୍ରମାଣିତ ତଥ୍ୟ ମିଳେନାହିଁ । ଏହିପରି ଅନ୍ୟ କୌଣସି ଶବ୍ଦ ସୃଷ୍ଟି ହୋଇଥିଵା ମଧ୍ୟ ଜଣାଯାଏ ନାହିଁ ‌ ।

କେହି କେହି କୁହନ୍ତି ଯେହେତୁ ଅଵିଭକ୍ତ ସମ୍ବଲପୁରରେ ବାପାଙ୍କୁ ତଥା ଛୋଟ ବାଳକକୁ ସମ୍ବୋଧନାର୍ଥ ବୁଆ ଶବ୍ଦ ପ୍ରୟୋଗ କରାଯାଏ ତେଣୁ ଏହାର ସ୍ତ୍ରୀଵାଚକ ରୂପ "ବୁଈ" ରୂପେ ପ୍ରଚଳିତ ହୋଇଅଛି । କିନ୍ତୁ ପଶ୍ଚିମ ଓଡ଼ିଶାରେ "ବୁଈ" ଶବ୍ଦଟି ମାତାଙ୍କୁ ସମ୍ବୋଧନ କରିଵା ପାଇଁ ଵ୍ୟଵହୃତ ନହୋଇ କେଵଳ ଝିଅମାନଙ୍କୁ ସମ୍ବୋଧନ ହେତୁକ ଵ୍ୟଵହୃତ ହେଉଅଛି ।‌ 

ହୁଏତ ଅତୀତରେ 'ବୁଈ' ଶବ୍ଦ ଅଵିଭକ୍ତ ସମ୍ବଲପୁରରେ ମାତାଙ୍କୁ ସମ୍ବୋଧନ ହେତୁକ ଵ୍ୟଵହୃତ ହେଉଥାଇପାରେ ଏଵଂ ସେହି ଶବ୍ଦଟି ଅନ୍ୟ କେତେକ ଅଞ୍ଚଳ ଵିଶେଷତଃ ପୂର୍ଵ ଉପାନ୍ତ କିମ୍ବା ଉତ୍ତର ଓଡ଼ିଶାରେ "ବୋଉ" ରୂପେ ପ୍ରଚଳିତ ହୋଇଥିଵା ମଧ୍ୟ ସମ୍ଭଵପର । ଏମିତି ହେଵାର ସମ୍ଭାଵନା ଅଧିକ କାରଣ ଆମ ଭାଷାରେ ଏହିଭଳି ଅନେକ ସମ୍ପର୍କଵାଚକ ଯୋଡ଼ି ଶବ୍ଦ ରହିଛି ଯେଉଁଗୁଡି଼କ ସମଵର୍ଣ୍ଣଯୁକ୍ତ । ଯଥା—

•ବାପା— ବୋଉ
•ଜେଜେ/ଜେଜ—ଜେଜି/ଜେଈ
•ପିଉସା— ପିଉସୀ
•କକା/କାକା— କାକୀ(ଦଦା/ବ୍ରାହ୍ମଣ)
•ନନା(ବଡ଼ ଭାଇ)—ନାନୀ(ବଡ଼ଭଉଣୀ)
•ମାମୁଁ— ମାଇଁ
•ମଉସା — ମାଉସୀ

ତେଣୁ ହୁଏତ ଆଗେ ପଶ୍ଚିମ ଓଡ଼ିଶାରେ 'ବୁଆ' ଶବ୍ଦଟି ପିତାଙ୍କୁ ତଥା 'ବୁଈ' ଶବ୍ଦଟି ମାତାଙ୍କୁ ସମ୍ବୋଧନ କରିଵା ହେତୁକ ପ୍ରୟୋଗ କରାଯାଉଥିଵ କିନ୍ତୁ ୧୪ଶହ ଶତାବ୍ଦୀ ପରେ ପରେ ଏ ଅଞ୍ଚଳରେ ଉତ୍ତର ଭାରତ ତଥା ଉପକୂଳ ଓଡ଼ିଶାରୁ ଲୋକ ଯାଇ ନୂତନ ଜନଵସତି ସ୍ଥାପନ କରିଵା ଯୋଗୁଁ 'ବୁଈ' ଶବ୍ଦ ମାତାଙ୍କୁ ସମ୍ବୋଧନ କରିଵା ପ୍ରଥା ଲୋପ ପାଇ ତତ୍‌ପରିଵର୍ତ୍ତେ 'ମାଆ' ଶବ୍ଦ ପ୍ରୟୋଗ ହେଵାକୁ ଲାଗିଥିଵ । ଏମନ୍ତ ମଧ୍ୟ ହୋଇପାରେ ଯେ ଗୋଟିଏ ପଟେ ବୁଈ ଶବ୍ଦ କେଵଳ ସାନ ଝିଅମାନଙ୍କୁ ସ୍ନେହ ସମ୍ବୋଧନ ପାଇଁ ଵ୍ୟଵହୃତ ହେଉଥିଵାବେଳେ ସେହି ଶବ୍ଦର ଅନ୍ୟ ଏକ ରୂପ 'ବୋଉ' ଧିରେ ଧିରେ ପୂର୍ଵ, ମଧ୍ୟ , ଦକ୍ଷିଣ ତଥା ଉତ୍ତର ଓଡ଼ିଶାରେ ଲୋକପ୍ରିୟ ହୋଇଯାଇଥିଵ । 

