Thursday, January 25, 2024

ଓଡ଼ିଆ ଭାଷାର କାଠ ଶବ୍ଦ ସମ୍ଭାର

କାଠ ଶବ୍ଦଟି ଅନେକ ଭାରତୀୟ ଭାଷାରେ ଥିଲେ ବି ସର୍ଵାଧିକ ଓଡ଼ିଆ ଭାଷାରେ ଵ୍ୟଵହୃତ ହୋଇଥାଏ । ସଂସ୍କୃତ ଭାଷାରେ କାଷ୍ଠ ଶବ୍ଦ ରହିଛି,ତେବେ ପ୍ରାକୃତ ଭାଷାରେ କାଟ ଓ କାଠ ଶବ୍ଦ ଥିଲା । ଏହି ପ୍ରାକୃତ ମୂଳର କାଠ ଶବ୍ଦ ଆଜି ବି ଓଡ଼ିଆ ଭାଷାରେ ଶୁଦ୍ଧ ମୂଳ ଅକାରାନ୍ତ 
ଉଚ୍ଚାରଣ ସହିତ ବଞ୍ଚି ରହିଛି । ଓଡ଼ିଆ ଭାଷାରେ ତେବେ କାଠ ଶବ୍ଦଟି ନାନା ଅର୍ଥରେ ଵ୍ୟଵହୃତ ହୋଇଥାଏ । ଦାରୁ ଵା ଵୃକ୍ଷର କଠିନ ଅଂଶକୁ ଇଂରାଜୀ ଭାଷାରେ Wood କୁହନ୍ତି କିନ୍ତୁ ଓଡ଼ିଆ ଭାଷାରେ କାଠ କୁହାଯାଏ । ସାଧାରଣତଃ ବୃକ୍ଷର ବକଳା ତଳେ ଥିଵା କଠିନ ଅଂଶକୁ କାଠ କହନ୍ତି। ଇନ୍ଧନ ଵା ଜାଳଣିକାଠକୁ ଇଂରାଜୀରେ Fuel କୁହନ୍ତି କିନ୍ତୁ ଓଡ଼ିଆ ଭାଷାରେ ତାକୁ ବି କାଠ କୁହାଯାଏ। କାଠନିର୍ମିତ ଠେଙ୍ଗା; ଲାଠି ଵା Wooden stickକୁ ବି ଓଡ଼ିଆ ଭାଷାରେ କାଠ କୁହାଯାଇଥାଏ । ଘରର ଖୁଣ୍ଟ, କଡ଼ି, ଶଗଡ଼ ଆଦି ନିର୍ମାଣ କରିବାପାଇଁ ବ୍ଯବହୃତ ବଡ଼ ଗଛର ଟାଣ କାଠକୁ ମଧ୍ୟ କେଵଳ କାଠ କୁହାଯାଇଥିଵା ଦୃଶ୍ୟ ହୁଏ । ସେହିପରି ଅନ୍ୟ ଦ୍ରଵ୍ୟ ଵା ଜୀଵିତ ଅଥଵା ନିର୍ଜୀଵ ଵସ୍ତୁ କ୍ଷେତ୍ରରେ ମଧ୍ୟ ଟାଣୁଆ, ଶକ୍ତ,କଠିନ,
ଶୁଖିଲା, ଶୁଷ୍କ, କାଠୁଆ ଓ ବହଳିଆ ଆଦି ଅର୍ଥରେ କାଠ ଶବ୍ଦଟି ଵ୍ୟଵହୃତ ହୋଇଥାଏ । 
ଭାଵ କ୍ଷେତ୍ରରେ ଲକ୍ଷଣାର୍ଥ ନିର୍ଦ୍ଦୟ; କରୁଣାହୀନ; ନିଷ୍ଠୁର ଲୋକଙ୍କୁ କାଠ କୁହନ୍ତି । ପୁଣି କଷ୍ଟସହ ଵା Inured to pain ଅର୍ଥରେ କାଠ ଶବ୍ଦ ପ୍ରୟୋଗ କରାଯାଏ । 
ଉଦାହରଣ ସ୍ୱରୂପ “ଅପରେସନ୍ ହେଲା ବେଳେ ମୁଁ ଦିହକୁ କାଠ କରିଦେଲି।” ଭୟ ଵା ଵିସ୍ମୟରେ କିଂକର୍ତ୍ତଵ୍ୟଵିମୂଢ଼ ସ୍ଥିତିକୁ ମଧ୍ୟ କାଠ କୁହାଯାଏ । ଯଥା—“ମୁଁ ଯୁଦ୍ଧକ୍ଷେତ୍ରରେ ହଟ୍ଟଗୋଳ ଦେଖି କାଠ ହୋଇଗଲି।” ନୀରଵ; ନିଶ୍ଚଳ; ନିଷ୍ପନ୍ଦ ସ୍ଥିତିକୁ କାଠ କୁହାଯାଏ । ଯଥା— “ସିଏ କାଠ ପରି ପଡ଼ିରହିଛି ହଲୁନି କି ଚଙ୍କୁନି ।”

