"Peg" ଶବ୍ଦଟି ମୂଳତଃ ଏକ କାଠ କିମ୍ଵା ଧାତୁର ଛୋଟ ଖୁଣ୍ଟି କିମ୍ଵା ପିନ୍କୁ ବୁଝାଏ, ଯାହା ଜିନିଷକୁ ଟାଙ୍ଗିଵା କିମ୍ଵା ଅଟକାଇଵା ପାଇଁ ଵ୍ୟଵହାର ହୁଏ। ଉଦାହରଣ ସ୍ୱରୂପ, "Hang your coat on the peg" (ନିଜ କୋଟ୍କୁ ଖୁଣ୍ଟିରେ ଟାଙ୍ଗ)।
ଏହି ଶବ୍ଦଟି Middle English "pegge" ରୁ ଆସିଛି, ଯାହା Middle Dutch "pegge" (ଅର୍ଥାତ୍ ପିନ୍ କିମ୍ଵା ଖୁଣ୍ଟି) ରୁ ଆସିଛି। ଏହାର ମୂଳ Proto-Germanic ଭାଷାର pig- କିମ୍ଵା pag- (ଅର୍ଥାତ୍ ଖୁଣ୍ଟି କିମ୍ଵା ମୁଣ୍ଡା ଵାଡ଼ି) ଏଵଂ ଆହୁରି ପୁରୁଣା Proto-Indo-European ଭାଷାର bak- (ଅର୍ଥାତ୍ ଲାଠି, ମୁଣ୍ଡା ବାଡ଼ି) ରେ ମିଳେ।
କିନ୍ତୁ ଗିଲାସେ ମଦ (ଵିଶେଷତଃ ହାର୍ଡ ଡ୍ରିଙ୍କ୍ ଯେପରି ୱିସ୍କି, ବ୍ରାଣ୍ଡି ଇତ୍ୟାଦି) କୁ "peg" କାହିଁକି କୁହାଯାଏ? ଏହାର କାରଣ ବ୍ରିଟିଶ୍ ଶାସନ କାଳରେ ଭାରତରେ ପ୍ରଚଳିତ ଏକ ଵିଶେଷ ମାପ ପ୍ରଣାଳୀ ଅଟେ।
ଭାରତରେ, ଵିଶେଷକରି ବ୍ରିଟିଶ୍ ରାଜ୍ ସମୟରୁ, ମଦର ମାପକୁ ସ୍ଥିର କରାଯାଇଥିଲା:
- Small Peg (ଛୋଟ ପେଗ୍) = ପ୍ରାୟ 30 ml (ମିଲିଲିଟର)
- Large Peg (ଵଡ଼ ପେଗ୍) = ପ୍ରାୟ 60 ml
- Patiala Peg = ପ୍ରାୟ 120 ml (ପଞ୍ଜାବର ପଟିଆଲା ରାଜାମାନଙ୍କ ପରମ୍ପରା ଅନୁଯାୟୀ ଏକ ବଡ଼ ମାପ)
ଆଜି ବି ଭାରତରେ ଲୋକମାନେ କୁହନ୍ତି: "ଏକ ପେଗ୍ ୱିସ୍କି ଦିଅ" (Give me one peg of whisky), ଯାହାର ଅର୍ଥ ଏକ ନିର୍ଦ୍ଦିଷ୍ଟ ମାପର ମଦ।
କିନ୍ତୁ ମୂଳ ଅର୍ଥରୁ ଦୂରେଇ ଯାଇ Peg ଶବ୍ଦର ଏଭଳି ଅର୍ଥ କାହିଁକି ହେଲା?
ଏହାର କାରଣ ହେଉଛି ମାପର ସ୍ଥିରତା। ଯେପରି ଏକ ଖୁଣ୍ଟି (peg) କୌଣସି ଜିନିଷକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅଟକାଇ ରଖେ, ସେହିପରି "peg" ଶବ୍ଦଟି ମଦର ଏକ ସ୍ଥିର, ନିର୍ଦ୍ଦିଷ୍ଟ ମାପକୁ ବୁଝାଏ।
ଅଵଶ୍ୟ ଗୋଟିଏ ଲୋକପ୍ରିୟ କାହାଣୀ ଅନୁଯାୟୀ, ଵ୍ରିଟେନରେ କୋଇଲା ଖଣିର ଶ୍ରମିକମାନେ ଦିନର କଠିନ ପରିଶ୍ରମ ପରେ ବେତନ ସହ ଏକ ଛୋଟ ଗିଲାସ ବ୍ରାଣ୍ଡି ପାଉଥିଲେ। ଏହାକୁ "Precious Evening Glass" (ମୂଲ୍ୟଵାନ ସନ୍ଧ୍ୟା ଗିଲାସ) କୁହାଯାଉଥିଲା, ଯାହା ପରେ ସଂକ୍ଷିପ୍ତରେ "PEG" ହୋଇଗଲା। ତେବେ ଏହା ଏକ ଲୋକକଥା ଏଵଂ ଏହା ଶବ୍ଦର ଲୋକପ୍ରିୟତାକୁ ଭଲ ଭାଵରେ ବୁଝାଏ କିନ୍ତୁ ଏହା ଶବ୍ଦର ପ୍ରକୃତ ପ୍ରାମାଣିକ ଏଵଂ ଭାଷାଵିଦମାନଙ୍କ ଦ୍ଵାରା ଅନୁମୋଦିତ ଵ୍ୟୁତ୍ପତ୍ତି ମତ ନୁହେଁ । Peg ଶବ୍ଦର ମୂଳ ଓ ପ୍ରକୃତ ଵ୍ୟୁତ୍ପତ୍ତି ଇତିହାସ ଏଵଂ ଏହାର କେମିତି ଯୁକ୍ତିଯୁକ୍ତ କାରଣ ଯୋଗୁଁ ଅର୍ଥାନ୍ତର ଘଟି ଲକ୍ଷଣାର୍ଥକ ଅର୍ଥରେ ପ୍ରୟୋଗ ହୋଇଥିଲା ତାହା ଭାଷାଵିଦମାନେ ଵିଭିନ୍ନ ଆଲୋଚନା ଏଷଣା ଗଵେଷଣା ଦ୍ଵାରା ସ୍ଥିର କରିଛନ୍ତି । ବ୍ରିଟିଶ୍ ରାଜ୍ ସମୟରେ ଭାରତରେ ମଦ ପରିଵେଷଣର ମାନକୀକରଣ ହୋଇଥିଲା ଏଵଂ ଏହି "peg" ପ୍ରଣାଳୀ ଭାରତୀୟ ସଂସ୍କୃତିର ଏକ ଅଂଶ ହୋଇଗଲା। ଅନ୍ୟ ଦେଶମାନଙ୍କରେ ଏହାକୁ "shot" କୁହାଯାଏ, କିନ୍ତୁ ଭାରତରେ "peg" ଆଜି ଵି ପ୍ରଚଳିତ।
ଏହିପରି, ଏକ ସରଳ ଖୁଣ୍ଟି ଵା Pin ଅର୍ଥଜ ଶବ୍ଦ କିପରି ମଦର ମାପ ହୋଇଗଲା - ଏହା ଇତିହାସ, ଭାଷା ଏଵଂ ସଂସ୍କୃତିର ଏକ ମଜାଳିଆ ସଂଯୋଗ !
No comments:
Post a Comment