ସେ ଯାହା ହେଉ ମାଇପ, ମାଏଝୀ ଓ ମାକିକିନା ଶବ୍ଦର ନିରୁକ୍ତି ସମ୍ବନ୍ଧରେ ନାନାମୁନି ନାନା ମତ ରହିଛି । ଉଦାହରଣ ସ୍ୱରୂପ ସାରଳା ଦାସଙ୍କ ସାରଳା ମହାଭାରତରେ ମାଇପ ଶବ୍ଦର ସୃଷ୍ଟି ସମ୍ବନ୍ଧରେ ନିମ୍ନୋକ୍ତ ପଦଟି ଉଲ୍ଲେଖ ଅଛି...
“ତିନି ଅକ୍ଷରେ ଯେ ଅଟଇ ସ୍ତ୍ରୀଙ୍କର ନାମ
ପ୍ରଥମ ଅକ୍ଷରେ ମାଆ ପଦ ବ୍ରହ୍ମ
ଦୁଇ ଅକ୍ଷରେ ଆଇ ତିଜ ଅକ୍ଷରେ ପୁଅ,
ଏ ଵିଧିରେ ସ୍ତିରୀଙ୍କି ଗୋ ଲାଗିଲା ବଡ଼ ସ୍ନେହ ॥”(ଵନପର୍ଵ,ମହାଭାରତ)
ସାରଳା ମହାଭାରତର ଏହି ପଦରେ ଯେଉଁ ତିନି ଅକ୍ଷର ଵିଶିଷ୍ଟ ଶବ୍ଦଟି ଵିଷୟରେ ଉଲ୍ଲେଖ କରାଯାଇଛି ତାହା ହେଉଛି ମାଇପ । ମାଇପ ଵା ମାଏପୋ ଶବ୍ଦ ଓଡ଼ିଆ ଭାଷାରେ ସ୍ତ୍ରୀ’ର ପ୍ରତିଶବ୍ଦ ଭାବେ ପ୍ରଚଳିତ ସେହିପରି ମାଇପେ ଶବ୍ଦଟି ସ୍ତ୍ରୀଲୋକଙ୍କ ପାଇଁ ଵ୍ୟଵହୃତ ହୋଇଥାଏ ।
ସାରଳା ମହାଭାରତରେ ସାରଳା ଦାସ ପ୍ରୋକ୍ତ ପଦ ମଧ୍ଯରେ ମାଇପ ଶବ୍ଦର ନିରୁକ୍ତି ଉଲ୍ଲେଖ କରାଯାଇଛନ୍ତି । ସାରଳା ଦାସଙ୍କ ଅନୁସାରେ ମାଇପ ଶବ୍ଦଟି “ମା,ଆଈ(ମାତା;ପ୍ରାଚୀନ ପ୍ରୟୋଗ) ଓ ପ ଵା ପୋ(ପୁଅ) ଏହି ତିନୋଟି ଶବ୍ଦ ଯୁକ୍ତ ହୋଇ ଗଠିତ ହୋଇଅଛି ।
ଅର୍ଥାତ୍ ସାରଳା ଦାସଙ୍କ ଅନୁଯାୟୀ “ମାଆ ,ଆଈ ଓ ପୁଅ” ଏଥିରୁ ମାଇପ ଶବ୍ଦର ସୃଷ୍ଟି ହୋଇଅଛି । ତେଣୁ ଏ ଦୃଷ୍ଟିରୁ ମାଇପ ଶବ୍ଦର ପୂର୍ଣ୍ଣ ରୂପ ହେଵ “ମୋ ପୁଅର ମାଆ” ଯେ ସେ ମୋ ମାଇପ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମାଇପ ଶବ୍ଦ ତଳେ ଏହାର ନିରୁକ୍ତି ଉଲ୍ଲେଖ କରାଯାଇଛି ଯେ ଏ ଶବ୍ଦଟି ପ୍ରାକୃତ ‘ମାଇଆ’ କିଂଵା ସଂସ୍କୃତ ‘ମାତୃ’ ଶବ୍ଦ ସହ ସମୋଦ୍ଧୃତ ହୋଇଥାଇପାରେ । ଏଭଳି କୁହାଯିଵାର କାରଣ ‘ମାଇପ’ ଶବ୍ଦ ସହ ‘ମା’ ଓ ‘ମାଈ’ ଶବ୍ଦର ଅନେକ ସାମଞ୍ଜସ୍ୟ ରହିଛି । ତେବେ 'ମା' ଓ 'ମାଈ' ଯାଏଁ ତ ଠିକ୍ ଅଛି କିନ୍ତୁ ‘ମାଇପ’ ଶବ୍ଦରେ "ପ" କେଉଁଆଡ଼ୁ ଆସିଲା ଏହା ଏହି ନିରୁକ୍ତି ମତ ସ୍ପଷ୍ଟ କରିପାରେ ନାହିଁ ।
