Wednesday, October 19, 2022

ଓଡ଼ିଆ ଭାଷାରେ 'ତ' ଅଵ୍ୟୟର ପ୍ରଚଳନ ବହୁ ପ୍ରାଚୀନ

ଓଡ଼ିଆ ଭାଷାରେ ତ ଏକ ଦେଶଜ ଅଵ୍ୟୟ ଏଵଂ ବହୁ ପ୍ରାଚୀନ କାଳରୁ ଏହା ଓଡ଼ିଆ ଭାଷାରେ ଚଳୁଅଛି । 
ତ୍ରୟୋଦଶ ଶତାବ୍ଦୀରୁ ଚତୁର୍ଦ୍ଦଶ ଶତାବ୍ଦୀ ମଧ୍ୟରେ ଲିଖିତ ସାରଳା ମହାଭାରତରେ 'ତ' ଅଵ୍ୟୟର ପ୍ରୟୋଗ ଜଣାଇ ଦିଏ ଯେ ଏହି ଅଵ୍ୟୟଟି ବହୁ ପୂର୍ଵରୁ ଓଡ଼ିଆ ଭାଷାରେ ପ୍ରଚଳିତ ଅଛି । 

"ଶିଵ ଶିଵ ବୋଲି ବାହୁଡିଲେ ତପଚାରୀ
ସତ୍ୟ ଭଗ୍ନ ନିମନ୍ତେଣ କିଛି ବୋଲି 'ତ' ନ ପାରି ॥୨୧୧॥
ପୁଣି ସମୟେକେ ଗଙ୍ଗା ଯେ ହୋଇଲେ ଗର୍ଭଵତୀ
ପୁତ୍ରେକ ଉପୁଜିଲା ମଦନ ମୂରତି ॥୨୧୨॥
ଋଷିଙ୍କର ଦେଖନ୍ତେ ସେ କଲାକ ଶିରଛେଦ
ଶାୟେଂତନୁ ବୋଇଲେ ୟେ 'ତ' ବଡ ପରମାଦ ॥ ୨୧୩॥”



ସେହିପରି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗଵତରେ ବହୁଳ ଭାବରେ 'ତ' ଅଵ୍ୟୟର ପ୍ରୟୋଗ କରାଯାଇଛି । 
ଯଥା—

ବୋଲନ୍ତି ଯେତେ ମୁନିଜନେ ।
 ଏ ତ ନ ଘଟେ ଅନୁମାନେ ॥ ୧୦୭ ॥
 (ଭାଗଵତ ପ୍ରଥମ ସ୍କନ୍ଧ)

ତୁମ୍ଭେ ତ ଦେଖିଅଛ ଡୋଳେ । ଧର୍ମନନ୍ଦନ-ଯଜ୍ଞକାଳେ ॥ ୫୧॥
(ଭାଗଵତ, ତୃତୀୟ ସ୍କନ୍ଧ)

 କି ହେତୁ କି କର୍ମ ଵିଚାରି ।
 କିମ୍ପା ଜନ୍ମିଲେ ଦେହଧରି ॥ ୪୭॥ 
 ଏ କଥା ସଂଶୟ ତ ମୋତେ । 
 ଭୋ ମୁନି କହ ଶୁଦ୍ଧଚିତ୍ତେ ॥ ୪୮ ॥
  (ଭାଗଵତ, ଚତୁର୍ଥ ସ୍କନ୍ଧ)

ଭୋ ଦେଵ ତୁହି ଜରାୟୁଜ । 
ତୁହି ତ ଅଣ୍ତଜ ସ୍ୱେଦଜ ॥ ୧୧୫ ॥
ତୁହିତ ପ୍ରଭୁ ଭଗଵାନ । 
ଉଦ୍ଭିଦ ସ୍ଥାବର ଜଙ୍ଗମ ॥୧୧୬॥
(ଭାଗଵତ,ପଞ୍ଚମ ସ୍କନ୍ଧ)

ସକଳ ଧର୍ମ ସେ ଜାଣନ୍ତି । 
ଯମଦୂତଙ୍କୁ ବୋଲୁଛନ୍ତି ॥ ୩॥
ଏ ତ ଅତ୍ୟନ୍ତ ଅଦଭୂତ ।
ଦେଖିଲୁ ତୁମ୍ଭର ଚରିତ ॥ ୪ ॥
(ଭାଗଵତ, ଷଷ୍ଠ ସ୍କନ୍ଧ)

ସେହି ଅନେକ ନିନ୍ଦାକଲା ।
ମୋତେ ତ ସନ୍ଦେହ ଲାଗିଲା ॥ ୧୧୭॥
ଏ ବେନିଜନେ ନିନ୍ଦାକଲେ ।
ସଭାର ମଧ୍ୟେ ଏକତୁଲେ ॥୧୧୮॥
(ଭାଗଵତ,ସପ୍ତମ ସ୍କନ୍ଧ)

