Friday, June 9, 2023

ଓଡ଼ିଆ 'ତୁ' ଓ ଏହାର ଭାରୋପୀୟ ସଗୋତ୍ରୀୟ ରୂପ

ଆମେ କଥା ହେଲାବେଳେ ଵା କୌଣସି ଵିଷୟରେ ଲେଖିଲାବେଳେ ତୁ,ତୁହି,ତୁଇ,ତୁମ,ତୁମର,ତୁମରି,ତୁମ୍ଭେ,ତୁମ୍ଭର,ତୁମେ,ତୋର,ତୋହର ଇତ୍ୟାଦି ଶବ୍ଦ ଵ୍ୟଵହାର କରିଥାଉ ।‌ ଏସବୁ ଶବ୍ଦର ମୂଳରୂପଟି ହେଉଛି 'ତୁ' । ଓଡ଼ିଆ ଭାଷାରେ ଏହି 'ତୁ' ଶବ୍ଦଟି ଅନାଦରାର୍ଥକ ଶବ୍ଦ ଭାବେ ଵ୍ୟଵହାର କରାଯାଉଥିଲେ ବି ସ୍ନେହ ଓ ବାତ୍ସାଲ୍ୟାର୍ଥରେ ମଧ୍ୟ 'ତୁ' ଶବ୍ଦ ଵ୍ୟଵହୃତ ହୁଏ। ଅତି ଭକ୍ତିରେ ଈଶ୍ୱରଙ୍କୁ ମଧ୍ୟ 'ତୁ' ବୋଲି ସମ୍ବୋଧନ କରାଯାଏ । ଯଥା— ତୁ ନାଥ ପରମ ଦୟାଳୁ, ଦୁଷ୍ଟ ନିବାରି ସନ୍ଥ ପାଳୁ। 

କିନ୍ତୁ ଏହି ତୁ ଶବ୍ଦର ଵିଭିନ୍ନ ସଗୋତ୍ରୀୟ ରୂପ ପ୍ରାୟ ଅଧିକାଂଶ ଭାରୋପୀୟ ଭାଷାଗୁଡି଼କରେ ପ୍ରଚଳିତ । ଆମ ଭାରତର ଇଣ୍ଡିକ୍ ଭାଷାଗୁଡି଼କ ମଧ୍ୟରେ ଓଡ଼ିଆରେ ତୁ,ତୁହି,ତୁଇ ;ହିନ୍ଦୀରେ तू,तुम;ଅହମିଆରେ তই (toi), তুমি (tumi);ବଙ୍ଗାଳୀରେ
তুমি (tumi), তুই (tui);ନେପାଳୀରେ तँ (tã), तिमी (timī); ଗୁଜରାଟୀରେ તું (tũ),ପାଲୀଭାଷାରେ tvaṃ, tuvaṃ; ପ୍ରାକୃତ ଭାଷାରେ 𑀢𑀼𑀫𑀁 (tumaṃ), 𑀢𑀼𑀁 (tuṃ), 𑀢𑀁 (taṃ),𑀢𑀼𑀫𑀁 (tumaṃ), 𑀢𑀼𑀫𑁂 (tume), 𑀢𑀁 (taṃ) ଏଵଂ ସଂସ୍କୃତ ଭାଷାରେ ତ୍ଵମ୍ ଇତ୍ୟାଦି ଶବ୍ଦଗୁଡି଼କ ପ୍ରଚଳିତ ଅଛି । 

ଏସମସ୍ତ ଇଣ୍ଡିକ୍ ଶବ୍ଦଗୁଡ଼ିକର ମୂଳ ଭାରୋଇରାନୀୟ ଶବ୍ଦରୂପ *túH ଓ *túH-am ନିର୍ଣ୍ଣୟ କରାଯାଇଛି । ପୁଣି ଏହି ମୂଳ ଶବ୍ଦରୁ ଅନ୍ୟ ଏକ ଦିଗରେ ପାର୍ସୀରେ تو‎ (to, tu),
ତାଜିକ୍‌ରେ ту (tu),ପସ୍ତୋ ଭାଷାରେ ته‎ (të), ଆଵେସ୍ତାନୀ ଭାଷାରେ 𐬙𐬎𐬎𐬇𐬨‎ (tuuə̄m) ଓ 𐬙𐬏𐬨‎ (tūm) ଇତ୍ୟାଦି ଶବ୍ଦ ସୃଷ୍ଟି ହୋଇଛି । 

