Monday, May 1, 2023

ଗାତ୍ର ଓ ଗା କେଵଳ ବଙ୍ଗାଳୀ ଶବ୍ଦ କାହିଁକି ?

ଗାଧୋଇଵା ଏକ ବହୁପ୍ରଚଳିତ ଓଡ଼ିଆ ଶବ୍ଦ ଏଵଂ ଏହା ଅନ୍ୟ ଭାଷାରେ ପ୍ରାୟତଃ ଦେଖାଯାଏ ନାହିଁ । 
ଗା+ଧୋଇଵା = ଗାଧୋଇଵା ସେହିପରି 
ପାଆ+ଧୋଇଵା = ପାଧୋଇଵା 

'ଗା' ମାନେ 'ଗାତ୍ର' ଅର୍ଥାତ୍ ଶରୀର । ଆଜି ବି ଓଡ଼ିଶାର କେତେକ ଶୈଳୀରେ ଶରୀରକୁ 'ଗା' କୁହାଯାଏ ‌। ସେହି 'ଗା' ଶବ୍ଦ ସହିତ 'ଧୋଇଵା' ଶବ୍ଦ ଯୋଡ଼ି ହୋଇ ଗାଧୋଇଵା ଶବ୍ଦ ସୃଷ୍ଟି କରାଯାଇଛି । ଏହି 'ଗା' ଶବ୍ଦ ପୁଣି ଗାମୁଛା ଶବ୍ଦରେ ବି ଅଛି । ଯେଉଁ ପୋଛାରେ ଗା ଅର୍ଥାତ୍ ଶରୀର ପୋଛାପୋଛି ହେଉଥିଲା ତାକୁ ଗାପୋଛା କୁହାଯାଉଥିଲା ଯାହା ପରେ ଗାମୁଛା ହୋଇଛି ।ମତାନ୍ତରେ ଗା ମଜା ଵା ଵା ଗା ମୁଜାରୁ ଗାମୁଛା ଶବ୍ଦ ସୃଷ୍ଟି ହୋଇଛି । 

 ସେହି ଧରଣର ଆଉ ଏକ ଶବ୍ଦ ପାଧୋଇଵା ଏଵଂ ଏହା ସହଚର ଶବ୍ଦ ଭାବେ ଗାଧୋଇଵା ଶବ୍ଦ ସହିତ ଯୁକ୍ତ ହୋଇ ଵ୍ୟଵହାର କରାଯାଏ । ଯଥା : 

“ମୁଁ ଗାଧୋଇ ପାଧୋଇ (ଅନ୍ୟ ରୂପ :ଗାଧେଇ ପାଧେଇ) ପାଟଣାଗଡ଼କୁ ଯାଉଛି ତମେ ବାଟରେ ମତେ ଭେଟ !” 

ଅନେକେ ଭାଵନ୍ତି ଗାଧୋଇଵା ଶବ୍ଦ ସହିତ ସହଚର ଶବ୍ଦ ଭାବେ ଯୁକ୍ତ ହେଉଥିଵା ପାଧୋଇଵା ଶବ୍ଦଟି ଏକ ନିରର୍ଥକ ଶବ୍ଦ କିନ୍ତୁ ଏହା ଠିକ୍ ନୁହେଁ । ପାଧୋଇଵା ଶବ୍ଦରେ ଯେଉଁ ପା ଵା ପାଆ ଶବ୍ଦ ଅଛି ତାହାର ଅର୍ଥ ପାଦ ଅଟେ । ଆମେ ତଳିପା କହିଲା ବେଳେ ସେଥିରେ ମଧ୍ୟ ଏହି ପାଆ ଶବ୍ଦ ରହିଛି ବୋଲି ଜାଣିପାରନ୍ତି ନାହିଁ ।‌ ପାଆ ଧୋଇଵା ମାନେ ପାଦ ଧୋଇଵା । ତେଣୁ ଗାଧୋଇଵା ପାଧୋଇଵାର ସାଧାରଣ ଅର୍ଥ ସମ୍ପୂର୍ଣ୍ଣ ଭାବରେ ସ୍ନାନ କରିଵା । 

ଅନେକେ ଏହି ମୂଳ ଓଡ଼ିଆ ଶବ୍ଦଗୁଡି଼କର ଅଯଥା ସଂସ୍କୃତ ମୂଳ ଦେଖାଇଵାକୁ ଗାତ୍ରମାର୍ଜନୀ,ଗାତ୍ରପ୍ରୋଚ୍ଛନୀ ଭଳି ଶବ୍ଦର ଉଲ୍ଲେଖ କରନ୍ତି କିନ୍ତୁ ଓଡ଼ିଶା ଛଡ଼ା ଅନ୍ୟତ୍ର ଗାଧୋଇଵା,ପାଧୋଇଵା ଓ ଗାମୁଛା ଭଳି ଶବ୍ଦ ଅପ୍ରଚଳିତ ତେଣୁ ଏସବୁ ଶବ୍ଦ ଓଡ଼ିଆ ଭାଷାର ଶବ୍ଦ ସମ୍ଭାର ଵ୍ୟଵହାରରେ ସୃଷ୍ଟି ହୋଇଛି । 

ଆଗେ ଗାତ୍ର ପ୍ରୋଚ୍ଛନୀ କି ଗାତ୍ରମାର୍ଜନୀ ଭଳି କୌଣସି ଶବ୍ଦ ପ୍ରାଚୀନ ସଂସ୍କୃତ ସାହିତ୍ୟରେ ନଥିଲା ଵରଂ ଏ ସବୁ ଶବ୍ଦ ଓଡ଼ିଆରେ ଗାମୁଛା ଓ ଗାଧୋଇଵା ଭଳି ଶବ୍ଦ ସୃଷ୍ଟି ହେଲାପରେ ତହିଁର ସଂସ୍କୃତ ପ୍ରତିଶବ୍ଦ ସୃଷ୍ଟି କରିଵା ପ୍ରଚେଷ୍ଟାରେ ଗଢ଼ାଯାଉଛି ଯେମିତି ଉତ୍କଳୀୟ କଵି ଜୟଦେଵଙ୍କ ଦ୍ଵାରା ଓଡ଼ିଆ ବୋଇତ ଶବ୍ଦ ସଂସ୍କୃତ ଭାଷାରେ ଯାଇ ଵହୀତ୍ର ହୋଇଅଛି । 

ପୁଣି ଦେଖାଯାଏ କିଛି ଲୋକ ଆପଣାର ଅଜ୍ଞାନତା ଯୋଗୁଁ "ଗା ଆଉ ପାଆ" ଓଡ଼ିଆ ଶବ୍ଦଦ୍ଵୟକୁ ବଙ୍ଗଳା ଭାଷାର ଶବ୍ଦ ମନେ କରନ୍ତି କିନ୍ତୁ ଏହା ଏକ ଉଦ୍ଭଟ ଚିନ୍ତାଧାରା । ପ୍ରାଚୀନ ଓଡ଼ିଆ ଭାଷାରେ ଆଜ ଶବ୍ଦ ଵ୍ୟଵହାର ହୋଇଅଛି ଏଵଂ ଆଜିକାଲି ହିନ୍ଦୀରେ ଆଜ୍ ଶବ୍ଦ ପ୍ରୟୋଗ କରାଯାଉଛି ତା ବୋଲି ପ୍ରାଚୀନ ଓଡ଼ିଆ 'ଆଜ' ଶବ୍ଦକୁ ହିନ୍ଦୀ ଅନୁକୃତ ବୋଲିଵା ସମୁଚିତ ହେଵ କି ? 

ଆମର‌ ତଳିପା, ଦେହପାଆ, ପାଆତଳ,ପାଆତଳିଆ,ପାଆଧୂଆ,ପାଆପଦ୍ମ,ପାଆଫିଆ,ପାଆଭାଗ,ପାତଳି,ପାମ୍ପଡ଼ି ଶୋଇଵା ଓ ପାଇକ ଆଦି ଅନେକ ଶବ୍ଦରେ ପାଦ ଅର୍ଥଜ ପାଆ ଶବ୍ଦ ଅଛି । ପ୍ରାଚୀନ ସାହିତ୍ୟରେ ପାଆ ଶବ୍ଦ ପ୍ରୟୋଗ କରାଯାଇଛି । 

“ଦ୍ୱିତୀୟ ସଙ୍ଗ ଥିବାଯାଏ, 
ମନ ନ ପଶେ ତୋର ପାଏ”
(ଭୂପତି, ପ୍ରେମପଞ୍ଚାମୃତ।)