କାଠ ଶବ୍ଦ ଯୁକ୍ତ ହୋଇ ଅନେକ ଯୌଗିକ ଓଡ଼ିଆ ଶବ୍ଦ ରହିଛି । ତେବେ ଅଭିଧାନରେ 
ତନ୍ମଧ୍ୟରୁ ହୁଏତ ଅନେକ ସ୍ଥାନ ପାଇନଥିଵ ।‌ ନିମ୍ନରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ତଥା କଥିତ ଓଡ଼ିଆ ଶବ୍ଦକୋଷରେ ଥିଵା କାଠ ଶବ୍ଦଯୁକ୍ତ ଶବ୍ଦଗୁଡ଼ିକର ସୂଚୀ ପ୍ରଦାନ କରାଗଲା...

•କାଠ ଅଡ଼ା—କାଠରେ ତିଆରି ଛୋଟ ହତାଯୁକ୍ତ ଅଣକ
•କାଠଆମିଳିତିପିତି—
କାଠୁଆ ଅମ୍ଳପିତ୍ତ
•କାଠ ଉଲମି — କାଠରେ
ଲାଗିଥିଵା ଉଈ
•କାଠକଇଞ୍ଚ—ଏକ ପ୍ରକାର ସ୍ଥଳଚର କଇଞ୍ଚ । ଏମାନେ ସାଧାରଣତଃ ଜଙ୍ଗଲରେ ରୁହନ୍ତି ।‌ ଏହାର ପିଠି ଜଳଚର କଇଞ୍ଚ ଅପେକ୍ଷା ବେଶି ଦେଉଳିଆ ଓ କୁଜା ହୋଇଥାଏ।
•କାଠକଟା— କାଠହଣା ଚଢେ଼ଇ
•କାଠକରମା — କମଳାଲେମ୍ବୁ
•କାଠକଳମ—ବାଡ଼ ବୁଜିଵାପାଇଁ ଵ୍ୟଵହୃତ ଗଛ ଯାହା ଅମରୀ ନାମରେ ଜଣାଶୁଣା,କାଠରେ ତିଆରି କଲମ, ଗବଗଛ
•କାଠକରୁଣା— କମଳାଲେମ୍ବୁ 
•କାଠକାଗଜ — ଶିରିସ କାଗଜ
•କାଠକେଞ୍ଚୁଆ—ଏକଜାତୀୟ ଛୋଟ କଇଞ୍ଚ । ଏହା ଦେହର ବ୍ୟାସ ୬"; ପିଠି ସାଧାରଣ କଇଁଚଙ୍କ ପିଠି ଅପେକ୍ଷା ଅଧିକ ଦେଉଳିଆ ଓ କୁଜା।
•କାଠଖପର —ଛପର, ଖପରିଲ
ଛପର
•କାଠଖୁମ୍ଫା/କାଠଖୁମ୍ପି— କାଠହଣା ଚଢେଇ
•କାଠଗଡ଼—ଲମ୍ବା ମୋଟ କାଠଖଣ୍ଡ
•କାଠଗଡ଼ା— ଵିଚାରାଳୟର
ମିଶାଲ, ଵିଚାରପତିଙ୍କୁ ବୟାନ ଦେଵା ପାଇଁ ନିର୍ମିତ ଗଡ଼ା
