Monday, May 22, 2023

Oxଠାରୁ ଔକ୍ଷ ଯାଏଁ

ଛୋଟପିଲା ଇଂରାଜୀ ଶିଖିଲାବେଳେ ଇଂରାଜୀ ଭାଷାର ବଳଦ ଅର୍ଥରେ ଵ୍ୟଵହୃତ Ox ସହିତ ପରିଚିତ ହୋଇଥାନ୍ତି ‌। ବହୁତ ଛୋଟିଆ ଶବ୍ଦଟିଏ ହୋଇଥିଵାରୁ ପିଲାମାନଙ୍କୁ ଏହି ଶବ୍ଦଟି ପ୍ରଥମେ ଶିଖା ଯାଇଥାଏ । Ox ଶବ୍ଦଟି ଛୋଟିଆ ଦେଖାଯାଉଥିଲେ ବି ଏହାର ନିରୁକ୍ତି ଇତିହାସ ବଡ଼ ଗହନ । ଭାରତଠାରୁ ତୁର୍କୀ ଯାଏଁ ଇଂଲଣ୍ଡଠାରୁ ଜର୍ଜିଆ ଆଉ ତୁର୍କୀ ପର୍ଯ୍ଯନ୍ତ ଅଞ୍ଚଳରେ ଏହା ସହିତ ସଗୋତ୍ରୀୟ ସମ୍ପର୍କ ଥିଵା ଅନେକ ଶବ୍ଦ ଚଳୁଅଛି । 

ଆଧୁନିକ ଇଂରାଜୀ Ox ଶବ୍ଦର ମଧ୍ୟଯୁଗୀୟ ଇଂରାଜୀରେ ରୂପ ଥିଲା oxe ଏଵଂ ପ୍ରାଚୀନ ଇଂରାଜୀରେ ଏହା oxa ରୂପେ ପ୍ରଚଳିତ ଥିଲା । ଇଂରେଜମାନେ ପ୍ରାଚୀନ ଜର୍ମାନିକ୍ ଜାତି ଏଵଂ ଇଂଲଣ୍ଡକୁ ଜର୍ମାନୀର ସମୁଦ୍ର ଉପକୂଳରୁ ଗଲାବେଳେ ନିଜ ସହିତ ସେମାନେ ଏହି ଶବ୍ଦଟିକୁ ମଧ୍ୟ ସାଥିରେ ନେଇଯାଇଥିଲେ । ତେଣୁ କେଵଳ ଇଂରାଜୀ ହିଁ ନୁହେଁ ଵରଂ ଜର୍ମାନିକ୍ ଭାଷା ମୂଳର ଅନେକ ଭାଷାରେ ବଳଦର Ox ସହିତ ସମୋଦ୍ଧୃତ ଥିଵା ପ୍ରତିଶବ୍ଦ ଵ୍ୟଵହାର କରାଯାଏ। ଯଥା Frisian ଭାଷାରେ ବଳଦକୁ oksen, ଡଚ୍ ଭାଷାରେ os ଓ ଆଧୁନିକ ଜର୍ମାନ୍ ଭାଷାରେ Ochse କୁହାଯାଏ । ଇଂରାଜୀ ଭଳି ସ୍କଟିସ୍ ଭାଷାରେ ବି ox ଶବ୍ଦଟି ବଳଦ ଅର୍ଥରେ ପ୍ରୟୋଗ କରାଯାଏ। ବଳଦକୁ ଆଇଶଲ୍ୟାଣ୍ଡିକରେ oxi ଓ uxi,
Faroese ଭାଷାରେ oksi,
Norwegian ଭାଷାରେ okse ଓ ukse, ସ୍ବିଡିସ୍ ଭାଷାରେ oxe,ଡାନିସ୍ ଭାଷାରେ okse ଓ Yiddish ଭାଷାରେ אָקס‎ (oks) କୁହାଯାଏ । ଏ ସମସ୍ତ ଶବ୍ଦର ପ୍ରାକ୍ ଜର୍ମାନିକ୍ ମୂଳଶବ୍ଦ *uhsô ନିର୍ଣ୍ଣୟ କରାଯାଇଛି । 

ଭାରୋପୀୟ ଭାଷାପରିଵାରରେ ଜର୍ମାନିକ୍ ଶାଖା ଛଡ଼ା ପ୍ରାକ୍ ୟୁରାଲିକ୍ ଶାଖାର
Mari ଭାଷାରେ ӱшкӱж (üšküž) ଓ ӱшкӹж (üškÿž) ତଥା Udmurt ଭାଷାରେ ош (oš) ଶବ୍ଦଗୁଡି଼କର ମୂଳ ପ୍ରାକ୍ ୟୁରାଲିକ୍ ରୂପ *uškɜ ଏଵଂ ଏହି ଶବ୍ଦଗୁଡି଼କ ପ୍ରାୟତଃ ଷଣ୍ଢ ଓ ଵୃଷ ଅର୍ଥରେ ପ୍ରୟୋଗ କରାଯାଏ ।

