“ଧର ଧନୁର୍ଵାଣ ସ୍ମର ସତେ ପ୍ରାଣ ନେଵା ପରି ଡରି ଧରି ଦନ୍ତେ ତୃଣ,
ଧରାରେ ତରୁଣ-ଶିର ଅଵରଣ ଲୁଟାଇଲେ ନ ପଚାରିଵାର ॥୩॥
ଧରି ଧରି ବଳେ କରୁଥିଲେ କୋଳେ
ଧରାଧରୁଁ ବଳେ ଧଇର୍ଯ୍ୟ ନିଶ୍ଚଳେ, ଧାନେ ଊଣା ତୁଳେ ହେଲେ
ସ୍ନେହ ଖେଳେ କ୍ଷଣକେ ଵିନୟ ଚାରିଵାର ॥୪॥”
ଚତୁର୍ଥ ପଦରେ ରହିଛି “ଧାନେ ଊଣା ତୁଳେ ହେଲେ” ଏଵଂ ଏଠାରେ #ଧାନେ ଶବ୍ଦଟିଏ ପ୍ରୟୋଗ କରାଯାଇଛି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୪୦୦୭ତମ ପୃଷ୍ଠାରେ ଏହି ପଦର ଉଦାହରଣ ସହ ଧାନେ ଶବ୍ଦଟି ସ୍ଥାନିତ କରାଯାଇଛି ।
ଭାଷାକୋଷ ଅନୁସାରେ ଏହି ଧାନେ ଶବ୍ଦଟି ଏକ ଓଡ଼ିଆ କ୍ରିୟା ଵିଶେଷଣ ଏଵଂ ଏ ଶବ୍ଦ ଏଠାରେ
ଅତ୍ୟଳ୍ପରେ; ସାମାନ୍ୟରେ ଅର୍ଥରେ ଵ୍ୟଵହାର କରାଯାଇଛି ।
ଏକ ରତିର ଚତୁର୍ଥାଂ;ଶ; ଏକ ଧାନ ଓଜନ ଵିଶିଷ୍ଟ ପରିମାଣକୁ "ଏକ ଧାନ" କୁହାଯାଏ ।
ଏକ ରତିର ଚାରିଭାଗରୁ ଭାଗେ ପରିମାଣ ଯୁକ୍ତ ହୋଇଥିଵାରୁ ଏହି ଧାନ ଶବ୍ଦଟି ଅତି ଅଳ୍ପ ପରିମାଣ ଅର୍ଥରେ ଓଡ଼ିଆ ଭାଷାରେ ପ୍ରାଚୀନ କାଳରୁ ପ୍ରଚଳିତ ହୋଇ ଆସୁଛି ।
ପ୍ରାଚୀନ ପରଚେଗୀତାରେ ରତିଏ ଓଜନର ଚତୁର୍ଥାଂଶ ପରିମାଣ ଵିଶିଷ୍ଟ ଏହି "ଧାନ" ଶବ୍ଦର ପ୍ରୟୋଗ ଏମନ୍ତ କରାଯାଇଛି...
“ଜ୍ୟୋତି କେତେ ଵିନା କେତେକ ଧାନ ଏହା କହିଵା ହେଉ ଜନାର୍ଦ୍ଦନ”
ତେବେ ଧାନେ ଶବ୍ଦରେ ଭୁଲ୍ କ୍ରମେ ୟ ଯୋଡି଼ଦେଇ ଧାନେୟ କରିଦେଲେ ସେହି ଶବ୍ଦର ଅର୍ଥ ବଦଳିଯାଏ । କାରଣ ଧାନେୟ ଶବ୍ଦର ଅର୍ଥ ଧନିଆ ଅଟେ ।
"ଏକ ଧାନ ପରିମାଣ ଵା ଧାନେ ପରିମାଣ ହେଉଛି ଭାରତୀୟ ପାରମ୍ପରିକ ଓଜନ ପରିମାପକ ପ୍ରଣାଳୀର ସର୍ଵନିମ୍ନ ଏକକ ।
(ସୁନା ରୂପା ଆଦି ଓଜନ)
ଏକ ଧାନ = ଧାନେ ପରିମାଣ
ଚାରି ଧାନ = ଏକ ରତି
ଆଠ ରତି = ଏକ ମସା
ଦଶ ମସା = ଏକ ଭରି ଵା ଏକ ତୋଳା
(ଶସ୍ୟ ଓ ଦୁଗ୍ଧାଦି ଓଜନ)
ଚଉଷଠି ତୋଳା = ଏକ ଅଡ଼ା
ଏକ ଅଡ଼ା = ଦୁଇ ବୋଡ଼ା
ଏକ ବୋଡ଼ା = ଦୁଇ ସୋଲା
ଏକ ସୋଲା = ଚାରି ପାଆ
ଏକ ପାଆ ଵା ପାଏ = ଏକ ଅଦ୍ଧା ଵା ଗିଦ୍ଧା
ଉଲ୍ଲେଖଯୋଗ୍ୟ ଯେ ଓଜନ ପରିମାପନର ନିମ୍ନ ପରିମାଣ ଵିଶେଷ ହୋଇଥିଵାରୁ ଓଡ଼ିଆ ଭାଷାରେ ରତି ଓ ରତିଏ ଶବ୍ଦ ମଧ୍ୟ ଅଳ୍ଫ ପରିମାଣ ଅର୍ଥରେ ଧାନ ଓ ଧାନେ ପରି ହିଁ ପ୍ରୟୋଗ କରାଯାଏ ।
କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଵୈଦେହୀଶ ଵିଳାସରେ ରତି ଶବ୍ଦଟି ଅଳ୍ପ ପରିମାଣ ଅର୍ଥରେ ନିମ୍ନ ଵାକ୍ଯରେ ପ୍ରୟୋଗ କରାଯାଇଛି ବୋଲି ଭାଷାକୋଷରେ ଉଲ୍ଲେଖ ଅଛି...
