Tuesday, July 11, 2023

ତିନିମରକଟ,ତିନିକରକଟ ଓ ତିନିତିରିକଟ: ତିନି ସଂଖ୍ୟାକୁ ନେଇ ଓଡ଼ିଶାରେ ପ୍ରଚଳିତ ଲୋକଵିଶ୍ଵାସ

ଛୋଟବେଳେ ସାଙ୍ଗ ସାଥିଙ୍କ ସହିତ ଥିଵା ବେଳେ ପରସ୍ପରକୁ ବିଲାତିମିଠେଇ(ଚକୋଲେଟ୍), ବରକୋଳି ଆଦି ଵିଭିନ୍ନ କୋଳି, ପିଜୁଳି ଆମ୍ବ ଇତ୍ୟାଦି ଫଳ ଓ ଏହିପରି ଅନ୍ୟ ଖାଦ୍ୟଦ୍ରଵ୍ୟ ଦେଉଥିଲୁ ତେବେ ଦେଖାଯାଉଥିଲା ଗୋଟିଏ ଦୁଇଟି କି ତିନୋଟି ମିଠେଇ,ଫଳ କି କୋଳି ଦେଲେ ପିଲାଏ କହୁଥିଲେ 'ତିନି ମରକତ/ତିନି ମରକଟ' ଅଶୁଭ ଆଉ ଗୋଟେ ଦେ ନୋହିଲେ ଅଘଟଣ ଘଟିଵ । କେହି କେହି ତିନି ମରକଟ ବି କହୁଥିଲେ ‌‌। ଆମ ଅଞ୍ଚଳରେ ଏହାକୁ ନେଇ ଢଗଟିଏ ବି ଅଛି
“ତିନିମରକଟ ମଲାବେଳେ ହୁଏ ଛଟପଟ”

ପିଲାବେଳେ ଆମେ ସବୁ ସରଳ ଥିଲୁ ଅତଏଵ୍ ଏହି ଵାହାନା କରି ତିନିରୁ ଗୋଟିଏ ଅଧିକ କୋଳି,ଫଳ କି ମିଠା ପାଇଗଲେ ବହୁତ ଉଷତ ହୋଇ ଯାଉଥିଲୁ । 
 
ମରକତ ଏକ ଜାତୀୟ ମଣି ଏଵଂ ମର୍କଟ ବୋଇଲେ ଵାନର । ମରକତ ମଣି ଗୋଟିଏ ମୂଲ୍ୟଵାନ ଵସ୍ତୁ ତେଣୁ ତାକୁ ନେଇ ଏଭଳି ଲୋକପରମ୍ପରା ପ୍ରଚଳିତ ହେଵାର ସମ୍ଭାଵନା କମ୍ କିନ୍ତୁ ଵିଚାର କରାଯାଇପାରେ ଯେ ଲୋକମାନେ ତିନୋଟି ଵସ୍ତୁ ପାଇଲେ ତାକୁ ମରକତ ସହିତ ମୂଲ୍ୟଵାନ ବୋଲି ତୁଳନା କରି ତହିଁରୁ ଆଉ ଗୋଟିଏ ପାଇଵା ପାଇଁ ଏମିତି କହୁଥିବେ । 

ପୁଣି ସମ୍ଭଵତଃ ଆଗେ ଓଡ଼ିଶାରେ ତିନୋଟି ମାଙ୍କଡ଼ ଏକାଠି ହେଵାକୁ ଅଶୁଭ ମନେ କରାଯାଉଥିଲା ‌। ମାଙ୍କଡ଼ମାନେ ଏକାଠି ହେଲେ ଉଦ୍ଧତ ହୁଅନ୍ତି ଏଵଂ ତିନୋଟି ମାଙ୍କଡ଼ ଏକାଠି ହୋଇ ମନୁଷ୍ୟମାନଙ୍କ ଉପରେ ଆକ୍ରମଣ ମଧ୍ୟ କରିପାରନ୍ତି ।‌
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ତିନି ମରକଟ କି ତିନ ମରକତ ଶବ୍ଦ ନାହିଁ କିନ୍ତୁ "ତିନି କରକଟ" ଶବ୍ଦ ଅଛି । ତିନି ସଂଖ୍ୟାକୁ ନେଇ ଏହି ତିନିକରକଟ ଶବ୍ଦ ଗଠିତ ହୋଇଥିଲା। ଏହାକୁ ନେଇ ଢଗ ଥିଲା 
“ତିନି କରକଟ ମରଣ ନିକଟ” । ବୋଧହୁଏ ମରକଟ ଶବ୍ଦର‌ ଏହା ଏକ ରୂପ କାରଣ ଏହି ଧରଣର ଆଉ ଏକ ଶବ୍ଦ ଆମ ଭାଷାରେ ଅଛି ତାହା ହେଲା 'କରକଟିଆ' । ଏହି କରକଟିଆ ଶବ୍ଦର ଅର୍ଥ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଲେଖାଅଛି ମର୍କଟିଆ ଵା ଵାମନରୂପୀ । ତେଣୁ ବହୁତ ସମ୍ଭଵ ମରକଟ ଶବ୍ଦ କେତେକ ଅଞ୍ଚଳରେ କରକଟ ଓ କରକଟିଆ ରୂପ ଚଳୁଥିଲା । 

