Thursday, March 16, 2023

ଗୁଡ଼ି ଶବ୍ଦ ଓ ତାହାର ଵିଭିନ୍ନ ଅର୍ଥ




ଗୁଡି଼ କହିଲେ ହଠାତ୍ ମନକୁ ଚାଲିଆସେ ଆକାଶରେ ପୁଚ୍ଛ ହଲାଇ ଉଡ଼ୁଥିଵା ଘୁଡି଼ ଵା Paper kite । ହଁ ଗୁଡ଼ି କହିଲେ ଓଡ଼ିଶାରେ ଅଧିକାଂଶ ଘୁଡି଼,କାଗଦ ଚକି ଵା Paper kite ବୋଲି ବୁଝନ୍ତି । 

୰ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ମହାଶୟ କାଗଦ ଚକି ଅର୍ଥଜ ଏହି ଗୁଡ଼ି ଵା ଘୁଡି଼ ଶବ୍ଦଟି 
ଗୁରୁଉଡ୍ଡୀନରୁ ସୃଷ୍ଟି ହୋଇଛି ବୋଲି ଉଲ୍ଲେଖ କରିଛନ୍ତି । 

ସେହିପରି କେତେକ ଅଞ୍ଚଳରେ “ସ୍ତ୍ରୀଲୋକମାନଙ୍କ ପିନ୍ଧିଵା ଲୁଗାର କାନି ପଣନ୍ତରେ ଦିଆଯିଵା ଗଣ୍ଠିକୁ ଗୁଡ଼ି କୁହାଯାଏ ଏଵଂ ଏହି ଗୁଡ଼ି(ଗୋଲକ) ଶବ୍ଦଟି ସଂସ୍କୃତର ଗୁଡ଼ି ଶବ୍ଦ ସହିତ ସମୋଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି । ପୁଣି ଆଗେ “ମସିଣା ଵା ମୁନ୍ଦୁରାର ଗୋଟା ଯାଇଥିଵା ଅଂଶକୁ ଗୁଡ଼ି କୁହାଯାଉଥିଲା” ଏଵଂ ସମ୍ଭଵତଃ ଏହା ଗୁଡ଼ାଇଵା କ୍ରିୟାଟି ସହିତ ସମୋଦ୍ଧୃତ ହୋଇଥାଇପାରେ ।‌

 ଢେଙ୍କାନାଳ ଆଦି ଗଡ଼ଜାତ ଜିଲ୍ଲା ସମୂହ, ମୟୂରଭଞ୍ଜ ଓ ବାଲେଶ୍ଵର ଇତ୍ୟାଦି ଜିଲ୍ଲାରେ ‘ଗୋଡ଼ି’ ଶବ୍ଦଟି ‘ଗୁଡି଼’ ରୂପେ ପ୍ରଚଳିତ । ଏହି ଗୁଡ଼ି ଓ ଗୋଡ଼ି ଶବ୍ଦଦ୍ଵୟ ତତ୍ସମ ଗୁଟିକା ସହିତ ସମୋଦ୍ଧୃତ ହୋଇଥିଵା ସମ୍ଭଵ । 

ପୁଣି ଓଡ଼ିଆ ପ୍ରତ୍ୟୟ ‘ଗୁଡ଼ା’ର ଏକ ରୂପ 'ଗୁଡ଼ି' ବୋଲି ଭାଷାକୋଷରେ ଲେଖାଯାଇଛି । 

ତେବେ ଭାଷାକୋଷରୁ ଜଣାଯାଏ ଯେ ଗଡ଼ଜାତ ଵିଶେଷତଃ ଅଵିଭକ୍ତ ସମ୍ବଲପୁର ଜିଲ୍ଲାରେ ‘ଗୁଡ଼ି’ ଶବ୍ଦଟି ଆଉ ଦୁଇଗୋଟି ସ୍ଵତନ୍ତ୍ର ଅର୍ଥରେ ପ୍ରୟୋଗ କରାଯାଏ । 

