ନିମନ୍ତ୍ରଣ ଵା ଆହ୍ୱାନ ଓ ପୂଜାସ୍ଥାନକୁ ଅଗ୍ନି ଦ୍ଵାରା ଆହୁତି ଦେଇ ଦେଵତାଙ୍କୁ ଆମନ୍ତ୍ରଣ କରିଵା ଅଟେ । ଓଡ଼ିଆ ଭାଷାରେ ଆଵାହନ ଶବ୍ଦ ବହୁ ପ୍ରାଚୀନ କାଳରୁ ପ୍ରଚଳିତ ।
ଯଥା —
“ଭୋନାଥ ଶୁଣ ସଦାଶିଵ ।
ତୁମ୍ଭେ ଅବରଣେ ନ ଯିଵ ॥
ଯାହାର ଆଵାହନ ନାହିଁ ।
ତାହାର ଯିଵା ଯୋଗ୍ୟ ନୋହି ॥”
(ଓଡ଼ିଆ ଭାଗଵତ, ଚତୁର୍ଥ ସ୍କନ୍ଦ)
ଆଵାହନର ଵିପରୀତ ଶବ୍ଦଟି ହେଉଛି ଵିସର୍ଜନ । ଓଡ଼ିଆ ଭାଷାରେ ଦୁଇ ଵିପରୀତ ଶବ୍ଦ #ସହଚରଶବ୍ଦ ଭାବେ ପ୍ରୟୋଗ ହେଵାର ଅନେକ ଉଦାହରଣ ରହିଛି ତନ୍ମଧ୍ୟରୁ ଗୋଟିଏ ଆଵାହନ-ଵିସର୍ଜନ ମଧ୍ୟ ଅଟଇ ।
“ନିର୍ମାଣ କରି ଵିଷ୍ଣୁରୂପେ ।
ନିଶ୍ଚଳେ ପୂଜିଵ ସମୀପେ ॥
ଯେ ଆଵାହନ ଵିସର୍ଜନ ।
ଚଳ-ପ୍ରତିମାର ଅର୍ଚ୍ଚନ ॥”
(ଓଡ଼ିଆ ଭାଗଵତ,ଏକାଦଶ ସ୍କନ୍ଦ)
ତେବେ ପ୍ରାଚୀନ ଓଡ଼ିଆ ଭାଷାରେ ଵିଶେଷତଃ ମାଦଳାପାଞ୍ଜି ଓ ସନନ୍ଦାଦିରେ
ଆଵାହନ ଶବ୍ଦଟି ‘ମୃତ’ ଅର୍ଥରେ ମଧ୍ୟ ଵ୍ୟଵହୃତ ହେଉଥିଲା ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ତଥା ପୁରୀ ବୋଲି ପୁସ୍ତକରେ ଏହାର ଉଲ୍ଲେଖ ରହିଛି ।
ଯଥା—
“କେତେ ଦିନ ଗଲା ଉତ୍ତାରୁ ରାମଚନ୍ଦ୍ର ଦେଵ ଆଵାହନ ହେଲେ ।”
(ମା. ପା. ପୃ-୭୮)
“ଶ୍ରୀମହାଶ୍ରମଙ୍କ ଆଵାହନ ଉତ୍ତାରୁ ଗୋପିନାଥ ମହାରାଜେ ଦଣ୍ଡେଛତ୍ର ଧରାଇଲେ ।”
(ଚଇନି ଚକଡା଼,ପୃ—୪୧)
ଆଗ କାଳରେ ମୃତ ହେଵା ଵା ମରିଯିଵା ଭଳି ଶବ୍ଦ ନକହି ଓଡ଼ିଶାର ଲୋକେ ଆଵାହନ ଯିଵା,କାଳ ହେଵା, ପରଲୋକ ଗମନ ଭଳି ଅନେକ ଶବ୍ଦ ପ୍ରୟୋଗ କରୁଥିଲେ। କାରଣ ଲୋକେ ମରଣ ଓ ମୃତ ଭଳି ଶବ୍ଦ ପ୍ରୟୋଗ କରିଵାକୁ କୁଣ୍ଠାବୋଧ କରୁଥିଲେ ।
ଲୋକଵିଶ୍ଵାସ ଥିଲା ଯେ ମୃତ,ମୂତ୍ୟୁ ଓ ମରଣ ଭଳି ଶବ୍ଦ ସିଧାସଳଖ ପ୍ରୟୋଗ ଦ୍ଵାରା ଅଘଟଣ ଘଟିପାରେ ପୁଣି ମୃତାତ୍ମା ପ୍ରତି ମଧ୍ୟ ଏହା ଅନାଦର ସୂଚକ ପ୍ରତୀତ ହେଵାର ସମ୍ଭାଵନା ରହିଥାଏ ।
ସନାତନ ସଂସ୍କୃତିରେ ଵିଶ୍ଵାସ ପ୍ରଚଳିତ ଯେ ଶରୀର ମୃତ ହୁଏ ଆତ୍ମା ନୁହେଁ । ସେହି ଲୋକଵିଶ୍ଵାସ ଅଧାରରେ ଆଵାହନ ଶବ୍ଦର ଓଡ଼ିଆ ଭାଷାରେ ସ୍ଵତନ୍ତ୍ର ପ୍ରୟୋଗ କରାଯାଉଥିଲା ।
ଆତ୍ମା ଶରୀର ତ୍ୟାଗ ପରେ ମୃତାତ୍ମାକୁ କର୍ମଫଳାନୁସାରେ ଯମଲୋକ କିମ୍ବା ସ୍ଵର୍ଗଲୋକକୁ ଆମନ୍ତ୍ରଣ ଵା ଆଵାହନ କରିଵାର ଲୋକଵିଶ୍ଵାସ ଆମ୍ଭ ଦେଶରେ ପ୍ରଚଳିତ।
ପ୍ରାଚୀନ ଓଡ଼ିଆ ଭାଷାରେ ଆଵାହନ ଶବ୍ଦର ଏଭଳି ଲକ୍ଷଣାର୍ଥକ ସାଂସ୍କୃତିକ ସ୍ଵତନ୍ତ୍ର ପ୍ରୟୋଗ ଏ ଭାଷାର ସମୃଦ୍ଧି ଵିଷୟରେ ସ୍ପଷ୍ଟ ସଂକେତ ଦେଇଥାଏ ।
No comments:
Post a Comment