ତେବେ ହାତଗଣତି ଓଡ଼ିଆଙ୍କୁ ହିଁ ଜଣାଥିଵ ଯେ ପ୍ରାଚୀନ ଓଡ଼ିଆ ଭାଷାରେ ପୂର୍ଵେ ସେହିପରି ଯିସ ବୋଲି ଏକ ଶବ୍ଦ ପ୍ରଚଳିତ ଥିଲା ।
ପ୍ରାଚୀନ ରସଵାରିଧି,ଚାଟଇଛାଵତୀ ଓ ଶଶିସେଣା ଭଳି କାଵ୍ୟରେ ଏ ଶବ୍ଦଟି ଯାହା ଓ ଯେଉଁ ଅର୍ଥରେ ପ୍ରୟୋଗ କରାଯାଇଛି ।
ଷୋଡ଼ଶ ଶତାବ୍ଦୀର କଵି ଵୃନ୍ଦାଵନ ଦାସ ସଂସ୍କୃତ ଗୀତଗୋଵିନ୍ଦର ପ୍ରଥମ ଓଡ଼ିଆ ଅନୁଵାଦକ । ତାଙ୍କ ଦ୍ଵାରା ରଚିତ ରସଵାରିଧି କାଵ୍ୟରେ 'ଯାହା' ଅର୍ଥରେ ଯିସ ଶବ୍ଦ ଵ୍ୟଵହୃତ ହୋଇଅଛି।
“ଏଥୁ ଅନନ୍ତରେ ଯିସ,
କହିଵା ଗୋବିନ୍ଦ ରସ,
ଜୟଦେଵ ଯେଉଁ ଭାଷା ପ୍ରକାଶ ଶୁଣ।”
( ଵୃନ୍ଦାଵନ ଦାସ, ରସଵାରିଧି)
କଵି ଵନମାଳୀ ଦାସଙ୍କ ଚାଟ ଇଚ୍ଛାଵତୀ କାଵ୍ୟରେ ମଧ୍ୟ 'ଯାହା' ଅର୍ଥରେ ଯିସ ଶବ୍ଦ ଵ୍ୟଵହାର ହୋଇଅଛି ।
“ଯେ ଯିସ ବୋଲିବ ବୋଲୁ ମୁହିଂ ତୁମ୍ଭ ନାହା । ମନେ ଯାହା ଲୋଡ଼ୁଥିଲି ପାଇଲି ମୁଂ ତାହା ॥”
(ଚାଟ ଇଚ୍ଛାଵତୀ, ବନମାଳୀ ଦାସ)
କଵି ପ୍ରତାପ ରାୟ ପଞ୍ଚଶଖା ଯୁଗର ଶେଷଭାଗରେ ଶଶିସେଣା କାଵ୍ୟ ରଚନା କରିଥିଲେ ଏଵଂ ସେହି କାଵ୍ୟରେ ସେ ଯିସ ଶବ୍ଦକୁ ଯେଉଁ(Which) ଅର୍ଥରେ ପ୍ରୟୋଗ କରାଯାଇଛନ୍ତି ।
“ବୋଲେ ଏ କିସ ଚରିତ ।
ଭିଆଇଲ ପ୍ରାଣନାଥ ।
ଆକୁଳ ସକଳ ଜନ ।
କହ ଵିଧାନ ୟେ ।
କୁମର ସକଳ କଥା ।
କହିଲା ଯିସ ଵେଵସ୍ଥା ।
ହସି ଶଶିସେଣା କହେ ।
ଭଲ ଉପାୟେ ୟେ ।”
(ଶଶିସେଣା,ପ୍ରତାପ ରାୟ)
ଏହି ଯାହା, ଯେଉଁ ଅର୍ଥଜ ଏହି ପ୍ରାଚୀନ ଓଡ଼ିଆ ଶବ୍ଦର ପ୍ରୟୋଗ ନୃସିଂହପୁରାଣ ଆଦି ଅନେକ ପୁରାତନ ଓଡ଼ିଆ କାଵ୍ୟରେ ଦେଖାଯାଏ, କିନ୍ତୁ ଵର୍ତ୍ତମାନ ଏହାକୁ ଏହି ଆକାରରେ କେହି ଵ୍ୟଵହାର କରିଵା ଦେଖାଯାଏ ନାହିଁ।