ସେହିପରି ଗା,ଗାତ୍ର ଶବ୍ଦ ମୂଳଜ ଗାଧୋଇଵା,ଗାଧେଇଵା,ଗାଧପାଧ,
ଅଗାଧୁ,ଅଗାଧୁଆ,ଗାତ୍ରା(ପରିଷ୍କାର -ଗଞ୍ଜାମ),ଗାଧୁଆ,ଗାଗର(ଦେହ),ଗାଧୁଆଗାଧି,ଗାଧୁଆପାଧୁଆ,ଗାଧୁଆବେଳ,ବୁଡ଼ାଗାଧୁଆ,ସଗା(କୋଡି଼ର ବେଣ୍ଟ),ଗତର(ଶରୀର),ଗତରପୋଷା,ଗାଣ୍ଡି,ଗାଲୁ(ଗଲୁ),ଗାବିଵା,ଗୁବିଵା,ଗେବିଵା(ଦେହରେ ଫୋଡି଼ଵା) ,ଗୋର ଦେଵା(ମୃତ ଶରୀରକୁ ପୋତିଵା) ଓ ଘୋଡ଼(ଗାତ୍ରାଵରଣ) ଭଳି ଅନେକ ଶବ୍ଦ ରହିଛି । 

ଏଠାରେ ବୁଝିଵାକୁ ହେଵ ଯେ ଉତ୍ତର, ପଶ୍ଚିମ ଓ ପୂର୍ଵ ଭାରତରେ ଓଡ଼ିଆ ଭାଷା ହେଉଛି ଵୟସ ଦୃଷ୍ଟିରୁ ଜ୍ୟୈଷ୍ଠ ଭାଷା । ଯେତେବେଳେ ବଙ୍ଗାଳୀ ହିନ୍ଦୀ ଆଦି ଭାଷାର ଅସ୍ତିତ୍ବ ନଥିଲା ସେତେବେଳେ ବି ଆମ ଓଡ଼ିଆ ଭାଷା ଥିଲା । 

ସେମିତି ଦେଖିଲେ ସାରଳା ମହାଭାରତରେ ଶରୀର ଅର୍ଥଜ ଗାତ୍ର ଶବ୍ଦ ଵ୍ୟଵହାର ହୋଇଅଛି 

“ଦଣ୍ଡ କମଣ୍ଡଳ କଷା କଉପୁନୀ ଶୀତାଂସୁ ତାମ୍ର ବର୍ଣ୍ଣ ଗାତ୍ର ଅଙ୍ଗେଣ ଲେପନ ପାଂଶୁ ।”

ସାରଳା ମହାଭାରତ ସାରା ଉତ୍ତର , ପଶ୍ଚିମ ଓ ପୂର୍ଵ ଭାରତର ପ୍ରଥମ ଅସଂସ୍କୃତ ପୌରାଣିକ କାଵ୍ୟଗ୍ରନ୍ଥ । ସେତେବେଳେ କୋଉ ବଙ୍ଗଳା କି ହିନ୍ଦୀ ଗ୍ରନ୍ଥ କିଏ ଲେଖିଥିଵା ଜଣାଯାଏ ନାହିଁ । ତେଣୁ ଗା ଓ ପା ଶବ୍ଦଦ୍ଵୟକୁ ବଙ୍ଗାଳୀ ଶବ୍ଦ ମନେ କରିଵା ହିଁ ଭୁଲ୍ ଅଟେ ।

ତେବେ ଏହାର ପ୍ରାକ୍ ଭାରୋପୀୟ ଶବ୍ଦରୂପ ଵିଷୟରେ ମଧ୍ୟ ଆଲୋଚନା ଆଵଶ୍ୟକ। ଆମେ ଦେଖୁ କେଵଳ ଓଡ଼ିଆ, ସଂସ୍କୃତ କି ବଙ୍ଗାଳୀ ନୁହେଁ ଅନେକ ଭାରତୀୟ ଭାଷାରେ ଗାତ୍ର ଓ ଗାଆ ସହିତ ସମୋଦ୍ଧୃତ ସଗୋତ୍ରୀୟ ଶବ୍ଦ ଅଛି ।

ଓଡ଼ିଶାର ପ୍ରାଚୀନ ଭାଷା ପାଲୀରେ ଶରୀରକୁ ଲୋକେ gatta କହୁଥିଲେ । ଓଡ଼ିଶାର ଅନ୍ୟତମ ପ୍ରାଚୀନ କଥିତ ଭାଷା ଅର୍ଦ୍ଧମାଗଧୀ ଵା ଉଡ୍ରମାଗଧୀରେ ଶରୀରକୁ 𑀕𑀸𑀅 (gāa) କୁହାଯାଉଥିଲା ଯାହା ଓଡ଼ିଆ ଭାଷାରେ ଗତର,ଗାତ୍ରା,ଗା ରୂପେ ଏବେ ବି ପ୍ରଚଳିତ । ଆଜି ବି ଓଡ଼ିଶାର ଗଡ଼ଜାତରେ ଶରୀରକୁ ଗାଗର୍ କୁହାଯାଏ । 