କାଠଗଡ଼ି—ଲମ୍ବା ମୋଟ କାଠଖଣ୍ଡ । (ଅଜଗର ତ କାଠଗଡ଼ି ପ୍ରାୟ ହୋଇ—କୃଷ୍ଣସିଂହ, ମହାଭାରତ ଵନ।)
କାଠଗଣ୍ଡି—ଡାଳ ଓ ଚେର ଅଂଶ ବାଦ ଦିଆଯାଇଥିଵା ଵୃକ୍ଷର ମୋଟ ଓ ଲମ୍ବ ଅଂଶ, ଲମ୍ବ ଓ ମୋଟା କାଠଖଣ୍ଡ(ସତ୍ୟଵାନ ଦେହୁଁ ଜୀଵନ ଯହୁଁ ଗଲା କାଠଗଣ୍ଡି ପରି ଦେହ ପଡ଼ିଣ ରହିଲା। କୃଷ୍ଣସିଂହ, ମହାଭାରତ ଵନ।)
•କାଠଗଣ୍ଡିଆ— ଅଳସୁଆ
•କାଠଗୋଲା — କାଠଵିକ୍ରୟ
କେନ୍ଦ୍ର, କାଠ ଗୋଦାମ
•କାଠଗୋଲାପ— ଏକ ଜାତୀୟ ଜଙ୍ଗଲୀ ଗୋଲାପ
•କାଠଘୋଡ଼ଚି/କାଠଘୋଡ଼ା— କାଷ୍ଠନିର୍ମିତ କ୍ରୀଡ଼ନକ ଘୋଡ଼ା
“ବାଇ ହୋଇଛୁ କି ବାଳୁତ ଭାଇ। କାଠଘୋଡ଼ା କି ପାଣି ପିଇ।” (କାହାଣୀ ଗୀତ),କାଠର ବେଞ୍ଚକୁ ବି କାଠଘୋଡ଼ା କୁହନ୍ତି ଯେହେତୁ ଏହା ଘୋଡ଼ା ପରି ହୋଇଥାଏ ଵା ଏହା ଚାରିଗୋଟି କାଠଗୋଡ଼ ଉପରେ କାଠ ଘୋଡ଼େଇ ନିର୍ମିତ ହୋଇଥାଏ 
•କାଠଚମ୍ପା—ଧଳା ଓ ନାଲି ଦୁଇ ଜାତିର ଫୁଲ ଓ ତହିଁର ଗଛ; ଗୁଲ୍ ବାସ,ଏକପ୍ରକାର ଘଡ଼ିବାଣ ଵା ଫଟାକି 
•କାଠଛତୁ—କାଠ ଉପରେ ଉଠୁଥିଵା ଏକ ଜାତୀୟ ଶକ୍ତ ଛତୁ
•କାଠଜନ୍ଦା—ଗଛରେ ରହୁଥିଵା ଏକଜାତୀୟ ପିପୀଲିକା । ଏମାନେ ଜନ୍ଦାଖାଇ ଆଦି ଗଛର ବକଳ ତଳେ ଥିଵା ସନ୍ଧିରେ ବସା କରି ରହନ୍ତି।
•କାଠଟୁକୁ/କାଠଠୁକୁ— କାଠହଣା ଚଢେଇ
•କାଠଠୋକରା— କାଠହଣା ଚଢେ଼ଇ
•କାଠନେକାର—ଶୁଷ୍କ ବମନ; ଶୁଖିଲା ଅଇ; ଯେଉଁ ଅଇରେ ବାନ୍ତି ଆଦି ବାହାରେ ନାହିଁ
•କାଠପଟାଳି— ଜଳପଥରେ
ସ୍ଥାନାନ୍ତରି ସମ୍ବନ୍ଧ ବହୁ କାଠଖଣ୍ଡ;କାଠଭେଳା