ଏବେ କେହି ଏହି ଯିସ ଶବ୍ଦକୁ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଦେଖିଲେ ଭାବିପାରନ୍ତି ଯେ ଏହା ସମ୍ଭଵତଃ ତତ୍କାଳୀନ ହିନ୍ଦୀ ଅନୁକୃତ ଶବ୍ଦ ହୋଇଥିଵ କିନ୍ତୁ ଏମନ୍ତ ଭାବିଵା ସର୍ଵଥା ଅନୁଚିତ୍ ଅଟଇ । ସଂସ୍କୃତ ଭାଷାରେ ପ୍ରଚଳିତ ଯଃ ଓ ଯତ୍ ଶବ୍ଦଟି ସହିତ ଓଡ଼ିଆ ଭାଷାର ଯିସ ତଥା ହିନ୍ଦୀର जिस ଶବ୍ଦ ସମୋଦ୍ଧୃତ ଅଟେ । ପୂର୍ଵୀ ପ୍ରାକୃତ ଭାଷାରେ 'ଯ' ଶବ୍ଦର ଅର୍ଥ ଯିଏ,ଯେ କେହି । 'ଯଇ'ର ଅର୍ଥ ଯେତିକି, ଯେଉଁ ସମୟରେ ,ଯଦି ଓ ଯେଉଁ । 'ଯଇଆ' ଶବ୍ଦର ଅର୍ଥ ଯଦା । ସେହିପରି ପ୍ରାକୃତ ଭାଷାରେ ପୂର୍ଵେ 'ଯଇସ' ବୋଲି ଏକ ଶବ୍ଦ ପ୍ରଚଳିତ ଥିଲା ଯାହାର ଅର୍ଥ ଥିଲା ଯାଦୃଶ, ଯେମିତି ଓ ଯେଉଁ ଭଳି । ପ୍ରାକୃତ ଭାଷାର ଏହି 'ଯଇସ' ଶବ୍ଦ ସହିତ ଓଡ଼ିଆ ଭାଷାରେ ପୂର୍ଵେ ପ୍ରଚଳିତ 'ଯିସ' ଏଵଂ ହିନ୍ଦୀରେ ଅଧୁନା ପ୍ରଚଳିତ जिस् ଶବ୍ଦର ସାମଞ୍ଜସ୍ୟ ସ୍ପଷ୍ଟ ଜଣାପଡ଼ୁଛି । ତେବେ ହିନ୍ଦୀଭାଷୀ ତାଙ୍କ जिस् ଶବ୍ଦକୁ ଆଜି ବି ଵ୍ୟଵହାର କରୁଥିଵା ବେଳେ ଓଡ଼ିଆମାନେ ନିଜର ଯିସ ଶବ୍ଦକୁ ଛାଡ଼ି ଦେଇଛନ୍ତି ।
ସଂସ୍କୃତ ଯଃ ଓ ଯଦ୍ ; ଓଡ଼ିଆ ଭାଷାର ଯିସ,ଯିଏ ,ଯେ ; ପ୍ରାକୃତ ଭାଷାର ଯଇସ,ଯ ଓ ଯଇଆ ତଥା ହିନ୍ଦୀର जो,जिस, जिसे ଆଦି ଏ ସମସ୍ତ ଶବ୍ଦର ମୂଳ ପ୍ରାକ୍ ଭାରତୀୟ ଶବ୍ଦରୂପ Hyás,ମୂଳ ପ୍ରାକ୍ ଭାରୋ-ଇରାନୀୟ ଶବ୍ଦରୂପ Hyás ତଥା ମୂଳ ଭାରୋପୀୟ ଶବ୍ଦରୂପ *Hyós ବୋଲି ଆଧୁନିକ ଭାଷାଵିଦମାନେ ନିର୍ଣ୍ଣୟ କରିଛନ୍ତି । ମଜା କଥା ହେଲା ଲିଥୁଆନିଆ ଭାଷାରେ ମଧ୍ୟ jis ବୋଲି ଏକ ଶବ୍ଦ ପ୍ରଚଳିତ ଏଵଂ ଏହାର ଓଡ଼ିଆ ଶବ୍ଦ 'ଏହା', ସଂସ୍କୃତ 'ଏଷଃ' ଓ ହିନ୍ଦୀ 'इस्' ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ମଧ୍ୟ ରହିଛି ତଥା ଏହି ଶବ୍ଦଟି ଲିଥୁଆନୀ ଭାଷାରେ 'ଇଏ,ଏହା(He,it)' ଅର୍ଥରେ ପ୍ରୟୋଗ କରାଯାଏ ।
କେହି କେହି ମନେ କରିପାରନ୍ତି ଯେ ଉତ୍ତର ଭାରତୀୟଙ୍କ ତତ୍କାଳୀନ ଭାଷା ଦ୍ଵାରା ପ୍ରଭାଵିତ ହୋଇ କିଛି ଓଡ଼ିଆ କଵି ସେ ସମୟରେ ଯିସ ଶବ୍ଦ ଵ୍ୟଵହାର କରିଥାଇପାରନ୍ତି କିନ୍ତୁ ଏଭଳି ଵିଚାର କରିଵା ଠିକ୍ ନୁହେଁ କାରଣ ଯେତେବେଳେ ଉତ୍ତର ଭାରତରେ ସଂସ୍କୃତ ଭିନ୍ନ କୋୖଣସି ଭାଷାରେ ମହାଭାରତ ଲିଖିତ ହୋଇନଥିଲା ସେତେବେଳେ ଓଡ଼ିଶାରେ ସାରଳା ମହାଭାରତ ଲେଖା ସରିଥିଲା । ସେହି
ସାରଳା ମହାଭାରତର ଅନେକ ସ୍ଥାନରେ ଯିସ ଶବ୍ଦଟି "ଯାହା ଓ ଯେଉଁ" ଅର୍ଥରେ ପ୍ରୟୋଗ କରାଯାଇଛି ।
“ଦୁଇ ପର୍ଵତ ମଧ୍ୟେକ ସର୍ପେକ ଅଛି ପଡି଼ ।
ଦୁତୀ ପର୍ଵତପ୍ରାୟେକ ଯେ ପ୍ରଳମ୍ବ କୋଶଚାରି ॥
ତିନି ମାସରେ ଲାଙ୍ଗୁଡ଼ ସେ ଆଣଇ ଗୁଡ଼ିଆଇ ।
ଯିସ ଜୀଵ ପଡ଼ଇ ଭକ୍ଷପାନ କରଇ ସେହି ॥”
(ସାରଳା ମହାଭାରତର ସଭାପର୍ଵ)
ତେବେ ରୀତିଯୁଗ ପରଵର୍ତ୍ତୀ ଓଡ଼ିଆ ଭାଷାରେ "ଶେଷ ମାନକୀକରଣ" ସମୟରେ "ଯେ, ଯେଉଁ ,ଯାହା" ଶବ୍ଦର ପ୍ରଚଳନ ଵୃଦ୍ଧି ପାଇଵାରୁ 'ଯିସ' ଭଳି ପ୍ରାଚୀନ ଓଡ଼ିଆ ଶବ୍ଦ ଉଭୟ କଥିତ ଓ ଲିଖିତ ଓଡ଼ିଆ ଭାଷାରୁ ଵିଲୁପ୍ତ ହୋଇଗଲା ।
No comments:
Post a Comment