ଆବୋରିଜିନାଲ ଅଷ୍ଟ୍ରେଲିଆନ ସଭ୍ୟତା ଇତ୍ୟାଦି ଇତ୍ୟାଦି । ତେବେ ବାକି ସବୁ ସଭ୍ୟତା ଲୁପ୍ତପ୍ରାୟ କେଵଳ ଭାରତୀୟ ସଭ୍ୟତା ଏକମାତ୍ର ପ୍ରାଚୀନ ସଭ୍ୟତା ଯାହା ସମୟକ୍ରମେ ଵିକଶିତ ହୋଇଛି ଏଵଂ ଏଯାଵତ୍ ବଞ୍ଚିରହିଛି ।
ଅନେକ ସମୟରେ ସଭ୍ୟତା ଓ ସଂସ୍କୃତି ମଧ୍ୟରେ ଥିଵା ପାର୍ଥକ୍ୟ ଵିଷୟରେ ଆଲୋଚନା କରାଯାଏ । ଏ ସମ୍ବନ୍ଧରେ ବେଳେବେଳେ ସାର୍ଥକ ଆଲୋଚନା ହୁଏ ପୁଣି ଆଉ କେବେକେବେ ତର୍କ ଵିତର୍କ ଲାଗିରହେ । ତେବେ ଚାଲନ୍ତୁ ଏ ଵିଷୟରେ ସଂକ୍ଷିପ୍ତ ଆଲୋଚନାଟିଏ କରିଵା ।
ସଭ୍ୟତା କାହାକୁ କୁହନ୍ତି?
ଏକ ସମାଜର ବୃହତ୍ ଓ ଜଟିଳ ସାମାଜିକ, ଆର୍ଥିକ, ରାଜନୈତିକ ଓ ପ୍ରଯୁକ୍ତିଗତ ଵ୍ୟଵସ୍ଥାକୁ ସଭ୍ୟତା କୁହନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସଭ୍ୟତା ଶବ୍ଦର ଆଠଗୋଟି ଅର୍ଥ ଲେଖା ହୋଇଛି । ସାମାଜିକତାକୁ ସଭ୍ୟତା କୁହନ୍ତି ଅର୍ଥାତ୍ ଲୋକଙ୍କ ସହିତ ମିଳିମିଶି ଜୀଵନଯାପନ କରିଵାର ଗୁଣକୁ ସଭ୍ୟତା କୁହାଯାଏ । ଭଦ୍ରତା ଵା ଶିଷ୍ଟ ଓ ସୌଜନ୍ୟପୂର୍ଣ୍ଣ ଵ୍ୟଵହାରକୁ ବି ସଭ୍ୟତା କୁହନ୍ତି ।ସାମାଜିକ ଆଚରଣରେ ନମ୍ରତା ଓ ସଂସ୍କାର ରୂପ ଶିଷ୍ଟାଚାର/ସୌଜନ୍ୟକୁ ମଧ୍ୟ ସଭ୍ୟତା ବୋଲାଯାଏ । ସାମାଜିକ ଉତ୍କର୍ଷ ଵା ସମାଜର ସାଂଗଠନିକ ଓ ସାଂସ୍କୃତିକ ଉନ୍ନତିକୁ ସଭ୍ୟତା କହିଥାନ୍ତି ।
ସୁସଂସ୍କୃତ ଜୀଵନଶୈଳୀ ଓ ରୁଚିସମ୍ପନ୍ନ ଆଚରଣ ମଧ୍ୟ ସଭ୍ୟତା ଅଟେ । ସାହିତ୍ୟ, ଵିଜ୍ଞାନ, ଦର୍ଶନ, କଳା, ଧର୍ମନୀତି ଆଦିର ଅନୁଶୀଳନ ଦ୍ଵାରା ମାନବ ମନ ଓ ଆଚରଣର ଉନ୍ନତିକୁ ସଭ୍ୟତା କୁହାଯାଏ । ନଗରୀୟ ଜୀଵନ, ଲିଖିତ ଭାଷା, ଶାସନ ଵ୍ଯଵସ୍ଥା ଓ ପ୍ରଯୁକ୍ତି ଆଧାରିତ ସାମାଜିକ ଵ୍ୟଵସ୍ଥାକୁ ସଭ୍ୟତା ବୋଲାଯାଏ ।