•କାଠପତର—ଶାଳୁଆ ଗଛର ପତ୍ର । ଏ ପତ୍ର ଶୁଖିଗଲେ ମଧ୍ୟ ବହୁକାଳସ୍ଥାୟୀ ଓ ଟାଆଁସା ରହେ। ଏଥିପାଇଁ ଏ ପତ୍ରରେ ମସଲା ଆଦି ରଖି ପୋଟଳା ବନ୍ଧାଯାଏ ଏଵଂ ଗୁଡ଼ିଏ ପତ୍ରକୁ ଲଗାଲଗି କରି ସିଲେଇ କରି ଏହି 'ଖଲିପତର'ରେ ଲୋକେ ଭାତ ଆଦି କୁଢ଼ାଇ ଖାଆନ୍ତି ଓ ଏ କାଠପତରରେ ଦନା, ଠୋଲା ଆଦି ମଧ୍ୟ କରାଯାଏ। 
•କାଠ ପଳଖା—ଅସାରମଣିଷ,କାଠ ଆସ୍ତରଣ
•କାଠ ପାଇଟାଳ— କାଠ ମିସ୍ତ୍ରୀ
•କାଠପିମ୍ପୁଡ଼ି—ଗଛରେ ରହୁଥିଵା ଏକ ଜାତୀୟ ପିମ୍ପୁଡ଼ି,ଏମାନେ କାଠଜନ୍ଦାଙ୍କଠାରୁ ଆକାରରେ ସାନ।
•କାଠପେଙ୍ଗୁ—ଵନ୍ୟ ଵୃକ୍ଷଵିଶେଷ । ଏହାର ଫଳରୁ ତେଲ ବାହାରେ। ଏହି ତେଲ ଘାଆ ଶୁଖାଇଵାପାଇଁ ଔଷଧରୂପେ ଵ୍ୟଵହୃତ ହୁଏ।
•କାଠବରଣ/କାଠବରୁଣ/କାଠବରଣ୍ଡ/କାଠବରୁଣ୍ଡ/କାଠଭରଣ୍ଡ—ଯୁଵାକାଳରେ ମୁହଁରେ ବାହାରିଵା ଟାଣୁଆ କ୍ଷୁଦ୍ର ଵ୍ରଣଵିଶେଷ । ଏହାକୁ ବୟଃଵ୍ରଣମଧ୍ୟ କୁହନ୍ତି ।ଏଥିମଧ୍ୟରେ ଗୋଟିଏ ଖିଲପରି ସରୁଆ ଧଳା ଟାଣୁଆ ଵସ୍ତୁ ଥାଏ; ବରଣକୁ ଚିପିଦେଲେ ଖିଲ ବାହାରିପଡ଼େ। 

•କାଠବାଇଗଣ—ଏକପ୍ରକାର ଜଙ୍ଗଲି ଗଛ ଓ ତାହାର ଫଳ ।
ଏ ଗଛ ଗଡ଼ଜାତରେ ଦେଖାଯାଏ ଏଵଂ ଚାରିରୁ ଛଅ ଫୁଟ ଉଚ୍ଚ ହୋଇଥାଏ। ଜନଜାତୀୟ ଲୋକେ ଏହାର ଫଳକୁ ତିଅଣ କରି ଖାଆନ୍ତି। ଏଥିର ଫଳ ଭେଜିବାଇଗଣ ପରି ଛୋଟ।

•କାଠବିରାଡ଼ି— ଗୁଣ୍ଡୁଚିମୂଷା

•କାଠବେଙ୍ଗ—କାଠ ଭିତରେ ରହୁଥିଵା ଏକ ଜାତୀୟ ବେଙ୍ଗ । ଏମାନେ ସାଧାରଣ ବେଙ୍ଗ ଅପେକ୍ଷା ବେଶିଦୂର ଡିଅନ୍ତି।

“ଏ ଵିଚାର ନ କରନ୍ତି ଯେଉଁ ସ୍ତିରୀଜନ, କାଠ ବେଙ୍ଗ କରି ତାକୁ ଜନ୍ମ କରେ ଯମ । (ସାରଳାମହାଭାରତ, ଆଦିପର୍ଵ)