କିନ୍ତୁ ଏହା କେଵଳ ଅନୁମାନମାତ୍ର କାରଣ ଏହାର କୌଣସି ପ୍ରମାଣ ମିଳେ ନାହିଁ । ସେ ଯାହା ହେଉ ଅଧୁନା ଛୋଟ ବାଳିକାମାନଙ୍କୁ ସ୍ନେହରେ ବୁଈ ଵା ବୁଇ ସମ୍ବୋଧନ କରାଯାଏ। 

କିନ୍ତୁ ଧରନ୍ତୁ ଯଦି ଆଗେ 'ବୁଆ' ଶବ୍ଦ ଆଧାରରେ ଏହାର ସ୍ତ୍ରୀଵାଚକ ରୂପ 'ବୁଈ' ସୃଷ୍ଟି ହୋଇ ମାତାଙ୍କୁ ସମ୍ବୋଧନ କରାଯାଉଥିଲା ଏଵଂ ସମୟକ୍ରମେ ଏହା କେଵଳ ଛୋଟ ବାଳିକାମାନଙ୍କୁ ମାତୃଜ୍ଞାନ କରି ସ୍ନେହ ସମ୍ବୋଧନ ହେତୁକ ଵ୍ୟଵହୃତ ହେଉଅଛି ତାହେଲେ ଏଠାରେ "ବୁଆ" ଶବ୍ଦ ସମ୍ବନ୍ଧରେ ସାମାନ୍ୟ ଆଲୋଚନା କରାଯିଵା ଉଚିତ୍ ହେଵ । 

ଆମେ ଜାଣନ୍ତି ଯେ 'ବୁଆ' ଶବ୍ଦଟି ଓଡ଼ିଆ ଭାଷାରେ ଵିଭିନ୍ନ ଅର୍ଥରେ ଵ୍ୟଵହୃତ ହୋଇଥାଏ । 

ବେଉଷଣ ତଥା ବୁଣା ଧାନର ଗଛକୁ "
'ବୁଆ' କୁହାଯାଏ । ବୁଣା ଧାନ ୪ ଆଙ୍ଗୁଳଠାରୁ ୧୨ ଆଙ୍ଗୁଳ ପର୍ଯ୍ୟନ୍ତ ଉଚ୍ଚ ହେଵାର ଅଵସ୍ଥାକୁ ମଧ୍ୟ 'ବୁଆ' କୁହାଯାଏ । ବୁଣା ଯାଇ ଉଠିଥିଵା ଧାନ ଫସଲକୁ ବି 'ବୁଆ' କୁହାଯାଏ । ସେହିପରି ଯେଉଁ ଧାନଗଛ ରୋପିତ ହୋଇ ଥାଏ, ତାକୁ 'ରୁଆ' କହନ୍ତି। ଏ ଵିଷୟରେ ଗୋଟିଏ କୃଷି ଵଚନ ଅଛି। ଯଥା—

“ବୁଆ ଶୁଖିଲେ ଥୋଇବୁ କାହିଁ ? 
ରୁଆ ଶୁଖିଲେ ପାଇବୁ ନାହିଁ।”