"ଵିଶେଷ ରତିରେ କେ ହୋଇଵ ଵିଚାର, ଵଣିକଭାବରେ ତହିଁ ଵଣିଜ କର”
ସେହିପରି କଵିସୂର୍ଯ୍ୟ ବଳଦେଵ ରଥ ତାଙ୍କ ଢୁମ୍ପା ସଂଗୀତରେ ଅତି ଅଳ୍ପ ପରିମାଣ ଅର୍ଥ ଘେନି ରତି ଶବ୍ଦ ପ୍ରୟୋଗ କରିଥିଵା ଭାଷାକୋଷରେ ଉଲ୍ଲେଖ କରାଯାଇଛି ।
"ରତିକର ତୁଳା ତୋର,
ରତି କରକ ରଦନା ଊଣା ହେଵ”
ରତି ଭଳି ଏହାର ଏକ ରୂପ ରତିଏ ମଧ୍ୟ ଓଡ଼ିଆ ଭାଷାରେ ବହୁଳ ଵ୍ୟଵହୃତ ।
ଯଥା— ଉପେନ୍ଦ୍ର ଭଞ୍ଜ ତାଙ୍କ ଵୈଦେହୀଶ ଵିଳାସରେ ଲେଖିଲେ ...
“ବଣିକଶ୍ରେଣୀ ଅସମ ଜାଣି ହେଲେ ପ୍ରହାରଦାନୀ। ବସାଇ ତୁଲେ ରତିଏ ବୋଲେ ତେତିକି ଲକ୍ଷ ଘେନି ॥”
ପୁଣି ଵୀରକେଶରୀ ଦେଵଙ୍କ ଲୋକପ୍ରିୟ ଭଜନ "ଭୁଜତଳେ ମୋତେ ରଖ ମହାଵାହୁ"ରୁ ପଦେ ମନେ ପଡ଼ିଯାଉଛି...
“ଏ ଗଜରାଜି-କ୍ଷିତି ପତି ସମ୍ପତ୍ତି
ରତିଏ ରୁଚଇ ନାହିଁ ।
ଭୁଵନ ମୋହନ ଚକାନୟନକୁ
ଯେତେବେଳେ ଦିଏ ଚାହିଁ ॥”
ଓଡ଼ିଆ ଭାଷାରେ କେଵଳ ଧାନେ କି ରତିଏ ନୁହେଁ ଵରଂ ଏହି ଭଳି ଆହୁରି ଅନେକ ଶବ୍ଦ ଅତ୍ୟଳ୍ପ ପରିମାଣ ଅର୍ଥରେ ପ୍ରୟୋଗ କରାଯାଏ । ଅଧେ,ଅଳପା ଅଳପି,କେତେକର,ଗଡ଼ତା,ଛିନ୍ଛୋଟ୍,ଟିକିଏ,ଟିକିଏ ନିଖିଏ,ତିଳ ଓ ତିଳେ,ନକଟେ,ମାଢ଼େ,ଶଙ୍ଖେ(ସମୁଦ୍ରକୁ ଶଙ୍ଖେ),ହାପୁଡ଼ାଏ,କରିଷେ,ଚିନାଏ,ଆଡ଼େ,ଅଡ଼େ,ଅରାଏ,ଅଣୁଏ,ଅଣୁମାତ୍ର,କିଞ୍ଚିତ୍,କିୟତ୍,ଲେଶମାତ୍ର,ଟିପେ,ଦିଶୁ,ଦିଶୁଏ,ଧାପେ,ନିଖିଏ,ସୂତାଏ,ଢାଳେ,ତିଳାର୍ଦ୍ଧ,ନକଟ,ନକଟକ,ବିଶାଏ,ରୁମେ,ନଖେ ଵା ଲଖେ,ଲବ ଵା ଲବେ ଓ ହେଳେ ଭଳି ଶହ ଶହ ଓଡ଼ିଆ ଶବ୍ଦ ଅଛି ଯାହା ସ୍ଥଳ ଵିଶେଷରେ ଅଳ୍ପାର୍ଥକ ପ୍ରୟୋଗ କରାଯାଇଥାଏ ।
(ଏ ସବୁ ତଥ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ସଂଗୃହୀତ । ଯେଉଁମାନେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର କେଵଳ ଦୋଷ ଦର୍ଶନ କରନ୍ତି ଆଉ ତାକୁ ପାଳକୋଷ କରିଦିଅନ୍ତି ସେମାନେ ଆଖି ଥାଇ ବି ଅନ୍ଧ । ପ୍ରକୃତରେ ଓଡ଼ିଆ ଭାଷାକୁ ଜାଣିଵାର ଅଛି ତ ଇଚ୍ଛୁକ ଓଡ଼ିଆମାନେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ନିଶ୍ଚୟ ଅଧ୍ୟୟନ କରିଵା ଆଵଶ୍ୟକ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ମୋର ଓଡ଼ିଆ ଭାଷା ପ୍ରତି ଥିଵା ଆଦର ଓ ଭଲ ପାଇଵାକୁ ଶତଗୁଣ ବୃଦ୍ଧି କରିଛି ଏଥିପାଇଁ ମୁଁ ମୋହର ଜ୍ଞାନଗୁରୁ ଶ୍ରୀଗୋପାଳଚନ୍ଦ୍ର ପ୍ରହରାଜଙ୍କ ନିକଟରେ ଚିର ଋଣି ଥିଲି ଅଛି ରହିବି)
No comments:
Post a Comment