ପୁଣି ଆଉ କେତେକ ଅଞ୍ଚଳରେ ତିନି ତିରିକଟ ମଧ୍ୟ କୁହାଯାଉଥିଲା । ତିରିକଟ ଶବ୍ଦଟି ତିନି ସଂଖ୍ୟା ଅର୍ଥରେ ଵ୍ୟଵହାର କରାଯାଏ ଏଵଂ ଏହି ଶବ୍ଦ ଆଧାରରେ କେହି କେହି ପୂର୍ଵୋକ୍ତ ଢଗକୁ "ତିନି ତିରିକଟ ମରଣ ନିକଟ" ବୋଲି ମଧ୍ୟ କହିଥାନ୍ତି । ତେବେ ମରକଟରୁ କରକଟ ହେଲା କି ତିରିକଟ ଶବ୍ଦଟି ପରଵର୍ତ୍ତୀ କାଳରେ କରକଟ ଓ ମରକଟ ହୋଇଅଛି ତାହା ଗଵେଷଣା ସାପେକ୍ଷ । 

ସେ ଯାହାହେଉ ସାଧାରଣଙ୍କର ଵିଶ୍ୱାସ ଯେ '୩' ସଂଖ୍ୟା ଅମଙ୍ଗଳକର ଏଣୁ ଲୋକେ କହନ୍ତି ' ତିନି ତିରିକଟ(କରକଟ ଵା ମରକଟ) ମରଣ ନିକଟ' ଏଵଂ ଜଣେ ବନ୍ଧୁ ଆଉ ଝଣେ ବନ୍ଧୁଙ୍କୁ ତିନି ସଂଖ୍ୟକ ପଦାର୍ଥ ଦିଅନ୍ତି ନାହିଁ । 

ଉଲ୍ଲେଖଯୋଗ୍ୟ ଯେ ତିନୋଟି ମାଙ୍କଡ଼କୁ ଚୀନ ଆଦି କେତେକ ପୂର୍ଵ ଏସୀୟ ଦେଶଗୁଡ଼କରେ ଶୁଭ ମନେ କରାଯାଏ । ଭାରତରେ ବି ତିନିଠାକୁର ଶ୍ରୀମନ୍ଦିରରେ ଵିଦ୍ୟମାନ ଏଵଂ ଏହାଙ୍କୁ ଏକତ୍ର ଦେଖିଵା ସୌଭାଗ୍ୟ ମନେ କରାଯାଏ। ପୁଣି ତ୍ରିଦେଵ ବ୍ରହ୍ମା, ଶ୍ରୀଵିଷ୍ଣୁ ଓ ମେହଶ୍ବର ମଧ୍ୟ ଶୁଭ । କିନ୍ତୁ ଆଉ କେତେକ ଦେଶରେ ତିନୋଟି ମହମଵତୀ ଜଳିଵା,ପେଚା ତିନିଥର ବୋବାଇଵା ଆଦିକୁ ଅଶୁଭ ମନେ କରାଯାଏ । କିଛି ଦେଶରେ ମରିଵାକୁ ଯାଉଥିଵା ଲୋକର ଘର କବାଟକୁ ତିନିଥର ଠକ୍ ଠକ୍ କରିଵା ବି ଅଶୁଭ ମନେ କରାଯାଏ । ତିନୋଟି ପ୍ରଜାପତି ଗୋଟିଏ ପତ୍ରରେ ବସିଵାକୁ କେତେକ ଦେଶରେ ଲୋକେ ଅଶୁଭ ମନେ କରନ୍ତି । ଇଂରାଜୀରେ ମଧ୍ୟ କୁହାଯାଏ “three times a bridesmaid, never a bride” । 

ଏହି ତିନି ସଂଖ୍ୟା ଅଶୁଭ ବୋଲି ଆଉ ଏକ ଲୋକପ୍ରିୟ ଇଂରାଜୀ ଵାକ୍ୟ ଅଛି ”Three strikes of a match” । ଏହି ପ୍ରଵାଦଟି ଦ୍ଵିତୀୟ ଵିଶ୍ଵଯୁଦ୍ଧ ସମୟରେ କ୍ରିମିଅନ୍ ଯୁଦ୍ଧ ସମୟରେ ଚର୍ଚ୍ଚିତ ହୋଇଥିଲା । ସେତେବେଳେ ସୈନିକମାନେ ଵିଶ୍ଵାସ କରୁଥିଲେ ଯେ ତିନିଜଣ ସୈନିକ ଗୋଟିଏ ଦିଆସିଲି(ଡିଆସିଲି)ରରୁ ଵା ଗୋଟିଏ ଦିଆସିଲି କାଠିରୁ ସିଗରେଟ୍ ଟାଣିଵା ଅଶୁଭ ଏଵଂ ଏମିତି କଲେ ତୃତୀୟ ସୈନିକ ନିଶ୍ଚୟ 
ଗୁଳିର ଶିକାର ହୋଇଥାଏ । 

ଵିଶ୍ଵରେ ତିନି ସଂଖ୍ୟାକୁ କେତେକ ଅଞ୍ଚଳରେ ଶୁଭ ମନେ କରାଯାଏ ତ ଆଉ କେତେକ ଅଞ୍ଚଳରେ ଅଶୁଭ ମନେ କରାଯାଏ । ଓଡ଼ିଶାରେ ଆଗେ ସେହିପରି ତିନୋଟି ଵସ୍ତୁ ଦେଵାକୁ ଅଶୁଭ ମନେ କରାଯାଉଥିଲା ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...