ପ୍ରଥମତଃ ‘ସଭା,ଆଲୋଚନାଚକ୍ର’କୁ ଗୁଡ଼ି କୁହାଯାଏ ଏଵଂ ଗ୍ରାମର ଯେଉଁ ଗୃହରେ ଏହି ସଭା କରାଯାଏ ତାକୁ ଗୁଡି଼ଘର କହିଥାଅନ୍ତି । ”ଆଜି ଗ୍ରାମପଞ୍ଚଙ୍କର ଗୁଡ଼ି ବସିଛି” କହିଵାର ଅର୍ଥ ଆଜି ଗ୍ରାମପଞ୍ଚମାନଙ୍କର ସଭା ବସିଅଛି ‌। 
ଏହି ‘ଗୁଡ଼ି’ ଶବ୍ଦଟି ତତ୍ସମ ଗୋଷ୍ଠୀ ସହିତ ସମୋଦ୍ଧୃତ ଯହିଁରୁ ଅନ୍ୟ ଏକ ଦିଗରେ ଗୋଠ,ଗୁଠ ଭଳି ଶବ୍ଦ ସୃଷ୍ଟି ହୋଇଛି । 
ବହୁଲୋକଙ୍କ ସମାଗମସ୍ଥାନ,ସଭାସ୍ଥଳ,
ଦଳ,ପରିଵାରବର୍ଗ,ଜ୍ଞାତି,ଜାତି; ବଂଶ; କୁଳ,ମିଳନ ସଭା; ମେଳା ଓ ସଂଳାପ ଅର୍ଥରେ ଗୋଷ୍ଠୀ ଶବ୍ଦର ପ୍ରୟୋଗ କରାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । 

ପୁନଶ୍ଚ ଓଡ଼ିଶାର ପଶ୍ଚିମାଞ୍ଚଳରେ ମନ୍ଦିରକୁ ମଧ୍ୟ ଗୁଡ଼ି କୁହାଯାଏ । ସମ୍ବଲପୁରୀ ଶୈଳୀ ଛଡ଼ା ଓଡ଼ିଶାର ଗଡ଼ଜାତରେ ପ୍ରଚଳିତ ଦ୍ରାଵିଡ଼ ଭାଷାଗୋଷ୍ଠୀର ଖଡ଼ିଆ ଭାଷାରେ ମନ୍ଦିରକୁ 'ଗୁଡି଼' ,ଗୋଣ୍ଡୀ ଭାଷାରେ ଗୁଡ୍ଡି଼,ବିନଝାଲ୍ ଭାଷାରେ ଗୁଁଡି଼ ଓ କୋୟା ଭାଷାରେ 'ଗୁଡ଼ଇ' କୁହାଯାଏ । 

ପ୍ରକୃତରେ ମନ୍ଦିର ଅର୍ଥଜ ଏହି ‘ଗୁଡ଼ି’ ଶବ୍ଦଟି ଦ୍ରାଵିଡ଼ ଭାଷାପରିଵାର ମୂଳର ଶବ୍ଦ ଅଟଇ । ଅଵଶ୍ୟ ଭାରୋପୀୟ ଭାଷାପରିଵାରର ଜର୍ମାନିକ୍ ଭାଷାସମୂହର ଭାଷା Gothic ଭାଷାରେ ଆଗେ ଦେଵସ୍ଥଳୀକୁ 𐌲𐌿𐌳𐌷𐌿𐍃 n (gudhus) କୁହାଯାଉଥିଲା ଏଵଂ ଏହାର ମୂଳ ଭାରୋପୀୟ ଧାତୁରୂପ ǵʰutós ଅଟେ ଯହିଁ ସହିତ ଭାରତୀୟ ହୁତ, ଆହୁତି ଆଦି ଶବ୍ଦର ସଗୋତ୍ରୀୟ ସମ୍ପର୍କ ଅଛି ।‌ କିନ୍ତୁ ଓଡ଼ିଶାର ପଶ୍ଚିମାଞ୍ଚଳରେ ମନ୍ଦିରକୁ ବୁଝାଉଥିଵା 'ଗୁଡି଼' ଶବ୍ଦଟି ଦ୍ରାଵିଡ଼ ଭାଷାପରିଵାର ମୂଳର ଶବ୍ଦ ହୋଇଥିଵାଧ ସମ୍ଭାଵନା ଅଧିକ କାରଣ ଵିଭିନ୍ନ ଦ୍ରାଵିଡ଼ ଭାଷାରେ ମନ୍ଦିରକୁ 'ଗୁଡ଼ି' ଇତ୍ୟାଦି କୁହାଯାଇଥାଏ ।‌