ହସ୍ତୀ ସବଳ ମହାକାୟେ । 
କୁମ୍ଭୀର କେତେ ବଳ ବହେ ॥୧୦୮॥
ଏକଥା ସଂଶୟ ତ ମୋତେ । 
ଭୋ ମୁନି କହ ଶୁଦ୍ଧଚିତ୍ତେ ॥୧୦୯॥
(ଭାଗଵତ, ଅଷ୍ଟମ ସ୍କନ୍ଧ)

ତୁମ୍ଭେ ସକଳେ ବ୍ରହ୍ମବେତ୍ତା । 
ଏ କର୍ମ ଅସମ୍ଭବ କଥା ॥୫୮ ॥
ବ୍ରାହ୍ମଣ କର୍ମ ତ ନୁହଁଇ । 
ଏମନ୍ତ କଲ କିସ ପାଇଁ ॥୫୯॥
(ଭାଗଵତ,ନଵମ ସ୍କନ୍ଧ)

ଭାଳନ୍ତି ବୃକ୍ଷତଳେ ରହି । 
ଏମନ୍ତ ଦେଖିଲା ତ ନାହିଁ ॥୨୧୬॥
ପୂର୍ଵହୁଁ ସ୍ନେହ ତ ଅତ୍ୟନ୍ତ । 
ଏ କଥା ଜାଣିବା କେମନ୍ତ ॥୨୧୭॥
ମୋତେ ତ ସନ୍ଦେହ ଲାଗିଲା ।
କିମ୍ବା ଗୋଵିନ୍ଦ ମାୟା କଲା ॥୨୧୮॥
(ଭାଗଵତ,ଦଶମ ସ୍କନ୍ଧ)
 
ତୁ ତ ସ୍ୱଭାବେ ଶୀତ ମନ୍ଦ । 
ଘେନିଣ ଅପସରା ବୃନ୍ଦ ॥ ୩୬॥
(ଭାଗଵତ,ଏକଦଶ ସ୍କନ୍ଧ)

ଯୋଗାଗ୍ନିରେ ଦଗ୍ଧ ହୋଇଵ । 
ସେ ତ ବ୍ରହ୍ମରେ ଲୀନ ହେଵ ॥୯୮॥
ପିଣ୍ଡରେ ତକ୍ଷକ ଦଂଶିଵ ।
ଆମ୍ଭର ଯଶ ତ ନୋହିଵ ॥୯୯॥
  (ଭାଗଵତ, ଦ୍ବାଦଶ ସ୍କନ୍ଧ)

ଏଣୁ ଲାଗଇ ଗୁଣ ଦୋଷ । 
ଜୀଵ ତ ନିର୍ଗୁଣ ପୁରୁଷ ॥୩୨
(ଭାଗଵତ, ତ୍ରୟୋଦଶ ସ୍କନ୍ଧ)

ଆମ ସାହିତ୍ୟରେ ସହସ୍ରାଧିକ ସ୍ଥାନରେ 'ତ' ଅଵ୍ୟୟର ପ୍ରୟୋଗ କରାଯାଇଛି । ତଥାପି ଆମକୁ କାହିଁକି ଲାଗେ ଯେ ଓଡ଼ିଆ ଭାଷାରେ ଆଗରୁ 'ତ' ଅଵ୍ୟୟଟି ପ୍ରୟୋଗ କରାଯାଉନଥିଲା ? 

ତେବେ ସେ ଯାହା ହେଉ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ 'ତ' ଅଵ୍ୟୟର ନିମ୍ନଲିଖିତ ଅର୍ଥ ଓ ସ୍ଥାନରେ ଵ୍ୟଵହାର ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି । 

(କ)ପାଦ ପୂରଣାର୍ଥକ 'ବି' 'Too' ପରି ପ୍ରୟୋଗ(ସଂ— ତୁ)

"ସାହୁ ତ ରୁଷଇ ସାହୁ ପଣକୁ ଖାତକ ରୁଷଇ କେଉଁ ଗୁଣକୁ ?"

(ଖ)ଅଵଧାରଣ ଵା ନିଶ୍ଚାୟାର୍ଥକ ଅଵ୍ୟୟ
 ନିଶ୍ଚେ/Certainly ଅର୍ଥରେ ପ୍ରୟୋଗ କରାଯାଏ (ସଂ—ତୁ)
 
"ଯେ ତ ସେ, ଆଉ ବାଡ଼ିପଡ଼ା ନିଶୁଆ କେ"

(ଗ)ତର୍କଣାର୍ଥ ଅଵ୍ୟୟ(ସଂ—ତୁ)

 ମୁଁ ଅନୁମାନ କରୁଛି; ବୋଧହୁଏ; ସମ୍ଭଵତଃ ଆଦି ଅର୍ଥରେ ପ୍ରୟୋଗ କରାଯାଏ

"ଠଉରାଇ ଅଵସର କଲେ ତୁ ପ୍ରସଙ୍ଗ ମୋର ଯିଵ ରାଜୀଵନେତ୍ରାକୁ ରୁଚି'ତ'ରେ"