ସେହିପରି କେଲ୍ଟିକ୍ ଭାଷା ଶାଖାର ଓ୍ଵେଲ୍ସ ଭାଷାରେ ych ଓ ychain , କୋର୍ନିସ୍ ଭାଷାରେ ohen,ବ୍ରେଟୋନ୍ ଭାଷାରେ oc'hen ଓ ଆଇରିଶ୍ ଭାଷାରେ os (ହରିଣ) ଇତ୍ୟାଦି ଶବ୍ଦ ଚଳୁଅଛି ଏଵଂ ଏହିସବୁ ଶବ୍ଦଗୁଡ଼ିକର ମଧ୍ୟ ଇଂରାଜୀ ox ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ଅଛି ଏଵଂ ଏସବୁ ଶବ୍ଦଗୁଡି଼କର ପ୍ରାକ୍ କେଲ୍ଟିକ୍ ରୂପ *uxsū ନିର୍ଣ୍ଣୟ କରାଯାଇଛି । 

ଭାରୋଇରାନୀୟ ଶାଖାରେ ଆଵେସ୍ତାନରେ 
ଷଣ୍ଢ ଵା ବୃଷ ଅର୍ଥରେ 𐬎𐬑𐬱𐬀𐬥‎ (uxšan) ଶବ୍ଦ ଵ୍ୟଵହୃତ ହେଉଥିଲା । 
ଅନ୍ୟତମ ଭାରୋଇରାନୀୟ ଭାଷା ସଂସ୍କୃତରେ ଉକ୍ଷନ୍,ଉକ୍ଷା,ଉକ୍ଷଣଃ,
ଉକ୍ଷତର,ଔକ୍ଷ ତଥା ମହୋକ୍ଷ ଇତ୍ୟାଦି ଶବ୍ଦ 
ବୃଷ,ବଳଦ ଅର୍ଥରେ ଵ୍ୟଵହୃତ ହେଉଥିଲା। ଏମନ୍ତକି ପାଲୀ ତଥା ପ୍ରାକୃତ ଭାଷାରେ ବି ଯଥାକ୍ରମେ ukkhā ଓ ଉଚ୍ଛ ଶବ୍ଦ ପୂର୍ଵେ କଥିତ ଭାଷାରେ ଚଳୁଥିଲା ‌। ଏସବୁ ଶବ୍ଦର ପ୍ରାକ୍ ଭାରୋଇରାନୀୟ ଶବ୍ଦରୂପ *(H)ukšā́ ନିର୍ଣ୍ଣୟ କରାଯାଇଛି ଏଵଂ ଏହି ଆନୁମାନିକ ମୂଳ ଶବ୍ଦଟି ବଳଦ ଅର୍ଥରେ ସଂସ୍କୃତ ଭାଷାରେ ଵ୍ୟଵହୃତ ଉକ୍ଷା ଶବ୍ଦର ନିକଟତର ଜଣାପଡ଼େ । 


ଠିକ୍ ସେହିପରି ଇଂରାଜୀ Oxଠାରୁ ଭାରତୀୟ ଔକ୍ଷ ଶବ୍ଦ ଯାଏଁ ପ୍ରୋକ୍ତ ସମସ୍ତ ଭାରୋପୀୟ ଶବ୍ଦଗୁଡି଼କର ମୂଳ ଭାରୋପୀୟ ଶବ୍ଦରୂପ *uksḗn ନିର୍ଣ୍ଣୟ କରାଯାଇଛି ଏଵଂ ଏହି ମୂଳ ଶବ୍ଦଟି ଅନେକାଂଶରେ ଭାରତୀୟ ଉକ୍ଷନ୍ ଵା ଉକ୍ଷଣଃ ଶବ୍ଦର ନିକଟତର ଜଣାପଡ଼ିଥାଏ ।

ତେବେ ପୂର୍ଵେ ସଂସ୍କୃତ ଭାଷାରେ ଉକ୍ଷା,ଉକ୍ଷଣଃ,ଉକ୍ଷନ୍,ଔକ୍ଷ ତଥା ପାଲୀ ଭାଷାର ଉଖ୍ଖା ଆଉ ପ୍ରାକୃତ ଭାଷାରେ ଉଚ୍ଛ ଇତ୍ୟାଦି ଶବ୍ଦ ପ୍ରଚଳିତ ଥିଲେ ବି ସମୟ ସହିତ ଏସବୁ ଶବ୍ଦ କେଵଳ ଭାରତୀୟ ପ୍ରାଚୀନ ଶାସ୍ତ୍ର ମଧ୍ୟରେ ହିଁ ସୀମିତ ହୋଇ ରହିଯାଇଛି । ମୋଟ ଉପରେ କହିଵାକୁ ଗଲେ ଜର୍ମାନିକ୍ ଭାଷାଗୁଡି଼କରେ ମୂଳ ଭାରୋପୀୟ ଶବ୍ଦରୂପ *uksḗnରୁ ସୃଷ୍ଟି ହୋଇଥିଵା ox,os ଭଳି ଶବ୍ଦ ଅଧିକ ଵ୍ୟାପିପାରିଛି ଏଵଂ ଆଜି ବି ପ୍ରଚଳିତ ଅଛି କିନ୍ତୁ ଆମ୍ଭ ଦେଶରେ ସେହି ମୂଳ ଶବ୍ଦରୁ ସୃଷ୍ଟି ହୋଇଥିଵା ଶବ୍ଦଗୁଡି଼କ ସାହିତ୍ୟ ତଥା କଥିତ ଭାଷାରୁ ଲୁପ୍ତ ହୋଇଯାଇଛି । 

ଆମ ଦେଶରେ ଉକ୍ଷା, ଉକ୍ଷଣଃ,ଉକ୍ଷନ୍,ଉଚ୍ଛ ଓ ଉଖ୍ଖା ଭଳି ଶବ୍ଦ ଲୋପ ପାଇଯିଵାର କାରଣ କ'ଣ ?

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...