•କାଠବେଙ୍ଗଲି— ମଞ୍ଜୁଆତି
•କାଠବେତ— ଏକ ଜାତୀୟ ବେତଗଛ

•କାଠଭେଜି—ଏକପ୍ରକାର ବଡ଼ ବନ୍ୟ ଗଛ । ଏହାର ଛୁଇଁ ଚେପ୍ଟା।

•କାଠଭୋଜି—ଗ୍ରାମର ଜନ୍ତାଳ
(ବୋଧହୁଏ ଅଧିକ କାଠ ଵ୍ୟଵହାର କରାଯାଏ ବୋଲି ଏଭଳି ନାମକରଣ ହୋଇଥିଲା?)
•କାଠମଞ୍ଜୁଆତି—ଏକ ଜାତୀୟ ମଞ୍ଜୁଆତି,ହରଗୌରା ଗଛ
•କାଠମଡ଼ମଡ଼ି—ଏକପ୍ରକାର ଵନ୍ୟ ଗଛ(Antidesma Ghaesembilla)
•କାଠମଲ୍ଲୀ—ବଣମଲ୍ଲୀ
•କାଠମାଳି—କାଠରୁ କୁନ୍ଦା ହୋଇ ପ୍ରସ୍ତୁତ ହୋଇଥିବା ମାଳା
•କାଠମାଳିଆ—କାଠମାଳି ପରିହିତ ଵ୍ୟକ୍ତି,କପଟସନ୍ୟାସୀ,କାଠକୁ ଯନ୍ତ୍ରରେ କୁନ୍ଦି ତହିଁରୁ ମାଳା ତିଆରି କରିଵା ଜାତି ଵିଶେଷ 

•କାଠମୁଖା—କାଷ୍ଠନିର୍ମିତ ଛଦ୍ମ ମୁଖ; ଅସୁର, ମାଙ୍କଡ଼ଆଦିଙ୍କ ମୁହଁ ଅନୁକରଣରେ ପ୍ରସ୍ତୁତ ଓ ଚିତ୍ରିତ କାଠର ଆଵରଣ; ଯାହାକୁ ମୁହଁ ଉପରେ ବାନ୍ଧି ଯାତ୍ରାବାଲାମାନେ ଭିନ୍ନ ଭିନ୍ନ ସୁଆଙ୍ଗ ଦେଖାନ୍ତି

•କାଠ ମୁହାଁ— ନିର୍ଲଜ, ବେହିୟା,କାଠମୁଖା

•କାଠମେଣ୍ଟୁ— କରତ କଳ
•କାଠରା—ବଢେଇ, କାଠୁରିଆ(ଯେମିତି -କାଚରା)

•କାଠରାଉତିଆ—ଉତ୍କଳଦେଶୀୟ ଉତ୍କୃଷ୍ଟ କ୍ଷତ୍ରିୟ ଜାତି

•କାଠରିଆ— କାଠୁରିଆ,କାଠରା

•କାଠଲଇ— ସୁଆମ

•କାଠଲେମ୍ବୁ— କାନ୍ଧିଆଲେମ୍ବୁ,
ବଡଲେମ୍ବୁ(ଏହାକୁ ଜମ୍ଭିରା,ସାନଟଭା, ଖଟାକମଳା ଓ କରୁଣା ବି କୁହାଯାଏ)
•କାଠଵିଷ—ଏକଜାତୀୟ ଵୃକ୍ଷରୁ ଜାତ ଵିଷ; ମହୁରା
•କାଠଶିଆଳି— ଏକ ପ୍ରକାର
ଜଙ୍ଗଲୀ ଗଛ
•କାଠହଣା —ଥଣ୍ଟରେ କାଠ ହାଣି ଘର କରୁଥିଵା ତଥା ପୋକ ଜୋକ ଖାଉଥିଵା ଚଢେ଼ଇ ଵିଶେଷ । ଏ ଚଢ଼େଇ ଗଛର ଗଣ୍ଡିରେ ମାକଡ଼ଭଳି ଗୋଡ଼ଦ୍ୱାରା ଚଢ଼ି ବକଳକୁ ଲମ୍ବ ମୁନିଆ ଥଣ୍ଟଦ୍ୱାରା ଛଡ଼ାଇ ତାହା ମଧ୍ୟରେ ଥିଵା ପୋକକୁ ଖାଏ। ମୁଣ୍ଡରେ ଚୂଳ ଥାଏ । ଏମାନଙ୍କ ଜିଭ ଲମ୍ବ; ଏ ଜିଭଦ୍ୱାରା ଗଛର ଗର୍ତ୍ତ ମଧ୍ୟରୁ ପୋକ ଆଦି କାଢ଼ି ଖାଆନ୍ତି । 