କେତେକ ବୁଦ୍ଧିଜୀବି ଵିଶେଷତଃ ସାହିତ୍ୟିକମାନଙ୍କ ଅନୁସାରେ ମା+ଇଵ ଵା ମାତା+ଇଵ/ଏଵ ଏଭଳି ଯୁକ୍ତ ହୋଇ ମାଇପ ଶବ୍ଦଟି ସୃଷ୍ଟି ହୋଇଅଛି । ତେବେ ଯେଉଁ ପଣ୍ଡିତମାନେ ମାଇପ ଶବ୍ଦର ଏଭଳି ଵ୍ୟାଖ୍ୟା କରିଛନ୍ତି ସେମାନେ ଆମ ଓଡ଼ିଶାର ‘ମାଏଝି’ ଵା ‘ମାଇଝି’ ଓ ମାଇକିନା ଶବ୍ଦଦ୍ଵୟକୁ ଏକବାରେ ଭୁଲି ଗଲେ ନା ଏ ଶବ୍ଦଦ୍ଵୟ ଵିଷୟରେ ତାଙ୍କୁ ଆଦୌ ଜଣା ନଥିଲା ?
ମାଇପ ଶବ୍ଦ ଯଦି ମା+ଏବ ଵା ମା+ଇଵ ରୁ ହୋଇଛି ତାହେଲେ ମାଇକିନା ଓ ମାଏଝି/ମାଇଝି ଶବ୍ଦ କୁଆଡୁ କେମିତି ସୃଷ୍ଟି ହେଲା ? ଉଭୟ ଶବ୍ଦ ମଧ୍ୟରେ ଏତେ ସାମଞ୍ଜସ୍ୟ କାହିଁକି ?
ଏଠାରେ ପ୍ରକାଶ ଥାଉ କି ମାଇପ ଓ ମାଏଝୀ ଶବ୍ଦଦ୍ଵୟ ଏକାର୍ଥବୋଧକ କିନ୍ତୁ ମାଇପ ଶବ୍ଦ ଉପକୂଳ ଓଡ଼ିଶାରେ ଚଳୁଥିଵାବେଳେ ମାଏଝି ଶବ୍ଦଟି “ଆପଣା ପତ୍ନୀ” ଅର୍ଥରେ ଓଡ଼ିଶାର ପଶ୍ଚିମାଞ୍ଚଳରେ ଚଳୁଅଛି ଏଵଂ ଗଡ଼ଜାତରେ ମାଇପ ଶବ୍ଦଟି ମାଏପୋ ରୂପେ ପ୍ରଚଳିତ । ପୁଣି ଓଡ଼ିଶାରେ ମାଏଝି ଶବ୍ଦଟି ଵିଭିନ୍ନ ରୂପରେ ଚଳୁଅଛି ଯଥା—
ରାୟଗଡ଼ାରେ ସ୍ତ୍ରୀ ଅର୍ଥରେ ଚଳେ ମାଇଚି ଶବ୍ଦ ଏଵଂ ଏହା ମାଏଝୀ,ମାଇଝୀ ଶବ୍ଦର ଏକ ପରିଵର୍ତ୍ତିତ ରୂପ । ନଵରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଇତ୍ୟାଦି ଦକ୍ଷିଣ ପୂର୍ଵ ଓଡ଼ିଶାର ଜିଲ୍ଲାଗୁଡି଼କରେ ସ୍ତ୍ରୀ ଓ ପତ୍ନୀ ଅର୍ଥରେ ମାଏଜି ଶବ୍ଦ ଚଳୁଅଛି । ଦେଵଗଡ଼ରେ ମାଇଝା ଶବ୍ଦ ସ୍ତ୍ରୀଜାତି ଅର୍ଥରେ ପ୍ରୟୋଗ ହୋଇଥାଏ । ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରେ ମାଇଝି ଶବ୍ଦ ସ୍ତ୍ରୀ ଅର୍ଥରେ ଚଳୁଅଛି ।ବରଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ରେ ମାଏଝି ଶବ୍ଦ ସ୍ତ୍ରୀ ଓ କେଉଁଠି କେଉଁଠି ସ୍ତ୍ରୀଲୋକ ଅର୍ଥରେ ଚଳିଥାଏ ।
ଯଦି ମା+ଇଵ’ରୁ ମାଇପ ହେଲା ତାହେଲେ ମାଇକିନା ଆଉ ମାଇଝି ଵା ମାଏଝୀ ଶବ୍ଦ କୁଆଡ଼ୁ ସୃଷ୍ଟି ହେଇଗଲା ?
