ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି ଯେ ଅତ୍ୟନ୍ତ ଵିପନ୍ନ ଵା ଆକ୍ରାନ୍ତ ଅଵସ୍ଥା; ଅସମ୍ଭାଳ ଅଵସ୍ଥାକୁ ଯୁଗବୁଡ୍ କୁହାଯାଏ ।
ଯୁଗାନ୍ତ ଖଣ୍ଡ ପ୍ରଳୟକୁ ବି ଯୁଗବୁଡ଼୍ କୁହାଯାଏ ।
ଏ ଶବ୍ଦ ଅଧୁନା ଉଭୟ କଥିତ ଓ ଲିଖିତ ଓଡ଼ିଆ ଭାଷାରୁ ଧିରେ ଧିରେ ହଜି ହଜି ଯାଉଛି । ତେବେ ପ୍ରାଚୀନ ଢଗଢମାଳିରେ ଏ ଶବ୍ଦର ପ୍ରୟୋଗ ଥିଵା ଜଣାଯାଏ ।
ଓଡ଼ିଆ ଭାଷାରେ ଢଗ ଅଛି
“ରଜାଙ୍କୁ ଘାଏ ଘାଏ,
ରାଣୀଙ୍କୁ ଯୁଗବୁଡ଼୍”
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ଢଗର ଅର୍ଥ ଲେଖାଅଛି
“ଅତ୍ୟାଚାର କରିଵା ଵ୍ୟକ୍ତି ଦଣ୍ଡର ଗୁରୁତା ବୁଝି ପାରେ ନାହିଁ, ଅତ୍ୟାଚାରିତ ଵ୍ୟକ୍ତି ଦଣ୍ଡର ଗୁରୁତାକୁ ଅନୁଭଵ କରେ।”
ଆଗକାଳରେ ରାଜାମାନେ ଯୁଦ୍ଧରେ ପରାସ୍ତ ଓ ନିହତ ହେଉଥିଲେ କିନ୍ତୁ ଏହାର କୁଫଳ ପାଉଥିଲେ ତାଙ୍କ ରାଣୀମାନେ, ସେମାନେ ଵିଜୟୀ ରାଜାଙ୍କ ଦ୍ଵାରା ଅତ୍ୟାଚାରିତ ହେଉଥିଲେ ।
ଯୁଗବୁଡ଼୍ ଶବ୍ଦର ଆହୁରି ଦୁଇ ତିନୋଟି ଓଡ଼ିଆ ଶବ୍ଦ ରୂପ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରାଯାଇଛି । ଯଥା— ଯୁଗବୁଡ଼ୁ,ଯୁଗୁବୁଡ଼୍ ଓ ଯୁଗୁବୁଡୁ଼ ଇତ୍ୟାଦି ।
ଯୁଗବୁଡ଼କୁ ନେଇ ଆଉ ଏକ ଓଡ଼ିଆ ଢଗ ମଧ୍ୟ ଶୁଣାଯାଏ ...