T. Burrow, T ଓ M. B. Emeneauଙ୍କ ଦ୍ଵାରା ସଂକଳିତ “A Dravidian etymological dictionary”ରୁ ଜଣାଯାଏ ଯେ ତାମିଳ ଭାଷାରେ ମନ୍ଦିରକୁ kuṭikai କୁହାଯାଏ । 
ଅନ୍ୟ ଏକ ଦ୍ରାଵିଡ଼ ଭାଷା ‘Kota ଵା କୋଟା’ରେ ସେହିଭଳି ମନ୍ଦିରକୁ kuṛjl ଓ guṛy କୁହାଯାଉଛି ।‌ ଦ୍ରାଵିଡ଼ ଭାଷା todaରେ ମଧ୍ୟ ହିନ୍ଦୁ ମନ୍ଦିରକୁ kuṛy କୁହାଯାଏ ବୋଲି ଏ ଅଭିଧାନରେ ଉଲ୍ଲେଖ ଅଛି । କନ୍ନଡ଼ ଭାଷାଭାଷୀ ଗୃହ ଓ ମନ୍ଦିରକୁ guḍi କହୁଥିଵା ଏ ଅଭିଧାନରେ ଲେଖାଅଛି । ତାମିଲନାଡୁର ସୀମାନ୍ତ ଅଞ୍ଚଳରେ ବୋଲାଯାଉଥିଵା ତୁଲୁ ଭାଷାରେ ବି ମନ୍ଦିରକୁ guḍi କୁହାଯାଏ । ଅନ୍ୟତମ ଦ୍ରାଵିଡ଼ ଭାଷା କୋଲାମୀ(kolami)ରେ ମନ୍ଦିରକୁ guḍī,guḍi,guṛi ଓ guḍḍī କୁହାଯାଏ ବୋଲି ଏହି ଅଭିଧାନରେ ଲେଖାଯାଇଛି । 

ଏସମସ୍ତ ମନ୍ଦିର ଅର୍ଥଜ ‘ଗୁଡ଼ି’ ସମାର୍ଥକ ସଗୋତ୍ରୀୟ ଦ୍ରାଵିଡ଼ ଶବ୍ଦଗୁଡି଼କର ମୂଳ ଦ୍ରାଵିଡ଼ ଧାତୁରୂପ ହେଉଛି ‘kō’ ଯହିଁର ମୂଳ ଅର୍ଥ ଥିଲା ରାଜା,ଦେଵତା,ଘର,ମୁଖିଆ ଓ ପର୍ଵତ । ଏହି ମୂଳ ପ୍ରାକ୍ ଦ୍ରାଵିଡ଼ ‘kō’ ଶବ୍ଦରୁ ଗୋଟିଏ ପଟେ ଗୁଡ଼ି ଭଳି ଶବ୍ଦ ସୃଷ୍ଟି ହୋଇଥିଲାବେଳେ ଅନ୍ୟ ଏକ ଦିଗରେ 
ତାମିଳରେ கோயில்(kōyil), ତେଲୁଗୁରେ కోవెల (kōvela) ଓ కోయిల (kōyila), ମଳୟାଳ଼ମରେ കോയിൽ (kōyil) ଓ കോവിൽ (kōvil) ଆଦି ଶବ୍ଦ ସୃଷ୍ଟି ହୋଇଛି ଏଵଂ ମନ୍ଦିର ଅର୍ଥରେ ପ୍ରୟୋଗ କରାଯାଉଛି। 
ପୁଣି ଆଉ ଏକ ଦିଗରେ ସଂସ୍କୃତ ଭାଷାରେ ଏହି ମୂଳ ଦ୍ରାଵିଡ଼ ଶବ୍ଦଟି କୁଟୀ, କୁଟୀର, କୁଟୁମ୍ବ ରୂପେ ଯଥାକ୍ରମେ ଗୃହ,କୁଳ ଅର୍ଥରେ ଗୃହୀତ ହୋଇଥିଲା ବେଳେ ଓଡ଼ିଆଭାଷାରେ କୁଡ଼ିଆ ଓ କୁର୍ହିଆ(ଢେଙ୍କାନାଳୀ) ରୂପେ ମଧ୍ୟ ପ୍ରଚଳିତ ହୋଇଅଛି । ହିନ୍ଦୀ ଭାଷାରେ ମଧ୍ୟ ପ୍ରଚଳିତ କୁନଵା ଶବ୍ଦଟି ମୂଳତଃ ଦ୍ରାଵିଡ଼ ଭାଷା ପରିଵାରର ମୂଳ ଧାତୁରୂପ ‘kō’ ସହିତ ସମୋଦ୍ଧୃତ କୁଟୁମ୍ବ ଶବ୍ଦର ଏକ ଆଧୁନିକ ରୂପ ଅଟଇ ‌। କୁଈଭାଷାରେ ମଧ୍ୟ ଗୃହର ମଧ୍ୟଭାଗ, କ୍ଷୁଦ୍ର ଵାସଗୃହକୁ guḍi କୁହାଯାଏ,ଛୋଟ ପାହାଡ଼କୁ କୂପ୍ଡା କୁହାଯାଏ, ପତ୍ନୀକୁ କୁଡ଼ା ଓ କୁକୁଡ଼ା ବତକ ତଥା କୁକୁର ଆଦି ରଖିଵା ପାଇଁ କରାଯାଉଥିଵା ଛୋଟ ଘରକୁ ଗୁଡ଼ା କୁହାଯାଏ। ତେବେ ଓଡ଼ିଶାର ପଶ୍ଚିମାଞ୍ଚଳରେ ପ୍ରଚଳିତ ଖଡ଼ିଆ,ଗୋଣ୍ଡୀ,ବିନଝାଲ ଓ କୋୟା ଭଳି ଦ୍ରାଵିଡ଼ ଭାଷାରେ ଯଥାକ୍ରମେ 'ଗୁଡି଼' , 'ଗୁଡ୍ଡି଼','ଗୁଁଡି଼' ଓ 'ଗୁଡ଼ଇ' ଆଦି ଶବ୍ଦ ମନ୍ଦିର ଅର୍ଥରେ ଵ୍ୟଵହାର କରାଯାଉଥିଵାରୁ ତଥା କର୍ଣ୍ଣାଟକ,ତାମିଳନାଡ଼ୁ ,କେରଳ ଓ ଆନ୍ଧ୍ରପ୍ରଦେଶର ଵିଭିନ୍ନ ଦ୍ରାଵିଡ଼ ଭାଷାରେ ଗୁଡ଼ି ଶବ୍ଦ ସହିତ ସମୋଦ୍ଧୃତ ମନ୍ଦିର ଅର୍ଥଜ ଶବ୍ଦ ପ୍ରଚଳିତ ଥିଵାରୁ ସ୍ପଷ୍ଟ ହୁଏ ଯେ ଏହି ଦେଉଳ ଅର୍ଥରେ ପ୍ରୟୋଗ କରାଯାଉଥିଵା ଗୁଡ଼ି ଶବ୍ଦଟି ଦ୍ରାଵିଡ଼ ଭାଷାପରିଵାର ମୂଳର ଶବ୍ଦ ଅଟେ । 