•କାଠହରା/କାଠହରିଆ— କାଠରା,କାଠୁରିଆ

•କାଠହାରିଆ—(ଶହେ ଵର୍ଷ ତଳେ)କଟକ ଜିଲ୍ଲା କାଠହାର ନାମକ ଗ୍ରାମର ତନ୍ତୀମାନଙ୍କଦ୍ୱାରା ବୁଣା ହୋଇଥିଵା ଉତ୍କୃଷ୍ଟ ଲୁଗା । ଏବେ ଏ ଲୁଗା ମିଳୁଛି କି ନାହିଁ କଟକଵାସୀ ସ୍ଥାନୀୟ ଲୋକେ କହିପାରିବେ

•କାଠହାବିଳି—ଭିତର ଖୋଳାଯାଇ ଫମ୍ପା କରାଯାଇଥିଵା କାଠର ନଳି ଭିତରେ ବାରୁଦ ପୂରାଯାଇ ତିଆରି କରାଯିଵା ହାବିଳି ବାଣ

•ଅକାଠ—ନିକୃଷ୍ଟ ଶ୍ରେଣୀର କାଠ
•ଅକାଠ କାଠ(କାଠକାଠ)— କୌଣସି କାର୍ଯ୍ୟ କରିଵାକୁ ପଶ୍ଚାତ୍ପଦ ଵା କୁଣ୍ଠିତ; ନିଶ୍ଚେଷ୍ଟ
•ଅଖକାଠ— ଅଖ ପାଇଁ ଉପଯୋଗୀ ଅର୍ଥାତ୍ ବେଶି ଭାର ବହନକ୍ଷମ କାଠ। ସବୁ ପ୍ରକାରର କାଠରେ ଅଖ ତିଆରି ହୁଏନାହିଁ। ଯେଉଁ କାଠ ଵିଶେଷ ଭାର ସହିପାରେ ସେହି ଜାତୀୟ କାଠରେ ଅଖ ତିଆରି ହୁଏ। ଯଥା—ଧଅ, ଧାମଣ, ଗିରିଙ୍ଗା, ଅସନ, ବେଲ।
•ଆଠକାଠ—କାର୍ଯ୍ୟ କରିଵାକୁ ପଶ୍ଚାତ୍ପଦ
•ଆଡ଼କାଠ— ତନ୍ତର ବାଆଁ ପାଖରୁ ଡାହାଣକୁ ଲଗାଯାଇଥିବା ଦଣ୍ଡ(ହଡ଼ିକାଠ),ଚାଳଘରର ଗୋଟିଏ କାନ୍ଥ ଉପରୁ ବିପରୀତ କାନ୍ଥର ମୁଣ୍ଡକୁ ଚଉଡ଼ା ବାଗରେ ପଡ଼ିଥିବା କାଠ(ଓରା)
(ଆଡ଼କାଠରେ ଡେରା ହୋଇଛି ଦେବଧନୁ ଦେଖି ଆନନ୍ଦ ହୋଇଲେ ଯଶୋଦାର ସୂନୁ। ନାରାୟଣ, ହରିବଂଶ।)

ଅର୍ଗଳ; ଅଲଗଡା; ବାଟକୁ ଵା ଖୋଲା ଯାଗାକୁ ସାମୟିକ ଅବରୋଧ କରିଵା (ଓ ଦରକାର ପଡ଼ିଲେ ଖୋଲିଦେଵା) ପାଇଁ ବାଟ ଵା ଖୋଲା ଫାଙ୍କର ଦୁଇ ପାଖରେ ପୋତା ହୋଇଥିଵା ଦୁଇ ଖୁଣ୍ଟର କଣାରେ ଗଳାଯାଇଥିବା କାଠ ଵା ଧଡ଼ାକୁ ମଧ୍ୟ ଆଡ଼କାଠ କୁହନ୍ତି । ପଶୁ ବଳି ଦେଵାପାଇଁ ଵ୍ୟଵହୃତ ଅର୍ଗଳ ଵା କୀଳକକୁ ଆଡ଼କାଠ କୁହାଯାଏ । ନାଳ ଵା ପହଣି ପାରି ହେବାପାଇଁ ନାଳ ଉପରେ ପ୍ରସ୍ଥବାଗରେ ଵା ଆଡ଼ବାଗରେ ପଡ଼ିଥିଵା ଲମ୍ବ କାଠକୁ ଆଡ଼କାଠ କୁହାଯାଏ । ଲମ୍ବଦଣ୍ଡରେ ଛକି ପଡ଼ି ବନ୍ଧାଯାଇଥିଵା ଛୋଟ ଦଣ୍ଡକୁ ଆଡ଼କାଠ କୁହାଯାଏ । ଵିଷମସମସ୍ୟା,ଗୋଲକଧନ୍ଦା( Dilemma.) ଓ ଅଖଞ୍ଜିଆ ଅଵସ୍ଥାକୁ ଆଡ଼କାଠ କୁହାଯାଏ । 
(ଯଥା—ସେ ମତେ ଆଡ଼କାଠରେ ପକାଇଦେଲା)