ଲୋକ ସମାଜରେ ଏକତା ଓ ସହଯୋଗ ସହିତ ଚଳିଵାର ଭାବର ଅନ୍ୟ ନାମ ସଭ୍ୟତା ଅଟେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସଭ୍ୟତା ଶବ୍ଦର ଏହି ଅର୍ଥଗୁଡ଼ିକ ଏହାର ଵ୍ୟାପକ ଓ ଵିଵିଧ ଦିଗକୁ ସୂଚାଇଥାଏ।
ଐତିହାସିକ ଆଲୋଚନା ସମୟରେ ସାଧାରଣତଃ Civilization ଅର୍ଥରେ ସଭ୍ୟତା ଶବ୍ଦ ପ୍ରୟୋଗ ହୋଇଥାଏ । ଏକ ଓ ଏକାଧିକ ଜାତିର ଏକତା ଓ ସମନ୍ଵୟରେ ନଗରୀୟ ଜୀଵନ, ଲିଖିତ ଭାଷା, ଶାସନ ବ୍ୟଵସ୍ଥା, ଵିଜ୍ଞାନ, କୃଷି ଓ ଅନ୍ୟାନ୍ୟ ଉନ୍ନତ ପ୍ରଯୁକ୍ତି ଆଧାରରେ ଗଢ଼ି ଉଠେ। ସିନ୍ଧୁ ସଭ୍ୟତା, ମେସୋପୋଟାମିଆ ସଭ୍ୟତା ଏହାର ଉଦାହରଣ। ଏହା ମୁଖ୍ୟତଃ ଭୌତିକ ଓ ସାଂଗଠନିକ ଉନ୍ନତିକୁ ନିର୍ଦ୍ଦେଶ କରେ।
ଅପରପକ୍ଷରେ ସଂସ୍କୃତି ଵା Culture
ହେଉଛି ଏକ ଜନସମୂହର ଜୀଵନଶୈଳୀ, ମୂଲ୍ୟବୋଧ, ଵିଶ୍ବାସ, ପରମ୍ପରା, କଳା, ସାହିତ୍ୟ, ସଙ୍ଗୀତ ଓ ଆଚାର-ଵ୍ୟଵହାରର ସମାହାର। ଏହା ସମାଜର ଆଧ୍ୟାତ୍ମିକ, ନୈତିକ ଓ ସାମାଜିକ ପରିଚୟକୁ ପ୍ରତିଫଳିତ କରେ । ଉଦାହରଣ ସ୍ଵରୂପ ଆମ ଓଡ଼ିଶାର ଜଗନ୍ନାଥ ସଂସ୍କୃତି, ନୃତ୍ୟ (ଓଡ଼ିଶୀ), ଓ ପରମ୍ପରାଗତ ଖାଦ୍ୟ। ଏହା ଅଧିକାଂଶ ସମୟରେ ଅଭୌତିକ ଓ ଆଵେଗାତ୍ମକ ଦିଗକୁ ଗୁରୁତ୍ବ ଦିଏ।
ସଭ୍ୟତା ଏକ ବୃହତ୍ ଓ ଜଟିଳ ସାମାଜିକ ଵ୍ୟଵସ୍ଥା, ଯହିଁର ଏକ ଅଂଶ ହେଲା ସଂସ୍କୃତି । ସଂସ୍କୃତି ଅଧିକ ସ୍ଥାନୀୟ ଓ ନିର୍ଦ୍ଦିଷ୍ଟ ସମୂହ ସହିତ ଜଡ଼ିତ।
ସଭ୍ୟତା ଭୌତିକ ଓ ପ୍ରଯୁକ୍ତିଗତ ଉନ୍ନତି ଉପରେ କେନ୍ଦ୍ରିତ, କିନ୍ତୁ ସଂସ୍କୃତି ମାନଵୀୟ ମୂଲ୍ୟତଥା ପରମ୍ପରା ଉପରେ ଗୁରୁତ୍ବ ଦିଏ । ସଭ୍ୟତା ସମୟ ସହିତ ଵିକଶିତ ହୋଇପାରେ ଵା ଵିଲୁପ୍ତ ହୋଇପାରେ, କିନ୍ତୁ ସଂସ୍କୃତି ପ୍ରାୟତଃ ଅଧିକ ସ୍ଥାୟୀ ଓ ପରମ୍ପରା ମାଧ୍ୟମରେ ବଜାୟ ରହେ। ସଂକ୍ଷେପରେ କହିଵାକୁ ଗଲେ, ସଭ୍ୟତା ହେଉଛି ଏକ ସମାଜର ଵାହ୍ୟ ଓ ସାଂଗଠନିକ ରୂପ, ଯେଉଁଠାରେ ସଂସ୍କୃତି ତା’ର ଆନ୍ତରିକ ଓ ଆଧ୍ୟାତ୍ମିକ ପରିଚୟ।
No comments:
Post a Comment