ଚଳଚ୍ଚିତ୍ର ଓ ପୁସ୍ତକରେ ପରଗ୍ରହୀମାନଙ୍କ ପାଇଁ Alien ଶବ୍ଦର ବହୁଳ ଵ୍ୟଵହାର ଯୋଗୁଁ
ଵର୍ତ୍ତମାନ ଯୁଗରେ Alienର ସାଧାରଣ ଅର୍ଥ ହୋଇଯାଇଛି ପରଗ୍ରହୀ ଵା ପୃଥିଵୀ ଭିନ୍ନ ଅନ୍ୟ କୌଣସି ଗ୍ରହର ଅଧିଵାସୀ । ତେବେ Alien ଶବ୍ଦକୁ ଇଂରାଜୀ ଭାଷାରେ ଵିଦେଶୀ ଗଛ,ଜୀଵ ଓ ଦ୍ରଵ୍ୟ ଅର୍ଥରେ ମଧ୍ୟ ଵ୍ୟଵହାର କରାଯାଏ ଏଵଂ ଏହା ହିଁ ଏହି ଶବ୍ଦର ମୂଳ ଅର୍ଥ ଅଟେ ।
Alien ଶବ୍ଦଟି ଫ୍ରେଞ୍ଚ୍ ଭାଷାରୁ ଆସି ଇଂରାଜୀରେ ପ୍ରଚଳିତ ହୋଇଥିଲା । ଏହାର ମୂଳ ଲାଟିନ୍ ଶବ୍ଦରୂପ aliēnus ଥିଲା ଏଵଂ ଏହି ଶବ୍ଦଟି ଆଗେ ଲାଟିନ୍ ଭାଷାରେ ଅନ୍ୟ ସହିତ ସମ୍ବନ୍ଧିତ ଓ ଵିଦେଶୀ ଅର୍ଥରେ ଚଳୁଥିଲା । ପାଶ୍ଚାତ୍ୟ ଭାଷାଵିଦମାନେ Alien ଶବ୍ଦର ମୂଳ ଭାରୋପୀୟ ଶବ୍ଦରୂପ *h₂élyos ଓ ମୂଳ ଭାରୋପୀୟ ଧାତୁରୂପ *h₂el ନିର୍ଣ୍ଣୟ କରିଛନ୍ତି । ଏ ଦୃଷ୍ଟିରୁ ଦେଖିଲେ ଇଂରାଜୀ ଭାଷାର else ତଥା ଭାରତୀୟ ଶବ୍ଦ ଅରଣ ସହିତ alien ଶବ୍ଦର ସଗୋତ୍ରୀୟ ସମ୍ପର୍କ ଅଛି । ଭାରତରେ ଅରଣ ଶବ୍ଦଟି ଦୂର,ଵିଦେଶୀ,ବିନା ଲଢ଼େଇରେ,ଶରଣ ଆଦି ଅର୍ଥରେ ଵ୍ୟଵହୃତ ହେଉଥିଲେ ବି ଦୂର,ଵିଦେଶୀ ଓ ଶରଣ ଅର୍ଥରେ ଵ୍ୟଵହୃତ ଅରଣ ଶବ୍ଦଟିର alien ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ରହିଛି ।
ଅର୍ବୁଦ ଅର୍ବୁଦ ତାରକା ଵିଶିଷ୍ଟ ଆମ ଆକାଶଗଙ୍ଗା ଛାୟାପଥ ପୁଣି ଆମ ଆକାଶଗଙ୍ଗା ଛାୟାପଥଠାରୁ ବଡ଼ ଓ ସାନ କରି କୋଟି କୋଟି ଆହୁରି ଅନେକ ଛାୟାପଥ ଆମ ବ୍ରହ୍ମାଣ୍ଡରେ ଵିଦ୍ୟମାନ । ଏଣୁ ହଁ ପୃଥିଵୀ ଭିନ୍ନ ଅନ୍ୟ କୌଣସି ନା କୌଣସି ଗ୍ରହରେ ଜୀଵ ନିଶ୍ଚୟ ଥିବେ ।
No comments:
Post a Comment