•କମଳକାଠ— ପଦ୍ମକାଠ 
(“ଚନ୍ଦନ ଅଗର କମଳକାଠରେ ଅନଳ ଲଗାଇ—ବିଶ୍ୱନାଥ, ବିଚିତ୍ରରାମାୟଣ।”)
•କଳାକାଠ—ଵିଵର୍ଣ୍ଣ,କୃଷ୍ଣଵର୍ଣ୍ଣ
•କାଠିକାଠ—କୌଣସି କାର୍ଯ୍ୟ କରିବାକୁ ପଶ୍ଚାଦ୍ପଦ ଵା ପରାଙ୍ମୁଖ,ଅସଂଖ୍ୟ(Countless)
•କୋଠକାଠ—ଗ୍ରାମଵାସୀ ସକଳ ଵ୍ୟକ୍ତିଙ୍କର ଏକତ୍ର ଅଧିକୃତ ସମ୍ପତ୍ତି,ଗ୍ରାମର ଇଜମାଲି ସମ୍ପତ୍ତିର ଆୟ ଵା ଉତ୍ପାଦନ—
•ଗୁଳୁଚିକାଠ— ମାଲଖମ୍ବ
•ଚଇଁକାଠ/ଚଇକାଠ/ଚାଇଁକାଠ— ଔଷଧୀୟ ଲତିକା ଵିଶେଷ । ଏହା ତାମ୍ବୂଳାଦି ବର୍ଗର ଲତା। ଏହି ଲତା ନଦୀ ଓ ପାଣିକୂଳରେ ହୁଏ। ଏହାର ପତ୍ରର ଆକାର ପାନ ପରି; ଫଳ ପିପ୍ପଳୀ ପରି। ଏହା ଗୁହ୍ୟଦେଶଜାତ ରୋଗନାଶକ। ଏହି ଲତାର ଫଳକୁ ଗଜପିପ୍ପଳୀ ଵା ବଣ ପିପ୍ପଳା ବୋଲାଯାଏ।
•ଚଉକାଠ
•ଜାଳଣୀକାଠ—ଇନ୍ଧନ; ଜାଳିଵାରେ ବ୍ଯବହୃତ କାଷ୍ଠ
•ଡାଳିକାଠ—ଯେଉଁ କାଠ ସରୁଆ ଓ ସଳଖ; ଯେଉଁ ଡାଳରେ ଗଣ୍ଠି ନ ଥାଏ ।
•ତୁଳିକାଠ—ତନ୍ତିମାନଙ୍କ ଲୁଗା ବୁଣିଵା କାଠ; ଯହିଁରେ ଲୁଗାର ବୁଣା ଅଂଶ ଗୁଡ଼ିଆ ଯାଏ
•ପୁଣ୍ଡରିୟା କାଠ,ପୁଣ୍ଡରୀକ କାଠ— ପଦ୍ମକାଠ
•ଫାଳିଆ କାଠ/କାଠ ଫାଳିଆ—ଚିରା ହୋଇଥିଵା କାଠ
•ଫାଶିକାଠ—ଯେଉଁ ଚଉକାଠରେ କଡ଼ିରୁ ଦଉଡ଼ା ଲଗାଇ ଫାଶି ଦଣ୍ଡ ଦିଆଯାଏ
•ବଡ଼ କାଠ— ଏକ ପ୍ରକାର ବଡ଼ ଢୋଲ । ଏହା 3\4 ହାତ ଲମ୍ବ ଓ ଦୁଇ ହାତ ବ୍ୟାସ ବିଶିଷ୍ଟ ଓ ଏଥିର ଦୁଇ ମୁଣ୍ଡରେ ଚମ ଛିଆଣି ହୋଇ ଥାଏ, ଏହାକୁ ଏକାଧିକ ଲୋକ ବାଉଁଶରେ ଝୁଲାଇ ବାଉଁଶର ଦୁଇ ମୁଣ୍ଡ କାନ୍ଧୋଇ କରି ସ୍ଥାନାନ୍ତରକୁ ନିଅନ୍ତି।
•ବାଇଦ ବଡ଼କାଠ—ସାନ ଢୋଲ ଓ ବଡ଼ ଢୋଲ
•ବାହାଦୁର୍ କାଠ/ବାହାଦୁରୀ କାଠ—ଶାଳ, ସାଗୁଆନ ପ୍ରଭୃତି କାଠର ବଡ଼ ବଡ଼ ମୁଣ୍ଡି—
•ବିଡ଼ିକାଠ—ଛୋଟ ଛୋଟ ବିଡ଼ାରେ ବନ୍ଧା ହୋଇ ବଜାରରେ ବିକ୍ରି କରା ଯାଉଥିଵା ଜାଳେଣୀ କାଠ
•ମଞ୍ଜକାଠ—କାଷ୍ଠର ମଜ୍ଜା; କାଠ ଭିତରର ସାର ଅଂଶ
•ମାଡ଼ିକାଠ— ମାଡ଼ି
•ମାଲୁମକାଠ—ଜାହାଜର ପ୍ରଧାନ ମାସ୍ତୁଲ
•ମୁଣ୍ଡିକାଠ—ମୂଳରୁ ଛେଦିତ ହୋଇଥିଵା ବଡ଼ ଗଛର ଶାଖା ଶୂନ୍ଯ ଗଣ୍ଡି
•ରଇ କାଠ—ଚିତାଗ୍ନି ଜଳାଇଵା ପାଇଁ ଵ୍ୟଵହୃତ କାଠ,ଦୀପିଦଣ୍ଡୀ ଵା ନଳାଦାଣ୍ଡୀ ;ପୋଖରୀର ମଧ୍ୟସ୍ଥଳରେ ପୋତାଯିବା ବେଲ ଆଦି କାଠର ଖମ୍ବ