ଅର୍ଥାତ୍ ରୁଆ ଧାନ ବହୁତ ପାଣି ଲୋଡ଼େ; ବୁଆ ଧାନ ତେତେ ପାଣି ଲୋଡ଼େ ନାହିଁ । 

ସେହିପରି 'ବୁଆ' ଶବ୍ଦର ଲକ୍ଷଣାର୍ଥ ପ୍ରୟୋଗ ମଧ୍ୟ ଦୃଶ୍ୟ ହୋଇଥାଏ । ଅନ୍ୟ ଵ୍ୟକ୍ତିଙ୍କ ଘରେ ମିଳିଵା ପର୍ଯ୍ୟାପ୍ତ ଭୋଜନକୁ ମଧ୍ୟ 'ବୁଆ' କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । ବୁଆ ଶବ୍ଦର ପ୍ରୋକ୍ତ ସମସ୍ତ ଅର୍ଥରେ ପ୍ରୟୋଗ ଉପକୂଳ ଓଡ଼ିଶାରେ ପ୍ରଚଳିତ ଥିଲାବେଳେ ଗଡ଼ଜାତ ଓଡ଼ିଶାରେ ନିଜର ପିତାଙ୍କୁ ସମ୍ବୋଧନ ତଥା ପୁତ୍ର ଓ ଅନ୍ୟାନ୍ୟ ସାନ ପିଲାଙ୍କୁ 'ବୁଆ' ସମ୍ବୋଧନ କରାଯାଏ । ଅର୍ଥ ଦୃଷ୍ଟିରୁ ଉଭୟ ଅଞ୍ଚଳର ବୁଆ ଶବ୍ଦ ଭିନ୍ନ ଭିନ୍ନ ଲାଗୁଥିଲେ ହେଁ ପାରମ୍ପରିକ ଭାଷାଵିଦମାନଙ୍କ ଅନୁସାରେ ଏହାର ମୂଳ ଗୋଟିଏ । 

ଉପକୂଳ ଓଡ଼ିଶାରେ ପ୍ରଚଳିତ ରୋପଣ ଅର୍ଥଜ ବୁଆ ଶବ୍ଦ ତଥା ଗଡ଼ଜାତ ଓଡ଼ିଶାରେ ପିତା ଅର୍ଥଜ ବୁଆ ଶବ୍ଦର ସଗୋତ୍ରୀୟ ସମ୍ପର୍କ ଭାରତୀୟ ଶାସ୍ତ୍ରୀୟ ଭାଷା ସଂସ୍କୃତର ମୂଳଧାତୁ "ଵପ୍ (ଧାତୁ)" ସହିତ ଥିଵା ସହଜେ ଅନୁମେୟ । 

ଵପ୍ ଧାତୁରୁ ଵୀଜ ବୁଣିଵା,ମୁଣ୍ଡନ କରିଵା ଵା କ୍ଷୌର କରିଵା, ଲୁଗା ବୁଣିଵା,ନିଷେକ କରିଵା ଵା ସ୍ତ୍ରୀ ଗର୍ଭରେ ଵୀର୍ଯ୍ୟାଧାନ କରିଵା , ଘାସ ଛେଲିଵା ଆଦି ଅର୍ଥରେ ଵପନ,ଵପ୍ତା,ଵପନୀ,ଵାପନ,ଵାପୀ,ଵପ୍ର,ଵପୁଃ,ଵପା,ଵାପିତ,ଵାପ୍ୟ ଆଦି ଅନେକ ଶବ୍ଦ ନିଷ୍ପନ୍ନ କରଯାଇଛି । ଅନୁମାନ କରାଯାଏ ଯେ ଵପ୍ତା ଶବ୍ଦ ସହ ଓଡ଼ିଆରେ ପ୍ରଚଳିତ ବା,ବାଵା,ବାପା ,ବାପ,ବୋପ,ବୁପା,ବୁଆ ଆଦି ଶବ୍ଦ ସମୋଦ୍ଧୃତ ହୋଇଥିଵା ସମ୍ଭଵ । 

ଵପ୍ତା ଶବ୍ଦଟି ମୁଖ୍ୟତଃ ଚାରିଗୋଟି ଅର୍ଥ ଘେନି ଵ୍ୟଵହୃତ ହୋଇଥାଏ । 
ଯଥା—
•ପିତା(ନିଷେକ କରନ୍ତି ତେଣୁ) 
•କଵି(ଶବ୍ଦ ବୁଣେ ତେଣୁ)
•ଚଷା ଵା କୃଷକ(ଵୀଜ ବୁଣେ ତେଣୁ)
•ନାପିତ ଵା ଭଣ୍ଡାରୀ(କ୍ଷୌର କରେ ତେଣୁ)



