ପରର ଦୁଃଖ ଵା ଲାଞ୍ଚନାଭୋଗକୁ ଆନନ୍ଦ ସହିତ ଦେଖିଵାକୁ "ସୁକୁଟ ଦେଖିଵା" ବୋଲାଯାଏ ଠିକ୍ ସେହିପରି ଅନର୍ଥ ଵା କଳି ଭିଆଇଵାକୁ ସୁକୁଟ ଲଗାଇଵା,ସୁକୁଟ ଲଗାଇ ଦେଵା କୁହାଯାଏ । ଆଉ କେହି କେହି ଦୁଇ ଲୋକଙ୍କ ମଧ୍ୟରେ ଦ୍ଵନ୍ଦ୍ଵ ଉପୁଜାଇ କଳି ଲଗାଇଵାକୁ ସୁକୁଟ କରିଵା କହିଥାନ୍ତି । ସୁକୁଟ ଶବ୍ଦଟି "ପୁରୀ ବୋଲି" ତଥା "ଦକ୍ଷିଣ ଓଡ଼ିଶାର କଥିତ ଓଡ଼ିଆ ଭାଷା" ପୁସ୍ତକ ଦ୍ଵୟରେ ଥିଵାରୁ ସ୍ପଷ୍ଟ ହୋଇଯାଏ ଯେ ଏହି ଶବ୍ଦଟି ବହୁତ ସମ୍ଭଵ ପୁରୀ,ଗଞ୍ଜାମର କଥିତ ଓଡ଼ିଆ ଭାଷାରେ ପ୍ରଚଳିତ ଅଛି । କଥିତ ଓଡ଼ିଆ ଶବ୍ଦକୋଷରେ ମଧ୍ୟ ସୁକୁଟ ଶବ୍ଦଟି ପୁରୀ,ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରେ ଯଥାକ୍ରମେ ଅନ୍ୟର ଵିଵାଦ ଵା ଦୁଃଖ ଦେଖି ସୁଖି ହେଵା ତଥା ଅନର୍ଥ ଲାଞ୍ଛନା ଅର୍ଥରେ ଵ୍ୟଵହୃତ ହୋଇଥାଏ ବୋଲି ଲିଖିତ ହୋଇଛି ।
ପ୍ରାଚୀନ ସାହିତ୍ୟରେ ସୁକୁଟ ଶବ୍ଦର ପ୍ରୟୋଗ ସମ୍ବନ୍ଧୀୟ ସେଭଳି କୌଣସି ତଥ୍ୟ ମିଳିପାରେ ନାହିଁ ତେବେ ଦକ୍ଷିଣ ଓଡ଼ିଶାର କଥିତ ଭାଷାରେ ପ୍ରଚଳିତ ଲୋକଵାଣୀରେ ଏ ଶବ୍ଦ ନିଶ୍ଚୟ ଵ୍ୟଵହୃତ ହୋଇଅଛି ।
“ଏହି ପେଟ...,
ଏହି ପେଟଲାଗି ବଙ୍ଗଳା ବାଟ, ଏହି ପେଟଲାଗି ଛଟପଟ,
ଏହି ପେଟ ଲାଗି ଧାନକୁଟ,
ଏହି ପେଟଲାଗି ନଟକୂଟ,
ଏହି ପେଟଲାଗି ବସିଛି ହାଟ, ଏହି ପେଟଲାଗି ତେନ୍ତୁଳି ଛାଟ, ଏହି ପେଟ ଲାଗି ତଣ୍ଟି କାଟ,
ଏହି ପେଟଲାଗି ବଦନ ହେଟ, ଏହି ପେଟଲାଗି ଦେଖ ସୁକୁଟ, ଏହି ପେଟଲାଗି ଯମର ଭେଟ ।”
ସୁକୁଟ ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ ଅସ୍ପଷ୍ଟ । ଅନୁମାନ କରାଯାଇପାରେ ଯେ ହୁଏତ ଶବ୍ଦଟି "ଶୁଷ୍କ କୂଟ"ରୁ ସୃଷ୍ଟି ହୋଇଥାଇପାରେ । ଶୁଷ୍କ କଳହ,ଶୁଷ୍କ ଵିଵାଦ ଓ ଶୁଷ୍କ ତର୍କ ଭଳି ଶବ୍ଦ ଥିଵାରୁ ଏଭଳି ଅନୁମାନ ଅମୂଳକ ନୁହେଁ । ପୁଣି ଅତି ଅର୍ଥଜ 'ସୁ' ଶବ୍ଦ ସହିତ କପଟ ଅର୍ଥଜ 'କୂଟ' ଶବ୍ଦ ଯୁକ୍ତ ହୋଇ ମଧ୍ୟ ସୁକୁଟ ଶବ୍ଦଟି ସୃଷ୍ଟି ହୋଇଥାଇପାରେ।
No comments:
Post a Comment