ପୁଣି “ମାଆ ଇଵ ଅର୍ଥାତ୍ ମାଆ ପରି ମାଇପ” ମାଇପ କହିଵା ମଧ୍ୟ ସାମାଜିକ ଦୃଷ୍ଟିକୋଣରୁ ସମୁଚିତ ଲାଗୁନାହିଁ । ମନ ହୃଦୟରେ ଯେତେ ସକାରାତ୍ମକ ଵିଚାର ଧରିକରି କହିଲେ ବି ମାଆ ଓ ମାଇପ କେବେ ତୁଳନୀୟ ନୁହନ୍ତି । କାରଣ...
⚫ମାଆ ଆମକୁ ଜନ୍ମଦିଏ ମାଇପ ଆମକୁ ନୁହେଁ ଵରଂ ସେ ଆମ ଛୁଆକୁ ଜନ୍ମ ଦିଏ ।
⚫ମାଇପ ସହିତ ମୈଥୁନୀ ସମ୍ପର୍କ ରଖିପାର ମାଆ ସହିତ ସେମିତି କରିଵା ଲୋକକୁ ଦୁରାଚାରୀ ହିଁ କୁହାଯିଵ ।
⚫ମାଆ ସହିତ ଆମର ସ୍ନେହ ସମ୍ପର୍କ ଜନ୍ମରୁ ମୃତ୍ୟୁ ଯାଏଁ ଯଥାଵତ୍ ଥାଏ ମାତ୍ର ସ୍ତ୍ରୀ ସହ ପ୍ରେମ ସମ୍ପର୍କ ଭାଵଗତ ଓ ବହୁ ପରେ ଜାତ ହୁଏ ଏଵଂ ମାଆ ସହ ଆମ ସମ୍ପର୍କ ପରି ଦୃଢ଼ ହୋଇ ନଥାଏ ।
⚫ମାଆ ଶରୀରରେ ଥିଵା ହାଡ଼ର କ୍ୟାଲସିୟମରୁ ଆମ ଶରୀରର ହାଡ଼ ଗଠିତ ହୋଇଅଛି ମାତ୍ର ସ୍ତ୍ରୀ ଯୋଗୁଁ ଆମ ଶରୀରର କିଛି ବି ଜାତ ହୁଏ ନାହିଁ ଵରଂ କ୍ଷୀଣ ହୋଇ ହୋଇ ଯାଏ ।
⚫ମାଆ ଆମର ପ୍ରଥମ ଶିକ୍ଷକ ଆଉ ସ୍ତ୍ରୀ ଆମର ଜୀଵନ ସଙ୍ଗିନୀ ।
⚫ମାଆ ଶିଖେଇଥିଵା କଥା ଆମ ସହିତ ଆଜୀଵନ ରହେ କିନ୍ତୁ ସ୍ତ୍ରୀର ଅନେକ କଥାକୁ ଏକାନରେ ଶୁଣି ସେକାନରେ ବାହାର କରିଵାକୁ ହୁଏ । ଯିଏ ଏମନ୍ତ ନ କଲା ସେ ମାୟାରେ ପଡ଼ି ମଲା ।
⚫ମାଆ ହାତ ରନ୍ଧା ସବୁଵେଳେ ସମସ୍ତଙ୍କୁ ସୁଆଦ ଲାଗେ କିନ୍ତୁ ସ୍ତ୍ରୀ ହାତ ରନ୍ଧା ଅନେକଙ୍କୁ ଅସ୍ଵାଦୁ ଲାଗଇ । ମାଆ ହାତରନ୍ଧାରେ ସୁଆଦ ସହ ସ୍ନେହ ମିଶି ରହିଥାଏ । ସ୍ତ୍ରୀ ହାତରନ୍ଧାରେ ସେହିପରି ପ୍ରେମ ରହିଵା ନିତାନ୍ତ ଆଵଶ୍ୟକ ଅନ୍ୟଥା ଯେତେ ସୁଆଦିଆ ଖାଦ୍ୟ ପରଷିଲେ ବି ମନ ହୃଦୟରେ ସ୍ଥାନ ଲଭିପାରିଵ ନାହିଁ ।