ବୁଆ ଶବ୍ଦର ସ୍ତ୍ରୀଵାଚକ ଶବ୍ଦ ବୁଈ ହେଵା ଅସମ୍ଭଵ ନୁହେଁ । ଓଡ଼ିଆ ଭାଷାରେ 
"ଈ ପ୍ରତ୍ୟୟ" ଵିଭିନ୍ନ କାରଣ ଧରି ପ୍ରୟୋଗ କରାଯାଏ । ସାଧାରଣତଃ ଆମ ଭାଷାରେ ଅକାରାନ୍ତ ପୁଂଲିଙ୍ଗରେ ଈକାର ଯୋଗ ହେଲେ ତାହା ସ୍ତ୍ରୀଲିଙ୍ଗବାଚକ ହୁଏ । 
ଯଥା— 
•ନଟ-ନଟୀ
•ନର-ନାରୀ
•ଛାଗ-ଛାଗୀ
•ନଦ—ନଦୀ

 ସମୟ ସମୟରେ ଏହା କ୍ଷୁଦ୍ରତାଵଚକ ହୁଏ
  ଯଥା—
 •ଘଟ-ଘଟୀ
 •ଚାଳ-ଚାଳୀ
 ଅଛି ଅର୍ଥରେ ମଧ୍ୟ ବିଶେଷ୍ଯ ଓ ଧାତୁ ପରେ ଈ ପ୍ରତ୍ୟୟ ଯୋଗ ହୁଏ (ସଂସ୍କୃତ ଇନ୍ ସହିତ ସମୋଦ୍ଧୃତ)
  ଯଥା—
 •ଧନ-ଧନୀ
 •ରାଗ-ରାଗୀ
•ଦା ଧାତୁ = ଦାୟୀ
•ଗମ ଧାତୁ-ଗାମୀ(ଅନୁଗାମୀ)

ତେଣୁ ବୁଆ ଶବ୍ଦର ମୂଳ 'ବୁ' ଶବ୍ଦରେ ଈ ପ୍ରତ୍ୟୟ ଯୁକ୍ତ ହୋଇ ସ୍ତ୍ରୀଵାଚକ ବୁଈ ଶବ୍ଦ ସୃଷ୍ଟି ହେଵା ମଧ୍ୟ ଅସମ୍ଭଵ ନୁହେଁ । 


ଭାଷାଵିଦ୍ ଡାକ୍ତର ଦେଵାଶିଷ ଜ୍ୟୈଷ୍ଠୀ ମହାଶୟଙ୍କ ଅନୁସାରେ ବୁଇ ଶବ୍ଦଟି ବୋଉ,ଦଦା,ନନା,ନାନୀ,ମମା,ବବା,ବାବା,ବାପା,ବା ,ବେଈ ଭଳି child babbling ଯୋଗୁଁ ସୃଷ୍ଟି ହୋଇଅଛି । ଛୋଟପିଲାମାନେ କଥା ନକହି ଶିଖିଥିଵା ସମୟରେ କହିଵାକୁ ଚେଷ୍ଟା କରନ୍ତି ସେତେବେଳେ ସେମାନେ ନିଜର ସମ୍ପର୍କୀୟମାନଙ୍କୁ ଦେଖି ଶବ୍ଦ ସବୁ ସୃଷ୍ଟି କରନ୍ତି। ଏହି ପ୍ରକ୍ରିୟାକୁ child babbling କୁହାଯାଏ । 