•ରେଙ୍ଗାଳ କାଠ— ଶୁଖିଲା ଶାଳ କାଠ
•ସଙ୍ଘା କାଠ—ଗୁଜ ତଳେଥିଵା ଘରର ପ୍ରଧାନ ମୋଟ କାଠ; ଉରା
•ହଡ଼ିକାଠ—ପଶୁବଳି ଦେଵାରେ ପଶୁର ବେକ କାଟିଵାପାଇଁ ଵ୍ୟଵହୃତ ଯୂପକାଷ୍ଠ ;ଆଡ଼କାଠ
•ହାଡ଼କାଠ—ହାକୁଚ କଣ୍ଟା ଗୁଳ
•ହାଣ୍ଡିକାଠ—
ପାକସାମଗ୍ରୀ (ଚାଉଳ, ମୁଗ, ପରିବାଆଦି) କୁ ରାନ୍ଧିଵା ପାଇଁ ଆଵଶ୍ୟକ ୨ଟି ଵସ୍ତୁ (ଯଥା— ହାଣ୍ଡି ଵା ପାକପାତ୍ର ଓ ଜାଳ ଵା ଜାଳଣୀକାଠ)

ଶବ୍ଦ ସମ୍ଭାର ଦୃଷ୍ଟିରୁ ଓଡ଼ିଆ ଏକ ଵିଶାଳ ଭାଷା । କାଠ ଶବ୍ଦ ଯୁକ୍ତ ଶବ୍ଦଗୁଡ଼ିକର ସୂଚୀ ଏହା ପ୍ରମାଣ କରିଵାକୁ ଯଥେଷ୍ଟ ନୁହେଁ କି ?

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...