ଏଣୁ ”ମା ଓ ଇଵ ମିଶି ମାଇପ ଶବ୍ଦ ସୃଷ୍ଟି ହୋଇଛି ବୋଲି ଦିଆଯାଉଥିଵା ନିରୁକ୍ତି ମତ ସାମାଜିକ ଦୃଷ୍ଟିକୋଣରୁ ମଧ୍ୟ ଯୁକ୍ତିଯୁକ୍ତ ଲାଗୁନାହିଁ । ଜଣାନାହିଁ କେଉଁ ଦୃଷ୍ଟିରୁ କିଛି ଭାଷାଵିଦ ମାଆ ଓ ମାଇପକୁ ସମାନ ଵିଚାର କରି ଏମନ୍ତ ଅଯୁକ୍ତିଯୁକ୍ତ ନିରୁକ୍ତି ମତ ଦେଇଥିଲେ ।ମାଇପ କେବେ ବି ମାଆ ପରି କି ମାଆ ଭଳି ହୋଇ ନପାରେ କଦାପି ହୋଇପାରିଵ ନାହିଁ । ସେ ଆମ ଜୀଵନସାଥୀ, ସହାୟକ, ଯୌଵନ- ପ୍ରୌଢ଼ ଓ ବାର୍ଦ୍ଧକ୍ୟରେ ପଥ ପ୍ରଦର୍ଶକ ମାତ୍ର ଅଟଇ ।
ଅଧିକନୁ ମାଇକିନା,ମାଇପ/ମାଏପୋ ଓ ମାଏଝି/ମାଇଝି ; ଏହି ତିନୋଟି ଶବ୍ଦ ମଧ୍ୟରେ କୌଣସି ନା କୌଣସି ସମ୍ପର୍କ ରହିଛି ଅର୍ଥାତ୍ ଏହି ତିନିଗୋଟି ଶବ୍ଦ ଗୋଟିଏ ପ୍ରକ୍ରିୟାରେ ସୃଷ୍ଟି ହୋଇଅଛି ଏଵଂ ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ରୂପ ଓ ଅର୍ଥ ଘେନି ଚଳୁଅଛି । ଆମ ଭାଷାରେ ମାଈ ଶବ୍ଦଟି ସ୍ତ୍ରୀ,ମହିଳା ଓ ସ୍ତ୍ରୀ ଜାତୀୟ ଜୀଵ ଅର୍ଥରେ ପ୍ରୟୋଗ କରାଯାଏ । ପ୍ରାକୃତ ଭାଷାରେ ବି ଏହି ମାଈ ଶବ୍ଦଟି ଚଳୁଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । ମାଇଝି ଵା ମାଏଝି,ମାଇପ ଵା ମାଏପୋ ଓ ମାକିକିନା ଶବ୍ଦ ତ୍ରୟରେ ମାଈ ଶବ୍ଦ ଅଛି ଏଵଂ ଏହା ସ୍ତ୍ରୀ ଅର୍ଥରେ ଯୁକ୍ତ ହୋଇଅଛି । ଅତଏଵ୍ ମାଈ ଶବ୍ଦରେ ଝି ଵା ଝିଅ ଶବ୍ଦ ଯୁକ୍ତ ହୋଇ ମାଇଝି,ମାଏଝୀ ଓ ମାଇଚି ଶବ୍ଦ ସୃଷ୍ଟି ହୋଇଛି। ମାଈ ଶବ୍ଦ ସହ ପିଲା ଶବ୍ଦ ଯୁକ୍ତ ହୋଇ ମାଇପିଲା,ମାଇପି ଓ ମାଇପ ଶବ୍ଦ ସୃଷ୍ଟି ହୋଇଛି । ମାଈ ଶବ୍ଦରେ କନ୍ୟା ଵା କନିଆଁ ଶବ୍ଦ ଯୁକ୍ତ ହୋଇ ମାଇକିନା ଓ ମାଇକିନିଆ ଶବ୍ଦ ସୃଷ୍ଟି ହୋଇଅଛି। କଵି ଓ ଲେଖକ ନିଜ ସାହିତ୍ୟରେ ଗୋଟିଏ ଶବ୍ଦର ନିରୁକ୍ତି ଵିଷୟରେ ନିଜ କଳ୍ପନା ଶକ୍ତି ଦ୍ଵାରା ନାନା କଥା ଲେଖିପାରନ୍ତି କିନ୍ତୁ ତାହା ସେହି ଶବ୍ଦର
ପ୍ରକୃତ ନିରୁକ୍ତି ବୋଲି ସେତେବେଳେ ପ୍ରମାଣିତ ହେଵ ଯେବେ ତାହା ପ୍ରାମାଣିକ ହୋଇଥିଵ ।
No comments:
Post a Comment