ସେହିପରି ମୂଳ ଭାରୋଇରାନୀୟ ଶବ୍ଦରୂପ túH ଓ *túH-amର ମୂଳ ଭାରୋପୀୟ ଶବ୍ଦରୂପ túh₂ ନିର୍ଣ୍ଣୟ କରାଯାଇଛି । ଏହି ମୂଳ ଭାରୋପୀୟ túh₂ ଶବ୍ଦରୁ ପ୍ରାକ୍ ଇଟାଲିକ୍, ପ୍ରାକ୍ ଜର୍ମାନିକ୍, ପ୍ରାକ୍ କେଲ୍ଟିକ୍ ଆଦି ଵିଭିନ୍ନ ଭାରୋପୀୟ ଭାଷା ଶାଖାରେ 'ତୁ' ସହିତ ସଗୋତ୍ରୀୟ ଶବ୍ଦ ପ୍ରଚଳିତ ଅଛି । 
ପ୍ରାଚୀନ ଗ୍ରୀକ ଭାଷାର τεός (teós) ଶବ୍ଦ ଆମ ଓଡ଼ିଆ ଭାଷାର ତୁ,ତୁଇ ଶବ୍ଦର ସଗୋତ୍ରୀୟ ଅଟେ ‌ । ଲାଟିନ ଭାଷାର
tuus ଶବ୍ଦରୁ ସେହିପରି ଫ୍ରେଞ୍ଚ୍ ଭାଷାରେ ton, ta, tes ,ଫ୍ରିଉଲିଆନରେ to ,
ଇଟାଲିଅନ୍‌ରେ tuo, tua, tuoi, tue;
ଓସିଟିଆନ୍‌ରେ teu,ପର୍ତ୍ତୁଗୀଜରେ teu, tua,ରୋମାନିଆନ୍‌ରେ tău, ta, tăi ଏଵଂ ସ୍ପାନିଶ୍‌ରେ tuyo, tuya ଇତ୍ୟାଦି ଶବ୍ଦ ସୃଷ୍ଟି ହୋଇଛି ।‌ ଏହି ସମସ୍ତ ଶବ୍ଦ ଆମ ଓଡ଼ିଆ 'ତୁ' ଶବ୍ଦର ସଗୋତ୍ରୀୟ,ସମାର୍ଥକ ଶବ୍ଦ ଅଟେ । 

ପ୍ରାକ୍ କେଲ୍ଟିକ୍ *tū ଶବ୍ଦରୁ ବ୍ରେଟୋନ୍ ଭାଷାରେ te,କର୍ନିଶ୍‌ରେ ty,ଓ୍ଵେଲ୍ସ ଭାଷାରେ ti ଓ ଆଇରିଶ୍‌ରେ tú ଶବ୍ଦ ସୃଷ୍ଟି ହୋଇ ପ୍ରଚଳିତ ଅଛି ।‌

ପ୍ରାକ୍ ଜର୍ମାନିକ୍ *þū ଶବ୍ଦରୁ ଜର୍ମାନ୍ ଭାଷାରେ du,ସାକ୍ସନ୍ ଭାଷାରେ thū
ସ୍କଟ୍ସ୍ ଭାଷାରେ thou, du ଓ thoo,
ୟୋଲା ଭାଷାରେ thou, th',
ଫ୍ରିସିଆନ୍‌ରେ dü,ଡଚ୍ ଭାଷାରେ du, dou ଓ douw ତଥା ୟିଡିଶ୍ ଭାଷାରେ דו‎ (du) ଶବ୍ଦ ଚଳୁଅଛି । ଇଂରାଜୀ ଭାଷା ମଧ୍ୟ ଏକ ଜର୍ମାନିକ୍ ଭାଷା ଏଵଂ ଏହି ଭାଷାରେ ପ୍ରଚଳିତ thou ଶବ୍ଦର ଆମ ଓଡ଼ିଆ 'ତୁ' ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ଅଛି ।‌ ଏତଦଵ୍ୟତୀତ ପ୍ରାକ୍ ଆଲବାଲିଆ ଭାଷାର *tū ଶବ୍ଦ ଆଧୁନିକ ଆଲବାଲିଆ ଭାଷାରେ Ti(ତୁ,ତୁମେ) ରୂପେ ପ୍ରଚଳିତ । 

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଆମ ଭାଷାରେ ପ୍ରଚଳିତ 'ତୁ','ତୁଇ','ତୁମେ' ଇତ୍ୟାଦି ଶବ୍ଦ ଭଳି ଅନେକ ଭାରୋପୀୟ ଭାଷାରେ ମଧ୍ୟ ଏହା ସହିତ ସଗୋତ୍ରୀୟ ଅନେକ ଶବ୍ଦ ପ୍ରଚଳିତ । ତେବେ ଭାରୋପୀୟ ଭାଷାଗୁଡ଼ିକରେ 'ତୁ','ତୁମେ' ଅର୍ଥଜ ଯେତେ ଶବ୍ଦ ଚଳୁଅଛି ସେସବୁର ମୂଳ ଶବ୍ଦଟି ସେହି 'ତୁ'ରୁ ଆରମ୍ଭ ହୋଇଥିଲା ଏଵଂ ଏହି ମୂଳ ରୂପଟି ଏବେବି ଆମ ଭାରତୀୟ ଭାଷାଗୁଡି଼କରେ ବଞ୍ଚିରହିଛି ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...