ଆଉ ଏକ ଶବ୍ଦ ଅଛି ଯହିଁରୁ ବୁଈ ଶବ୍ଦ ନିଷ୍ପନ୍ନ ହୋଇଥିଵା ଅନୁମାନ କରାଯାଏ । ସେହି ଶବ୍ଦଟି ହେଉଛି ବୁଢ଼ୀ । ଢେଙ୍କାନାଳ କଟକ ବାଲେଶ୍ଵର ଆଦି ଓଡ଼ିଶାର କେତେକ ଜିଲ୍ଲାରେ ଵୟସରେ ସାନ ଦିଅରମାନଙ୍କୁ ତଥା ଦିଅରମାନଙ୍କର ପତ୍ନୀମାନଙ୍କୁ ଯଥାକ୍ରମେ ବୁଢ଼ା,ବୁଡ଼ା ଓ ବୁଡ଼ୀ,ବୁଢ଼ୀ ସମ୍ବୋଧନ କରାଯାଏ । ଵୟସରେ ସାନ ହୋଇ ବି ଯଦି କେହି ସମ୍ପର୍କରେ ବଡ଼ ହୋଇଥାନ୍ତି ତେବେ ସେହି ଵୟସରେ ବଡ଼ ସମ୍ପର୍କୀୟମାନଙ୍କୁ ଏହିସବୁ ଅଞ୍ଚଳରେ ବୁଢ଼ା ଓ ବୁଢ଼ୀ ସମ୍ବୋଧନ କରିଥାନ୍ତି । ଉଦାହରଣ ସ୍ୱରୂପ ପଞ୍ଚତିରିଶି ଵର୍ଷର ଜଣେ ମହିଳା ଦୂର ସମ୍ପର୍କରେ ଆଈ ହୋଇଥିଲେ ତାହାର ୫୦କି ୬୦ ଵର୍ଷ ଵୟସ୍କା ନାତୁଣୀକୁ ବୁଡ଼ୀ ଵା ବୁଢ଼ୀ ସମ୍ବୋଧନ କରିଥାଏ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ "ବୁଢ଼ା ତଥା ବୁଢ଼ୀ" ଶବ୍ଦ ତଳେ ଏ ଉଭୟ ଶବ୍ଦ ଵାତ୍ସଲ୍ୟାର୍ଥ ଶିଶୁମାନଙ୍କୁ ସମ୍ବୋଧନ କରାଯାଉଥିଵା ଉଲ୍ଲେଖ କରାଯାଇଛି । 


ଭାଷାକୋଷରେ ବୁଢ଼ା ଶବ୍ଦର ତୃତୀୟ ଅର୍ଥ ଭାବରେ କୁହାଯାଇଛି ଯେ ଵାତ୍ସଲ୍ଯାର୍ଥ ଶିଶୁକୁ ବୁଢ଼ା ସମ୍ବୋଧନ କରାଯାଏ ସେହିପରି ବୁଢ଼ୀ ଶବ୍ଦ ତଳେ ମଧ୍ୟ ଏହାର ତୃତୀୟ ଅର୍ଥ ଲେଖାଅଛି “ଶିଶୁ ବାଳିକାଙ୍କ ପ୍ରତି ସ୍ନେହସୂଚକ ଡାକ ହେଉଛି ବୁଢ଼ୀ” ।
ଏହି ତଥ୍ୟ ଆଧାରରେ କେହି କେହି କୁହନ୍ତି ଯେ ବୁଇ ଶବ୍ଦଟି ବୁଢ଼ୀ ଶବ୍ଦର ପରିଵର୍ତ୍ତିତ ରୂପ । ସେହିପରି ଏହି ଆଧାରରେ କୁହାଯାଇପାରେ ଯେ ବୁଢ଼ା ଶବ୍ଦ ବୁଆ ହୋଇଥାଇପାରେ କିମ୍ବା ଵପ୍ତା ଶବ୍ଦ ସହିତ ସମୋଦ୍ଧୃତ ହୋଇଥାଇପାରେ । 

ଏହିପରି ବୁଈ ଶବ୍ଦର ସୃଷ୍ଟିକୁ ନେଇ ନାନା ନିରୁକ୍ତିମତ ରହିଛି କିନ୍ତୁ ଦେଖାଯାଏ ପ୍ରାୟତଃ ଭାଷାଵିଦ୍ ବୁଢ଼ା, ବୁଢ଼ୀ ଓ ବୁଆ,ବୁଈ ଶବ୍ଦଗୁଡି଼କର ପୂର୍ଵ-ମଧ୍ୟ- ଉତ୍ତର ଓଡ଼ିଶା ତଥା ପଶ୍ଚିମ ଓଡ଼ିଶାରେ ସ୍ନେହାର୍ଥକ ଛୋଟପିଲାଙ୍କୁ ସମ୍ବୋଧନ ପ୍ରଚଳିତ ଥିଵାରୁ ଏହି ନିରୁକ୍ତିମତକୁ ଗ୍ରହଣ କରିଥାନ୍ତି ‌। 


No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...