“ଆପେ ମଲେ ଯୁଗବୁଡ଼୍,
ପର ମଲେ ପାଣି ବୁଡ଼୍”
ଅର୍ଥାତ୍ ନିଜେ ମଲେ ଯୁଗ ଯୁଗ ଯାଏଁ ସଂସାର ଜନ୍ମଚକ୍ର ମଧ୍ୟରେ ଜୀଵ ଘୂରୁଥିଵ ଵା ବୁଡୁ଼ଥିଵ ଆଉ ଆନ କିଏ ମଲେ ମୃତକର ମୃତ୍ୟୁ ତଥା ଶ୍ରାଦ୍ଧ ଦିନ ପୋଖରୀ ଓ ନଦୀ ଗାଡି଼ଆରେ ବୁଡି଼ ଆସିଵ ! ଏହାର ଭାଵାର୍ଥ ବୋଧହୁଏ ନିଜେ ଦୁଃଖ ଭୋଗିଲେ ଜଣାପଡ଼େ ପର ଦୁଃଖ ଜାଣିହୁଏ ନାହିଁ ଵା ଅନୁଭଵ କରିଵା ସହଜ ନୁହେଁ ।
ଯୁଗ ଶବ୍ଦ ସହିତ ବୁଡ଼ିଵା ଧାତୁର ବୁଡ଼୍ ରୂପ ଯୁକ୍ତ ହୋଇ ଯୁଗବୁଡ଼ ଶବ୍ଦ ସୃଷ୍ଟି କରାଯାଇଛି । ବୁଡି଼ଵା ଶବ୍ଦର ସାଧାରଣ ଅର୍ଥ ଜଳରେ ନିମଜ୍ଜିତ ହେଵା କିନ୍ତୁ ଏତଦଵ୍ୟତୀତ ବୁଡି଼ଵା କ୍ରିୟାଟି ଗାଧୋଇଵା, ଅସ୍ତ ହେଵା,ଲୋପ ହେଵା ,ନଷ୍ଟ ହେଵା,ଅନ୍ୟ ଵସ୍ତୁ ମଧ୍ୟରେ ମିଶିଯିଵା,ନିଷ୍ଫଳ ହେଵା,ମଜ୍ଜିଵା, ଅଦୃଶ୍ୟ ହେଵା,ଆଚ୍ଛନ୍ନ ହେଵା,ବଦନାମ୍ ହେଵା ଓ(କଥା)ଗୁପ୍ତ ରହିଵା ଆଦି ଅନେକ ଅର୍ଥରେ ପ୍ରୟୋଗ କରାଯାଉଛି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବୁଡି଼ଵା କ୍ରିୟାର ୨୧ତମ ଅର୍ଥ ଲେଖାଅଛି “ଋଣ, ନିଶା, ଦୁଃଖ, ଵିପଦ, ଚିନ୍ତା, ନିରାଶା ଆଦି ଦ୍ୱାରା ଵିପନ୍ନ ହେବା; ଜଡ଼ିତ ବା ଗ୍ରସ୍ତ ହେଵା; ଅଭିଭୂତ ହେଵା”
(ଉ— ତାହା ଜାଣି ବୁଡ଼ିଗଲି ମୁଁ ଭୟ ଶୋକେ। କୃଷ୍ଣସିଂହ. ମହାଭାରତ ବନ।)
ସେହିପରି ଭାଷାକୋଷରେ ବୁଡି଼ଵା କ୍ରିୟାର ୨୨ତମ ଅର୍ଥ ଲେଖାଅଛି ଵିପଦ୍ଗ୍ରସ୍ତ ହେଵା; ଵିପନ୍ନ ହେଵା ଏଵଂ ଏହି ଅର୍ଥ ତଳେ “ଆପେ ବୁଡ଼ିଲେ ଯୁଗବୁଡ଼।” ଢଗଟି ଉଦାହରଣ ସ୍ୱରୂପ ପ୍ରଦାନ କରାଯାଇଛି ।
ଏସବୁଥିରୁ ସ୍ପଷ୍ଟ ହୁଏ ଯେ ଯୁଗବୁଡ଼ ଶବ୍ଦରେ ବୁଡି଼ଵା କ୍ରିୟାର ହିଁ ବୁଡ଼୍ ରୂପ ଯୁକ୍ତ ହୋଇଅଛି । ଯୁଗ ବୁଡି଼ଗଲା ବେଳେ ଵା ଲୋପ ପାଇଵା ବେଳେ ଯେମିତି ପ୍ରଳୟ ଆସେ ଠିକ୍ ସେହିପରି ଭୟଙ୍କର ଵିପଦ ସହିତ ତୁଳନା କରିଵା ପାଇଁ ଯୁଗବୁଡ଼୍ ଶବ୍ଦ ପ୍ରୟୋଗ କରାଯାଏ ।
No comments:
Post a Comment