ପ୍ରାଚୀନ ଅହମିଆରେ গাৱ (gawo) ଓ ଆଧୁନିକ ଅହମିଆରେ গা (ga) ଶବ୍ଦର ପ୍ରଚଳନ ରହିଛି । ଆସାମର ବୋଡ଼ୋ ଭାଷାରେ ଶରୀରକୁ गाव (gao) କୁହାଯାଏ । ବଙ୍ଗାଳୀରେ
 গা (ga),କାମତାପୁରୀରେ 
 গাও (gaö),ରୋହିଙ୍ଗ୍ୟାରେ gaa ଓ ସିଅଲହଟୀରେ ꠉꠣ (ga) ଶବ୍ଦ ଚଳୁଅଛି । 

ମହାରାଷ୍ଟ୍ରୀ ପ୍ରାକୃତରେ ଶରୀରକୁ 𑀕𑀢𑁆𑀢 (gatta) କୁହାଯାଉଥିଲା କିନ୍ତୁ ପରେ ମରାଠୀରେ ଏହା ଭିନ୍ନ ଅର୍ଥ ସହ gāta ରୂପରେ ପ୍ରଚଳିତ ଅଛି । ହିନ୍ଦୀର ପୁରୁଣା ସାହିତ୍ୟରେ ମଧ୍ୟ ଶରୀର ଅର୍ଥରେ ଗାତ ଶବ୍ଦ ଵ୍ୟଵହାର ହୋଇଅଛି । ଭାରତର ପ୍ରାୟ ସବୁ ଭାଷାର ସାହିତ୍ୟରେ ଶରୀର ଅର୍ଥଜ ସର୍ଵଭାରତୀୟ ଗାତ୍ର ଶବ୍ଦ ଵ୍ୟଵହାର ହୋଇଅଛି ,ହେଉଅଛି । ଏମନ୍ତକି ମଳୟାଳ଼ମରେ ഗാത്രം (gātraṃ) ଓ ତେଲୁଗୁରେ గాత్రము (gātramu) ରୂପରେ ଏ ଶବ୍ଦ ପ୍ରୟୋଗ କରାଯାଇଛି । 

ତେବେ ପ୍ରକୃତରେ ଏହା ଏକ ଭାରୋପୀୟ ମୂଳର ଶବ୍ଦ । ଗା(ଗତି କରିଵା) ଓ ତ୍ର ଶବ୍ଦ ଯୁକ୍ତ ହୋଇ ଗାତ୍ର ଶବ୍ଦ ସୃଷ୍ଟି ହୋଇଛି । ଏହାର ମୂଳ ଭାରୋପୀୟ ଧାତୁରୂପ ନିର୍ଣ୍ଣୟ କରାଯାଇଛି 
 *gʷeh₂- (“to step”) । ଏ ଦୃଷ୍ଟିରୁ ଦେଖିଲେ ଭାରତୀୟ ଶରୀର ଅର୍ଥଜ ଗାତ୍ର ଶବ୍ଦ ସହିତ ପ୍ରାଚୀନ ଗ୍ରୀକ୍ βῆμᾰ • (bêma ; ଚାଲିଵା,ଗତି) , ଆଵେସ୍ତାନୀ 𐬔𐬁𐬝‎ (gāt̰),ଆର୍ମେନୀୟ կամ (kam ଛିଡ଼ା ହେଵା ଅପେକ୍ଷା କରିଵା),ଆଇରିଶ୍ bath(ମୃତ୍ୟୁ) ଓ ପାର୍ସୀ گام (gâm ପାହୁଣ୍ଡ) ଆଦି ଅନେକ ସଗୋତ୍ରୀୟ ସମୋଦ୍ଧୃତ ଶବ୍ଦ ଵିଭିନ୍ନ ଭାରୋପୀୟ ଭାଷାଗୁଡି଼କରେ ପ୍ରଚଳିତ ଅଛି । 

ତାହେଲେ ଗାତ୍ର କେଵଳ ବଙ୍ଗାଳୀମାନଙ୍କର ଶବ୍ଦ କେମିତି ହୋଇଗଲା ?

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...