(କଵିସୂର୍ଯ୍ୟ ବଳଦେଵ ରଥ, କିଶୋରୀଚମ୍ପୂ. ଠ ଗୀତ)

(ଘ)ପ୍ରଥମ ଉକ୍ତିର ବୈପରୀତ୍ୟ ବୋଧକ ଅଵ୍ୟୟ ଶବ୍ଦ ପକ୍ଷାନ୍ତରେ; ପରନ୍ତୁ; କିନ୍ତୁ ପରି ପ୍ରୟୋଗ କରାଯାଏ(ସଂ—ତୁ)

"ମୁଁ ତ ଯାଇ ପାରୁ ନାହିଁ, ମୁଁ ନ ଗଲେ କଅଣ ହେଲା ? ତୁ ତ ଯିବୁ।”

(ଙ)ପ୍ରଶ୍ନାର୍ଥକ ଅଵ୍ୟୟ "ଟି ?, କି ?" ପରି ପ୍ରୟୋଗ ହୋଇଥାଏ(ସଂ— ତୁ)

 "ସେ କଟକ ଇଲାଣି ,ତୁ ଯାଉଛୁ ତ?

ପ୍ରୋକ୍ତ ସମସ୍ତ ଅର୍ଥରେ ପ୍ରୟୋଗ କରାଯାଉଥିଵା 'ତ' ଅଵ୍ୟୟଟି ସଂସ୍କୃତ 'ତୁ' ଅଵ୍ୟୟ ସହିତ ସମୋଦ୍ଧୃତ

(ଚ)ସେହିପରି ସଂସ୍କୃତ ତତଃ ସହିତ ସମୋଦ୍ଧୃତ 'ତ' ଅଵ୍ୟୟଟିଏ ଅଛି ଏଵଂ ତାହା "ତେବେ; ତାହାହେଲେ; ଫଳତଃ" ଆଦି ଅର୍ଥରେ ପ୍ରୟୋଗ କରାଯାଏ । 

"ଋଣ ନ ମିଳିଲେ ତ ମୋର ଆଉ ଗତି ନାହିଁ।"

(ଛ)ଅନୁରୋଧ ବା ନିଯୋଗାର୍ଥକ ଅଵ୍ୟୟ 'ମ' ପରି 'ତ' ଅଵ୍ୟୟର ମଧ୍ୟ ପ୍ରଚଳନ ରହିଛି ଓଡ଼ିଆ ଭାଷାରେ । 

ଯଥା—ତାକୁ ଡାକ୍ ତ, ସେ କ'ଣ କହୁଛି, ବୁଝିଵା।"

(ଜ) ସେହିପରି ପ୍ରତିଜ୍ଞାସୂଚକ ଅଵ୍ୟୟ ଭାବେ ମଧ୍ୟ ପ୍ରୟୋଗ ହୋଇଥାଏ 'ତ' ଅଵ୍ୟୟ

ଯଥା—"ମୁଁ ଆଜି ଏ କାମ କରିବି ତ; କିଏ ମୋତେ ବନ୍ଦ କରିବ କରୁ।"

(ଝ)ମାତ୍ର; ସୁଦ୍ଧା(Even) ଅର୍ଥରେ ମଧ୍ୟ 'ତ' ଅଵ୍ୟୟର ଚଳନ ରହିଛି ।

"କାଳେ ତ ଜାଳିଲୁ ନାହିଁ କୃପାସୁଧା ଝରିକି ରେ"
(କବିସୂର୍ଯ୍ୟ, କିଶୋରୀଚମ୍ପୂ. ତ ଗୀତ)

(ଣ)ଅପେକ୍ଷାର୍ଥକ 'ସିନା' ଭଳି ବି ଆମ ଭାଷାରେ 'ତ' ଅଵ୍ୟୟର ପ୍ରଚଳନ ରହିଛି 

ଯଥା—ସେ ସେଠାକୁ ଗଲେ ତ ହୁଏ; ନୋହିଲେ ମୁଁ ସେଠାରେ କାହାକୁ ନ ପାଇ ଭାଁ ଭାଁ ହଉଥିବି।

ତେଣୁ କିଏ କହିଲା ଓଡ଼ିଆ ଭାଷାରେ 'ତ' ଅଵ୍ୟୟର ପ୍ରଚଳନ ଆଗେ ନଥିଲା ଵରଂ କୁହାଯାଇପାରେ ଯେ ଓଡ଼ିଆ ଭାଷା ଭଳି ଅନ୍ୟ କୌଣସି ଭାଷାରେ 'ତ' ଅଵ୍ୟୟର ଏତାଦୃଶ ପ୍ରୟୋଗ ନଥିଵ ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...