ଗୁଡ଼ି ଶବ୍ଦ ସମ୍ବନ୍ଧୀୟ ପ୍ରୋକ୍ତ ଆଲୋଚନାରୁ ଆମେ କ'ଣ ଜାଣିଲେ ?

(କ) ଓଡ଼ିଶାର ଚାରି ଦିଗରେ ଗୋଟିଏ ଶବ୍ଦର ଚାରି ଵା ତତୋଽଧିକ ଅର୍ଥରେ ପ୍ରଚଳନ ଥାଇପାରେ

(ଖ)ଏକାପରି ଦେଖାଯାଉଥିଲେ ବି ଗୁଡ଼ି ଭଳି ଶବ୍ଦର ଅନେକ ନିରୁକ୍ତି ମୂଳ ଥାଇପାରେ ତେଣୁ ତାହା ପ୍ରକୃତରେ ଗୋଟିଏ ନୁହେଁ ଵରଂ ନୈରୁକ୍ତିଶାସ୍ତ୍ର ଦୃଷ୍ଟିରୁ ଭିନ୍ନ ଭିନ୍ନ ଶବ୍ଦ ଅଟେ । 

(ଗ) ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଓଡ଼ିଶାର ସବୁ ଅଞ୍ଚଳର ଶବ୍ଦସମୂହକୁ ସ୍ଥାନିତ କରିଵାକୁ ପ୍ରାରମ୍ଭିକ ପ୍ରଚେଷ୍ଟା କରିଥିଲେ ଶବ୍ଦଗୁରୁ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ। ତେଣୁ ସେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଓଡ଼ିଶାର ପଶ୍ଚିମାଞ୍ଚଳରେ ପ୍ରଚଳିତ ଗୁଡ଼ି ଶବ୍ଦର ଦୁଇଗୋଟି ଅର୍ଥ ସଭା ଓ ମନ୍ଦିରକୁ ଗୁଡ଼ି ଶବ୍ଦର ଅର୍ଥ ଭାବରେ ଯୋଡ଼ି ଯାଇଛନ୍ତି । 

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...